Breaking News

ଆଶା ଓ ଆକାଶ: ଅନ୍ନଯଜ୍ଞ କ୍ଷେତ୍ର ସମାଧାନ ନୁହେଁ

ଗତ ୧୦ ତାରିଖ ସୋମବାର ଥିଲେ ହେଁ ତିଥି ଅନୁସାରେ ପାପନାଶିନୀ ଏକାଦଶୀ ଥିବାରୁ ଶ୍ରୀମନ୍ଦିରରେ ଗହଳି ଅଧିକ ଥିଲା। ଭୋଗ ଉଠି ସାରିଥିବାରୁ ଆନନ୍ଦ ବଜାରରେ ଗହଳି ବଢ଼ି ଯାଇଥିଲା। ଦଳଦଳ ପାତିମାଙ୍କଡ଼ ଆନନ୍ଦ ବଜାରରୁ ଧାଡ଼ି ବାନ୍ଧି ବଡ଼ଦେଉଳ ସମେତ....

ଜାନକୀଶ ବଡ଼ପଣ୍ଡା

ଗତ ୧୦ ତାରିଖ ସୋମବାର ଥିଲେ ହେଁ ତିଥି ଅନୁସାରେ ପାପନାଶିନୀ ଏକାଦଶୀ ଥିବାରୁ ଶ୍ରୀମନ୍ଦିରରେ ଗହଳି ଅଧିକ ଥିଲା। ଭୋଗ ଉଠି ସାରିଥିବାରୁ ଆନନ୍ଦ ବଜାରରେ ଗହଳି ବଢ଼ି ଯାଇଥିଲା। ଦଳଦଳ ପାତିମାଙ୍କଡ଼ ଆନନ୍ଦ ବଜାରରୁ ଧାଡ଼ି ବାନ୍ଧି ବଡ଼ଦେଉଳ ସମେତ ସବୁ ପାର୍ଶ୍ବଦେବଦେବୀ ମନ୍ଦିର ଉପରେ ଡିଆଁ ମାରୁଥିଲେ। ଭିତର ବେଢ଼ାରେ ଦର୍ଶନାର୍ଥୀ ଭକ୍ତମାନେ ଧାଡ଼ିରେ ଆଗଉଥିଲେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ। ଭୋଗ ମଣ୍ଡପ କଡ଼ରେ ଅବାଧରେ ଅବଢ଼ା ବିକ୍ରି ଚାଲିଥିଲା ଓ ସେଠାରେ କିଛି ବହିରାଗତ ଲୋକ ଚକାପକାଇ ପ୍ରସାଦ ସେବନ କରୁଥିଲେ। ଭକ୍ତମାନେ ନିରୁପାୟ ଭାବେ ବେଢ଼ାରେ ବିଞ୍ଚି ହୋଇପଡ଼ିଥିବା ଅନ୍ନବ୍ୟଞ୍ଜନାଦି ଉପରେ ଚାଲିବାକୁ ବାଧ୍ୟ ହେଉଥିଲେ। ବିଡ଼ମ୍ବନା ଯେ, ବଡ଼ ବଡ଼ ଅକ୍ଷରରେ ସବୁଠି ଲେଖା ଥିଲା: “ଏଠାରେ ମହାପ୍ରସାଦ ବିକ୍ରି ଓ ଭୋଜନ ମନା!” ବେଢ଼ାରେ ଶହ ଶହ ଲୋକ ବସି ଉପଭୋଗ କରୁଥିଲେ ବାନା ପରିବର୍ତ୍ତନ ଦୃଶ୍ୟ, ଯାହା ସେମାନେ ପରିକ୍ରମା ମାର୍ଗରେ ରହି କରିପାରି ଥାଆନ୍ତେ। ସୁରକ୍ଷା କର୍ମଚାରୀମାନେ ସବୁ ଦେଖି ନ ଦେଖିଲା ଭଳି ରହୁଥିଲେ। କିଛି ସେବକ ବେପରବାୟ ଭାବେ ଏଣେତେଣେ ପାନ ପିକ ପକାଉଥିଲେ। ସେଦିନ ଆମକୁ ଶ୍ରୀଜଗନ୍ନାଥ ଦର୍ଶନର ମହାର୍ଘ ସୁଯୋଗ ମିଳିବା ସହିତ ଏଭଳି ଦୁଃଖଦ ଅଭିଜ୍ଞତା ମଧ୍ୟ ମିଳିଥିଲା।
