Breaking News

ଆର୍‌ସିବିର ପ୍ରଥମ ପରାଜୟ

ଲଗାତାର ଦୁଇଟି ବିଜୟ ପାଇବା ପରେ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପ୍ରଥମ ପରାଜୟ ବରଣ କରିଛି। ଏହି ଦଳକୁ ଗୁଜରାଟ ଟାଇଟନ୍ସ ୮ ୱିକେଟ୍‌ରେ ହରାଇ ଦେଇଛି। ବୁଧବାର ଚଳିତ ଆଇପିଏଲ୍‌ର ଚତୁର୍ଦଶ ମୁକାବିଲାକୁ ଶୋଚନୀୟ ଭାବେ ହାରିବା....

ବେଙ୍ଗାଲୁରୁ: ଲଗାତାର ଦୁଇଟି ବିଜୟ ପାଇବା ପରେ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପ୍ରଥମ ପରାଜୟ ବରଣ କରିଛି। ଏହି ଦଳକୁ ଗୁଜରାଟ ଟାଇଟନ୍ସ ୮ ୱିକେଟ୍‌ରେ ହରାଇ ଦେଇଛି। ବୁଧବାର ଚଳିତ ଆଇପିଏଲ୍‌ର ଚତୁର୍ଦଶ ମୁକାବିଲାକୁ ଶୋଚନୀୟ ଭାବେ ହାରିବା ପରେ ପଏଣ୍ଟ୍‌ ତାଲିକାର ପ୍ରଥମରୁ ତୃତୀୟକୁ ଖସିଯାଇଛି ଆର୍‌ସିବି। ଅନ୍ୟପକ୍ଷରେ ଗୁଜରାଟ ଟାଇଟନ୍ସ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ସ୍ଥିର ରହିଛି। ଆର୍‌ସିବି ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଗୁଜରାଟ ଏହାକୁ ୧୭.୫ ଓଭରରେ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଜୋସ୍ ବଟଲର୍‌ ସର୍ବାଧିକ ୭୩* ରନ୍ କରିଥିଲେ।

ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆର୍‌ସିବିକୁ ଗୁଜରାଟ ଟାଇଟନ୍ସର ତିନି ପେସର୍‌ ମହମ୍ମଦ ସିରାଜ , ଆୱେସ୍ ଖାନ୍ ଓ ଈଶାନ୍ତ ଶର୍ମା ଆରମ୍ଭରୁ ଦୋହଲାଇ ଦେଇଥିଲେ। ୮ ରନ୍‌ରେ ବିରାଟ କୋହଲି (୭) ଏବଂ ୧୨ ରନ୍‌ରେ ଇମ୍ପାକ୍ଟ ପ୍ଲେୟର ଦେବଦତ୍ତ ପଡ଼ିକଲ (୪)ଙ୍କୁ ହରାଇ ଚିନ୍ତାରେ ପଡ଼ିଥିଲା ଆର୍‌ସିବି। ପୁଣି ଫିଲ୍‌ ସଲ୍ଟ ୧୪ ରନ୍ ଆଗକୁ ବଢ଼ି ପାରି ନଥି‌ଲେ। ପାୱାର ପ୍ଲେ’ରେ ମାତ୍ର ୩୮ ରନ୍‌ରେ ୩ ୱିକେଟ୍ ହରାଇ ସଂଘର୍ଷ କରୁଥିଲା ବେଳେ ଅଧିନାୟକ ରଜତ ପଟିଦାର (୧୨) ବିଫଳ ହେବା ଦଳକୁ ଘୋର ସଙ୍କଟ ଭିତରକୁ ଠେଲି ଦେଇଥିଲା। ଏଭଳି ସ୍ଥିତିରେ ଲିୟାମ ଲିଭିଂଷ୍ଟୋନ୍ ( ୪୦ ବଲ୍‌ରୁ ୫୪ ରନ୍) ଓ ଜିତେଶ ଶର୍ମା (୩୩) ପଞ୍ଚମ ୱିକେଟ୍‌ରେ ୫୨ ରନ୍ ଯୋଡ଼ି ପାଳି ସଜାଡ଼ିବାକୁ ଚେଷ୍ଟା କରିଥିଲେ। ହେଲେ ଜିତେଶଙ୍କୁ ନିଜ ଚତୁର ସ୍ପିନ୍‌ ଚକ୍ରବ୍ୟୂହରେ ଆଉଟ୍ କରି ସାଇ କିଶୋର ଏହି ଯୋଡ଼ିକୁ ଅଲଗା କରିବାର କେବଳ ୧୦ ରନ୍ ପରେ ଲିଭିଂଷ୍ଟୋନଙ୍କ ପାଳି ବି ଅଟକି ଯାଇଥିଲା। ଶେଷ ଆଡ଼କୁ ଟିମ୍ ଡେଭିଡ୍ ୧୮ ବଲ୍‌ରୁ ୩୨ ରନ୍ ଅମଳ କରିବାରୁ ଆର୍‌ସିବି ସ୍କୋର୍ ୧୬୯/୮ରେ ପହଞ୍ଚି ଯାଇଥିଲା।

ସଂକ୍ଷିପ୍ତ ସ୍କୋର୍: ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୧୬୯/୮ (ଲିୟାମ ଲିଭିଂଷ୍ଟୋନ୍ ୫୪, ଜିତେଶ ଶର୍ମା ୩୩, ଟିମ୍ ଡେଭିଡ୍ ୩୨, ମହମ୍ମଦ ସିରାଜ ୩/୧୯, ସାଇ କିଶୋର ୨/୨୨, ଆୱେସ୍ ଖାନ୍ ୧/୧୭)। ଗୁଜରାଟ ଟାଇଟନ୍ସ ୧୭.୫ ଓଭରରେ  ୧୭୦/୨ (ଜୋସ୍ ବଟଲର୍‌ ୭୩*, ସାଇ ସୁଦର୍ଶନ ୪୯, ଶେରଫାନ ରଦରଫୋର୍ଡ ୩୦ , ଭୁବନେଶ୍ବର କୁମାର ୧/୨୩, ଜୋସ୍ ହାଜେଲଉଡ୍ ୧/୪୩)।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.