Breaking News

ଆସୁଛି ହୋଲି ରଙ୍ଗର ପସରା ମେଲି…

ବିଦାୟ ନେବାକୁ ବସିଛି ଫଗୁଣ। ଯିବା ପୂର୍ବରୁ ଅବିର ରଙ୍ଗରେ ରଙ୍ଗେଇ ଦେଇ ଯିବ ସଭିଙ୍କୁ। ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳ ପାଇଁ ସମସ୍ତେ ପ୍ରସ୍ତୁତ। ହିନ୍ଦୁ ପରମ୍ପରା ଅନୁସାରେ ସ୍ବୟଂ ଦୋଳଗୋବିନ୍ଦ ଅବିର ବୋଳି ହୋଇଛନ୍ତି।

ଭୁବନେଶ୍ୱର: ବିଦାୟ ନେବାକୁ ବସିଛି ଫଗୁଣ। ଯିବା ପୂର୍ବରୁ ଅବିର ରଙ୍ଗରେ ରଙ୍ଗେଇ ଦେଇ ଯିବ ସଭିଙ୍କୁ। ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳ ପାଇଁ ସମସ୍ତେ ପ୍ରସ୍ତୁତ। ହିନ୍ଦୁ ପରମ୍ପରା ଅନୁସାରେ ସ୍ବୟଂ ଦୋଳଗୋବିନ୍ଦ ଅବିର ବୋଳି ହୋଇଛନ୍ତି। ତେଣୁ ରଙ୍ଗର ପର୍ବ ହୋଲି ପର୍ବକୁ ମନଭରି ଉପଭୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି ରାଜଧାନୀବାସୀ। ହୋଲିକୁ ଦୃଷ୍ଟିରେ ରଖି ରାଜଧାନୀରେ ଜମିଲାଣି ରଙ୍ଗ ବଜାର। ବଜାରରେ ଏବେ ନାଲି, ନୀଳ, ସବୁଜ, ହଳଦିଆ, ବାଇଗଣୀ, କମଳା, ମହାବୀର ରଙ୍ଗର ଅବିର ଉପଲବ୍ଧ ହେଉଥିବା ବେଳେ ଏସବୁର ଦର ବୃଦ୍ଧି ପାଇଛି। କେଜି ପିଛା ୧୭୦ଟଙ୍କାରୁ ଆରମ୍ଭ ହୋଇ ଅଢ଼େଇ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାବ୍ୟତୀତ ଏବେ ବିଭିନ୍ନ ବ୍ରାଣ୍ଡ୍‌ରେ ପ୍ୟାକେଟ ଅବିର ବିକ୍ରି ହେଉଛି। କିଛି ବର୍ଷ ହେବ ପିଚକାରୀ  ରଙ୍ଗ ମଧ୍ୟ ଆକର୍ଷଣ ସାଜିଛି। ଆକାର ଅନୁସାରେ ଏଗୁଡ଼ିକର ଦାମ ୧୦୦ଟଙ୍କାରୁ ଆରମ୍ଭ ହୋଇ ୩ହଜାର ଟଙ୍କା ଯାଏ ରହିଛି। ସେହିଭଳି ଯୁବପିଢ଼ିଙ୍କ ସଉକକୁ ଦୃଷ୍ଟିରେ ରଖି ଏଥର ବି ଭଳିକି ଭଳି ମୁଖା ବଜାରକୁ ଆସିଛି। ଜୋକର, ଡେଭିଲ, ମାସ୍କୁରେଟ ଭଳି ବିଭିନ୍ନ କାର୍ଟୁନ ମୁଖା ମଧ୍ୟ ବିକ୍ରି ହେଉଛି। ଏଗୁଡ଼ିକର ମୂଲ୍ୟ ୩୦ଟଙ୍କାରୁ ଆରମ୍ଭ ହୋଇ ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ବ୍ୟତୀତ ଝୋଟରେ ପ୍ରସ୍ତୁତ ନକଲି ଚୁଟି ମଧ୍ୟ ଉପଲବ୍ଧ ହେଉଛି।