ଗତ ୧୩ ତାରିଖ ଦିନ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ବିଦ୍ୱାନ ବ୍ୟକ୍ତିଙ୍କୁ ନେଇ ଗଠିତ ‘ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି’ ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଅନ୍ନଯଜ୍ଞ କ୍ଷେତ୍ର ନିର୍ମାଣ ବିଷୟରେ ଆଲୋଚନା କରିଥିଲେ। ଭକ୍ତମାନେ ଯେଭଳି ଆନନ୍ଦରେ ମହାପ୍ରସାଦ ସେବନ କରିପାରିବେ, ସେଥିପାଇଁ ଏହି ଅନ୍ନକ୍ଷେତ୍ରରେ ସମସ୍ତ ବ୍ୟବସ୍ଥା କରା ଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
‘ଆଶା ଓ ଆକାଶ’ ସ୍ତମ୍ଭରେ ନିକଟ ଅତୀତରେ ପ୍ରଦତ୍ତ କିଛି ପ୍ରସ୍ତାବ ମଧ୍ୟରୁ ଜୈବକୃଷି ପ୍ରଣାଳୀରେ ଉତ୍ପାଦିତ ଚାଉଳରୁ କୋଠଭୋଗ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ଓ ଶ୍ରୀମନ୍ଦିର ପରିସରରୁ ସଂଗୃହୀତ ବାସି ଫୁଲକୁ କମ୍ପୋଷ୍ଟ କରିବା ପ୍ରକ୍ରିୟା ଇତିମଧ୍ୟରେ ଆଂଶିକ କାର୍ଯ୍ୟକାରୀ କରିସାରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏବେ ସ୍ବୟଂ ଗଜପତି ଅନ୍ନଯଜ୍ଞ କ୍ଷେତ୍ର ପ୍ରସ୍ତାବ ଦେଇଥିବାରୁ, ନୀତିଗତ ଭାବେ ଏହାକୁ ପରିଚାଳନା କମିଟିର ମତ ଭାବେ ଗ୍ରହଣ କରାଯାଇପାରିବ। ପ୍ରସ୍ତାବ ଅନୁସାରେ, ଆନନ୍ଦ ବଜାରରୁ ମହାପ୍ରସାଦ କିଣି, ଭକ୍ତଗଣ ରାମାନୁଜ ସମ୍ପ୍ରଦାୟର ଉତ୍ତରପାର୍ଶ୍ବ ମଠ ଯାଏଁ ବୋହିନେବେ ଓ ଅନ୍ନଯଜ୍ଞ କ୍ଷେତ୍ରରେ ବସି ଭୋଜନ କରିବେ। ଏହା ଏକ ଅବାସ୍ତବ ତଥା ଅଦୂରଦର୍ଶୀ ପରିକଳ୍ପନା। ଏବେ, ଆନନ୍ଦ ବଜାର ମଧ୍ୟରେ ନାଲ୍‌କୋ ଦ୍ବାରା ନିର୍ମିତ ଭୋଜନ କକ୍ଷ ଥାଇ ବି, ସେଠାରେ ଭକ୍ତଗଣ ଭୋଜନ ନ କରି, ଅନ୍ୟତ୍ର ଭୋଜନ କରୁଛନ୍ତି। ଏହାର କାରଣଟି ସରଳ- ମନବୋଧ କରି ପ୍ରସାଦ ସେବନ କରିବାର ସୁବିଧା କେବଳ ମିଳିଥାଏ, ଯଦି ପାଖରେ ଥାଏ ଅନ୍ନ-ବ୍ୟଞ୍ଜନ ଭର୍ତ୍ତି କୁଡୁଆ ଓ ପରଷୁଣୀ। ଏଣୁ, ଅନ୍ନଯଜ୍ଞ କ୍ଷେତ୍ରରେ ଭୋଜନ କରିବା ଯୋଜନାକୁ ଅଦୂରଦର୍ଶୀ ପରିକଳ୍ପନା କହିଲେ ଭୁଲ୍ ହେବ ନାହିଁ।
