Breaking News

ଆଳାପ ଓ ଆଲୋଚନା: ‘ସମୁଦ୍ରର କିଛି ଜାତି ନାହିଁ’

ଏବେ ଯେତେବେଳେ ଆମ ଦେଶର ସଂବିଧାନ ସମ୍ବନ୍ଧରେ କେତେକ ମହଲରେ ନିର୍ଦ୍ଦିଷ୍ଟ ଧରଣର ଚର୍ଚ୍ଚାମାନ ଚାଲୁଥିବା ପଢ଼ିବାକୁ ଓ ଶୁଣିବାକୁ ମିଳୁଛି, ସେତେବେଳେ ଆମ ସଂବିଧାନକୁ ସମ୍ଭବ କରିଥିବା ସଦସ୍ୟ-ସଦସ୍ୟାମାନଙ୍କ...

ଅଭିରାମ ବିଶ୍ବାଳ

ଏବେ ଯେତେବେଳେ ଆମ ଦେଶର ସଂବିଧାନ ସମ୍ବନ୍ଧରେ କେତେକ ମହଲରେ ନିର୍ଦ୍ଦିଷ୍ଟ ଧରଣର ଚର୍ଚ୍ଚାମାନ ଚାଲୁଥିବା ପଢ଼ିବାକୁ ଓ ଶୁଣିବାକୁ ମିଳୁଛି, ସେତେବେଳେ ଆମ ସଂବିଧାନକୁ ସମ୍ଭବ କରିଥିବା ସଦସ୍ୟ-ସଦସ୍ୟାମାନଙ୍କ ଅଲିଭା ଅବଦାନ କଥା ପୁଣିଥରେ ମନେ ପଡ଼ିଯାଉଛି; ବିଶେଷତଃ ଅନ୍ୟତମ ମହିଳା ସଦସ୍ୟା ଦକ୍ଷାୟନୀ ବା ଦକ୍ଷଯାନୀ ବେଲାୟୁଦ୍ଧନଙ୍କ କାହାଣୀ, ଯାହାଙ୍କ ବ୍ୟକ୍ତିତ୍ବରେ ଅନେକ ପ୍ରଥମର ସମାବେଶ ଘଟିଥିଲା। ସିଏ ଥିଲେ ସଂବିଧାନ ସଭାର ଏକମାତ୍ର ଦଳିତ ମହିଳା, କୋଚିନର ଏକ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଥିବା ପ୍ରଥମ ଦଳିତ ମହିଳା, ପୁଣି କୋଚିନ ବିଧାନପରିଷଦର ପ୍ରଥମ ଦଳିତ ମହିଳା ସଦସ୍ୟା ଏବଂ ଭାରତବର୍ଷର ସଂବିଧାନ ପ୍ରଣୟନ କରିଥିବା ସଭାର ସର୍ବକନିଷ୍ଠା ସଦସ୍ୟା। ଉଭୟ ଗାନ୍ଧୀଜୀ ଓ ଆମ୍ବେଦକରଙ୍କ ଦ୍ବାରା ଭିନ୍ନ ମାତ୍ରାରେ ଅନୁପ୍ରାଣିତ ବେଲାୟୁଦ୍ଧନ ଦଳିତମାନଙ୍କ ଅଧିକାର, ସ୍ବାଧୀନତା, ଉନ୍ନତି, ଅଗ୍ରଗତି ଓ କ୍ଷମତା ସଂପନ୍ନତା ସକାଶେ ସଂବିଧାନ ସଭାରେ ନିଜର ସ୍ପଷ୍ଟ ତଥା ବଳିଷ୍ଠ ମତ ରଖୁଥିଲେ। ବେଳେବେଳେ ତାଙ୍କ ମତ ବାପୁ ଓ ବାବାସାହେବଙ୍କ ମତଠାରୁ ଭିନ୍ନ ସାବ୍ୟସ୍ତ ହେଉଥିଲା।
