Breaking News

ଆମ ଅଞ୍ଚଳର ହିରୋ: ନବରଙ୍ଗପୁରର ନାଇଟିଙ୍ଗଲ୍‌ ଡାଳିମ୍ବ

ନବରଙ୍ଗପୁର ଜିଲ୍ଲା ପାଇଁ ନାଇଟିଙ୍ଗଲ ସାଜିଛନ୍ତି ଆଶାକର୍ମୀ ଡାଳିମ୍ବ ମାଳି। ବିନା ବାଛବିଚାରରେ କୁଷ୍ଠରୋଗୀ, ଗର୍ଭବତୀଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଏହି ଆଶାକର୍ମୀ ପ୍ରାୟ ୩୦ଜଣ କୁଷ୍ଠ ରୋଗୀଙ୍କୁ ଭଲ କରି ପାରିଛନ୍ତି। ସବୁଠୁ ବଡ଼କଥା ହେଲା...

ଝରିଗାଁ: ନବରଙ୍ଗପୁର ଜିଲ୍ଲା ପାଇଁ ନାଇଟିଙ୍ଗଲ ସାଜିଛନ୍ତି ଆଶାକର୍ମୀ ଡାଳିମ୍ବ ମାଳି। ବିନା ବାଛବିଚାରରେ କୁଷ୍ଠରୋଗୀ, ଗର୍ଭବତୀଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଏହି ଆଶାକର୍ମୀ ପ୍ରାୟ ୩୦ଜଣ କୁଷ୍ଠ ରୋଗୀଙ୍କୁ ଭଲ କରି ପାରିଛନ୍ତି। ସବୁଠୁ ବଡ଼କଥା ହେଲା, ଆଶାକର୍ମୀ ଭାବେ ସେ ନିଯୁକ୍ତି ହେବା ପରଠାରୁ ୧୯ବର୍ଷ ମଧ୍ୟରେ କୌଣସି ଗର୍ଭବତୀ ଘରେ ପ୍ରସବ କରିନାହାନ୍ତି। ଏହା ହିଁ ତାଙ୍କ କର୍ମନିଷ୍ଠାର ପ୍ରମାଣ ଦିଏ। ଡାଳିମ୍ବଙ୍କ ଘର ଝରିଗାଁ ବ୍ଲକ୍‌ ବୁଟିସର୍ଗି ଗାଁରେ। ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ, କୁଷ୍ଠ, ଯକ୍ଷ୍ମା, ମ୍ୟାଲେରିଆ ନିରାକରଣ, ମହିଳା ବନ୍ଧ୍ୟାକରଣ, ମା’ ଓ ଶିଶୁଙ୍କୁ ଟିକାକରଣ ଏବଂ ମହିଳାମାନଙ୍କୁ ସ୍ବାସ୍ଥ୍ୟ ସଚେତନ କରିବା ଦିଗରେ ଡାଳିମ୍ବଙ୍କ ଅହର୍ନିଶ ଉଦ୍ୟମକୁ ପିଲାଠୁ ବଡ଼, ସଭିଁଏ ସ୍ବୀକାର କରନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟପାଳ ତାଙ୍କୁ ସମ୍ମାନିତ କରିଛନ୍ତି। ୨୦୦୫ରୁ ଡାଳିମ୍ବ ବୁଟିସର୍ଗି ଗାଁରେ ଆଶାକର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଖାସ୍ ଡାଳିମ୍ବଙ୍କ ପାଇଁ ବୁଟିସର୍ଗି ଗାଁରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇବା ସହ ସୁରକ୍ଷିତ ପ୍ରସବ ଅଭିଯାନ ସଫଳ ହୋଇଛି।

୧୯ ବର୍ଷରେ ଘରୋଇ ପ୍ରସବ ଶୂନ
୩୦ କୁଷ୍ଠ ରୋଗୀଙ୍କୁ କରିଛନ୍ତି ଭଲ

ଦିନଥିଲା ଉପାନ୍ତ ଝରିଗାଁ ବ୍ଲକ୍‌ରେ ଗର୍ଭବତୀମାନେ ଘରେ ପ୍ରସବ କରୁଥିଲେ। ଯେଉଁଥି ପାଇଁ ଅନେକ ପ୍ରସୂତି ଓ ନବଜାତଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଥିଲା। ପରବର୍ତ୍ତୀ ସମୟରେ ସରକାର ଡାକ୍ତରଖାନାରେ ପ୍ରସବକୁ ଗୁରୁତ୍ବ ଦେଇଥିଲେ। ଡାଳିମ୍ବ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେବା ଦିନରୁ ଜଣେ ବି ଗର୍ଭବତୀଙ୍କୁ ଘରେ ପ୍ରସବ କରାଇବାକୁ ସୁଯୋଗ ଦେଇନାହାନ୍ତି। ସମସ୍ତ ଗର୍ଭବତୀଙ୍କୁ ଡକ୍ତରଖାନା ନେଇ ସୁରକ୍ଷିତ ପ୍ରସବ କରାଇଛନ୍ତି। ଏହି ଗାଁରେ ଗୋଟିଏ ବି ମାତୃମୃତ୍ୟୁ ହୋଇନି। କେବଳ ଜଣେ ମାତ୍ର କମ୍‌ ଓଜନ ପାଇଁ ମୃତ୍ୟୁର ଶିକାର ହୋଇଥିଲେ। ଗାଁରେ ଜନସଂଖ୍ୟା ପ୍ରାୟ ୭୦୦ ହୋଇଥିବା ବେଳେ ଡାଳିମ୍ବ ଅକ୍ଲାନ୍ତ ପରିଶ୍ରମ କରି ଚିକିତ୍ସା ସେବା ଯୋଗାଇ ଦେଇ ଆସୁଛନ୍ତି। ସଚେତନ କରାଇ ପ୍ରାୟ ୨୪ଜଣ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇଛନ୍ତି। ୩୦ଜଣଙ୍କଠାରେ କୁଷ୍ଠ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଠିକଣା ଭାବେ ଔଷଧ ଦେଇ ଭଲ କରିଛନ୍ତି। ୧୯ବର୍ଷ ଭିତରେ ୫ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି ଔଷଧ ଦେବା ସହ ସଚେତନ କରାଇଛନ୍ତି। ବାଲ୍ୟବିବାହ ରୋକିବାକୁ ଲୋକଙ୍କୁ ସଚେତନ କରି ସଫଳ ମଧ୍ୟ ହୋଇଛନ୍ତି। ମ୍ୟାଲେରିଆପ୍ରବଣ ଅଞ୍ଚଳ ହୋଇଥିବାରୁ ମଶାରି ବ୍ୟବହାର ନେଇ ଲୋକଙ୍କୁ ସଚେତନ କରି ରୋଗୀ ସଂଖ୍ୟା କମ୍‌ କରିପାରିଛନ୍ତି। ବୁଟିସର୍ଗି ଗାଁରେ କୁଷ୍ଠକୁ ସମୂଳେ ନାଶ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ପାଇଁ ୨୦୨୦ ଜାନୁଆରି ୩୦ତାରିଖରେ ରାଜ୍ୟସ୍ତରୀୟ କୁଷ୍ଠ ନିରାକରଣ ଦିବସ ଅବସରରେ ଜିଲ୍ଲାର ଉତ୍ତମ କର୍ମୀଭାବେ ଡାଳିମ୍ବ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.