Breaking News

ଆମ ମୁଖ୍ୟମନ୍ତ୍ରୀ, ଆମ ଗର୍ବ

ସାଧାରଣ ଜନତାଙ୍କ ମୁରବି ଓ ଭରସାର କେନ୍ଦ୍ର ନବୀନ, ୨୫ ବର୍ଷର ନିରବଚ୍ଛିନ୍ନ ସାଧନାକୁ ସ୍ବୀକୃତି ଓ ସମ୍ମାନ; ସମ୍ମାନ ରାଜ୍ୟବାସୀଙ୍କୁ ସମର୍ପିତ, ସଶକ୍ତ ଓ ତେଜସ୍ବୀ ଓଡ଼ିଶା ସ୍ବପ୍ନ

0

ନୂଆଦିଲ୍ଲୀ : ଦିଲ୍ଲୀର ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନୀତ କରାଯାଇଛି। ରବିବାର ପୂର୍ବାହ୍ଣରେ ସ୍ଥାନୀୟ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ. ଭି ରମନ୍ନା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜୀବନବ୍ୟାପି ସାଧନା ସମ୍ମାନକୁ ବିଗତ ୨୨ ବର୍ଷ ଧରି ନିରନ୍ତର ଭାବେ ତାଙ୍କ ଉପରେ ଭରସା ରଖିଥିବା ରାଜ୍ୟର ସାଢେ ଚାରି କୋଟି ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମର୍ପିତ ବୋଲି କହିଛନ୍ତି। ନିଜ ଅଭିଭାଷଣରେ ନବୀନ କହିଥିଲେ ଯେ , ସଶକ୍ତ ଓଡ଼ିଶା ନିର୍ମାଣରେ ରାଜ୍ୟବାସୀଙ୍କ ବିଶ୍ୱାସ ସବୁଠାରୁ ପ୍ରେରଣାଦାୟକ ଥିଲା।
ବିଗତ ବର୍ଷରେ ତାଙ୍କ ନେତୃତ୍ୱରେ ଓଡ଼ିଶାର ସଫଳତା ବିଷୟରେ ବର୍ଣ୍ଣନା କରି ସେ କହିଥିଲେ ଯେ, ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟାରେ ପ୍ରଭାବିତ ଓଡ଼ିଶା ଏବେ ବିପର୍ଯ୍ୟୟ ପରିଚାଳନାରେ ଜାତିସଂଘ ଠାରୁ ପୁରସ୍କୃତ ହେବା ସହ ବିଶ୍ୱସ୍ତରରେ ମାନଦଣ୍ଡ ସ୍ଥାପିତ କରିପାରିଛି। ଏକଦା ଦାରିଦ୍ର୍ୟ ପାଇଁ ଅପଖ୍ୟାତ ଥିବା ଓଡ଼ିଶାରେ ଏବେ ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଦ୍ରୁତଗତିରେ ଗରିବୀ ହାର ହ୍ରାସ ପାଉଛି। ତାଙ୍କ ଶାସନ ବ୍ୟବସ୍ଥା ମହିଳା ସଶକ୍ତୀକରଣ ଲାଗି ଉଦ୍ଦିଷ୍ଟ ଏବଂ ସରକାରଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମ ଏକ ଗର୍ବ ଓ ଗୌରବର ବିଷୟ। ସେହିଭଳି ଅନୁସୂଚୀତ ଜନଜାତି ସଶକ୍ତୀକରଣ ଲାଗି ମାଗଣା ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ କ୍ଷେତ୍ରରେ
ଦେଶରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। ପାଞ୍ଚ ଲକ୍ଷରୁ ଅଧିକ ଆଦିବାସୀ ଛାତ୍ରୀ ସରକାରୀ ଛାତ୍ରାବାସରେ ରହି ପାଠ ପଢ଼଼ୁଛନ୍ତି। ରାଜ୍ୟର ମେରୁଦଣ୍ଡ ଭାବେ ପରିଚିତ ଚାଷୀଙ୍କ ପରିଶ୍ରମ ଯୋଗୁଁ ଓଡ଼ିଶାକୁ ଜାତୀୟ ସ୍ତରରେ ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ମିଳିଛି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ କୃଷକଙ୍କ ରୋଜଗାର ଦ୍ୱିଗୁଣିତ ହୋଇଛି ବୋଲି ନବୀନ ତାଙ୍କ ଅଭିଭାଷଣରେ କହିଛନ୍ତି।
ଆଲୁମିନିୟମ୍‌ ଏବଂ ଇସ୍ପାତ କ୍ଷେତ୍ରରେ ଦେଶରେ ସର୍ବାଧିକ ଉତ୍ପାଦନକାରୀ ରାଜ୍ୟ ଓଡ଼ିଶା। ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦ ଗୁଣ ବଢ଼଼ିଛି, ଯାହାକି ଦେଶରେ କୋଭିଡ଼ ମହାମାରୀ କାଳରେ ଖୁବ୍‍ ସହାୟକ ହେବା ସହ ୧୭ଟି ରାଜ୍ୟକୁ ଜୀବନ ରକ୍ଷାକାରୀ ଅମ୍ଳଜାନ ଯୋଗାଣ ସମ୍ଭବ ହୋଇପାରିଥିଲା। ନିର୍ମାଣ କ୍ଷେତ୍ରରେ ରାଜ୍ୟ ସର୍ବାଧିକ ପୁଞ୍ଜି ନିବେଶକୁ ଆକୃଷ୍ଟ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ।
ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ଖେଳ କ୍ଷେତ୍ରରେ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଛି। ଯାହାକି ଅନ୍ୟ ରାଜ୍ୟ ଆପଣାଇ ପାରିବେ। ରାଜ୍ୟ କ୍ରମାଗତ ଭାବେ ଦୁଇ ଥର ହକି ବିଶ୍ୱକପ୍‌ ଆୟୋଜନ ଏବଂ କ୍ରୀଡ଼ା କ୍ଷେତ୍ରରେ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ସ୍ଥାପନ କରିପାରିଛି। ସହରାଞ୍ଚଳରେ ବସ୍ତିବାସିନ୍ଦାଙ୍କ ସଶକ୍ତୀକରଣ ଲାଗି ସେମାନଙ୍କୁ ‘ଜାଗା ମିଶନ’ରେ ଜମିପଟ୍ଟା ପ୍ରଦାନ ସମଗ୍ର ବିଶ୍ୱରେ ଅର୍ବାନ ପ୍ଲାନରଙ୍କୁ ଆମର ସଶକ୍ତୀକରଣ ମଡେଲ ବିଷୟରେ ଦୃଷ୍ଟିନିବଦ୍ଧ କରିବାକୁ ବାଧ୍ୟ କରୁଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଜନତାଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ମିଳିଛି। ୫-ଟି ନୀତି ଏବଂ ‘ମୋ ସରକାର’ ଉଦ୍ୟମର ସଫଳ ରୂପାୟନ ଦ୍ୱାରା ପେସାଗତ ଶାସନ ପରିଚାଳନା ପ୍ରତି ରାଜ୍ୟବାସୀଙ୍କ ଆସ୍ଥା ବଢ଼଼ିଛି।
ଜୀବନବ୍ୟାପୀ ସାଧନା ସମ୍ମାନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଜୀବଦଶାରେ ବୈଶ୍ବିକ ମଣ୍ଡଳରେ ଏକ ସଶକ୍ତ ଏବଂ ତେଜସ୍ୱୀ ଓଡ଼ିଶାକୁ ଦେଖିବା ଅଭିଳାଷ ରହିଛି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ରାଜ୍ୟବାସୀଙ୍କ ଭରସା ଯୋଗୁଁ ଖୁବ୍‍ଶୀଘ୍ର ଏହି ସ୍ଥାନରେ ଓଡ଼ିଶା ପହଞ୍ଚି ପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନ ପ୍ରଦାନକାରୀ ସଂସ୍ଥା ‘କ୍ୟାପିଟାଲ ଫାଉଣ୍ଡେସନ୍‌ ସୋସାଇଟି’ର ଅଧ୍ୟକ୍ଷ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିବା ପରେ ଦଳୀୟ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବା ସମୟରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ସୂଚନା ଅନୁସାରେ, ୬ଦିନିଆ ନୂଆଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ। ଓଡ଼ିଶାବାସୀଙ୍କ ସେବାରେ ୨୫ ବର୍ଷ ପୂରଣ ଓ ନୂଆଦିଲ୍ଲୀରେ ଜୀବନବ୍ୟାପୀ ସାଧନା ନିମନ୍ତେ ଏହି ସମ୍ମାନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ସମ୍ବର୍ଦ୍ଧିତ କରିବ। ବିମାନବନ୍ଦର ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ନିମନ୍ତେ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର ହଜାର ହଜାର କର୍ମୀଙ୍କ ସହିତ ଦଳର ସାଂସଦ, ବିଧାୟକ, ମନ୍ତ୍ରୀଙ୍କ ସହ ଦଳୀୟ କର୍ମକର୍ତ୍ତା ମଧ୍ୟ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନିଆଯିବ। ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ପ୍ରଦାନ ଉତ୍ସବରେ ଯୋଗ ଦେବା ପାଇଁ ଦଳର ବହୁ କର୍ମୀ, ଦଳୀୟ ବିଧାୟକ ଓ ମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି
ଦଳର ରଜତ ଜୟନ୍ତୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଛି। ଦଳ ମଧ୍ୟରେ ଏକ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ରାଜ୍ୟର କୋଣ ଅନୁକୋଣରୁ ବହୁ କର୍ମୀ ଆସିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.