ପୁଲାୟା ଜାତିର ଥିଲେ ଦକ୍ଷାୟନୀ। ତାଙ୍କ ଜାତିର ଲୋକେ ଏକଦା କ୍ରୀତଦାସ-ଦାସୀସମ ଦୁର୍ଦ୍ଦଶା ଭୋଗୁଥିଲେ। କେରଳର କେତେକ ଉଚ୍ଚ ଜାତିର ଲୋକେ ପୁଲାୟାମାନଙ୍କୁ ଏକ ପ୍ରକାରେ କିଣୁଥିଲେ ଓ ବିକୁଥିଲେ। ସେମାନେ ଉଚ୍ଚ ଜାତିର ବ୍ୟକ୍ତିବିଶେଷ ବ୍ୟବହାର କରୁଥିବା କୂଅରୁ ପାଣି କାଢ଼ି ପାରୁନଥିଲେ କିମ୍ବା ସେଇ ଏକା ରାସ୍ତାରେ ଯାଇପାରୁନଥିଲେ। ପୁଲାୟାମାନଙ୍କୁ ସଫା ପୋଷାକ ଓ ଗହଣା ପିନ୍ଧିବା ମନା ଥିଲା। ଆହୁରି ସେମାନଙ୍କ ନିମନ୍ତେ ନିଷିଦ୍ଧ ଥିଲା ସାଙ୍ଗରେ ଛତା ନେଇଯିବା ଓ ଟାଇଲ ଛପର ଘରେ ରହିବା। ସବର୍ଣ୍ଣଙ୍କ ସକାଶେ ମାଗଣାରେ କୃଷି କର୍ମାଦି କରୁଥିଲେ ପୁଲାୟା ଜାତିର ଅନେକ ଲୋକ। ପୁଲାୟା ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପ୍ରବେଶ ଓ ପଢ଼ିବା ବାରଣ ଥିଲା। ଶରୀରର ଉପର ଭାଗରେ ବିଧିବଦ୍ଧ ପୋଷାକ ପିନ୍ଧିବାକୁ ଅନୁମତି ନଥିଲା ପୁଲାୟା ମହିଳାମାନଙ୍କୁ। ସେମାନଙ୍କ ପାଇଁ ସେହି ଭାଗର ପୋଷାକ ଥିଲା ଛୋଟିଆ ଛୋଟିଆ ମାଳିଯୁକ୍ତ ହାର। ଯେଉଁମାନେ ଶରୀରର ଉପର ଭାଗ ପୋଷାକରେ ଆବୃତ କରୁଥିଲେ, ସେମାନଙ୍କୁ ଦୁଷ୍କର୍ମର ଶିକାର ହେବାକୁ ପଡୁଥିଲା ଅଥବା ସେମାନଙ୍କ ଛାତି ଉପରର ଦୁଇ ସମ୍ବେଦନଶୀଳ ଅଙ୍ଗକୁ କାଟି ଦିଆଯାଉଥିଲା। ବେଲାୟୁଦ୍ଧନ ଥିଲେ ପ୍ରଥମ କେଇ ପର୍ଯ୍ୟାୟର ଅନ୍ୟତମ ପୁଲାୟା ବାଳିକା ଯିଏ କି ତାଙ୍କ ଶରୀରର ଉପର ଭାଗକୁ ମନ ପସନ୍ଦର ବିଧିବଦ୍ଧ ପୋଷାକରେ ଆବୃତ କରୁଥିଲେ। ୧୯୦୫-୦୭ ବେଳକୁ ଗଠିତ ‘ସାଧୁଜନ ପରିପାଳନ ସଂଗମ’ ଦ୍ବାରା ସର୍ବସାଧାରଣ ରାସ୍ତାଘାଟରେ ସମସ୍ତଙ୍କର ଚାଲିବାର ସମାନ ଅଧିକାର ଓ ଅନ୍ୟ ଅନେକ ଯୁଗାନ୍ତକାରୀ ଦାବି କରାଯାଇଥିଲା ଏବଂ ସେ ପ୍ରକ୍ରିୟାରେ ନେତୃତ୍ବ ନେଇଥିଲେ ଆୟାଙ୍କଲି, ଯାହାଙ୍କୁ ମହାତ୍ମା ଆୟାଙ୍କଲି ଓ ପୁଲାୟା ରାଜା ବୋଲି ସଂବୋଧନ କରାଯାଉଥିଲା। ନାରାୟଣ ଗୁରୁଙ୍କ ସମାଜ ସଂସ୍କାର କାର୍ଯ୍ୟକ୍ରମ ଅନେକ ପରିମାଣରେ ଉତ୍ସାହ ଭରି ଦେଇଥିଲା ଆୟୋଙ୍କଲିଙ୍କ ଭିତରେ ଏବଂ ସିଏ କୃଷି କ୍ଷେତ୍ରରେ ଏଭଳି ପରିବର୍ତ୍ତନ ତଥା କ୍ରାନ୍ତିମନସ୍କ ପଦକ୍ଷେପ ବାଢ଼ିଥିଲେ ଯାହା ପରେ ଋଷୀୟ ବିପ୍ଳବ କାର୍ଯ୍ୟସୂଚିରେ ମଧ୍ୟ ଭିନ୍ନ ସଂସ୍କରଣରେ ସ୍ଥାନ ପାଇଥିଲା। ନିଜର ଏକାଧିକ କୃତିରେ ଅରୁନ୍ଧତୀ ରାୟ ବି ପୁଲାୟା ଓ ଆୟାଙ୍କଲିଙ୍କ ଉପରେ ସୁଚିନ୍ତିତ ଆଲୋଚନା କରିଛନ୍ତି।
