Breaking News

ଆରମ୍ଭହେଲା ଓଡ଼ିଶା ଖଦିମେଳା: ୧୦ ରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ

ସ୍ୱଦେଶୀ, ସ୍ୱରାଜ ଓ ସ୍ୱାବଲମ୍ବନର ପ୍ରତୀକ ଖଦି। ଦାରିଦ୍ର‌୍ୟ ଦୂରୀକରଣ ଓ ସ୍ଥାନୀୟ ଅର୍ଥନୀତିକୁ ମଜଭୁତ କରିବା ପାଇଁ ଅମୋଘ ଅସ୍ତ୍ର ହେଉଛି ହସ୍ତତନ୍ତ। ଏହାର ସଂରକ୍ଷଣ ଓ ବହୁଳ ପ୍ରଚାର ପ୍ରସାର ସହ ଖଦି ବୁଣାକାରଙ୍କୁ ଆର୍ଥିକ ସଶକ୍ତ କରିବା ବର୍ତ୍ତମାନର ଆହ୍ୱାନ।

ଭୁବନେଶ୍ୱର: ସ୍ୱଦେଶୀ, ସ୍ୱରାଜ ଓ ସ୍ୱାବଲମ୍ବନର ପ୍ରତୀକ ଖଦି। ଦାରିଦ୍ର‌୍ୟ ଦୂରୀକରଣ ଓ ସ୍ଥାନୀୟ ଅର୍ଥନୀତିକୁ ମଜଭୁତ କରିବା ପାଇଁ ଅମୋଘ ଅସ୍ତ୍ର ହେଉଛି ହସ୍ତତନ୍ତ। ଏହାର ସଂରକ୍ଷଣ ଓ ବହୁଳ ପ୍ରଚାର ପ୍ରସାର ସହ ଖଦି ବୁଣାକାରଙ୍କୁ ଆର୍ଥିକ ସଶକ୍ତ କରିବା ବର୍ତ୍ତମାନର ଆହ୍ୱାନ। ଖାରବେଳ ନଗରସ୍ଥିତ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଖଦି ମେଳା-୨୦୨୪ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି ମତ ରଖିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ମାନନୀୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ବିଭାଗ ପକ୍ଷରୁ ନିଆ ଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିଥିଲେ। ଖଦି ବୋର୍ଡର ସଚିବ ସଞ୍ଜୟ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ‌ଦେଇଥିଲେ।

୧୦ ରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ
ଦିନ ୩ରୁ ରାତି ୧୦ଯାଏ ଖୋଲା ରହିବ ଷ୍ଟଲ୍‌

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ ୧୦ ରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଚଳିତଥର ୩୨ଟି ଖଦି, ୬୩ଟି ଗ୍ରାମୋଦ୍ୟୋଗ ଓ ୫ଟି ଖାଦ୍ୟ ଏଭଳି ୧୦୦ଟି ଷ୍ଟଲ୍ ରହିଛି। ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ଯଥା ଘଣା ପେଡ଼ା ସୋରିଷ ତେଲ, ମହୁ, କନ୍ଧମାଳ ହଳଦୀ, ବିଭିନ୍ନ ମସଲା, ଆଚାର, ଧୂପକାଠି, ଚାନ୍ଦୁଆ, ଶାଢୀ, ଗାମୁଛା, ଖଦି ବସ୍ତ୍ର, ଶାଲ, ଜ୍ୟାକେଟ ପ୍ରଭୃତ ସାମଗ୍ରୀ କିଣିପାରିବେ। ଅରଟରେ ସୂତାକଟା, ତନ୍ତରେ ଲୁଗାବୁଣା ଆଦିର ଜୀବନ୍ତ ପ୍ରଦର୍ଶନର ଅନୁଭୂତି ସାଉଣ୍ଟିବେ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପାରମ୍ପରିକ ଖାଦ୍ୟ ସହ ପ୍ରତି ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ସୌଜନ୍ୟ-ସମ୍ୱାଦ

Comments are closed.