Breaking News

ଆଶା ଓ ଆକାଶ: ଶ୍ରୀମନ୍ଦିରରେ ବ୍ୟବସ୍ଥିତ ଦର୍ଶନ

ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥିତ ଦିଅଁ ଦର୍ଶନ ବ୍ୟବସ୍ଥା କରନ୍ତୁ ବୋଲି ସମସ୍ତେ ଚାହାନ୍ତି। ପୂର୍ବ ସରକାରଙ୍କ ଅମଳରେ ଦର୍ଶନ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଥିଲା। କେବଳ ସିଂହଦ୍ବାର ଦେଇ ପ୍ରବେଶ ଏବଂ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ ଅନୁମତି ଦିଆଯାଇଥିଲା।

ଜାନକୀଶ ବଡ଼ପଣ୍ଡା

ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥିତ ଦିଅଁ ଦର୍ଶନ ବ୍ୟବସ୍ଥା କରନ୍ତୁ ବୋଲି ସମସ୍ତେ ଚାହାନ୍ତି। ପୂର୍ବ ସରକାରଙ୍କ ଅମଳରେ ଦର୍ଶନ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଥିଲା। କେବଳ ସିଂହଦ୍ବାର ଦେଇ ପ୍ରବେଶ ଏବଂ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ ଅନୁମତି ଦିଆଯାଇଥିଲା। ସର୍ବସାଧାରଣଙ୍କୁ ବଡ଼ଦାଣ୍ଡରେ ଘଣ୍ଟାଘଣ୍ଟା ଧରି ଖରାବର୍ଷାରେ ଧାଡ଼ି ବାନ୍ଧି ଚାଲିବାକୁ ପଡୁଥିଲା। ଏହାକୁ ବିରୋଧ କରିଆସୁଥିଲେ ସମସ୍ତେ। ପୂର୍ବ ପରି ଚାରିଦ୍ବାର ଖୋଲିଦିଆଗଲେ କୋଭିଡ୍‌ ପୂର୍ବରୁ ଯେଭଳି ଦର୍ଶନ ବ୍ୟବସ୍ଥା ଥିଲା ସେପରି ସମ୍ଭବ ହେବ ବୋଲି ବିଚାର କରୁଥିଲେ ଭକ୍ତମାନେ। ନିର୍ବାଚନର କିଛିମାସ ପୂର୍ବରୁ ପୁରୀବାସୀଙ୍କ ପାଇଁ ପଶ୍ଚିମଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ ଅନୁମତି ଦିଆଯାଇଥିଲା। ଧାଡ଼ିରେ ଅପେକ୍ଷାମାଣ ଭକ୍ତଙ୍କ ସୁବିଧା ପାଇଁ ବଡ଼ଦାଣ୍ଡରେ ବାତାନୁକୂଳିତ ଟନେଲ୍‌ ମଧ୍ୟ ନିର୍ମାଣ ହୋଇଥିଲା। କିନ୍ତୁ, ପ୍ରବଳ ଦାବି ସତ୍ତ୍ବେ ଚାରି ଦ୍ବାର ଖୋଲାଯାଉ ନଥିଲା। ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ବଡ଼ଦାଣ୍ଡରେ ଧାଡ଼ିରେ ଚାଲିବା ପରେ ମନ୍ଦିର ବେଢ଼ାରେ ପ୍ରବେଶ କରୁଥିଲେ ଓ ସାତପାହାଚ ପୂର୍ବରୁ ସେମାନଙ୍କୁ ପୁନର୍ବାର ଧାଡ଼ିରେ ଅପେକ୍ଷା କରିବାକୁ ପଡୁଥିଲା। ଗରୁଡ଼ ସ୍ତମ୍ଭ ଠାରୁ ଭିତର କାଠ ଯାଏ ପ୍ରବଳ ଗହଳି ରହୁଥିଲା।