ବେଲାୟୁଦ୍ଧନଙ୍କ ପ୍ରଥମ ନାମ ଦକ୍ଷାୟନୀ ବା ଦକ୍ଷଯାନୀର ଅର୍ଥ ହେଲା ଦୁର୍ଗାଙ୍କ କନ୍ୟା। ସେଭଳି ନାମକରଣକୁ ଅନେକ ଉଚ୍ଚ ଜାତିର ଲୋକେ ବିରୋଧ କରି କହୁଥିଲେ: ପୁଲାୟା ହୋଇ ଏମିତି ନାମ କେମିତି ଦିଆଯାଇ ପରିଲା? ତାଙ୍କ ଦୁଇ ଭାଇ ଲମ୍ବା କେଶ ଓ ଜଟା କାଟିଦେଲେ ଏବଂ ଭଲ ଜାମାପଟା ପିନ୍ଧି ବୁଲାବୁଲି କଲେ। ଅନ୍ୟଥା ସେମାନଙ୍କୁ ତାଳ ଗଛ ଛେଲି ପିନ୍ଧିବାକୁ କୁହାଯାଉଥିଲା। ସେଥିପାଇଁ ସେମାନଙ୍କୁ ଗାଳି ଖାଇବାକୁ ଓ ପଥର ମାଡ଼ ସହିବାକୁ ପଡ଼ିଥିଲା। ଦକ୍ଷଯାନୀଙ୍କ ବାପା ତାଙ୍କ ନିଜ ଘରକୁ ଗଁାର ବିଦ୍ୟାଳୟ ଭାବେ ବ୍ୟବହୃତ ହେବାକୁ ମହାନନ୍ଦରେ ଦେଇଥିଲେ। ମା’ ତାଙ୍କର ଶୁଖୁଆ ବିକାବିକି କରୁଥିଲେ। ବେଲାୟୁଦ୍ଧନଙ୍କ ମାତ୍ର ତିନି ବର୍ଷ ହୋଇଥିଲା ବେଳେ ତାଙ୍କ ବାପା ଚାଲିଗଲେ। ତାଙ୍କ ଭାଇ ଓ ଅନ୍ୟ କେତେକ ସଂପର୍କୀୟ ପୁଲାୟା ମହାଜନ ସଭାର ପ୍ରତିଷ୍ଠାତା ସଦସ୍ୟ ଥିଲେ। ସଂଗଠନଟିର ଜନ୍ମ ସଂପର୍କିତ ଉପାଖ୍ୟାନଟି ଏଇଭଳି। ୧୯୧୩ ମସିହାର କଥା। ମହାରାଜାଙ୍କ ମାଲିକାନାରେ ଆସୁଥିବା ଜମିରେ ଏକାଠି ହେବାକୁ ବାରଣ କରାଗଲା ଦଳିତମାନଙ୍କୁ। ବେଲାୟୁଦ୍ଧନଙ୍କ ବକ୍ତବ୍ୟ ମୁତାବକ ଅନନ୍ୟୋପାୟ ସେମାନେ ବେଲଘାଟୀ ନିକଟସ୍ଥ ସମୁଦ୍ରରେ ଥିବା କେତେକ ଦେଶୀ ଡଙ୍ଗାକୁ ବାନ୍ଧି ସେସବୁ ଉପରେ ସଭା କଲେ; ଗୀତ ବୋଲିଲେ ଓ କବିତା ପଢ଼ିଲେ ଏବଂ ସମାନତା ଓ ମର୍ଯ୍ୟାଦାର ଗୁରୁତ୍ବ କଥା ଉଠେଇଲେ। ସିଏ ସେଇ ପ୍ରସଙ୍ଗରେ କହିଥିଲେ: ସମୁଦ୍ରର କିଛି ଜାତି ନାହିଁ ବା ନ ଥାଏ; ମୋ ଜୀବନୀ ଓ ଆତ୍ମଜୀବନୀର ନଁା ବି ସେୟା ହେବା ଦରକାର। ଜାତିଭିତ୍ତିକ ଉତ୍ପୀଡ଼ନ ଓ ପାତରଅନ୍ତର ସେତେବେଳେ ଏମିତି