Breaking News

ଆମେରିକାରେ ମୋଦୀ: ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ବୈଠକ, ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ, ଏନ୍‌ଏସ୍‌ଏ ଓ ମସ୍କଙ୍କୁ ଭେଟିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ଗୁରୁତ୍ବପୂର୍ଣ୍ଣ ଦୁଇ ଦିନିଆ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଆଜି ୱାସିଂଟନ୍‌ରେ ଭବ୍ୟ ସ୍ବାଗତ କରାଯାଇଛି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ଗୁରୁତ୍ବପୂର୍ଣ୍ଣ ଦୁଇ ଦିନିଆ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଆଜି ୱାସିଂଟନ୍‌ରେ ଭବ୍ୟ ସ୍ବାଗତ କରାଯାଇଛି।  ମୋଦୀ ଆମେରିକାରେ ପହଞ୍ଚିବାପରେ ପ୍ରଥମେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଥିବା ତୁଳସୀ ଗବାର୍ଡଙ୍କୁ ଭେଟିଥିଲେ।  ଏହାପରେ ଆମେରିକାର ଜାତୀୟ ସୁରକ୍ଷା ଉପଦେଷ୍ଟା(ଏନ୍‌ଏସ୍‌ଏ) ମାଇକେଲ୍‌ ୱାଲ୍‌ଜଙ୍କ ସହ ବ୍ଲେୟାର୍‌ ହାଉସ‌ରେ ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଏହି ବୈଠକରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଏନ୍‌ଏସଏ ଅଜିତ ଡୋଭଲ ମଧ୍ୟ  ଯୋଗ ଦେଇଥିଲେ।  ପ୍ରଧାନମନ୍ତ୍ରୀ ମୋଦୀ ଗବାର୍ଡଙ୍କ ସହ ଭାରତ-ଆମେରିକା ବନ୍ଧୁତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ତୁଳସୀ ଗବାର୍ଡ ଭାରତ-ଆମେରିକା ବନ୍ଧୁତାର ସର୍ବଦା ଜଣେ ଦୃଢ଼ ସମର୍ଥକ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି।

ଏହି ସାକ୍ଷାତ୍ ସମୟରେ ବିଶେଷକରି ଆତଙ୍କବାଦ ମୁକାବିଲା, ସାଇବର ନିରାପତ୍ତା, ଉଦୀୟମାନ ବିପଦ ଓ ରଣନୈତିକ ଗୁଇନ୍ଦା ଆଦାନପ୍ରଦାନ କ୍ଷେତ୍ରରେ ଦ୍ୱିପାକ୍ଷିକ ଗୁଇନ୍ଦା ସହଯୋଗ ବୃଦ୍ଧି ସମେତ ଅନେକ ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ। ମୋଦୀ ଆଜି ଟେସ୍‌ଲା ସିଇଓ ଏଲନ ମସ୍କଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି।  ଭାରତୀୟ ବଜାରକୁ ସ୍କେସ୍‌ଏକ୍ସର ଷ୍ଟାରଲିଙ୍କ୍‌ ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା ସଂକ୍ରାନ୍ତରେ ସେ ଆଲୋଚନା କରିଥିବା ଜଣାପଡ଼ିଛି।   ମୋଦୀ  ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ   ଦ୍ବିପାକ୍ଷିକ  ବୈଠକ କରିବେ ଏବଂ  ଏହାପରେ  ଉଭୟ ନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ରହିଛି। ମୋଦୀ-ଟ୍ରମ୍ପ ଆଲୋଚନା ଉପରେ ପୂରା ବିଶ୍ବର ନଜର ରହିଛି।  ସାମ୍ବାଦିକ ସମ୍ମିଳନୀ ପରେ ଟ୍ରମ୍ପ ମୋଦୀଙ୍କ ପାଇଁ ନୈଶ୍ୟ ‌ଭୋଜନର ଆୟୋଜନ କରିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.