ଭକ୍ତଗଣ ମୁଖ୍ୟତଃ କ୍ଷୋଭ ପ୍ରକାଶ କରନ୍ତି ଯେ, ଶ୍ରୀ ମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ମହାପ୍ରସାଦ ବିକ୍ରି ଅବ୍ୟବସ୍ଥିତ। ଏସବୁକୁ ବ୍ୟବସ୍ଥିତ କରିଦିଆଗଲେ, ସେମାନଙ୍କ କ୍ଷୋଭ ପ୍ରଶମିତ ହେବ। ଆମକୁ ମନେ ରଖିବାକୁ ହେବ ଯେ କ୍ରମଶଃ ଭକ୍ତଙ୍କ ସଂଖ୍ୟା ବଢୁଛି। ଦେଶର ଲୋକସଂଖ୍ୟା ଏବେ ୧୪୫ କୋଟି, ଏବଂ ଭବିଷ୍ୟତରେ ଏହା ସର୍ବାଧିକ ୧୭୫ କୋଟି ଛୁଇଁବା ପରେ କିଛି ଦଶନ୍ଧି ଧରି ସ୍ଥିର ରହିବ। ତାହା ପରେ କମିବା ଆରମ୍ଭ କରିବ। ଭାରତୀୟଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ସହ ତାଳଦେଇ ଗମନାଗମନ ସୁବିଧା, ଭକ୍ତଙ୍କ ତୀର୍ଥାଟନ ପାଇଁ ଆଗ୍ରହ ଓ ସାମର୍ଥ୍ୟ ବଢୁଥିବାରୁ ଆଗକୁ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ିବା ନିଶ୍ଚିତ।
ମହାପ୍ରସାଦ ପାଇବା ପାଇଁ ଭକ୍ତଙ୍କ ଆକୁଳତା ଓ ଆନନ୍ଦ ବଜାରର ଅବସ୍ଥିତି କାରଣରୁ ମନ୍ଦିର ବେଢ଼ାରେ ଅତ୍ୟଧିକ ଗହଳି ଲାଗିରହୁଛି। ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଥିବା ଉତ୍ତରପାର୍ଶ୍ବ ମଠକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାଙ୍ଗି ଅନ୍ନଯଜ୍ଞ କ୍ଷେତ୍ର ପ୍ରତିଷ୍ଠା କଲେ, ଗହଳି ଲାଗି ରହିବାର ଆଶଙ୍କା ରହିଛି, କମିବାର ସମ୍ଭାବନା ନାହିଁ। ବରଂ ଉତ୍ତର ଦ୍ବାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାରେ ବାଧା ସୃଷ୍ଟି ହେବ। ଭକ୍ତଗଣ ମହାପ୍ରସାଦ କୁଡୁଆ ଧରି ଅନ୍ନକ୍ଷେତ୍ର ଯାଏଁ ନେବା ସହଜ ହେବ ନାହିଁ।
ଦ୍ବିତୀୟରେ, ମାଙ୍କଡ଼ ଉପଦ୍ରବ। ଏବେ ନିକଟରେ ଆନନ୍ଦ ବଜାର ଥିବାରୁ, ଖାଦ୍ୟ ଲୋଭରେ ପାତିମାଙ୍କଡ଼ମାନେ ଶ୍ରୀମନ୍ଦିର ପରିସରରେ ଦଳବାନ୍ଧି ଡେଉଁଛନ୍ତି। ସେମାନଙ୍କ ମଳ-ମୂତ୍ର ପଡ଼ି ପରିସର କେବଳ ପ୍ରଦୂଷିତ ହେଉ ନାହିଁ, ବରଂ ସେମାନଙ୍କ ହସ୍ତ-ପଦାଘାତରେ ଚୁନା ହୋଇଯାଉଛି ସାମୁଦ୍ରିକ ଲୁଣିପବନ-ପ୍ରଚଣ୍ଡ ଖରା ସହ୍ୟ କରି ଶହ ଶହ ବର୍ଷ ଧରି ଠିଆହୋଇ ରହିଥିବା ବଡ଼ଦେଉଳର ଅପୂର୍ବ ଭାସ୍କର୍ଯ୍ୟ। ଆମକୁ ଏଭଳି ବ୍ୟବସ୍ଥା ଗ୍ରହଣ କରିବା ଉଚିତ, ଯେପରି ଶ୍ରୀମନ୍ଦିରରେ ମାଙ୍କଡ଼ ଉପଦ୍ରବ ରହିବନି।