ନୂଆ ସରକାର ନିର୍ବାଚନ କାଳରେ ଦେଇଥିବା ପ୍ରତିଶ୍ରୁତି ପାଳନକରି ଚାରିଦ୍ବାର ଖୋଲି ସାରିଛନ୍ତି। ବାଇଶିପାହାଚ-ଆନନ୍ଦ ବଜାର ବାଟ ଖୋଲିସାରିଛି। କାର୍ତ୍ତିକ ମାସ ପାଇଁ କିଛି କଟକଣା କରାଯାଇଥିଲା ସତ; କିନ୍ତୁ ବଡ଼ଦାଣ୍ଡରେ ଏବେ ବ୍ୟାରିକେଡ୍ ନାହିଁ, ମୁକ୍ତ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଚାରିଦ୍ବାର ଖୋଲା ରହିଛି। ଯେଉଁମାନେ ଚାରିଦ୍ବାର ଦେଇ ମନ୍ଦିର ବେଢାରେ ପ୍ରବେଶ କରୁଛନ୍ତି, ସେମାନଙ୍କୁ କିନ୍ତୁ ପୂର୍ବଭଳି ସାତପାହାଚ ପୂର୍ବରୁ ଧାଡ଼ିରେ ରହିବାକୁ ପଡୁଛି ଏବଂ ପ୍ରବଳ ଭିଡ଼ରେ ଦଳାଚକଟାର ସାମ୍ନା କରିବାକୁ ପଡୁଛି।
ଚାରିଦ୍ୱାର ଖୋଲା ରହିଲେ ଭକ୍ତମାନେ ସ୍ୱଳ୍ପ ସମୟରେ ଓ ସୁବିଧାରେ ଦିଅଁ ଦର୍ଶନ କରି ପାରିବେ ବୋଲି କୁହାଯାଉଥିଲେ ବି, ଏହା ସତ୍ୟର ଅପଳାପ ବ୍ୟତିତ ଅନ୍ୟ କିଛି ନୁହେଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନାଟ ମଣ୍ଡପ ଭିତରେ ରାମ୍ପ୍ ନିର୍ମାଣ, ଅନ୍‌ଲାଇନ୍ ସ୍ଲଟ୍ ବୁକିଙ୍ଗ୍ ଭଳି ପ୍ରସ୍ତାବ ଆସିଛି। ଆମେ କିନ୍ତୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନସ୍ତାତ୍ବିକ ଦିଗକୁ ପ୍ରଶାସନ ବିଚାରକୁ ନେଉନଥିବାର ଲକ୍ଷ୍ୟ କରୁଛୁ। ଆମର ବିଶ୍ବାସ ଯେ, ଶ୍ରୀମନ୍ଦିର ଭିତରେ ଓ ବେଢ଼ାରେ ବର୍ଦ୍ଧିତ ଗହଳି ନିୟନ୍ତ୍ରଣର ଚାବିକାଠି ରହିଛି ମନସ୍ତତ୍ବ ଆଧାରିତ ପରିଚାଳନାରେ। ଏହି ଆଧାରରେ ଆନନ୍ଦ ବଜାରର ସ୍ଥାନାନ୍ତରୀକରଣ ଓ ଦର୍ଶନ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇ ସମସ୍ୟାର ସମାଧାନ କରାଯାଇପାରିବ।
