Breaking News

ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ: ଆଜି ସର୍ବଦଳୀୟ ବୈଠକ

ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ...

ଭୁବନେଶ୍ୱର: ଆସନ୍ତାକାଲି ୧୩ ଫେବ୍ରୁୟାରିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ବଜେଟ ଅଧିବେଶନରେ ୨୮ଟି କାର୍ଯ୍ୟଦିବସ ରହିଛି। ଏନେଇ ବୁଧବାର ‌ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ।  ଅଧିବେଶନକୁ ସୁରୁଖୁରୁରେ ସାରିବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଡକାଯାଇଛି।

ବିଧାନସଭାର ସର୍ବଦଳୀୟ ବୈଠକ. ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳାର ସହିତ ବଜେଟ୍ ଅଧିବେଶନ ଅନୁଷ୍ଠିତ କରାଯିବା ପାଇଁ ସେନେଇ ବାଚସ୍ପତି ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏହି ବୈଠକ ଡକାଇଛନ୍ତି।

ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରି ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ।

ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ। ୧୪ ଓ ୧୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ।

ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୦ ତାରିଖ ରବିବାର ଓ ୩୧ ତାରିଖ ଇଦୁଲ୍‌ଫିତର୍‌ ପଡୁଥିବାରୁ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.