ତୃତୀୟରେ, ଆନନ୍ଦ ବଜାରରୁ ପ୍ରତ୍ୟହ ବାହାରୁଥିବା ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା କରାଯାଇ ଆସୁଛି। ସେଠାରେ ଦୈନିକ ପ୍ରାୟ ୫-୧୦ ହଜାର ଭକ୍ତ ମହାପ୍ରସାଦ ଭୋଜନ କରୁଛନ୍ତି। ଅଇଁଠା ଖଲିପତ୍ର ବାହାରକୁ ବୋହିନେବା ପାଇଁ ରହିଛି କେବଳ ଉତ୍ତର ଦ୍ବାର। ଗହଳି ବଢ଼ିଥିବା କାରଣରୁ, ସଫେଇ କର୍ମଚାରୀମାନେ ଏବେ ମେଘନାଦ ପାଚେରୀ ଉପରୁ ଅଇଁଠା ଖଲିପତ୍ର ତଳକୁ ଫିଙ୍ଗି ଦେଉଛନ୍ତି; ଯାହାର ଦୃଶ୍ୟ ଅତ୍ୟନ୍ତ ବୀଭତ୍ସ। ସଭ୍ୟ ସମାଜରେ ଓ ଦିବ୍ୟ ମନ୍ଦିରମାନଙ୍କରେ ଏହା ଅପରିକଳ୍ପନୀୟ।
ଚତୁର୍ଥରେ, ଦକ୍ଷିଣ ଦ୍ବାର ଦେଇ ରୋଷଘର ସାମଗ୍ରୀ ମନ୍ଦିର ପରିସର ମଧ୍ୟକୁ ଆଣିବା ଭଳି, ଭୋଗ ମଣ୍ଡପରୁ ବାହାରୁଥିବା ଶ୍ରୀମହାପ୍ରସାଦ ମଧ୍ୟ ଦକ୍ଷିଣ ଦ୍ବାର ଦେଇ ମନ୍ଦିର ବାହାରକୁ ଯିବା ଆବଶ୍ୟକ। ଯଦି ତାହା କରା ନ ଯାଏ, ବେଢ଼ା ମଧ୍ୟରୁ ଗହଳି କମିବାର ସମ୍ଭାବନା ନାହିଁ। ମନ୍ଦିର ପରିସରକୁ ପରିଚ୍ଛନ୍ନ ରଖିବା ପାଇଁ ଏହା ଆବଶ୍ୟକ।
ବ୍ୟବସ୍ଥିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଆନନ୍ଦ ବଜାର ସ୍ଥାନାନ୍ତରଣ ଅତ୍ୟାବଶ୍ୟକ। ଶ୍ରୀମନ୍ଦିର ଠାରୁ ଅନ୍ତତଃ ଏକ କିଲୋମିଟର ଦୂରରେ ଚାରିଟି ବିକଳ୍ପ ଆନନ୍ଦ ବଜାର ଅତ୍ୟନ୍ତ ବ୍ୟବସ୍ଥିତ, ଭକ୍ତିମୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆରାମପ୍ରଦ ଭାବେ ପ୍ରତିଷ୍ଠା କରାଯିବା ଆବଶ୍ୟକ। ପ୍ରସ୍ତାବିତ ଆନନ୍ଦ ବଜାର ମଧ୍ୟରୁ ଗୋଟିଏ ଜଗନ୍ନାଥ ବଲ୍ଲଭ ଗାଡ଼ି ରହଣୀ ସ୍ଥଳ ନିକଟରେ ଓ ଆଉ ଗୋଟିଏ ରେଳ ଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ପ୍ରତିଷ୍ଠା କରାଯିବା ଉଚିତ। ତୃତୀୟଟିକୁ ବାତାନୁକୂଳିତ କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ନିର୍ମାଣ କରାଗଲେ ସେଠାରେ ଦେଶ ବିଦେଶରୁ ଆସୁଥିବା ଅନେକ ଧନୀକଭକ୍ତ ମହାନନ୍ଦରେ ମହାପ୍ରସାଦ ସେବନ କରିବାକୁ ଆଗ୍ରହ ପ୍ରକାଶ କରନ୍ତେ। ଚତୁର୍ଥଟି ରହନ୍ତା ସହର ବାହାରକୁ ଗାଡ଼ିମଟରରେ ପରିବହନ ହେବାକୁ ଥିବା ବରାଦି ଶ୍ରୀମହାପ୍ରସାଦ ପାଇଁ। ଭୋଗ ଉଠିଲା ପରେ ପ୍ରସ୍ତାବିତ ଆନନ୍ଦ ବଜାରଗୁଡ଼ିକୁ ପ୍ରଶାସନ ପକ୍ଷରୁ ତାଲାମୁଦ ବ୍ୟାଟେରିଚାଳିତ ସ୍ୱତନ୍ତ୍ର ଗାଡ଼ିରେ ଯୋଗାଣ କରାଯାଆନ୍ତା। ପ୍ରଥମ କିଛି ବର୍ଷ ଶ୍ରୀମନ୍ଦିର ପ୍ରଶାସନ ବିକଳ୍ପ ଆନନ୍ଦ ବଜାର ନିୟନ୍ତ୍ରଣ ଭାର ନିଅନ୍ତେ। ଏହାର ତଳମହଲାରେ ପ୍ରତୀକ୍ଷାଳୟ, ହାତ-ପାଦଧୁଆ ସୁବିଧା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ନିର୍ମାଲ୍ୟ, ଖଜା, ପଥର ମୂର୍ତ୍ତୀ, ନାଲିବାଡ଼ି, ପଟଚିତ୍ର, ପୁସ୍ତକ, ଭଜନସିଡି ଇତ୍ୟାଦି ବିକ୍ରି ଦୋକାନ ଓ ଉପର ମହଲାରେ ଭୋଜନାଳୟ ରହନ୍ତା। ବରାଦ ଦେଇଥିବା ଗ୍ରାହକମାନେ ନିର୍ଦ୍ଦିଷ୍ଟ ଆନନ୍ଦ ବଜାରରୁ ହିଁ ମହାପ୍ରସାଦ କିଣନ୍ତେ, ମନ୍ଦିର ନିକଟରେ ଭିଡ଼ କରନ୍ତେ ନାହିଁ।
ସୁଆର ସେବକ ଓ ପ୍ରଶାସନ ଉଭୟେ ଆଲୋଚନା ମାଧ୍ୟମରେ ମହାପ୍ରସାଦ ଦର ଧାର୍ଯ୍ୟ କରିବା ଆବଶ୍ୟକ। ସେହି ଦର ପ୍ରସ୍ତାବିତ ବାତାନୁକୂଳିତ ଆନନ୍ଦ ବଜାର ଓ ବରାଦି ମହାପ୍ରସାଦ ପାଇଁ ଲାଗୁ ହେଲା ବେଳେ, ଅନ୍ୟ ଦୁଇଟି ଆନନ୍ଦ ବଜାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଣ୍ଡପିଛା ସର୍ବାଧିକ ୪୦ ଟଙ୍କା ମୂଲ୍ୟରେ ଭକ୍ତଙ୍କୁ ମହାପ୍ରସାଦ ଯୋଗାଇଦେବା ଉଚିତ ହେବ। ପ୍ରଶାସନ ପକ୍ଷରୁ ରିହାତି ଦରରେ ମହାପ୍ରସାଦ ବିକ୍ରି କରାଗଲେ ‘ନକଲି ଅବଢ଼ା’, ‘ବାସି ଅବଢ଼ା’ ଅଭିଯୋଗ ରହିବନି। ରିହାତି ବାବଦକୁ ଯେଉଁ ଅର୍ଥ ଆବଶ୍ୟକ ହେବ, ତାହା ହୁଣ୍ଡି ଓ ଦାନରୁ ଭରଣା କରାଯାଇ ପାରିବ। ହିନ୍ଦୁମାନେ ଦାନ ଦେଇ ପୁଣ୍ୟ ଅର୍ଜନ କରିବାରେ ବିଶ୍ବାସୀ। ଆଗ୍ରହୀ ଭକ୍ତମାନେ ହୁଣ୍ଡିରେ ଦାନ ଦେବେ, ସଭିଏଁ ସ୍ୱଳ୍ପ ମୂଲ୍ୟରେ ଶ୍ରୀମହାପ୍ରସାଦ ପାଇବେ ତଥା ଶ୍ରୀଜଗନ୍ନାଥଙ୍କ କରୁଣାସିକ୍ତ ଆହ୍ଲାଦ ପାଇବେ। ସୁଆର ସେବକମାନେ ଉପଯୁକ୍ତ ମୂଲ୍ୟ ପାଇଲେ, ମହାପ୍ରସାଦର ମାନ ଓ ପରିମାଣ ସଠିକ୍ ରହିବ। ବେପାରୀ ଓ ଦଲାଲଙ୍କ ଦୌରାତ୍ମ୍ୟ ରହିବନି।
