Breaking News

ଆମ ଅଞ୍ଚଳର ହିରୋ: ଅସହାୟଙ୍କ ଆଶାବାଡ଼ି ଶାନ୍ତନୁ

ଅସହାୟଙ୍କ ଆଶାବାଡ଼ି ସାଜିଛନ୍ତି ରାୟଗଡ଼ା ସହରର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶାନ୍ତନୁ ସାହୁ। ୬୫ବର୍ଷ ବୟସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ସହଯୋଗର ହାତ ବଢ଼ାଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

ରାୟଗଡ଼ା: ଅସହାୟଙ୍କ ଆଶାବାଡ଼ି ସାଜିଛନ୍ତି ରାୟଗଡ଼ା ସହରର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶାନ୍ତନୁ ସାହୁ। ୬୫ବର୍ଷ ବୟସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ସହଯୋଗର ହାତ ବଢ଼ାଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଅସହାୟଙ୍କ ପାଇଁ ସେ ହେଉଛନ୍ତି ଅସଲ ହିରୋ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟ କୌଣସି ଅସୁବିଧାରେ ପଡ଼ିଲେ ଦେବଦୂତ ଭଳି ପହଞ୍ଚି ଯାଆନ୍ତି ଶାନ୍ତନୁ। ବିଶେଷକରି ରକ୍ତ ପରୀକ୍ଷା, ଏକ୍ସରେ, ପଞ୍ଜୀକରଣ ଆଦି ସେବା କେମିତି ଓ କେଉଁଠୁ ପାଇବେ, ଜାଣି ପାରୁନଥିବା ରୋଗୀଙ୍କୁ ସାହାଯ୍ୟ କରିବା ଲାଗି ଶାନ୍ତନୁ ଦୌଡ଼ି ଆସନ୍ତି। ୨୦ବର୍ଷ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୂରଦୂରାନ୍ତରୁ ଆସୁଥିବା ଅସହାୟ, ଅଜଣା ତଥା ଅଶିକ୍ଷିତ ରୋଗୀଙ୍କୁ ସେ ଆପଣାର କରି ସେବା ଦେଇ ଆସୁଛନ୍ତି। ଏହା ତାଙ୍କର ନିତିଦିନିଆ କାମରେ ପରିଣତ ହୋଇଛି। ଚାକିରିରେ ଥିବା ସମୟରେ ବ୍ୟାଙ୍କକୁ ଯିବାଆସିବା ବେଳେ ବାଟରେ ପଡୁଥିବା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଦୁଇତିନି ଘଣ୍ଟା ରୋଗୀ ସେବା କରୁଥିଲେ ଶାନ୍ତନୁ। ସେତେବେଳେ ଡାକ୍ତରଖାନାରେ ରୋଗୀ ସହାୟକ କେନ୍ଦ୍ର ନଥିବାରୁ ଲୋକେ ବିଭିନ୍ନ ସେବା ପାଇବାକୁ ହଇରାଣ ହେଉଥିଲେ।

ସେମାନଙ୍କୁ ଶାନ୍ତନୁ ସାହାଯ୍ୟ କରୁଥିଲେ। ଚାକିରିରୁ ଅବସର ନେବା ପରେ ତାଙ୍କ ସେବା ଅବଧି ବଢ଼ିଯାଇଛି। ଅଧିକାଂଶ ସମୟ ସେ ରୋଗୀ ସେବାରେ ବିନିଯୋଗ କରୁଛନ୍ତି। ସମୟକ୍ରମେ ସରକାରଙ୍କ ଅନେକ ଯୋଜନା ଆସିବା ସହ ବଡ଼ବଡ଼ କୋଠା ନିର୍ମାଣ ସାଙ୍ଗକୁ ସ୍ୱାସ୍ଥ୍ୟ ସମ୍ପର୍କିତ ଏକାଧିକ ବିଭାଗ ଖୋଲାଯାଉଛି। ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ଜାଣି ନ ପାରି ମେଡିକାଲ କୋଠାର ଉପରୁ ତଳୁ ଘୂରି ବୁଲୁଥିବା ବେଳେ ଶାନ୍ତନୁ ପହଞ୍ଚି ସହଯୋଗ କରିଥାନ୍ତି। ରୋଗୀ ଖର୍ଚ୍ଚ ବହନ କରି ନପାରିଲେ କ’ଣ ହେଲା, ସେବା ଏବଂ ସହଯୋଗ କରି ଆତ୍ମତୃପ୍ତି ମିଳୁଛି ବୋଲି କହିଛନ୍ତି ଶାନ୍ତନୁ। ଏଥିପାଇଁ ତାଙ୍କ ପରିବାର ଲୋକେ ବି କେବେ ବାଧା ଦେଇନାହାନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.