ଏହା ସତ୍ୟ ଯେ ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଦେଶର ଲୋକସଂଖ୍ୟା ଏବେ ୧୪୫ କୋଟି ଏବଂ ଭବିଷ୍ୟତରେ ଏହା ସର୍ବାଧିକ ୧୭୫ କୋଟି ଛୁଇଁବାର ଆକଳନ କରାଯାଉଛି। ଭାରତୀୟଙ୍କ ମୁଣ୍ଡପିଛା ଆୟବୃଦ୍ଧି ସହ ତାଳ ଦେଇ, ଗମନାଗମନ ସୁବିଧା ଓ ଭକ୍ତଙ୍କ ତୀର୍ଥାଟନ ପାଇଁ ଆଗ୍ରହ ଓ ସାମର୍ଥ୍ୟ ବଢୁଥିବାରୁ ଆଗକୁ ଶ୍ରୀମନ୍ଦିର ଭିତରକୁ ଦର୍ଶନାର୍ଥୀଙ୍କ ଆଗମନ ବଢ଼ିବା ସୁନିଶ୍ଚିତ। ପୁରୀ ମଧ୍ୟ ଏକ ସାମୁଦ୍ରିକ ପର୍ଯ୍ୟଟନ ସହର ତଥା ସ୍ବର୍ଣ୍ଣିମ ତ୍ରିଭୂଜର ପ୍ରମୁଖ ସ୍ଥାନ ହୋଇଥିବାରୁ, ଅଧିକାଂଶ ଦର୍ଶନାର୍ଥୀଙ୍କ ପାଇଁ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ସହିତ କୋଣାର୍କ ଓ ଭୁବନେଶ୍ବର ବୁଲି ଦେଖିବା ମଧ୍ୟ ଆକର୍ଷଣୀୟ ଗୁରୁତ୍ବ ବହନ କରେ। ଏଣୁ ଦର୍ଶନାର୍ଥୀମାନେ ଚାହିଲେ ବି, ଚକାଡୋଳା ଦର୍ଶନ ପାଇଁ ଅଧିକ ସମୟ ବାହାର କରିବା ହୁଏତ ଆଗକୁ ସମ୍ଭବ ହେବନି। ଶ୍ରୀମନ୍ଦିର ଭିଡ଼ ଭିତରେ ଦର୍ଶନ କରିସାରିବା ପରେ ସେମାନେ ଥରେ ବାହାରକୁ ଯାଇ ପୁନର୍ବାର ପ୍ରବେଶ କରି ମହାପ୍ରସାଦ ପାଇବାକୁ ସାହସ କରୁ ନାହାନ୍ତି। ବରଂ ଭୋଗ ବଢ଼ିବା ଯାଏ ବେଢ଼ାରେ ବସିରହୁଛନ୍ତି। ଏହା ଏକ ମନସ୍ତାତ୍ବିକ ପ୍ରସଙ୍ଗ, ଯାହା ଆମେ ଅଙ୍ଗେ ନିଭେଇଛେ।
ଦ୍ବିତୀୟ ବାସ୍ତବତା ହେଲା ଯେ, ସାତପାହାଚ ଠାରୁ ନାଟମଣ୍ଡପ ଦେଇ ଭିତରକାଠ ପର୍ଯ୍ୟନ୍ତ ରହିଥିବା ଚାରିଟି ଆଭ୍ୟନ୍ତରୀଣ ଦ୍ବାର ମଧ୍ୟରୁ କେବଳ ବେହରଣ ଦ୍ବାରକୁ ମୁକ୍ତ ରଖାଯାଇ ପଣ୍ଡାଦ୍ବାର, ଘଣ୍ଟିଦ୍ବାର ଓ ମୁଦୁଲିଦ୍ବାରକୁ ବନ୍ଦ ରଖାଯାଉଛି। ଏସବୁକୁ ଖୋଲି ଦିଆଯିବା ଉଚିତ। ନାଟମନ୍ଦିର, ଜଗମୋହନ ଓ ଗର୍ଭଗୃହ ମଧ୍ୟରେ ଜନଗହଳି ଏଡ଼ାଇବାକୁ ଏକାଧିକ ପ୍ରସ୍ଥାନ ଦ୍ବାର ଖୋଲାଯିବା ଏକାନ୍ତ ଆବଶ୍ୟକ। ନାଟମଣ୍ଡପ ଭିତରେ ଥିବା ଗରୁଡ଼ ସ୍ତମ୍ଭ ପାଖରୁ ଦିଅଁଦର୍ଶନ କରିବାରେ ବାଧକ ହେଉଛନ୍ତି କିଛି ସେବାୟତ। ସେମାନେ ପ୍ରାଚୀର ଭାବେ ଠିଆହୋଇ ରହୁଥିବାର ଦେଖାଯାଉଛି; ଯେଉଁଥିପାଇଁ ଗରୁଡ଼ସ୍ତମ୍ଭ ପାଖରୁ ଦିଅଁଙ୍କୁ ଦର୍ଶନ କରିବା ସମ୍ଭବ ହେଉନାହିଁ। ଏମାନଙ୍କୁ ବାହାରକାଠ ନିକଟରୁ ହଟାଇ ଦିଆଗଲେ ଅନେକ ଭକ୍ତ ଗରୁଡ଼ସ୍ତମ୍ଭ ନିକଟରୁ ଚକାନୟନକୁ ଦର୍ଶନ କରି ପଣ୍ଡାଦ୍ବାର ଦେଇ ପ୍ରସ୍ଥାନ କରିବାକୁ ଚାହିବେ।