ଏବେ, ମହାପ୍ରସାଦ ବିକ୍ରି ପାଇଁ ସମସ୍ତ ସାମଗ୍ରୀ ସୁଆରମାନେ ନିଜସ୍ୱ ସମବାୟ ଭଣ୍ଡାର ମାଧ୍ୟମରେ ଖୋଲାବଜାରରୁ କିଣୁଛନ୍ତି। ବଜାର ଦର ବଢ଼ିଗଲେ ମହାପ୍ରସାଦ ଦର ବଢୁଛି ଓ ଏହାର ମାନ କମୁଛି। ଏଣୁ, ଜିଲ୍ଲା ପ୍ରଶାସନ ସହଯୋଗରେ ଉପଯୁକ୍ତ ମାନର ଓ ନିର୍ଦ୍ଦିଷ୍ଟ କିସମର ଡାଲି, ଚାଉଳ, ଗୁଆଘିଅ, ପନିପରିବା ଇତ୍ୟାଦି ସମସ୍ତ ରନ୍ଧନ ସାମଗ୍ରୀ ଯୋଗାଇଦେବା ପାଇଁ ଯୋଗାଣ ବ୍ୟବସ୍ଥା ଉନ୍ନତ କରାଯିବା ଆବଶ୍ୟକ।
କିଛି ବର୍ଷ ହେଲାଣି ‘ହବିଷ୍ୟାଳି ଯୋଜନା’ ଚାଲିଛି। ସମୁଦାୟ ପାଞ୍ଚଟି କେନ୍ଦ୍ରରେ ହବିଷ୍ୟାଳିମାନେ ରହି ମହାପ୍ରସାଦ ପାଉଛନ୍ତି। ଯଦି ସମସ୍ତଙ୍କୁ ପୂର୍ବଭଳି ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାକୁ ପଡୁଥାଆନ୍ତା, ଭାବନ୍ତୁତ, ଶ୍ରୀମନ୍ଦିରରେ ସୋରିଷ ପକାଇବାକୁ ଜାଗା ଥାଆନ୍ତା କି? ଏଣୁ, ପରମ୍ପରାକୁ ଅକ୍ଷୁଣ୍ଣ ରଖି ସମୟର ଆବଶ୍ୟକତାକୁ ସମ୍ମାନ ଦେଇ ଶ୍ରୀମନ୍ଦିରରେ ପରିଚାଳନାଗତ ରୂପାନ୍ତରୀକରଣ କରାଯିବା ଆବଶ୍ୟକ। ସୁରକ୍ଷା କର୍ମଚାରୀମାନେ ବେଢ଼ା ଭିତରେ ସମସ୍ତ ପ୍ରକାର ବିକ୍ରିବଟା ପ୍ରତି ଶୂନ୍ୟସହନଶୀଳତା ପ୍ରଦର୍ଶନ କରିବା ଦରକାର। ଅପରାହ୍‌ଣରେ ପତାକା ପରିବର୍ତ୍ତନ ଦେଖିବା ପାଇଁ ବେଢ଼ାରେ ଭିଡ଼ କରୁଥିବା ଦର୍ଶକମାନଙ୍କୁ ପରିକ୍ରମା ମାର୍ଗକୁ ପଠାଇଦେବା ଦରକାର। ବିକଳ୍ପ ଆନନ୍ଦ ବଜାର ପ୍ରତିଷ୍ଠା ହେଲା ପରେ, ଶୃଙ୍ଖଳିତ ଦର୍ଶନ ସମ୍ଭବ ହେବ। ମାଙ୍କଡ଼ ଉପଦ୍ରବ ରହିବନି। ବିକଳ୍ପ ଆନନ୍ଦ ବଜାରରୁ ପ୍ରତ୍ୟହ ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା ସହଜ ହେବ। ଏଣୁ, ପରୀକ୍ଷାମୂଳକ ଭାବେ ଅନ୍ତତଃ ଦୁଇଟି ହବିଷ୍ୟାଳି କେନ୍ଦ୍ରକୁ ଅନ୍ତତଃ ଛଅ ମାସ ଯାଏଁ ବିକଳ୍ପ ଆନନ୍ଦ ବଜାର ଭାବେ ବ୍ୟବହାର କରି, ସରକାର ବାସ୍ତବତା ଅନୁଧ୍ୟାନ କରିବାକୁ ଆମର ବିନମ୍ର ନିବେଦନ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.