Breaking News

ଆ‌ସିବ ନୂଆ ‘ଡୁ ନଟ୍‌ ଡିଷ୍ଟର୍ବ’ ଆପ୍: ଅବାଞ୍ଛିତ କଲ୍‌, ମେସେଜ୍ ରୋକିବା ସହଜ ହେବ

କଲ୍‌ ଓ ମେସେଜ୍ ଜରିଆରେ ବ୍ୟାପକ ଠକେଇ ହେଉଥିବାରୁ ଚିନ୍ତିତ ହୋଇପଡ଼ିଥିବା ଲୋକମାନଙ୍କୁ ଆଶ୍ବସ୍ତ କରିବା ଲାଗି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଆଗେଇ ଆସିଛି।

ନୂଆଦିଲ୍ଲୀ: କଲ୍‌ ଓ ମେସେଜ୍ ଜରିଆରେ ବ୍ୟାପକ ଠକେଇ ହେଉଥିବାରୁ ଚିନ୍ତିତ ହୋଇପଡ଼ିଥିବା ଲୋକମାନଙ୍କୁ ଆଶ୍ବସ୍ତ କରିବା ଲାଗି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଆଗେଇ ଆସିଛି। ଏହା ଏକ ନୂଆ ‘ଡୁ ନଟ୍ ଡିଷ୍ଟର୍ବ’ ଆପ୍ ବିକାଶ କରୁଛି ଯାହା ଆସନ୍ତା ବର୍ଷ ସୁଦ୍ଧା ଉପଲବ୍ଧ ହେବ। ଏହି ଆପ୍ ଜରିଆରେ ଅବାଞ୍ଛିତ କଲ୍‌ ଓ ଏସ୍‌ଏମ୍ଏସ୍‌ଗୁଡ଼ିକୁ ସହଜରେ ଅଟକାଇ ହେବ। ନୂଆ ଆପ୍ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସୁବିଧା ଯୋଡ଼ିବାର ରହିଥିବା ସମ୍ଭାବନାଗୁଡ଼ିକୁ ଅନୁସନ୍ଧାନ କରିବା ଲାଗି ଟ୍ରାଇ ପକ୍ଷରୁ ସମସ୍ତ ଅଂଶୀଦାରମାନଙ୍କୁ କୁହାଯାଇଛି। ସେମାନେ ଆପ୍‌ର ମୂଲ୍ୟାଙ୍କନ କରିବାର ଦୁଇ ମାସ ମଧ୍ୟରେ ଯୋଜନା ଅନୁସାରେ ଆପ୍‌କୁ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ।

ଠକେଇ ଉଦ୍ଦେଶ୍ୟରେ ଆସୁଥିବା କଲ୍ ଓ ମେସେଜ୍‌ଗୁଡ଼ିକୁ ରୋକିବା ଲାଗି ଏଆଇ ବ୍ୟବସ୍ଥା ଲାଗୁ କରିବାକୁ ଟେଲିକମ୍ କମ୍ପାନିଗୁଡ଼ିକୁ କୁହାଯାଇଛି। ସେମାନେ ଏହି ବ୍ୟବସ୍ଥା ଆରମ୍ଭ କରିବା ପରଠାରୁ ୧୮ ଲକ୍ଷରୁ ଅଧିକ ମୋବାଇଲ୍‌ ନମ୍ବର ଓ ୮୦୦ରୁ ଅଧିକ ସଂସ୍ଥାକୁ ବ୍ଲକ୍ କରାଯାଇଛି। ନେଟ୍‌ୱର୍କ ସ୍ତରରେ ଏଆଇ ବ୍ୟବହାର କରି ଟେଲିକମ୍ କମ୍ପାନିଗୁଡ଼ିକ ଏଭଳି ଠକେଇ କଲ୍ ଓ ମେସେଜ୍‌କୁ ଅଟକାଉଛନ୍ତି। ଡୁ ନଟ୍ ଡିଷ୍ଟର୍ବ ଆପ୍ ଆସିବା ପରେ ତାହା ‌ଗ୍ରାହକମାନଙ୍କୁ ଆହୁରି ସଶକ୍ତ କରିବ। ସେମାନେ ଅନାବଶ୍ୟକ ବାଣିଜ୍ୟିକ କଲ୍ ଓ ଏସ୍ଏମ୍‌ଏସ୍‌ଗୁଡ଼ିକୁ ଅଟକାଇ ପାରିବେ। ୨୦୧୬ରେ ପ୍ରଥମ ଡୁ ଟନ୍ ଡିଷ୍ଟର୍ବ ଆପ୍ ଆରମ୍ଭ ହୋଇଥିଲା। କିନ୍ତୁ ଗ୍ରାହକମାନଙ୍କ ମଧ୍ୟରେ ତାହାର ଗ୍ରହଣୀୟତା ସୀମିତ ରହିଛି। ସେଥିରେ ଉନ୍ନତି ଆଣି ଓ ଅଧିକ ସୁବିଧା ଉପଲବ୍ଧ କରି ଆପ୍‌କୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାକୁ ଟ୍ରାଇ ଲକ୍ଷ୍ୟ ରଖିଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.