ଥିଲା ଯେ ସେଥିରୁ ତ୍ରାହି ପାଇବା ପାଇଁ ତାଙ୍କ ସମେତ ଜଣେ ଦୁଇ ଜଣଙ୍କୁ ଛାଡ଼ିଦେଲେ ତାଙ୍କ ପରିବାରର ସମସ୍ତେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ। ଫଳରେ ଉଚ୍ଚ ଜାତିର ଲୋକଙ୍କ ଭଳି କୂଅରୁ ପାଣି କାଢ଼ି ପିଇ ପାରିଲେ ଓ ନିବିଘ୍ନରେ ରାସ୍ତାଘାଟରେ ବିଚରଣ କରିପାରିଲେ।
୧୯୧୨ ମସିହାରେ ଜନ୍ମଲାଭ କରିଥିବା ବେଲାୟୁଦ୍ଧନ ୧୯୩୫ ମସିହାରେ ଶିକ୍ଷୟିତ୍ରୀ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ସେବେ‌କାର ତ୍ରିଚୁର ଓ ଏବେକାର ତ୍ରିସୁର ଜିଲ୍ଲାର ଏକ ଗଁାର ସରକାରୀ ଉଚ୍ଚ ବିଦ୍ୟାଳୟରେ। ସେ ଅଞ୍ଚଳରେ ଇଝାଭାମାନେ ଥିଲେ ସଂଖ୍ୟାଗରିଷ୍ଠ ଜାତିର। ସ୍କୁଲରେ ପୁଲାୟା ଓ ଇଝାଭା ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଲଗା ଅଲଗା ବସୁଥିଲେ। ଯେତେବେଳେ ସିଏ ରସାୟନ ବିଜ୍ଞାନର ଛାତ୍ରୀ ଥିଲେ, ‌େସତେବେଳେ ସିଏ ପରୀକ୍ଷାଗାରର ଯନ୍ତ୍ରପାତି ସିଧାସଳଖ ଛୁଇଁ ପାରୁନଥିଲେ; ଦୂରରୁ ଠିଆ ହୋଇ ପରୀକ୍ଷା ନିରୀକ୍ଷା ପର୍ଯ୍ୟବେକ୍ଷଣ କରୁଥିଲେ। ଶିକ୍ଷୟିତ୍ରୀ ହେଲା ପରେ ଯେଉଁ ସଭାମାନଙ୍କରେ ପୁଲାୟା, ନାୟାର ଓ ଇଝାଭା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏକାଠି ବସିବାକୁ ଅନୁମତି ମିଳୁନଥିଲା, ସେଭଳି ସଭାକୁ ସିଏ ବର୍ଜନ କରୁଥ‌ିଲେ।
ମହାତ୍ମା ଗାନ୍ଧୀଙ୍କ ଅନୁଗାମିନୀ ଦକ୍ଷଯାନୀଙ୍କର ସ୍ବାଧୀନତା ଆନ୍ଦୋଳନରେ ପୂର୍ଣ୍ଣକାଳୀନ ଅଂଶ ଗ୍ରହଣ ପାଇଁ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ଚାକିରି କାରଣରୁ ତାହା ସମ୍ଭବ ହୋଇପାରୁନଥିଲା। ପରିବାରର ବୋଝ ତାଙ୍କ ଉପରେ ଥିବାରୁ ସିଏ ସରକାରୀ ଚାକିରି ଛାଡ଼ିବା ଅବସ୍ଥାରେ ନଥିଲେ। କିନ୍ତୁ ଶ୍ରେଣୀ ଗୃହରେ ବିଦ୍ୟାର୍ଥୀମାନଙ୍କୁ ସିଏ ସଫା ସଫା କହୁଥିଲେ ଯେ ସିଏ ଜଣେ ଗାନ୍ଧୀବାଦୀ ଏବଂ ଦେଶର ମୁକ୍ତି ସଂଗ୍ରାମ ପ୍ରତି ତାଙ୍କର ସମର୍ଥନ ଅଛି। ଦେଶ କଥାରେ କେବଳ ସିଏ ଅଟକି ଯାଉନଥିଲେ; ନିଜ ରାଜ୍ୟର ବୃହତ୍ତର ସ୍ବାର୍ଥ ପ୍ରସଙ୍ଗ ସହ ସିଏ ସାମିଲ ହୋଇ ଐକ୍ୟ କେରଳ ବା କେରଳମ୍ ସଭାରେ ଉଦ୍‌ବୋଧନ ଦେଇ ଗୋଟିଏ ଓ ଏକତ୍ରିତ କେରଳ ଆନ୍ଦୋଳନ ସପକ୍ଷରେ ଯୁକ୍ତି ବାଢ଼ି ବ୍ୟକ୍ତ କରୁଥିଲେ ଯେ- ଆମ ଭାଷା ଓ ଭୂଗୋଳ ଏକ ହୋଇଥିବାରୁ କୋଚିନ, ଟ୍ରାଭାଙ୍କୋର ଓ ବ୍ରିଟିସ ମାଲାବାର ଏକାଠି ମିଶି କେରଳ ରାଜ୍ୟର ଅଂଶବିଶେଷ ହେବା ନିହାତି ଜରୁରୀ। ନଚେତ କେରଳ ରାଜ୍ୟ ବିନା କେରଳୀମାନଙ୍କର ନିଶ୍ଚୟ ଏକ ମନସ୍ତାତ୍ତ୍ବିକ ଅଭାବ ରହିଯିବ।
ସାମାଜିକ କର୍ମୀ ପରେ ରାଜନେତା ହୋଇଥିବା ଆର୍. ବେଲାୟୁଦ୍ଧନଙ୍କ ସହ ଦକ୍ଷାୟନୀଙ୍କ ବିବାହ ସଂପନ୍ନ ହୋଇଥିଲା ୧୯୪୦ ମସିହାରେ ୱାର୍ଦ୍ଧାର ସେବାଗ୍ରାମ ଆଶ୍ରମରେ, ଯେଉଁଠି ଉପସ୍ଥିତ ଥିଲେ ଉଭୟ ଗାନ୍ଧୀ ଓ କସ୍ତୁରବା। ବାହାଘର କାର୍ଯ୍ୟ ସଂପାଦନ କରିଥିଲେ ଜନୈକ କୁଷ୍ଠାକ୍ରାନ୍ତ ଭଦ୍ରବ୍ୟକ୍ତି। କନ୍ୟା ଦକ୍ଷଯାନୀ ପିନ୍ଧିଥିଲେ କସ୍ତୁରବାଙ୍କ ହାତବୁଣା ଏକ ନାଲି ଧଡ଼ିବାଲା ଧଳା ଶାଢ଼ୀ। ଆଶ୍ରମରେ ରୁଟି ଓ ଗୁଡ଼ ଖାଇ ଖାଇ ଚିଟା ଲାଗିଥିଲା ଦକ୍ଷାୟନୀଙ୍କୁ, ଯାହା ଲକ୍ଷ୍ୟ କରିପାରିଥିଲେ ବାପୁ ଏବଂ କହିଥିଲେ ଚାହିଁଲେ ବାହାରେ ନିଜ କୁଟୀରରେ ଆମିଷ ଭୋଜନ କରିପାରିବ। ସ୍ବାମୀ ବେଲାୟୁଦ୍ଧନ୍ ଏକଦା ବମ୍ବେର ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସାଲ୍ ସାଇନ୍‌ସ (ଟିସ୍)ରେ ପଢ଼ିଥିଲେ ଏବଂ ଜଟାଟା ଅଏଲ୍ ମିଲ୍‌ସ ଓ ପି.ଆଇ.ବି.ରେ କାମ କଲା ପରେ ୧୯୫୨ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପତି-ପତ୍ନୀ ଥିଲେ ଭାରତର ପୂର୍ବତନ ରାଷ୍ଟ୍ରପତି କେ.ଆର୍. ନାରାୟଣନଙ୍କ ଆତ୍ମୀୟ। ଲଣ୍ଡନ୍‌ରେ ନାରାୟଣନଙ୍କ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସାହାଯ୍ୟ କରିଥିଲେ ଦୁହେଁ।
