Breaking News

ଆରମ୍ଭ ହେଲା ଦୋପଟି ମେଳଣ: ଘରଘର ବୁଲି ଭୋଗ ଖାଇଲେ ଠାକୁର, ଗ୍ରାମ ପରିକ୍ରମା କଲେ ବାଞ୍ଛାନିଧିଦେବ

ବାଲିପାଟଣାର ସର୍ବପୁରାତନ ପଞ୍ଚୁଦୋଳ ଦୋପଟି ମେଳଣ ଆରମ୍ଭ ହୋଇଛି। ବିଭିନ୍ନ ଗ୍ରାମର ଆରାଧ୍ୟ ଦେବତାମାନେ ଘରଘର ବୁଲି ଭୋଗ ଖାଇବା ପରେ ଜମାଣ ଶୋଭାଯାତ୍ରାରେ ଦୋଳ ବିମାନଗୁଡ଼ିକ ମେଳଣ ପଡ଼ିଆକୁ ଆସିଥିଲେ।

ବାଲିପାଟଣା: ବାଲିପାଟଣାର ସର୍ବପୁରାତନ ପଞ୍ଚୁଦୋଳ ଦୋପଟି ମେଳଣ ଆରମ୍ଭ ହୋଇଛି। ବିଭିନ୍ନ ଗ୍ରାମର ଆରାଧ୍ୟ ଦେବତାମାନେ ଘରଘର ବୁଲି ଭୋଗ ଖାଇବା ପରେ ଜମାଣ ଶୋଭାଯାତ୍ରାରେ ଦୋଳ ବିମାନଗୁଡ଼ିକ ମେଳଣ ପଡ଼ିଆକୁ ଆସିଥିଲେ। ଶୋଭାଯାତ୍ରା ବେଳେ ଘୋଡ଼ା, ବାଘ, ଭାଲୁ, ଷଣ୍ଢ ଲଢେଇ, କଳା ଘୋଡ଼ା, ନାଗା ନୃତ୍ୟ, କାଳୀ, ଦୁର୍ଗା ପ୍ରଭୁତି ନୃତ୍ୟ ଦର୍ଶକଙ୍କ ମନମୁଗ୍ଧ କରିଥିଲା। ଏହି ମେଳଣକୁ ୨୦ଟି ଦୋଳ ବିମାନ ଆସିଛନ୍ତି। ଦୋପଟି ମେଳଣରେ ଗାରେଡ଼ିପାଞ୍ଚଣ ଗ୍ରାମର ଶ୍ରୀ ବୁଦ୍ଧନାଥ ଦେବ ଥାନାପତି ଅଟନ୍ତି। ହଜାର ହଜାର ଶ୍ରଦ୍ଧାଳୁ ଜମାଣ ଶୋଭାଯାତ୍ରା ଦେଖିବାକୁ ଆସିଥିଲେ। ଦୋପଟି ମେଳଣରେ ବିଭିନ୍ନ ମନୋହରୀ ସାମଗ୍ରୀ ଦୋକାନ, ମାଟି ସାମଗ୍ରୀ, ଚଟପଟି ଖାଦ୍ୟ ପସରା ଖୋଲିଛି। ସନ୍ଧ୍ୟାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମେଳଣ ବୁଲିବା ସହ ଭଳିକି ଭଳି ଖାଦ୍ୟର ମଜା ନେଇଥିଲେ। ବାଲିପାଟଣା ଥାନା ପକ୍ଷରୁ ସୁରକ୍ଷାବ୍ୟବସ୍ଥା ପାଇଁ ପୁଲିସ୍‌ ମୁତୟନ କରାଯାଇଛି।

ଚନ୍ଦ୍ରଶେଖରପୁର: ଗତକାଲି ରାତିରୁ ରଙ୍ଗମାଟିଆର ଆରାଧ୍ୟ ଦେବତା ବାଞ୍ଛାନିଧିଦେବ ଭୋଗଖିଆ ପାଇଁ ମନ୍ଦିରରୁ ବାହାରିଛନ୍ତି। ଠାକୁରଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ଦୋଳବିମାନରେ ଗ୍ରାମ ପରିକ୍ରମା କରି ଦୁଆରେ ଦୁଆରେ ଭୋଗଲାଗି କରାଯାଇଛି। ବର୍ଷକୁ ଥରେ ଠାକୁର ମନ୍ଦିରରୁ ବାହାରି ଗାଁ ଦାଣ୍ଡ ଓ ଦୁଆରକୁ ଆସୁଥିବାରୁ ଗ୍ରାମବାସୀମାନଙ୍କ ଭିତରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି। ଦୋଳବିମାନ ଆଗରେ ନାମ ସଂକୀର୍ତ୍ତନ ଚାଲିବା ସହିତ ବାଜା, ବାଣ ଓ ରୋଶଣି ଚାଲିଛି। ଗ୍ରାମବାସୀମାନେ ବେଶ୍‌ ଉତ୍ସାହର ସହ ଭୋଗ ଡାଲାରେ ବିଭିନ୍ନ ଫଳମୂଳ ସହିତ କୋରାଖଇ, ଲିଆ ଉଖୁଡ଼ା, ଖୁସି ସାକର ଓ ଚଣା ବାଢ଼ୁଛନ୍ତି। ସମସ୍ତଙ୍କ ଦୁଆରେ ଲିପାପୋଛା ହୋଇ ସୁନ୍ଦର ଝୋଟି ଓ ଚିତା ପଡ଼ିଛି। ରଙ୍ଗମାଟିଆରେ ଭୋଗଖିଆ ସରିବା ପରେ ବାଞ୍ଛାନିଧିଦେବ ନିକଟସ୍ଥ ମଞ୍ଚେଶ୍ବର ସମେତ ବିଭିନ୍ନ ଗାଁକୁ ଯିବେ। ସେସବୁ ଗାଁରୁ ଫେରିବା ପରେ ପୂର୍ଣ୍ଣିମା ଦିନ ରାତିରେ ସିଧା ମେଳଣ ପଡ଼ିଆକୁ ଯିବେ ଏବଂ ପରଦିନ ଅର୍ଥାତ ହୋଲି ଦିନ ହରିହର ଭେଟ ନୀତି ସମ୍ପନ୍ନ ହେବ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.