ସୁନ୍ଦରଗଡ଼: ଆଦିବାସୀଙ୍କୁ ଶହଶହ ବର୍ଷର ଶୋଷଣରୁ ମୁକ୍ତ କରିବାକୁ ଥିବା ‘ପେସା’ ଆଇନ ହେଉ କି ଜଙ୍ଗଲ ଜମି ଅଧିକାର ଆଇନ ଅବା ଖଣି ବିସ୍ଥାପିତଙ୍କ ହକ କଥା ହେଉ; ସବୁଠି ସେ ସବା ଆଗରେ ଛିଡ଼ା ହୋଇ ଉଠାନ୍ତି ସ୍ବର। ଅଧିକାର ଓ ନ୍ୟାଯ୍ୟ ହକ୍ ପାଇଁ ୨୦ ବର୍ଷ ହେଲା ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଅଞ୍ଚଳରୁ ଉଠିଥିବା ଏହି ସ୍ବରଟିର ନାମ ରାଜେନ୍ଦ୍ର ନାଏକ। ହେମଗିର ବ୍ଲକ୍ ରତନପୁର ଗାଁର ଜୟସିଂ ନାଏକ ଓ ସାବିତ୍ରୀ ନାଏକଙ୍କ ପୁଅ ରାଜେନ୍ଦ୍ର ଅଭାବ, ଅନଟନ କାରଣରୁ ଯୁକ୍ତ ଦୁଇ ପରେ ଆଉ ପଢ଼ି ପାରିନଥିଲେ। ୨୦୦୪ରେ ସେ ନିଜ ଗାଁର ୧୦ ଜଣ ଯୁବ ସାଥୀଙ୍କୁ ନେଇ ଜୀବନ ଜ୍ୟୋତି କ୍ଲବ୍‌ ଗଠନ କରି ଆରମ୍ଭ କରିଥିଲେ ନିଶା ନିବାରଣ ଅଭିଯାନ। ପରେ ସାମାଜିକ ସଙ୍ଗଠନ ଆଦିବାସୀ ଏକତା ମଞ୍ଚ ଜରିଆରେ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଆଇନରେ ପଟ୍ଟା ପ୍ରଦାନ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ନେତୃତ୍ୱରେ ଅନେକ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ସ୍ବତ୍ବ ମିଳିସାରିଛି।

ଏହା ସହ ଖଣି ବିସ୍ଥାପିତଙ୍କ ହକ୍ ପାଇଁ ଲଢ଼େଇ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ହେମଗିର ଅଞ୍ଚଳର ବିଶାଳ କୋଇଲା ଖଣି କ୍ଷେତ୍ରର ବିସ୍ଥାପିତଙ୍କ ସ୍ବର ସାଜିଥିବା ରାଜେନ୍ଦ୍ର ବିଗତ ଦିନମାନଙ୍କରେ କ୍ଷତିପୂରଣ, ପୁନର୍ବାସ, ଥଇଥାନ ଓ ନିଯୁକ୍ତି ପ୍ରସଙ୍ଗରେ ବାସଚ୍ୟୁତଙ୍କ ନ୍ୟାଯ୍ୟ ହକ ହାସଲ କରିବାରେ ସକ୍ଷମ ହୋଇଥିଲେ। ୨୦୦୫ରେ ଗାଁ ପାଖରେ ଥିବା ସ୍ପଞ୍ଜ ଆଇରନ ପ୍ରଦୂଷଣ ବିରୋଧରେ ଓ କୋଇଲା ମାଫିଆଙ୍କ ଗୁଣ୍ଡାଗିରି ବିରୋଧରେ ସ୍ବର ଉତ୍ତୋଳନ, ଜାମକାନୀ ବିସ୍ଥାପିତଙ୍କ ପାଇଁ ଭୂଷଣ ବିରୋଧରେ ଆନ୍ଦୋଳନ, ମଦ ବିରୋଧରେ ତାଙ୍କ ନେତୃତ୍ବରେ ବିଲେଇମୁଣ୍ଡାରେ ବର୍ଷାଧିକ କାଳ ଧାରଣା, ଏମ୍‌ସିଏଲ ବିସ୍ଥାପିତଙ୍କୁ ସଂଗଠିତ କରି ଏମ୍‌ସିଏଲ ବସୁନ୍ଧରା ମହାଲକ୍ଷ୍ମୀ ବିସ୍ଥାପିତ ଅଧିକାର ମଞ୍ଚ ଗଠନ ଓ ଆନ୍ଦୋଳନ, ୨୦୨୧-୨୨ରେ କୋଇଲା ପରିବହନଜନିତ ପ୍ରଦୂଷଣ ବିରୋଧରେ ଓ ଶୋଚନୀୟ ହୋଇପଡ଼ିଥିବା ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ଦାବିରେ ୨ ମାସ ଧରି ଚାଲିଥିବା ବିଶାଳ ଆନ୍ଦୋଳନ ପଛରେ ତାଙ୍କ ଦୃଢ଼ ନେତୃତ୍ବ ଚର୍ଚ୍ଚାର ବିଷୟ ହୋଇଥିଲା। ଏଥିପାଇଁ ସାଥୀ ଆନ୍ଦୋଳନକାରୀଙ୍କ ସହ ଜେଲ୍‌ ଯାଇଥିଲେ ରାଜେନ୍ଦ୍ର।