ଭାରତର ସଂବିଧାନ ସଭାର ବିତର୍କରେ ଭାଗ ନେଇ ବେଲାୟୁଦ୍ଧନ ନିଜର ପ୍ରଥମ ଭାଷଣ ଦେଇଥିଲେ ୧୯.୧୨.୧୯୪୬ ମସିହାରେ ଏବଂ ଆଶା ପୋଷଣ କରିଥିଲେ ଯେ ଦେଶରେ ଏକ ଜାତିବିହୀନ ସମାଜ ପ୍ରତିଷ୍ଠା ହେବ। ସିଏ କହିଥିଲେ- ‘‘ଭାରତୀୟ ସାଧାରଣତନ୍ତ୍ରରେ ଜାତି କିମ୍ବା ସଂପ୍ରଦାୟ ଆଧାରିତ କୌଣସି ପ୍ରତିବନ୍ଧକ ରହିବନି। ମଳିମୁଣ୍ଡିଆ ଲୋକେ ସେ ସାଧାରଣତନ୍ତ୍ରର ଶାସକ ହେବେ।’’ ଦକ୍ଷଯାନୀ ପୃଥକ ନିର୍ବାଚନମଣ୍ଡଳୀ ସପକ୍ଷରେ ନଥିଲେ। ତାଙ୍କର ଆଶଙ୍କା ଥିଲା ସେଭଳି ନିର୍ବାଚନମଣ୍ଡଳୀ ହୁଏତ ପୃଥକତାବାଦ ଓ ସାଂପ୍ରଦାୟିକତାକୁ ଉସକାଇ ଜାତୀୟତାବାଦ ବିରୋଧୀ ହୋଇପାରେ! ତାଙ୍କ ପ୍ରଗତିର ଖସଡ଼ାରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ବଦଳରେ ସାମଗ୍ରିକ ଦୃଷ୍ଟିଭଙ୍ଗୀଗତ ପରିବର୍ତ୍ତନ ଅଗ୍ରାଧିକାର ପାଉଥିଲା। ଆମ ସଂବିଧାନର ଧାରା-୧୭ରେ ଅସ୍ପୃଶ୍ୟତାର ଉଚ୍ଛେଦ କଥା ଉଲ୍ଲେଖ କରାଯାଇଛି ଏବଂ ସେଭଳି ଧାରା ସମ୍ଭବ ହେବା ଦିଗରେ ଦକ୍ଷାୟନୀଙ୍କ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଥିଲା। ଥରେ ସିଏ କହିଥିଲେ- ଅସ୍ପୃଶ୍ୟତା ନିବାରଣ କଥା କହୁ ନଥିବା ଏକ ସଂବିଧାନର ପରିକଳ୍ପନା କେବେ ବି କରାଯାଇନପାରେ। ତାଙ୍କର ଦୃଢ଼ ବିଶ୍ବାସ ଥିଲା ଏମିତି ସମୟ ଆସିବ, ଯେତେବେଳେ କୌଣସି ସମୂହର ଲୋକଙ୍କୁ ଅସ୍ପୃଶ୍ୟ କୁହାଯାଉନଥିବ। କାରଣ ସେଭଳି କୌଣସି ସଂପ୍ରଦାୟ ନଥିବ। ଚିଠା ସଂବିଧାନ ଉପରେ ବିଚାରବିମର୍ଶ ଚାଲିଥିଲା ବେଳେ ସିଏ ମନ୍ତବ୍ୟ ଦେଇଥିଲେ- ବହୁତ ବ୍ୟବସ୍ଥା ବାହାରୁ, ବିଦେଶରୁ ଅଣାଯାଇଛି। ଆହୁରି ମ‌ତ ଦେଇଥିଲେ ଚିଠା ସଂବିଧାନକୁ ନିର୍ବାଚନୀ ପ୍ରସଙ୍ଗସମ ଲୋକଙ୍କ ଆଗରେ ଉପସ୍ଥାପନ କରି ସମ୍ଭବ ହେଲେ ଜନାଦେଶ ନିଆଯାଇପାରେ। ପନ୍ଦର ଜଣ ମହିଳା ସଦସ୍ୟାଙ୍କ ଭିତରୁ ତାଙ୍କର ଅତି ଘନିଷ୍ଠ ଥିଲେ ଆନି ମାସ୍କାରେନେ ଓ ଦୁର୍ଗାବାଈ ଦେଶମୁଖ। ସଂବିଧାନ ସଭା ଦ୍ବାରା ସଂବିଧାନ ଗୃହୀତ ହେବା ପରେ ବେଲାୟୁଦ୍ଧନ ପ୍ରୋଭିଜିନାଲ୍ ପାର୍ଲିଆମେଣ୍ଟର ସଦସ୍ୟା ହୋଇଥିଲେ। ନିଜ ପିଲାମାନଙ୍କର ଓ ପରିବାରର ଖର୍ଚ୍ଚ ମେଣ୍ଟେଇବା ପାଇଁ ସିଏ ନୂଆଦିଲ୍ଲୀର ଏକ ବୀମା କଂପାନିରେ ପ୍ରାୟ ୨୧ ବର୍ଷ ଚାକିରି କରିଥିଲେ। ପୁଣିଥରେ ରାଜନୀତି ଆଡ଼କୁ ମନ ବଳେଇଲେ ୧୯୭୧ ମସିହାରେ। ଅଦୂର ନିର୍ବାଚନମଣ୍ଡଳୀରୁ ଲୋକସଭା ଲଢ଼ିଥିଲେ ଓ ଚତୁର୍ଥ ସ୍ଥାନରେ ରହି ମାତ୍ର ୩,୯୩୦ ଭୋଟ ପାଇଥିଲେ।
ଆମ ଦେଶର ଦୁଇ ପ୍ରମୁଖ କୁଳଦେବତା ବା ଲୋକପ୍ରତିମା ହେଲେ ଗାନ୍ଧୀ ଓ ଆମ୍ବେଦକର। ଦୁହିଁଙ୍କ ଭିତରୁ କେବଳ ଜଣକୁ ବାଛିବା ନିଶ୍ଚୟ ଆତ୍ମଘାତୀ। ମୂଳରୁ ଲାଗୁଥିଲା ଦକ୍ଷଯାନୀ ଅଧିକ ଗାନ୍ଧୀପଟିଆ ଥିଲେ। ସେଥିପାଇଁ ସିଏ ସମାଲୋଚନାର ଶରବ୍ୟ ହୋଇଥିଲେ। ୧୯୭୭ରେ ସିଏ ଆମ୍ବେଦକରବାଦୀ ମହିଳାମାନଙ୍କ ସହ ମିଶି ମହିଳା ଜାଗୃତି ପରିଷଦ ଗଢ଼ିଥିଲେ ଓ ସେ ସଂଗଠନର ସଭାନେତ୍ରୀ ହୋଇଥିଲେ। ତାଙ୍କ ଝିଅ ମୀରାଙ୍କ କହିବାନୁସାର ସେଇ ସତୁରି ଦଶକର ଶେଷ ଭାଗରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ବାବାସାହେବଙ୍କ ଜୟନ୍ତୀ ସଭାରେ ଆମନ୍ତ୍ରିତ ହୋଇ ନିଜ ବକ୍ତବ୍ୟରେ ତାଙ୍କ ମା’ କହିଥିଲେ- ମନୁ ମହିଳାମାନଙ୍କ ସ୍ବାଧୀନତା ବିରୋଧୀ ଥିଲେ; ଆମ୍ବେଦକର କିନ୍ତୁ ମହିଳା ମୁକ୍ତି ଓ ସ୍ବାଧୀନତାର ପକ୍ଷଧର ଥିଲେ। ସେଠି ସିଏ ସ୍ମରଣ କରିଥିଲେ- ମୁଁ ୧୯୪୪/୪୬ରେ ‘‘ଜୟ ଭୀମ୍’’ ପତ୍ରିକାର ପରିଚାଳନା ସଂପାଦିକା ଥିଲି। ତାଙ୍କର ଅବସୋସ ଥିଲା ଏଇଆ ଯେ ମୋର କେରଳ ଛାଡ଼ି ଯିବାର ନଥିଲା। ମାତ୍ର ୬୬ ବର୍ଷ ବୟସରେ ଦକ୍ଷୟାନୀଙ୍କର ବିୟୋଗ ଘଟିଥିଲା ୧୯୭୮ ମସିହାରେ।
(ମତାମତ ଲେଖକଙ୍କ ନିଜସ୍ୱ)
ମୋ: ୯୪୩୭୩୦୭୦୭୯

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.