ଚାହିଦାରେ ସୁଗନ୍ଧ ଅବିର ଓ ହର୍ବାଲ ରଙ୍ଗ
ସୁଗନ୍ଧଯୁକ୍ତ ଅବିର ସହିତ ହର୍ବାଲ ରଙ୍ଗର ମଧ୍ୟ ଚାହିଦା ବଢ଼ିବାରେ ଲାଗିଛି। ନୂଆପଲ୍ଲୀର ବ୍ୟବସାୟୀ ରମେଶ କୁମାରଙ୍କ କହିବା ଅନୁଯାୟୀ ବିଭିନ୍ନ ଗଛର ଫୁଲ, ଚେର ଭଳି ବିଭିନ୍ନ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଥିବାରୁ ତଥା ଶରୀର ପାଇଁ କ୍ଷତିକାରକ ନଥିବାରୁ ବହୁ ଲୋକ ଏହାକୁ ପସନ୍ଦ କରୁଛନ୍ତି। ଏହାର ୮୦ ଗ୍ରାମର ପ୍ୟାକେଟ ୧୦୦ଟଙ୍କାରେ ମିଳୁଛି। ସେହିପରି ସୁଗନ୍ଧିତ ଅବିର ୧୦୦ ଗ୍ରାମକୁ ୪୦ ଟଙ୍କାରୁ ଆରମ୍ଭ ହେଉଛି। ରଙ୍ଗର ପର୍ବରେ ପିଲାମାନଙ୍କ ମନ ଜାଣି ଏଥର ବିଭିନ୍ନ କିସମର ପିଚକାରୀ ମଧ୍ୟ ବଜାରକୁ ଆସିଛି। ୨୦ଟଙ୍କାରୁ ଆରମ୍ଭ ହୋଇ ୩ଶହ ଟଙ୍କା ପର୍ଯ୍ୟନ୍ତ ପିଚକାରୀ ରହିଛି।

ଛୋଟ ପିଲାମାନେ ଆଖିର ଯତ୍ନ ନିଅନ୍ତୁ
ଛୋଟ ପିଲାମାନେ ବରିଷ୍ଠମାନଙ୍କ ତଦାରଖରେ ହୋଲି ଖେଳିବା ଆବଶ୍ୟକ। ସେହିପରି ଯଥାସମ୍ଭବ ରାସ‌ାୟନିକ ରଙ୍ଗର ବ୍ୟବହାର କମ କରିବା ଉଚିତ। ଖେଳ ବେଳେ ଆଖିରେ ରଙ୍ଗ ପଡ଼ିଗଲେ ପ୍ରଥମେ ଏହାକୁ ସ୍ୱଚ୍ଛ ପାଣିରେ ସଫା କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଡା. ବିଭୂତି ପାଢ଼ୀ, ଚକ୍ଷୁରୋଗ ବିଶେଷଜ୍ଞ, କ୍ୟାପିଟାଲ ହସ୍ପିଟାଲ
ହର୍ବାଲ ରଙ୍ଗ ଦ୍ୱାରା ଆଲର୍ଜି କମେ
ପ୍ରତ୍ୟେକ ରଙ୍ଗ ଶରୀରର ପାଇଁ କ୍ଷତିକାରକ ନୁହେଁ। ହର୍ବାଲ ରଙ୍ଗ ଦ୍ୱାରା ଚର୍ମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଆଲର୍ଜି ମଧ୍ୟ କମେ। କେବଳ ରାସାୟନିକ ରଙ୍ଗରେ ସୀସା, ମରକ୍ୟୁରି ଆଦି ଥିବାରୁ ଏହା ଚର୍ମ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଯଥା ସମ୍ଭବ ଅବିର ରଙ୍ଗ ଖେଳନ୍ତୁ। ସେହିପରି ରଙ୍ଗରେ ଯେତିକି କ୍ଷତି ନହୁଏ ତା ଠାରୁ ବେଶୀ ଶରୀରକୁ ରଗଡ଼ି ରଙ୍ଗ ଛଡ଼ାଇବା ଦ୍ୱାରା ହୁଏ। ତେଣୁ ତାହା କରିବା ଉଚିତ ନୁହେଁ।
ଡା. ମାନସ ରଞ୍ଜନ ପୁହାଣ, ଚର୍ମରୋଗ ବିଶେଷଜ୍ଞ 

