Breaking News

ଆ‌େମ ଭଲ ବ୍ୟାଟିଂ କଲୁନି: ରୋହିତ

ଆଡିଲେଡ୍‌ର ଦିବା-ରାତ୍ର ଟେଷ୍ଟ୍‌କୁ ଲଜ୍ଜାଜନକ ଭାବେ ହାରିବାର କାରଣ ଅତ୍ୟନ୍ତ ଖରାପ ବ୍ୟାଟିଂ ବୋଲି ଅଧିନାୟକ ରୋହିତ ଶର୍ମା ସ୍ବୀକାର କରିଛନ୍ତି। ସେ ମତ ରଖିଛନ୍ତି, ଆପଣ ଯେତେବେଳେ ଅଷ୍ଟ୍ରେଲିଆ ଆସନ୍ତି, ମ୍ୟାଚ୍ ଜିତିବା ଲାଗି ଆପଣଙ୍କୁ ସ୍କୋର୍ ବୋର୍ଡରେ ପର୍ଯ୍ୟାପ୍ତ ରନ୍ କରିବାକୁ ପଡ଼ିଥାଏ।

ଆଡିଲେଡ୍: ଆଡିଲେଡ୍‌ର ଦିବା-ରାତ୍ର ଟେଷ୍ଟ୍‌କୁ ଲଜ୍ଜାଜନକ ଭାବେ ହାରିବାର କାରଣ ଅତ୍ୟନ୍ତ ଖରାପ ବ୍ୟାଟିଂ ବୋଲି ଅଧିନାୟକ ରୋହିତ ଶର୍ମା ସ୍ବୀକାର କରିଛନ୍ତି। ସେ ମତ ରଖିଛନ୍ତି, ଆପଣ ଯେତେବେଳେ ଅଷ୍ଟ୍ରେଲିଆ ଆସନ୍ତି, ମ୍ୟାଚ୍ ଜିତିବା ଲାଗି ଆପଣଙ୍କୁ ସ୍କୋର୍ ବୋର୍ଡରେ ପର୍ଯ୍ୟାପ୍ତ ରନ୍ କରିବାକୁ ପଡ଼ିଥାଏ। ପ୍ରଥମ ପାଳିରେ ଆମେ ୩୦ରୁ ୪୦ ରନ୍ ପଛରେ ରହିଲୁ। ଅଷ୍ଟ୍ରେଲିଆ ବ୍ୟାଟର୍ ଆମକୁ କେତେକ ଭଲ ସୁଯୋଗ (ଟ୍ରାଭିସ୍ ହେଡ୍‌ ୭୮ ରନ୍‌ରେ ଥିଲା ବେଳେ ତାଙ୍କ କ୍ୟାଚ୍ ହାତଛଡ଼ା ହୋଇଥିଲା) ଦେଇଥିଲେ। ହେଲେ ସେଥିରୁ ଆମେ ଫାଇଦା ଉଠାଇ ପାରିଲୁନି। କଠିନ ପରିସ୍ଥିତି ଥିଲା, ତଥାପି ଆମେ ଆହୁରି ଉନ୍ନତ ବ୍ୟାଟିଂ କରିପାରିଥା’ନ୍ତୁ ବୋଲି ଭାବୁଛି। ରୋହିତ ମଧ୍ୟ ଭାରତୀୟ ବୋଲରଙ୍କୁ ଚେତାବନୀ ଦେଇ ବୁମ୍‌ରା ସବୁ ୱିକେଟ୍ ନେଇ ପାରିବେନି ବୋଲି କ୍ଷୋଭର ସହ କହିଥିଲେ। ଗତ ୬ ଟେଷ୍ଟ୍‌ରେ ରୋହିତ ବ୍ୟକ୍ତିଗତ ଭା‌ବେ ମାତ୍ର ୧୧.୮୩ ହାରରେ ରନ୍ କରିଥିଲେ ମଧ୍ୟ ଏହାକୁ ନେଇ କିଛି କହି ନଥିଲେ‌ ସେ। ସେହିଭଳି ବରିଷ୍ଠ ବୋଲର ମହମ୍ମଦ ସାମିଙ୍କ ପାଇଁ ଦ୍ବାର ଖୋଲା ରହିଛି ବୋଲି ସୂଚନା ଦେଇଥିଲେ।

