Breaking News

ଆଳୁକୁ ଜଳବାୟୁ ପରିବର୍ତ୍ତନ ବିପଦ!

ଚଳିତ ଶତାବ୍ଦୀର ଶେଷ ଆଡ଼କୁ ବିଶ୍ବର ସାଧାରଣ ତାପମାତ୍ରା ଶିଳ୍ପଯୁଗ ପୂର୍ବର ତାପମାତ୍ରା ଠାରୁ ୩.୧ ଡିଗ୍ରି ସେଲ୍‌ସିଅସ୍‌ ଅଧିକ ହୋଇଯିବ ବୋଲି ଆକଳନ କରାଯାଉଛି। ଚୀନୀ କୃଷକମାନେ ସେମାନଙ୍କ ଆଳୁ ଫସଲ ଉତ୍ପାଦନରେ ଏବରୁ ଜଳବାୟୁ...

ଚଳିତ ଶତାବ୍ଦୀର ଶେଷ ଆଡ଼କୁ ବିଶ୍ବର ସାଧାରଣ ତାପମାତ୍ରା ଶିଳ୍ପଯୁଗ ପୂର୍ବର ତାପମାତ୍ରା ଠାରୁ ୩.୧ ଡିଗ୍ରି ସେଲ୍‌ସିଅସ୍‌ ଅଧିକ ହୋଇଯିବ ବୋଲି ଆକଳନ କରାଯାଉଛି। ଚୀନୀ କୃଷକମାନେ ସେମାନଙ୍କ ଆଳୁ ଫସଲ ଉତ୍ପାଦନରେ ଏବରୁ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଅନୁଭବ କରୁଥିବା ବେଳେ ୨୧୦୦ ମସିହା ବେଳକୁ ଏହା ଭୟଙ୍କର ପରିସ୍ଥିତି ଉପୁଜାଇବ ବୋଲି ଆଶଙ୍କା କରାଯାଉଛି। ଏହାର ମୁକାବିଲା ପାଇଁ ଚୀନ୍‌ ରାଜଧାନୀ ବେଜିଂର ଏକ ଗବେଷଣାଗାରରେ ଅଣୁଜୈବବିଜ୍ଞାନୀ ଲି ଜିପିଙ୍ଗ୍‌ ଓ ତାଙ୍କ ସାଥୀମାନେ ସାତ ପ୍ରକାର କିସମର କ୍ଷୁଦ୍ର ଆଳୁ ଉତ୍ପନ୍ନ କରିବାରେ ସକ୍ଷମ ହୋଇଛନ୍ତି, ଯେଉଁଗୁଡ଼ିକୁ ମାତ୍ରାଧିକ ତାପମାତ୍ରାରେ ମଧ୍ୟ ସ୍ବାଭାବିକ ଭାବେ ଅମଳ କରିହେବ ବୋଲି ଦାବି କରାଯାଇଛି। ବିଶ୍ବର ସର୍ବାଧିକ ଆଳୁ ଉତ୍ପାଦନକାରୀ ରାଷ୍ଟ୍ର ଚୀନ୍‌ରେ ସମ୍ପ୍ରତି ମିଳୁଥିବା ସାଧାରଣ ଆଳୁର ଆକୃତି ବେସ୍‌ବଲ୍‌ର ଦୁଇଗୁଣ ହୋଇଥିବା ବେଳେ ଏହି ସ୍ବତନ୍ତ୍ର କିସମ ଗିଲ ଆଳୁର ହାରାହାରି ଓଜନ ମାତ୍ର ୧୩୬ ଗ୍ରାମ୍‌।

ଚୀନୀ ଆଳୁଗୁଡ଼ିକ ଜଳବାୟୁ ପରିବର୍ତ୍ତନ ଦ୍ବାରା ଭୀଷଣ ପ୍ରଭାବିତ। ତେଣୁ ବନ୍ୟା, ମରୁଡ଼ି ଓ ଉଚ୍ଚ ତାପମାତ୍ରା ସହନଶୀଳ ଆଳୁ ବିକଶିତ କରିବା ପାଇଁ ଚୀନୀ ବୈଜ୍ଞାନିକମାନେ ତିନି ବର୍ଷର ଅନୁଧ୍ୟାନ କରି ଗିଲ ଆଳୁ କିସମ ସୃଷ୍ଟି କରିଛନ୍ତି। ଏହି ଆଳୁ ଦଶ ଦିନ ଆଗୁଆ ଅମଳ ହେଉଛି, କିନ୍ତୁ ଅମଳ ପରିମାଣ ଅଧାରୁ କମ୍‌

ସେହିପରି ସାଧାରଣ ଚୀନୀ ଆଳୁଗୁଡ଼ିକ ତାପମାତ୍ରା ଓ ଜଳବାୟୁ ପରିବର୍ତ୍ତନ ଦ୍ବାରା ଭୀଷଣ ଭାବରେ ପ୍ରଭାବିତ। ତେଣୁ ବନ୍ୟା, ମରୁଡ଼ି ଓ ଉଚ୍ଚ ତାପମାତ୍ରାରେ କିପରି ପାରମ୍ପରିକ ଆଳୁ ଫସଲ ତିଷ୍ଠି ରହିବ ସେଥିପାଇଁ ଜିପିଙ୍ଗ୍‌ଙ୍କ ନେତୃତ୍ବାଧୀନ ବୈଜ୍ଞାନିକଗଣ ତିନି ବର୍ଷର ଅନୁଧ୍ୟାନ ପରେ ଏହି ଗିଲ ଆଳୁ କିସମ ସୃଷ୍ଟି କରିଛନ୍ତି। ଚୀନ୍‌ର ଆଳୁବହୁଳ ଅଞ୍ଚଳ ହେବେଇ ଓ ଆଭ୍ୟନ୍ତରୀଣ ମଙ୍ଗୋଲିଆରେ ସେମାନେ ଏକ ଆବଦ୍ଧ କୋଠରି ଭିତରେ ସାଧାରଣ ତାପମାତ୍ରା ଠାରୁ ତିନି ଡିଗ୍ରି ସେଲ୍‌ସିଅସ୍‌ରୁ ଅଧିକ ତାପମାତ୍ରାରେ ଏହି ଆଳୁ ଫଳାଇପାରିଛନ୍ତି। ଯଦିଓ ଏଭଳି ପରିବେଶରେ ଏହି ଆଳୁର ଅମଳ ଦଶ ଦିନ ଆଗୁଆ ହୋଇପାରୁଛି, ତେବେ ଏହାର ଅମଳ ପରିମାଣ ସାଧାରଣ ଆଳୁ ତୁଳନାରେ ପ୍ରାୟ ଅଧାରୁ କମ୍‌ ବୋଲି ଜଣାପଡ଼ିଛି। ତେବେ ଏହା ଜଳବାୟୁ ପରିବର୍ତ୍ତନ ସହନଶୀଳ ହୋଇପାରିଥିବାରୁ ଏହା ଗୁରୁତ୍ବ ବହନ କରୁଛି। ଉଲ୍ଲେଖଯୋଗ୍ୟ, ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଆୟର୍ଲାଣ୍ଡରେ ଦେଖାଦେଇଥିବା ତାପମାତ୍ରା ବୃଦ୍ଧିଜନିତ ଆଳୁ ଦୁର୍ଭିକ୍ଷ ସେଠାକାର ଚାଷୀଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା।
ତେଣୁ ଏହି ନୂତନ କିସମର ଆଳୁ ସେମାନଙ୍କ ଉପାର୍ଜନ କ୍ଷମତାକୁ ବଜାୟ ରଖିପାରିବ ବୋଲି ଆଶା କରାଯାଉଛି।
ସୌଜନ୍ୟ-ସମ୍ୱାଦ

Comments are closed.