ୟୁରୋ ସ୍ମାର୍ଟ ସ୍କୁଲରେ ଦୋଳ ଉତ୍ସବ
ପୁରୁଣା ଭୁବନେଶ୍ୱର: ରଥଦାଣ୍ଡସ୍ଥିତ ୟୁରୋ ସ୍ମାର୍ଟ ସ୍କୁଲ ପରିସରରେ ହୋଲି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାସାୟନିକ ରଙ୍ଗ ବ୍ୟବହାର ନକରିବା ପାଇଁ ଶିଶୁମାନଙ୍କ ଦ୍ବାରା ସଚେତନ କରାଯିବା ସହ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାକୁ ସ୍କୁଲ ଅଧ୍ୟକ୍ଷା ସସ୍ମିତା ମହାପାତ୍ର ପରିଚାଳନା କରିଥିଲେ। ସସ୍ମିତା ସାହୁ, ଗିରିଜା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପିଲାଙ୍କୁ ବାର୍ଷିକ ପୁରସ୍କାର ବିତରଣ କରାଯାଇଥିଲା।

ଆଜି ଲିଙ୍ଗରାଜଙ୍କ ଦୋଳ ଉତ୍ସବ
ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ହେବ ଭଜନ ସମାରୋହ

ପୁରୁଣା ଭୁବନେଶ୍ୱର: ଶୁକ୍ରବାର ଦୋଳ ପୂର୍ଣ୍ଣମୀ ତିଥିରେ ରଥଖଳାରେ ଦୋଳପର୍ବ ପାଳିତ ହେବ। ସେଠାରେ ମହାପ୍ରଭୁ ଦୋଳବେଦୀରେ ଝୁଲୁଥିବା ବେଳେ ଭକ୍ତମାନେ ଫଗୁ ଲାଗି କରିବେ। ସେଠାରେ ଠାକୁର ଭୋଗ ଖାଇବେ। ଏହି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହେବ। ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କ ସଂଯୋଜନାରେ ଶରତ ନାୟକ, ପଦ୍ମଜା ସ୍ୱାଇଁ, ରଶ୍ମିତା ଦାଶ, ଶୁଭ୍ରଜ୍ୟୋତି, ଉପେନ୍ଦ୍ର ପ୍ରଧାନଙ୍କ ସମେତ ବହୁତ ବିଶିଷ୍ଟ କଳାକାର ଯୋଗଦେବେ। ଏନେଇ ପ୍ରକାଶନୀ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସମ୍ପାଦକ ସନତ ମିଶ୍ରଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

କଲୋନି ବୁଲି ଭୋଗ ଖାଇଲେ ଭୀମେଶ୍ୱର
ପୁରୁଣା ଭୁବନେଶ୍ୱର: ଭୀମଟାଙ୍ଗିସ୍ଥିତ ଭୀମେଶ୍ୱର ମନ୍ଦିର ପ୍ରଙ୍ଗଣରେ ଭୋଗ ଖାଇବା ପରେ ରାଧାକୃଷ୍ଣ ଓ ଦୋଳଗୋବିନ୍ଦ ବିଭିନ୍ନ କଲୋନି ବୁଲି ଭକ୍ତମାନଙ୍କ ଭୋଗ ଖାଇଥିଲେ। ଦେବଦେବୀ ସୁସଜ୍ଜିତ ପାଲିଙ୍କିରେ ଏକାଦଶୀ ତିଥିରେ ଉପର ଫେଜ୍‍କୁ, ଦ୍ୱାଦଶୀ ଓ ତ୍ରୟୋଦଶୀ ତିଥିରେ ତଳଫେଜକୁ ଯାତ୍ରା କରିଥିଲେ। ଭୀମେଶ୍ୱର ମନ୍ଦିର ପରିଚାଳନା ସମିତି ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, ସୂର୍ଯ୍ୟନାରାୟଣ ମିଶ୍ର, କର୍ପୋରେଟର ଶିବ ନାରାୟଣ ରାୟ ଓ ସଭ୍ୟମାନେ ଏହାକୁ ପରିଚାଳନା କରିଥିଲେ। ଶୁକ୍ରବାର ଦୋଳ ପୂର୍ଣ୍ଣମୀ ତିଥିରେ ଭୀମେଶ୍ୱର ମନ୍ଦିରରେ ଦେବଦେବୀ ସର୍ବସାଧାରଣ ଭକ୍ତଙ୍କ ଭୋଗ ଖାଇବା ସହ ଫଗୁ ଲାଗି ହେବ ଓ ପାଞ୍ଜି ପଠନ କରାଯିବ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.