Breaking News

ଇଗ୍ନୋର ସମାବର୍ତ୍ତନ ଉତ୍ସବ: ‘ଇଗ୍ନୋ ବହୁ ପରିବାରର ସ୍ବପ୍ନ ସାକାର କରିଛି’

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ୩୮ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ବିଶ୍ବବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଅତିଥି ଭାବରେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ।

ଭୁବନେଶ୍ବର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ୩୮ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ବିଶ୍ବବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଅତିଥି ଭାବରେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ‌ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି, ଇଗ୍ନୋ ହେଉଛି ଏକ ଅଦ୍ବିତୀୟ ବିଶ୍ବବିଦ୍ୟାଳୟ। ଭାରତ ବର୍ଷର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ବିଦ୍ୟାର୍ଥୀଙ୍କୁ ଗୁଣବତ୍ତା ସମ୍ପନ୍ନ ଉଚ୍ଚଶିକ୍ଷା ସ୍ବଳ୍ପ ବ୍ୟୟରେ ପ୍ରଦାନ କରୁଛି। ସମାବର୍ତ୍ତନ ଉତ୍ସବରେ ଆଜି ଯେଉଁ ଛାତ୍ରଛାତ୍ରୀ ଡିଗ୍ରି, ଡିପ୍ଲୋମା ପ୍ରାପ୍ତ କରିଛନ୍ତି, ସେ କେବଳ କାଗଜର ଦସ୍ତାବିଜ ନୁହେଁ, ବରଂ ତାହା ତାଙ୍କର ଓ ତାଙ୍କ ପରିବାରର ସ୍ୱପ୍ନକୁ ସାକାର କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଇଗ୍ନୋର କୁଳପତି ପ୍ରଫେସର ଉମା କାଞ୍ଜିଲାଲ କୃତୀ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଜଣାଇବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍‌କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଭୁବନେଶ୍ବର ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ସୁରେଶ କୁମାର ତ୍ରିପାଠୀ ଯୋଗଦେଇ କହିଛନ୍ତି, ଏହି କେନ୍ଦ୍ର ଉଲ୍ଲେଖନୀୟ ବିଦ୍ୟାର୍ଥୀ ସେବା ପ୍ରଦାନ କରି ଚାରି ଥର ବିଶ୍ବବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ଓ ଥରେ ସର୍ବୋଚ୍ଚ ସେବା ଉପାଧିରେ ସମ୍ମାନିତ ହୋଇଛି। ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିବା ସହିତ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ଏହି ଅବସରରେ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରର ୬୧୯୬ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ଡିପ୍ଲୋମା ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରର ୩ ଜଣ ଛାତ୍ରଛାତ୍ରୀ ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶିକ୍ଷା ସ୍ନାତକୋତ୍ତରରେ ସିପ୍ରା ସୋନାଲି ଦାସ, ଇତିହାସ ସ୍ନାତକୋତ୍ତରରେ ସୌରଭ କୁମାର ଘଣା ଓ ଅର୍ଥଶାସ୍ତ୍ର ପାଠ୍ୟକ୍ରମରେ ଗୌରବ କୁମାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଉପନିର୍ଦ୍ଦେଶକ ଡ. ବିମଳ ଚନ୍ଦ୍ର ନନ୍ଦ ମଞ୍ଚ ପରିଚାଳନା କରିଥିଲା ବେ‌ଳେ ସହାୟକ ନିର୍ଦ୍ଦେଶକ ପ୍ରଭାତ କୁମାର ଜେନା ଧନ୍ୟବାଦ ଦେଇଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.