Breaking News

ଆରମ୍ଭ ହେଲା ମହାକୁମ୍ଭ: ପ୍ରଥମ ଦିନରେ ବୁଡ଼ ପକାଇଲେ କୋଟିଏ ଷାଠିଏ ଲକ୍ଷ

ହିନ୍ଦୁ ଧର୍ମର ଦିବ୍ୟ ଓ ଭବ୍ୟ ମେଳା ମହାକୁମ୍ଭ ଆଜିଠାରୁ ଆରମ୍ଭ ହୋଇଛି। ମହା ଶିବରାତ୍ରୀ ପର୍ଯ୍ୟନ୍ତ ୪୫ ଦିନ ଧରି ଚାଲିବାକୁ ଥିବା ମେଳାର ପ୍ରଥମ ଦିନ (ପୌଷ ପୂର୍ଣ୍ଣମୀ) ଅପରାହ୍ଣ ୪ଟା ସୁଦ୍ଧା ପ୍ରାୟ ୧ କୋଟି ୬୦ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ଗଙ୍ଗା...

ପ୍ରୟାଗରାଜ: ହିନ୍ଦୁ ଧର୍ମର ଦିବ୍ୟ ଓ ଭବ୍ୟ ମେଳା ମହାକୁମ୍ଭ ଆଜିଠାରୁ ଆରମ୍ଭ ହୋଇଛି। ମହା ଶିବରାତ୍ରୀ ପର୍ଯ୍ୟନ୍ତ ୪୫ ଦିନ ଧରି ଚାଲିବାକୁ ଥିବା ମେଳାର ପ୍ରଥମ ଦିନ (ପୌଷ ପୂର୍ଣ୍ଣମୀ) ଅପରାହ୍ଣ ୪ଟା ସୁଦ୍ଧା ପ୍ରାୟ ୧ କୋଟି ୬୦ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ବତୀ ନଦୀର ସଙ୍ଗମସ୍ଥଳରେ ବୁଡ଼ (ଶାହୀ ସ୍ନାନ) ପକାଇଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆୟୋଜିତ ଏହି ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ସମାବେଶରେ ଭାରତର ବିଭିନ୍ନ ସ୍ଥାନ ସମେତ ବିଦେଶରୁ ମଧ୍ୟ ଯାତ୍ରୀମାନଙ୍କର ପ୍ରବଳ ସମାଗମ ହୋଇଛି। ଏସିଆ ମହାଦେଶ ସମେତ ଆମେରିକା, ୟୁରୋପ ଓ ଆଫ୍ରିକା ମହାଦେଶର ୨୦ଟି ଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ସଙ୍ଗମସ୍ଥଳକୁ ଆସିଛନ୍ତି। ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ଯୋଗଦେଇଛନ୍ତି ୨୦ ଦେଶର ଶ୍ରଦ୍ଧାଳୁ
୪୦ ହଜାର ସୁରକ୍ଷା କର୍ମୀ ମୁତୟନ

