ଅପରାଧଜାତୀୟ

ଆରଡିଏକ୍ସ ଲଗାଇ ଉଡ଼ାଇ ଦେବୁ ୭ କୋର୍ଟ, କାଶୀ ଏକ୍ସପ୍ରେସ୍‌ରେ ବୋମା…ଧମକ ମିଳିବା ପରେ ହଇଚଇ

ନୂଆଦିଲ୍ଲୀ: ଗୁଜରାଟ, ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକର ବିଭିନ୍ନ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଗୁଜରାଟର ୬ଟି କୋର୍ଟ, ଉତ୍ତର ପ୍ରଦେଶର ମାଉ ରେଳ ଷ୍ଟେସନରେ ଥିବା ଏକ ଟ୍ରେନ୍ ଏବଂ କର୍ଣ୍ଣାଟକର ମୈସୁରୁ ଜିଲ୍ଲା କୋର୍ଟକୁ ଟାର୍ଗେଟ କରାଯାଇଥିଲା। ପୋଲିସ ଏବଂ ବୋମା ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ହେଲେ କୋର୍ଟ କିମ୍ବା ଟ୍ରେନ୍ରେ କୌଣସି ବିସ୍ଫୋଟକ ମିଳିନଥିଲା। ସେପଟେ କେରଳର କନ୍ନୁର ଜିଲ୍ଲାର ପୋଲିସ ଦୁଇଟି ପୃଥକ ସ୍ଥାନରୁ ୧୨ଟି ଦେଶୀ ବୋମା ଜବତ କରିଛି। ସବୁ ମାମଲାରେ ତଦନ୍ତ ଜାରି ରହିଛି ।

ଗୁଜରାଟ ହାଇକୋର୍ଟ ଏବଂ ପାଞ୍ଚଟି ସ୍ଥାନୀୟ କୋର୍ଟକୁ RDXରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ସୋମବାର ରାତି ୨ଟାରେ ସୁରଟ କୋର୍ଟର ସରକାରୀ ଇମେଲକୁ ଧମକ ଆସିଥିଲା । ସକାଳେ କର୍ମଚାରୀମାନେ ଇମେଲ୍ ଯାଞ୍ଚ କରିବା ପରେ ଏନେଇ ଜାଣିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ ।

ଆନନ୍ଦ, ରାଜକୋଟ, ଅହମ୍ମଦାବାଦ ଏବଂ ଭରୁଚରେ ଥିବା ସେସନ୍ସ କୋର୍ଟଗୁଡ଼ିକୁ ସମାନ ଇମେଲ୍ ମିଳିଥିଲା। ତଥାପି, ବମ୍ ସ୍କ୍ୱାଡ୍ କିଛି ପାଇଲେ ନାହିଁ। ପୋଲିସର କହିବା ଅନୁଯାୟୀ, LTTE (ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଏଲମ୍) ନାଁରେ ଏହି ଧମକପୂର୍ଣ୍ଣ ଇମେଲ ଆସିଥିଲା ।

ଧମକପୂର୍ଣ୍ଣ ମେଲ୍ ପାଇବା ପରେ ସକାଳେ କୋର୍ଟ କାର୍ଯ୍ୟ ବନ୍ଦ କରାଯାଇଥିଲା। ପୋଲିସ ଏବଂ ବମ୍ ସ୍କ୍ୱାଡର ଛାନଭିନ ପରେ ବି କୌଣସି ବିସ୍ଫୋଟକ ମିଳିନାହିଁ । ତେବେ ଏହି ଧମକରେ କୌଣସି ସତ୍ୟତା ନାହିଁ । ସେପଟେ ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶର ମାଉ ରେଳ ଜଙ୍କସନରେ କାଶୀ ଏକ୍ସପ୍ରେସ (୧୫୦୧୮ ଡାଉନ୍) ରେ ବୋମା ଥିବା ନେଇ ମଧ୍ୟ ଧମକ ମିଳିଥିଲା। ଏହା ପରେ, ଟ୍ରେନକୁ ଷ୍ଟେସନରେ ଅଟକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଓହ୍ଲାଇ ଦିଆଯାଇଥିଲା।

ମାଉ ପୋଲିସ ଅଧିକ୍ଷକ ଏଲାମାରନ୍ ଜି. କହିଛନ୍ତି ଯେ, ସକାଳ ପ୍ରାୟ ୯ଟା ୩୦ ମିନିଟରେ, ପୋଲିସ ନିୟନ୍ତ୍ରଣ କକ୍ଷକୁ ଟ୍ରେନରେ ବୋମା ଥିବାର ଏକ କଲ୍ ମିଳିଥିଲା। ଟ୍ରେନଟି ମାଉ ଷ୍ଟେସନରେ ପହଞ୍ଚିବା ମାତ୍ରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା ଏବଂ ପ୍ରତ୍ୟେକ କୋଚକୁ ଭଲ ଭାବରେ ଯାଞ୍ଚ କରାଯାଇଥିଲା। କିନ୍ତୁ ଟ୍ରେନ୍ରୁ ବିସ୍ଫୋଟକ ମିଳିନଥିଲା । କିଏ ଏଭଳି କଲ କରିଥିଲା ସେନେଇ ପୋଲିସ ଛାନଭିନ କରୁଛି ।

ସୌଜନ୍ୟ ସମ୍ବାଦ

 

Leave a Reply

Your email address will not be published. Required fields are marked *

Back to top button