Breaking News

ଆରପାରିରେ ଶ୍ୟାମ ବେନେଗଲ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା- ନିର୍ଦ୍ଦେଶକ ତଥା ସମାନ୍ତରାଳ ସିନେମାର ଅଗ୍ରଦୂତ ‌ଶ୍ୟାମ ବେନେଗଲ(୯୦)ଙ୍କର ଆଜି ପରଲୋକ ହୋଇଛି। ବହୁଦିନ ହେଲା କିଡ୍‌ନିଜନିତ ରୋଗରେ ପୀଡ଼ିତ ଥିବା ବେନେଗଲଙ୍କ....

ମୁମ୍ବାଇ: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା- ନିର୍ଦ୍ଦେଶକ ତଥା ସମାନ୍ତରାଳ ସିନେମାର ଅଗ୍ରଦୂତ ‌ଶ୍ୟାମ ବେନେଗଲ(୯୦)ଙ୍କର ଆଜି ପରଲୋକ ହୋଇଛି। ବହୁଦିନ ହେଲା କିଡ୍‌ନିଜନିତ ରୋଗରେ ପୀଡ଼ିତ ଥିବା ବେନେଗଲଙ୍କ ମୃତ୍ୟୁ ମୁମ୍ବାଇର ୱକହର୍ଟ ହସ୍ପିଟାଲରେ ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ୍‌ରେ ହୋଇଛି।
ଝିଅ ପିୟା ବେନେଗଲ୍‌ ବାପା ଶ୍ୟାମ ବେନେଗଲଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଇଛନ୍ତି। ଝିଅ ପିୟା ଏବଂ ପତ୍ନୀ ନୀରାକୁ ସେ ଛାଡ଼ି ଯାଇଛନ୍ତି।
ଅଙ୍କୁର, ମନ୍ଥନ, ମଣ୍ଡି, ଜୁବୈଦା ଓ ସର୍ଦ୍ଦାରୀ ବେଗମ୍‌, ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଦ ଫରଗ‌ଟନ ହିରୋ, ୱେଲ ଡନ ଆବ୍ବା ଆଦି ସିନେମା ପାଇଁ ଶ୍ୟାମ ବେନେଗଲ ବେଶ୍‌ ପରିଚିତ ଥିଲେ। ତାଙ୍କର ଅଧିକାଂଶ ସିନେମା ୭୦ ଓ ୮୦ ଦଶକରେ ମୁକ୍ତିଲାଭ କରିଥିଲା। ସମାନ୍ତରାଳ ସିନେମାର ଅଗ୍ରଦୂତ ଭାବେ ସେ ପରିଚିତ ଥିଲେ। ତାଙ୍କ ସିନେମାରେ ସମାଜର କାହାଣୀଗୁଡ଼ିକ ନିଖୁଣ ଭାବେ ପରିସ୍ପୁଟ ହେଉଥିଲା।

ଚଳିତମାସ ୧୪ ତାରିଖରେ ଶ୍ୟାମ ବେନେଗଲ ତାଙ୍କର ବନ୍ଧୁ ଓ ପରିବାରବର୍ଗଙ୍କ ଗହଣରେ ୯୦ତମ ଜନ୍ମଦିନ ପାଳନ କରିଥିଲେ। ଅଭିନେତା କୁଳଭୂଷଣ ଖରବନ୍ଦା, ନାସିରୁଦ୍ଦିନ ଶାହ, ଦିବ୍ୟା ଦତ୍ତ, ଶବାନା ଆଜ୍‌ମୀ, ରଜିତ କପୁର, ଅତୁଲ ତିୱାରୀଙ୍କ ସମେତ ଚଳଚ୍ଚିତ୍ର ନିର୍ମାତା ଓ ଅଭିନେତା ତଥା ଶଶି କପୁରଙ୍କ ପୁଅ କୁନାଲ କପୁର ପ୍ରମୁଖ ଉପସ୍ଥିତ ଥିଲେ। ୧୯୭୬ ମସିହାରେ ଭାରତ ସରକାରଙ୍କ ତାଙ୍କୁ ପଦ୍ମଶ୍ରୀ ଓ ୧୯୯୧ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ସେ ୧୯୩୪ ମସିହା ଡିସେମ୍ବର ୧୪ ତାରିଖରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ। କୋଙ୍କଣୀ ଭାଷାଭାଷୀ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ବାପାଙ୍କ ନାମ ହେଉଛି ଶ୍ରୀଧର ବି ବେନେଗଲ। କର୍ଣ୍ଣାଟକର ମୂଳବାସିନ୍ଦା ଶ୍ରୀଧର ଜଣେ ଫଟୋଗ୍ରାଫର ଥିଲେ। ସେଥିପାଇଁ ଶ୍ୟାମ ବେନେ‌ଗଲଙ୍କ ମଧ୍ୟରେ ପିଲାଦିନୁ ଚଳଚ୍ଚିତ୍ର ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ହାଇଦ୍ରାବାଦର ଓସମାନିଆ ବିଶ୍ବବିଦ୍ୟାଳୟରୁ ଶ୍ୟାମ ବେନେଗଲ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଏଥିସହିତ ସେଠାରେ ସେ ହାଇଦ୍ରାବାଦ ସିନେମା ସୋସାଇଟି ସ୍ଥାପନ କରିଥିଲେ। ହାଇଦ୍ରାବାଦରୁ ହିଁ ତାଙ୍କର ଉଜ୍ଜ୍ବଳ ଚଳଚ୍ଚିତ୍ର କ୍ୟାରିୟରର ଯାତ୍ରା ଆରମ୍ଭ ହୋଇଥିଲା।

ଶ୍ୟାମ ବେନେଗଲ ଉଭୟ ମୁଖ୍ୟସ୍ରୋତ ଓ କଳାତ୍ମକ ସିନେମାର ନିର୍ମାଣ ଓ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ସିନେମାଗୁଡ଼ିକ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ୧୮ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଗୋଟିଏ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ୨୦୦୫ ମସିହାରେ ସିନେମା ଜଗତର ‌ସର୍ବଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲ୍‌କେ ଆୱାର୍ଡ ତାଙ୍କୁ ପ୍ରଦାନ କରାଯାଇଥିଲା। ଭାରତୀୟ ସମାଜ ସଂପର୍କରେ ତାଙ୍କ ସିନେମାରେ ଗଭୀର ସାମାଜିକ ଟିପ୍ପଣୀ ଏବଂ ବାସ୍ତବ ପ୍ରତିଫଳନ ଦେଖିବାକୁ ମିଳିଥାଏ। ଭାରତୀୟ ସିନେମା ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ବିୟୋଗରେ ସିନେମା ନିର୍ମାଣ କ୍ଷେତ୍ରରେ ଏକ ଯୁଗର ଅବସାନ ହୋଇଛି।
ଶ୍ୟାମ ବେନେଗଲଙ୍କ ବିୟୋଗ ଖବର ପ୍ରସାରିତ ହେବାମାତ୍ରେ ସିନେମା ଶିଳ୍ପର ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲର ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଂଗ୍ରେସ ସାଂସଦ ଶଶି ଥରୁରଙ୍କ ସମେତ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର, ଅଭିନେତା ଅକ୍ଷୟ କୁମାର ପ୍ରମୁଖ ବେନେଗଲଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.