ଲଗାତାର ପରାଜୟର ଅଲୋଡ଼ା ରେକର୍ଡ
ଲଗାତାର ଟେଷ୍ଟ୍ ହାରିବାରେ ରୋହିତ ନିଜ ପୁରୁଣା ସାଥୀ ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲିଙ୍କ ସହ ଯୋଗଦେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାର ତିନିଟି ଟେଷ୍ଟ୍‌ ସହ ଆଡିଲେଡ୍ ଟେଷ୍ଟ୍‌କୁ ମିଶାଇ ରୋହିତଙ୍କ ନେତୃତ୍ବ‌ରେ ଭାରତୀୟ କ୍ରିକେଟ୍ ଦଳ ଲଗାତାର ଚାରିଟି ଟେଷ୍ଟ୍ ହାରିଛି। ମଝିରେ ପର୍ଥରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୨୯୫ ରନ୍‌ରେ ହରାଇଥିଲେ ମଧ୍ୟ ଏହି ମ୍ୟାଚ୍ ଯଶପ୍ରୀତ୍ ବୁମ୍‌ରାଙ୍କ ନେତୃତ୍ବରେ ଜିତିଥିଲା। ପୂର୍ବରୁ ଭାରତ ୨୦୧୧ ଓ ୨୦୧୪ରେ ଧୋନିଙ୍କ ନେତୃତ୍ବରେ ଲଗାତାର ଚାରିଟି ଲେଖାଏଁ ଟେଷ୍ଟ୍ ହାରିଥିଲା। ସେହିଭଳି ୨୦୨୦-୨୧ରେ ବିରାଟ କୋହଲିଙ୍କ ନେତୃତ୍ବରେ ଚାରିଟି, ୧୯୯୯-୨୦୦୦ରେ ମାଷ୍ଟର ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ବରେ ପାଞ୍ଚଟି, ୧୯୬୭-୬୮ରେ ମନସୁର ଅଲ୍ଲୀ ଖାନ୍ ପଟୌଦିଙ୍କ ନେତୃତ୍ବରେ ୬ଟି ଏବଂ ୧୯୫୯ରେ ଦତ୍ତ ଗାଏକ୍ବାଡ୍‌ଙ୍କ ଅଧିନାୟକତ୍ବରେ ଲଗାତାର ଚାରିଟି ଟେଷ୍ଟ୍ ହାରିଥିଲା।

ସବୁଠୁ ଛୋଟିଆ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ୍ ଭିତରୁ ଆଡିଲେଡ୍ ଟେଷ୍ଟ୍ ବଲ୍ ସଂଖ୍ୟାରେ ସବୁଠୁ ଛୋଟିଆ ଥିଲା। ପୂରା ଟେଷ୍ଟ୍ ମାତ୍ର ୧୦୩୧ ବଲ୍‌ରେ ଶେଷ ହୋଇଯାଇଥିଲା। ପୂର୍ବରୁ ୨୦୨୩ ମସିହାର ଭାରତ-ଅଷ୍ଟ୍ରେଲିଆ ଇନ୍ଦୋର ଟେଷ୍ଟ୍ ସବୁଠୁ କମ୍ ୧୧୩୫ ବଲ୍‌ରେ ସମାପ୍ତ ହୋଇଥିଲା। ବିଶ୍ବର ସବୁଠୁ ଛୋଟିଆ ଦିବା-ରାତ୍ର ଟେଷ୍ଟ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୨୦୨୧ରେ ଅହମଦାବାଦରେ ଖେଳାଯାଇଥିବା ଏହି ମ୍ୟାଚ୍ ମାତ୍ର ୮୪୨ଟି ବଲ୍‌ରେ ଶେଷ ହୋଇଯାଇଥିଲା। ୨୦୧୯ରେ ଇଡେନ୍ସ ଗାର୍ଡେନ୍ସରେ ଖେଳାଯାଇଥିବା ଭାରତ-ବାଂଲାଦେଶ ଦିବା-ରାତ୍ର ଟେଷ୍ଟ୍ ୯୬୮ ବଲ୍ ସହ ଏହି କ୍ରମରେ ତୃତୀୟ ସ୍ଥାନରେ ରହିଛି।

ତୃତୀୟକୁ ଖସିଲା ଭାରତ
ଆଡିଲେଡ୍ ଟେଷ୍ଟ୍‌କୁ ୧୦ ୱିକେଟ୍‌ରେ ହାରିବା ପରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ ପଏଣ୍ଟ୍‌ ତାଲିକାରେ ଭାରତ ତୃତୀୟ ସ୍ଥାନକୁ ଖସି ଯାଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନକୁ ଉଠିଛି। ତାଲିକାରେ ଅଷ୍ଟ୍ରେଲିଆ ୬୦.୭୧, ଦକ୍ଷିଣ ଆଫ୍ରିକା ୫୯.୨୬, ଭାରତ ୫୭.୨୯, ଶ୍ରୀଲଙ୍କା ୫୦, ଇଂଲଣ୍ଡ ୪୫.୨୪, ନ୍ୟୁଜିଲାଣ୍ଡ ୪୪.୨୩, ପାକିସ୍ତାନ ୩୩.୩୩, ବାଂଲାଦେଶ ୩୧.୨୫ ଏବଂ ୱେଷ୍ଟଇଣ୍ଡିଜ୍ ୨୪.୨୪ ପର୍ସେଣ୍ଟ ପଏଣ୍ଟ୍‌ରେ ରହିଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.