Breaking News

ଆମେରିକା-କାନାଡା ‘ମିଶ୍ରଣ’ ପାଇଁ ଟ୍ରମ୍ପଙ୍କ ଆହ୍ୱାନ

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଘୋଷଣାର କିଛି ଘଣ୍ଟା ପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାକୁ ଆମେରିକାର ୫୧ତମ ରାଜ୍ୟରେ ପରିଣତ କରିବାକୁ ଦେଇଥିବା ପ୍ରସ୍ତାବକୁ ପୁଣି ଥରେ ଦୋହରାଇଛନ୍ତି।

ୱାସିଂଟନ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଘୋଷଣାର କିଛି ଘଣ୍ଟା ପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାକୁ ଆମେରିକାର ୫୧ତମ ରାଜ୍ୟରେ ପରିଣତ କରିବାକୁ ଦେଇଥିବା ପ୍ରସ୍ତାବକୁ ପୁଣି ଥରେ ଦୋହରାଇଛନ୍ତି। ୫୩ ବର୍ଷୀୟ ଟ୍ରୁଡୋଙ୍କ ଲୋକପ୍ରିୟତା କମୁଥିବା ବେଳେ ଶାସକ ଲିବରାଲ ପାର୍ଟି ତାଙ୍କୁ ବାଧ୍ୟ କରିବାରୁ ସେ ସୋମବାର ଇସ୍ତଫା ଦେଇଥିଲେ।  ଚଳିତ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଦଳ ନୂଆ ନେତା ଚୟନ ନ କରିବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ ବୋଲି କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି।

୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଟ୍ରୁଡୋଙ୍କ ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ଟ୍ରମ୍ପଙ୍କ ସହ ତାଙ୍କର ଭଲ ସମ୍ପର୍କ ନ ଥିଲା। ୭୮ ବର୍ଷୀୟ ଟ୍ରମ୍ପ ନଭେମ୍ବର ୫ରେ ନିର୍ବାଚନୀ ବିଜୟ ପରେ ମାର୍-ଏ-ଲାଗୋରେ ଟ୍ରୁଡୋଙ୍କୁ ଭେଟିବା ପରଠାରୁ କାନାଡାକୁ ଆମେରିକାର ୫୧ତମ ରାଜ୍ୟରେ ପରିଣତ କରିବାକୁ ଚିନ୍ତା କରୁଛନ୍ତି। ଏହାପରେ ସେ ଅନେକ ଥର ନିଜ ସୋସିଆଲ ମିଡିଆ ପୋଷ୍ଟରେ ଏହି କଥା ଉଲ୍ଲେଖ କରିଛନ୍ତି। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ କହିଛନ୍ତି, କାନାଡାର ଅନେକ ଲୋକ  ଆମେରିକାର ୫୧ତମ ରାଜ୍ୟ ହେବାକୁ ଭଲ ପାଆନ୍ତି। କାନାଡାକୁ ତିଷ୍ଠିରହିବା ପାଇଁ ଆବଶ୍ୟକ ବ୍ୟାପକ ବାଣିଜ୍ୟ ନିଅଣ୍ଟ ଓ ସବ୍‌ସିଡିକୁ ଆମେରିକା ଆଉ ବହନ କରିପାରିବ ନାହିଁ। ଜଷ୍ଟିନ ଟ୍ରୁଡୋ ଏହା ଜାଣିଥିଲେ ଏବଂ ଇସ୍ତଫା ଦେଇଥିଲେ ବୋଲି ଟ୍ରମ୍ପ କହିଛନ୍ତି। ଯଦି କାନାଡା ଆମେରିକା ସହ ମିଶିଯାଏ, ତେବେ କୌଣସି ଶୁଳ୍କ ଲାଗୁ ହେବ ନାହିଁ, ଟିକସ ହ୍ରାସ ପାଇବ ଏବଂ ସେମାନେ କ୍ରମାଗତ ଭାବେ ସେମାନଙ୍କୁ ଘେରି ରହିଥିବା ରୁଷୀୟ ଓ ଚୀନ୍ ଜାହାଜର ବିପଦରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ। ଟ୍ରୁଡୋଙ୍କ ଇସ୍ତଫା ପରେ ନବନିର୍ବାଚିତ ରାଷ୍ଟ୍ରପତି ଏହା କହିଛନ୍ତି।

କାନାଡା ପକ୍ଷରୁ ଟ୍ରମ୍ପଙ୍କ ଏହି ପ୍ରସ୍ତାବ ଉପରେ ବିଶେଷ ପ୍ରତିକ୍ରିୟା ମିଳିନାହିଁ। ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଟରଣ୍ଟୋ ଆମେରିକା ସହ ଏହାର ଦକ୍ଷିଣ ସୀମାରୁ ବେଆଇନ ଡ୍ରଗ୍ସ ଓ ବେଆଇନ ପ୍ରବାସୀଙ୍କ ପ୍ରବାହକୁ ରୋକିବାରେ ସକ୍ଷମ ନ ହୁଏ ତେବେ କାନାଡାରୁ ଆମଦାନି ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଏପରିକି କିଛି ପୋଷ୍ଟରେ ଟ୍ରମ୍ପ ଟ୍ରୁଡୋଙ୍କୁ ‘ଗ୍ରେଟ୍ ଷ୍ଟେଟ୍ ଅଫ୍ କାନାଡାର ଗଭର୍ଣ୍ଣର’ ବୋଲି ଉପହାସ କରିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.