ତୃତୀୟରେ, ବହୁ ପ୍ରତୀକ୍ଷା ପରେ ଥରେ ନାଟମଣ୍ଡପ ମଧ୍ୟକୁ ପ୍ରବେଶ କରିଗଲା ପରେ, ଅନେକ ଭକ୍ତ କାଳିଆ ସାଆନ୍ତଙ୍କୁ ମନଭରି ଦେଖି, ଭକ୍ତିଭାବରେ ତଲ୍ଲୀନ ହୋଇଯିବାକୁ ଚାହାନ୍ତି। ଏହା ହିଁ ଶ୍ରୀମନ୍ଦିର ଭିତର ଭିଡ଼ ବଢ଼ାଇବା ସହ ଭକ୍ତଙ୍କ ଯନ୍ତ୍ରଣା ବି ବଢ଼ାଉଥିବାର ଅନ୍ୟତମ କାରଣ। ଭକ୍ତଙ୍କ ଭାବାବେଗକୁ ଅସମ୍ମାନ କରି ମନ୍ଦିର ପରିସରରୁ ସେମାନଙ୍କୁ ବଳପ୍ରୟୋଗ କରି ବାହାର କରିବା ଅମାନୁଷିକ। ଏହା ଏପରି ଏକ ସମସ୍ୟା, ଯାହାର ମନସ୍ତାତ୍ବିକ ସମାଧାନ ଆବଶ୍ୟକ।
ଶ୍ରୀମନ୍ଦିର ମଧ୍ୟରୁ ଭକ୍ତଗଣ ଯଥାଶୀଘ୍ର ଶ୍ରୀମନ୍ଦିର ପରିସରରୁ ସ୍ବତଃ ବାହାରକୁ ବାହାରିଯିବା ପାଇଁ ଆନନ୍ଦ ବଜାରର ଅବସ୍ଥିତି ମହତ୍ବପୂର୍ଣ୍ଣ। ମହାପ୍ରସାଦ ପାଇବାପାଇଁ ଭକ୍ତଙ୍କ ଆକୁଳତା ସହ ଆନନ୍ଦ ବଜାରର ଅବସ୍ଥିତି କାରଣରୁ ମନ୍ଦିର ବେଢ଼ାରେ ଅତ୍ୟଧିକ ଗହଳି ଲାଗି ରହୁଛି। ଏହା ଉପଲବ୍‌ଧି କଲାପରେ ଆନନ୍ଦ ବଜାର ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ ଗଜପତି ମହାରାଜ। ସେ ‘ଅନ୍ନଯଜ୍ଞ କ୍ଷେତ୍ର ପରିକଳ୍ପନା’ ପ୍ରସ୍ତୁତ କରି ଉତ୍ତର ଦ୍ବାର ନିକଟବର୍ତ୍ତୀ ଏକ ମଠରେ ବିକଳ୍ପ ଆନନ୍ଦ ବଜାର ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ସ୍ଥାନାନ୍ତରଣ ପ୍ରସ୍ତାବ ପଛରେ କିଛି ଯୁକ୍ତି ରହିଛି। ଏବେ ଆମେ ଦେଖୁଥିବା ଆନନ୍ଦ ବଜାର ମୂଳ ମନ୍ଦିର ପ୍ରତିଷ୍ଠା ହେବାର ପରବର୍ତ୍ତୀ କାଳରେ ନିର୍ମାଣ ହୋଇଥିଲା। କିଛି ବର୍ଷ ଧରି କାର୍ତ୍ତିକ ମାସରେ ହବିଷ୍ୟାଳୀମାନେ ହବିଷ୍ୟାଳୀ ଭବନରେ ରହି ଶ୍ରୀମହାପ୍ରସାଦ ପାଇ ଆସୁଛନ୍ତି। ପୁରୀର ବିଭିନ୍ନ ଧର୍ମଶାଳାରେ ମଧ୍ୟ ତୀର୍ଥଯାତ୍ରୀମାନେ ମହାପ୍ରସାଦ ଭୋଜନ କରନ୍ତି। ଏଣୁ, ଏବର ଆନନ୍ଦ ବଜାରକୁ ସ୍ଥାନାନ୍ତରଣ କରି ଅନ୍ୟତ୍ର ନିର୍ମାଣ କରାଗଲେ, ତାହା ଶ୍ରୀମନ୍ଦିର ପରମ୍ପରାର ବିରୁଦ୍ଧାଚରଣ କରିବନାହିଁ। ଆମର ପ୍ରସ୍ତାବ ଯେ, ଶ୍ରୀମନ୍ଦିରର ଚାରିଦିଗରେ ଅନ୍ତତଃ ଏକ କିଲୋମିଟର ଦୂରରେ ଚାରିଗୋଟି ବିକଳ୍ପ ଆନନ୍ଦବଜାର ଅତ୍ୟନ୍ତ ବ୍ୟବସ୍ଥିତ, ଭକ୍ତିମୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆରାମପ୍ରଦ ଭାବେ ପ୍ରତିଷ୍ଠା କରାଯାଉ। ଫଳରେ ଶ୍ରୀମନ୍ଦିରକୁ ଅଧିକ ଭକ୍ତ ଆସିବେ; ଅଥଚ ଅନିୟନ୍ତ୍ରିତ ଭିଡ଼ ରହିବନାହିଁ।
ପ୍ରସ୍ତାବିତ ଆନନ୍ଦ ବଜାର ମଧ୍ୟରୁ ଗୋଟିଏ ବଡ଼ଦାଣ୍ଡରେ ଓ ଆଉ ଗୋଟିଏ ରେଳଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ପ୍ରତିଷ୍ଠା କରାଯିବା ଉଚିତ। ତୃତୀୟଟିକୁ ବାତାନୁକୂଳିତ କରାଯାଇ ଗାଡ଼ିମୋଟର ରହଣିସ୍ଥଳ ନିକଟରେ ନିର୍ମାଣ କରାଗଲେ ସେଠାରେ ଦେଶ ବିଦେଶରୁ ଆସୁଥିବା ଅନେକ ଭକ୍ତ ମହାନନ୍ଦରେ ମହାପ୍ରସାଦ ସେବନ କରିବାକୁ ଆଗ୍ରହ ପ୍ରକାଶ କରିବେ। ଚତୁର୍ଥଟି ସହର ବାହାରକୁ ଛୋଟ-ବଡ଼ ଟ୍ରକ୍‌ରେ ପରିବହନ ହେବାକୁ ଥିବା ବରାଦି ଶ୍ରୀମହାପ୍ରସାଦ ପାଇଁ ପ୍ରତିଷ୍ଠା ହେବା ଉଚିତ। ଏହି ସମସ୍ତ ପ୍ରସ୍ତାବିତ ଆନନ୍ଦ ବଜାରକୁ ମହାପ୍ରସାଦ ଉଠିଲା ପରେ ପ୍ରଶାସନ ପକ୍ଷରୁ ବ୍ୟାଟେରିଚାଳିତ ସ୍ୱତନ୍ତ୍ର ଗାଡ଼ିରେ ତାଲା ପକାଇ ଯୋଗାଣ କରାଗଲେ, ଶ୍ରୀମନ୍ଦିର ଭିତର-ବାହାର ପରିସର ମଧ୍ୟ ପରିଚ୍ଛନ୍ନ ରହିପାରିବ। ଦୁଇ-ତିନି ମହଲା ବିଶିଷ୍ଟ ବିକଳ୍ପ ଆନନ୍ଦ ବଜାରର ପରିଚାଳନା ଭାର ଶ୍ରୀମନ୍ଦିର ପ୍ରଶାସନ ନେଇ ମୁଣ୍ଡପିଛା ମାତ୍ର ୫୦ ଟଙ୍କା ମୂଲ୍ୟରେ ମନବୋଧ ହେବାଭଳି ମହାପ୍ରସାଦ ଭୋଜନ ବ୍ୟବସ୍ଥା କରାଗଲେ, ସମସ୍ତେ ଉପକୃତ ହେବେ। ରିହାତି ଅର୍ଥ ପରିମାଣ ଦାନସୂତ୍ରରୁ ଭରଣା ହେବ। ବିକଳ୍ପ ଆନନ୍ଦ ବଜାରର ତଳମହଲାରେ ପ୍ରକାଣ୍ଡ ପ୍ରତୀକ୍ଷାଳୟ, ଶୌଚାଳୟ ଓ ହାତ-ପାଦଧୁଆ ସୁବିଧା ମିଳିଲେ, ଭକ୍ତଗଣ ଶ୍ରୀମନ୍ଦିରରେ ଗହଳି ନକରି ବିକଳ୍ପ ଆନନ୍ଦ ବଜାର ପ୍ରତୀକ୍ଷାଳୟରେ ଆରାମରେ ଅଭଡ଼ା ପାଇଁ ପ୍ରତୀକ୍ଷା କରିବେ। ସେହି ପ୍ରତୀକ୍ଷାଳୟର ବାହାର ପଟେ ଶ୍ରୀଜଗନ୍ନାଥ ସଂସ୍କୃତିସହ ଜଡ଼ିତ ନିର୍ମାଲ୍ୟ, ଖଜା, ପଥର ମୂର୍ତ୍ତୀ, ନାଲିବାଡ଼ି, ପଟ୍ଟଚିତ୍ର, ପୁସ୍ତକ, ଭଜନ ସିଡି ଓ ଉପହାର ସାମଗ୍ରୀ ଇତ୍ୟାଦି ବିକ୍ରି କରାଯିବାପାଇଁ ଦୋକାନ ନିର୍ମାଣ କରାଗଲେ, ବଡ଼ଦାଣ୍ଡରେ ବସୁଥିବା ଉଠା ଦୋକାନୀମାନେ ଥଇଥାନ ହୋଇ ପାରିବେ। ଉପର ମହଲାରେ ଥିବା ସ୍ବଚ୍ଛ ଭୋଜନାଳୟରେ ରିହାତି ମୂଲ୍ୟରେ ମହାପ୍ରସାଦ ଭୋଜନ କରି ଭକ୍ତଗଣ ତୃପ୍ତ ହେବେ।
ଏବେ ଯେଉଁଠାରେ ଆନନ୍ଦ ବଜାର ରହିଛି, ସେଠାରେ ସେବାୟତ ଓ ଦର୍ଶନାର୍ଥୀଙ୍କ ପାଇଁ ଆବଶ୍ୟକ ଅନୁଯାୟୀ ଅତ୍ୟାଧୁନିକ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ହେବା ଆବଶ୍ୟକ। ଶୌଚାଳୟ ସୁବିଧା ରହିଲେ, ଶ୍ରୀମନ୍ଦିରରେ ମହାସ୍ନାନ ଆବଶ୍ୟକ ପଡ଼ିବ ନାହିଁ। ମନ୍ଦିରକୁ ଶୋଧନ କରିବାକୁ ପଡୁଥିବାରୁ ଦୈନିକ ହାରାହାରି ଦୁଇଘଣ୍ଟା ଦର୍ଶନ ବନ୍ଦ ରହୁଛି। ସ୍ନାନବେଦୀ ନିକଟରେ ଶ୍ରୀଜଗନ୍ନାଥ ଧ୍ୟାନ କେନ୍ଦ୍ର ନିର୍ମାଣ କରାଗଲେ, ସେଠାରେ ଭକ୍ତମାନେ ଭକ୍ତିମୟ ପରିବେଶରେ ଧ୍ୟାନ ଓ ପ୍ରାର୍ଥନା କରିପାରିବେ, ନାଟମନ୍ଦିରରେ ଗହଳି କମିଯିବ।
ପରୀକ୍ଷାମୂଳକ ଭାବେ ଆଗାମୀ ଛଅମାସ ପାଇଁ ହବିଷ୍ୟାଳୀ ଭବନଗୁଡ଼ିକୁ ବିକଳ୍ପ ଆନନ୍ଦ ବଜାରରେ ରୂପାନ୍ତରିତ କରି ଦେଖାଯାଉ, ଭିଡ଼ କମୁଛି କି ନାହିଁ। ଆଶା, ସରକାର, ଶ୍ରୀମନ୍ଦିର ପରିଚାଳନା ପରିଷଦ ଓ ମୁଖ୍ୟ ପ୍ରଶାସକ ଆମର ମତାମତଗୁଡ଼ିକୁ ବିଚାର କରି କାର୍ଯ୍ୟକାରୀ କରିବେ। ଫଳରେ ଆଗାମୀ ଦିନରେ ବିମାନ, ମେଟ୍ରୋ ଟ୍ରେନ୍‌ ଓ ଗାଡ଼ି ମଟରରେ ଆସୁଥିବା କ୍ରମବର୍ଦ୍ଧିଷ୍ଣୁ ଭକ୍ତଜନଙ୍କ ପାଇଁ ଚକାଡୋଳା ଦର୍ଶନ ସରଳ, ସୁଗମ ଓ ଭାବପୂର୍ଣ୍ଣ ରହିବ।
ମୋ: ୯୪୩୮୨୯୯୦୩୭

ସୌଜନ୍ୟ-ସମ୍ୱାଦ

Comments are closed.