Breaking News

ଆରମ୍ଭରୁ ଖୋଲିନି ୧୯ବର୍ଷର ମାର୍କେଟ୍‌ କମ୍ପ୍ଲେକ୍ସ: ୨୦ ଲକ୍ଷ ଟଙ୍କାରୁ ପାହୁଲାଏ ଲାଭ ମିଳିଲାନି

୨୦୦୪-୦୫ ଆର୍ଥିକ ବର୍ଷରେ ୨୦ ଲକ୍ଷ ଟଙ୍କା ବିନିଯୋଗରେ ପଞ୍ଚାୟତ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରାଗଲା। ୧୦ଟି ଦୋକାନଘର ନିର୍ମାଣ ହେଲା। ହିତାଧିକାରୀ ଚୟନ କରାଗଲା ଓ ଦୋକାନଘରଗୁଡ଼ିକୁ ସେମାନଙ୍କୁ ବଣ୍ଟନ କରାଗଲା।

ବାଲିଅନ୍ତା ବଜାର: ୨୦୦୪-୦୫ ଆର୍ଥିକ ବର୍ଷରେ ୨୦ ଲକ୍ଷ ଟଙ୍କା ବିନିଯୋଗରେ ପଞ୍ଚାୟତ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରାଗଲା। ୧୦ଟି ଦୋକାନଘର ନିର୍ମାଣ ହେଲା। ହିତାଧିକାରୀ ଚୟନ କରାଗଲା ଓ ଦୋକାନଘରଗୁଡ଼ିକୁ ସେମାନଙ୍କୁ ବଣ୍ଟନ କରାଗଲା। କିନ୍ତୁ ହଠାତ୍ ଦେଖାଗଲା ବିବାଦ। ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ ହେଲା। ଶେଷରେ ବିବାଦ ଏମିତି ସ୍ତରରେ ପହଞ୍ଚିଲା ଯେ ମାର୍କେଟ୍‌ ଖୋଲିପାରିଲା ନାହିଁ। ମାର୍କେଟ୍‌ ଖୋଲିଲେ, ଭୀଷଣ ଗଣ୍ଡଗୋଳ ହେବାର ଆଶଙ୍କା ସୃଷ୍ଟି ହେଲା। ତେଣୁ କେହି ମୁଣ୍ଡ ପୂରାଇଲେ ନାହିଁ। ତେଣୁ ଦୋକାନଘରଗୁଡ଼ିକର ସଟର୍‌ ସେମିତି ବନ୍ଦ ହୋଇରହିଲା। ଏହା ଭିତରେ ୧୯ ବର୍ଷ ବିତିଗଲାଣି। ଚାରି ଚାରିଜଣ ସରପଞ୍ଚ ଗଲେଣି। ମାତ୍ର ମାର୍କେଟ୍‌ କମ୍ଲେକ୍ସ ଭାଗ୍ୟ ଫିଟିଲା ନାହିଁ। ରାଜକୋଷରୁ ଖର୍ଚ୍ଚ ହୋଇଥିବା ୨୦ ଲକ୍ଷ ଟଙ୍କାରୁ କୌଣସି ହିତାଧିକାରୀ କି ପଞ୍ଚାୟତ ପ୍ରଶାସନ ପାହୁଲାଏ ଫାଇଦା ପାଇଲା ନାହିଁ। ଏହା ହେଉଛି ବାଲିଅନ୍ତା ବ୍ଲକ୍ ପ୍ରତାପରୁଦ୍ରପୁର ପଞ୍ଚାୟତ ମାର୍କେଟ୍‌ର ଅବସ୍ଥା।

ଗ୍ରାମୀଣ ସ୍ବ-ରୋଜଗାର ଯୋଜନାରେ ବେକାର ଯୁବକ ଯୁବତୀମାନଙ୍କ ପାଇଁ ଏହି ମାର୍କେଟ୍‌ ନିର୍ମାଣ କରାଯାଇଥିଲା। ପଞ୍ଚାୟତରୁ ୧୦ଜଣ ହିତାଧିକାରୀ ଚୟନ କରିବାକୁ ପ୍ରସ୍ତାବ ଥିଲା। ପ୍ରତାପରୁଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ଏହି ମାର୍କେଟ୍ ପାଇଁ ପଞ୍ଚାୟତର ଆଶାୟୀ ହିତାଧିକାରୀମାନେ ଆବେଦନ କଲେ। ପ୍ରାୟ ୩୦ରୁ ଅଧିକ ଆଶାୟୀ ଦୋକାନଘର ପାଇବାକୁ ଆବେଦନ କରିଥିଲେ। ୧୦ଜଣଙ୍କୁ ପଞ୍ଚାୟତ ପକ୍ଷରୁ ଚୟନ କରାଗଲା। କିନ୍ତୁ ଚୟନ ପ୍ରକ୍ରିୟା‌ରେ ସ୍ବଚ୍ଛତା ରହିଲା ନାହିଁ ବୋଲି ଅଭିଯୋଗ କରି ବଞ୍ଚିତ ହୋଇଥିବା ୨୦ ଆବେଦନକାରୀ ପ୍ରତିବାଦ କଲେ। ଏହି ପ୍ରତିବାଦ କ୍ରମଶଃ ଭୀଷଣ ଗଣ୍ଡଗୋଳ ଆଡ଼କୁ ମୁହାଁଇଲା। ତେଣୁ ସମସ୍ୟା ସମାଧାନ କରିବା ସମ୍ଭବ ହେଲା ନାହିଁ। ସେମିତି ଅସମାହିତ ହୋଇ ରହିଗଲା ବିବାଦ। ଏବେ ଦୋକାନଘରଗୁଡ଼ିକ ଜଙ୍ଗଲ ଭିତରେ ଲୁଚିଯିବାକୁ ବସିଲାଣି। ଦେକାନଗୁଡ଼ିକର ସଟର୍ ସବୁ କଳଙ୍କି ଧରିଗଲାଣି। କାନ୍ଥରୁ ପ୍ଲାଷ୍ଟର ଛାଡ଼ିଗଲାଣି। ଏବେ ପଞ୍ଚାୟତବାସୀ ମାର୍କେଟ୍‌ ଖୋଲିବାକୁ ଦାବି କରୁଛନ୍ତି। କିନ୍ତୁ ପୂର୍ବ ବିବାଦର ସମାଧାନ ନ ହେଲେ, ମାର୍କେଟ୍‌ ଖୋଲିବା ସମ୍ଭବ ହେଉନାହିଁ। ତେଣୁ ପଞ୍ଚାୟତବାସୀ ବିଧାୟକ ଓ ବ୍ଲକ୍‌ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଥିବା ଜଣାଇଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.