ଆଜିର ପ୍ରଥମ ଶାହୀ ସ୍ନାନ ପରେ ଆସନ୍ତାକାଲି ଅର୍ଥାତ୍‌ ଜାନୁଆରି ୧୪ (ମକର ସଂକ୍ରାନ୍ତି), ଜାନୁଆରି ୨୯ (ମୌନୀ ଅମାବାସ୍ୟା) ଓ ଫେବ୍ରୁଆରି ୩ (ବସନ୍ତ ପଞ୍ଚମୀ)ରେ ଗୁରୁତ୍ୱପୂର୍ଣ୍ଣ ସ୍ନାନବିଧି (ଶାହୀ ସ୍ନାନ) ସହିତ ମହାକୁମ୍ଭ ମେଳା ଫେବ୍ରୁଆରି ୨୬(ମହା ଶିବରାତ୍ରୀ)ରେ ଶେଷ ହେବ। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ମହାକୁମ୍ଭ ୨୦୨୫ ସମଗ୍ର ବିଶ୍ୱର ଲୋକମାନଙ୍କ ପାଇଁ ଉତ୍ତର ପ୍ରଦେଶ ଓ ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ତ୍ବ ଅନୁଭବ କରିବାର ଏହା ଏକ ବିରଳ ସୁଯୋଗ ଆଣିଛି। ମହାକୁମ୍ଭର ପୂର୍ବ ସଂଧ୍ୟାରେ ନମାମି ଗଙ୍ଗେ ଟିମ୍ ରବିବାର ସଙ୍ଗମରେ ଏକ ବଡ଼ ଧରଣର ଯଜ୍ଞ ଆୟୋଜନ କରିଥିଲା। ଗଙ୍ଗାର ପବିତ୍ରତା ଓ ପ୍ରବାହକୁ ବଜାୟ ରଖିବା ପାଇଁ ପ୍ରତିଶ୍ରୁତି ଦେଇ ୨୦୦ରୁ ଅଧିକ ଗଙ୍ଗା-ସେବାଦୂତ ଓ ହଜାର ହଜାର ଲୋକ ଗଙ୍ଗା ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏନ୍‌ଡିଆର୍‌ଏଫ୍‌ ଟିମ୍ ଓ ଉତ୍ତରପ୍ରଦେଶ ପୁଲିସର ଜଳ ପୁଲିସ ୟୁନିଟ୍ ମୁତୟନ ହୋଇଛି। ମହାକୁମ୍ଭରେ ଯୋଗ ଦେଉଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଟ୍ରାଫିକ୍ ପୁଲିସ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି। ମହାକୁମ୍ଭ ଅଞ୍ଚଳର ୨୫ଟି ସେକ୍ଟରରେ ବିଦ୍ୟୁତ୍ ଖୁଣ୍ଟରେ ୫୦ ହଜାରରୁ ଅଧିକ କ୍ୟୁଆର୍ କୋଡ୍ ଲଗାଯାଇଛି। ଏହାଦ୍ୱାରା ତୀର୍ଥଯାତ୍ରୀମାନେ ସେମାନଙ୍କ ସ୍ଥାନ ଚିହ୍ନଟ କରିବା ସହ ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଅଭିଯୋଗ କରିପାରିବେ।

ଆକାଶମାର୍ଗରୁ ଦର୍ଶନ ପାଇଁ ହେଲିକପ୍ଟର ଯାତ୍ରା ଖର୍ଚ୍ଚ ବ୍ୟକ୍ତି ପିଛା ୧୨୯୬ ଟଙ୍କାକୁ ହ୍ରାସ କରାଯାଇଛି। ଜାନୁଆରି ୧୩ରୁ ଆରମ୍ଭ ହୋଇଥିବା ଏହି ୭-୮ ମିନିଟ୍‌ର ଯାତ୍ରା ପର୍ଯ୍ୟଟକମାନଙ୍କୁ ବିସ୍ତୃତ କୁମ୍ଭ ଅଞ୍ଚଳ ଓ ପ୍ରୟାଗରାଜ ସହରର ଏକ ନିଆରା ଦୃଷ୍ଟିକୋଣ ପ୍ରଦାନ କରିବ। ମହାକୁମ୍ଭକୁ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଭଦୋହି ଜିଲ୍ଲାର ୧୯ ନମ୍ବର ଜାତୀୟ ରାଜପଥର ଓରାଇ, ଗୋପୀଗଞ୍ଜ ଓ ଉଞ୍ଜ ଥାନାରେ ୩ଟି ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଜାନୁଆରି ୧୪ ତାରିଖରୁ ଏହି ସୁବିଧାଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଏସ୍‌ପି ଅଭିମନ୍ୟୁ ମାଙ୍ଗଲିକ ସୂଚନା ଦେଇଛନ୍ତି। ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ କୁମ୍ଭମେଳାରେ ୩ ଦିନ ବିତାଇବେ। ୩ ଜଣ ଧାର୍ମିକ ନେତା ତାଙ୍କୁ ଏଥିପାଇଁ ନିମନ୍ତ୍ରଣ କରିଥିବା ଖାନ୍‌ କହିଛନ୍ତି। ଆଜିର ସ୍ନାନ ତୁଳନାରେ ଆସନ୍ତାକାଲି ଅର୍ଥାତ୍‌ ମକର ସଂକ୍ରାନ୍ତିରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି ମୁଖ୍ୟ ଶାସନ ସଚିବ ମନୋଜ କୁମାର ସିଂହ କହିଛନ୍ତି। ପ୍ରୟାଗରାଜରେ ଆଜି କୌଣସି ଅପ୍ରୀତିକର ଘଟଣା ଘଟିବାର ସୂଚନା ହସ୍ତଗତ ହୋଇନଥିବା ବୋଲି ପୁଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.