Breaking News

ଇଡେନ୍ ଗାର୍ଡେନ୍ସରେ ପ୍ରଥମ ଲଢ଼େଇ: ବୁଧବାରଠୁ ଭାରତ-ଇଂଲଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା

ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିରେ ଟେଷ୍ଟ୍‌ କ୍ରିକେଟ୍‌ର ଅପୂର୍ବ ରୋମାଞ୍ଚ ପରେ ଭାରତୀୟ କ୍ରିକେଟ୍‌ପ୍ରେମୀ ଟିମ୍ ଇଣ୍ଡିଆକୁ ଟ୍ବେଣ୍ଟି-୨୦ରେ ଲଢ଼ୁଥିବାର ଦେଖିବାକୁ ପାଇବେ।

କୋଲକାତା: ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିରେ ଟେଷ୍ଟ୍‌ କ୍ରିକେଟ୍‌ର ଅପୂର୍ବ ରୋମାଞ୍ଚ ପରେ ଭାରତୀୟ କ୍ରିକେଟ୍‌ପ୍ରେମୀ ଟିମ୍ ଇଣ୍ଡିଆକୁ ଟ୍ବେଣ୍ଟି-୨୦ରେ ଲଢ଼ୁଥିବାର ଦେଖିବାକୁ ପାଇବେ। ନୂଆ ଅଧିନାୟକ, ଯୁବ ଖେଳାଳି ସମୃଦ୍ଧ ଦଳ ଏବଂ ନୂଆ ଉତ୍ସାହ ନେଇ ଭାରତୀୟ ଦଳ ଆସନ୍ତା ୨୨ ତାରିଖରୁ ଘରୋଇ ପରିବେଶରେ ଇଂଲଣ୍ଡ ସହ ଫଟାଫଟ୍ କ୍ରିକେଟ୍‌ର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ମୁହାଁମୁହିଁ ହେବ। ପ୍ରଥମ ଲଢ଼େଇ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। ସେଥିପାଇଁ କୋଲକାତା ବେଶ୍ ଚଳଚଞ୍ଚଳ। ଇଡେନ୍‌ ଗାର୍ଡେନ୍ସର ଭିତର ଓ ବାହାର ପରିବେଶ ମଧ୍ୟ ବେଶ୍ ମନ୍ତ୍ରମୁଗ୍ଧକର। ଏହି ପ୍ରତୀକ୍ଷିତ ମ୍ୟାଚ୍ ଲାଗି ଶନିବାର ସଂଧ୍ୟାରେ ଉଭୟ ଦଳର ଖେଳାଳି ଏଠାରେ ପହଞ୍ଚି ସାରିଛନ୍ତି। ଯାହା ଫଳରେ ପୂରା ‌କୋଲକାତା ସହର ଯେମିତି ଇଡେନ୍ ମୁହାଁ ହୋଇଛି ଏବଂ କ୍ରିକେଟ୍ ଜ୍ବର ପ୍ରତିଟି ସ୍ଥାନୀୟ କ୍ରିକେଟ୍‌ପ୍ରେମୀଙ୍କୁ ଘାରିଛି। ଏହି ଶୃଙ୍ଖଳା ପାକିସ୍ତାନ ଓ ୟୁଏଇରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଖେଳାଯାଉଥିବାରୁ ଉଭୟ ଦଳ ମଧ୍ୟ ଏହାକୁ ବେଶ୍ ଗୁରୁତ୍ବ ଦେଉଛନ୍ତି।

ରବିବାର ସକାଳେ ବିଶ୍ରାମ ନେବା ପରେ ଇଂଲଣ୍ଡ ଖେଳାଳିମାନେ ଅପରାହ୍ଣରେ ଇଡେନ୍ ଗାର୍ଡେନ୍ସ ଆସି ହାଲ୍‌କା ଫୁଲ୍‌କା ଅଭ୍ୟାସ କରିଥିଲେ। ସଂଧ୍ୟାରେ ଭାରତୀୟ ଖେଳାଳି ମଧ୍ୟ ଅଭ୍ୟାସ ଆରମ୍ଭ କରିଥ‌ିଲେ। ତେବେ ଉଭୟ ଦଳ ତିନିଟି ଲେଖାଏଁ ଅଭ୍ୟାସ ଅଧିବେଶନରେ ଯୋଗଦେବେ  ବୋଲି ବେଙ୍ଗଲ କ୍ରିକେଟ୍ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ମଧ୍ୟ ଉଭୟ ଦଳ ଦୁଇଟି ପର୍ଯ୍ୟାୟରେ ଅଭ୍ୟାସ କରିଥିବା ସୂଚନା ମିଳିଛି।  କୋଲକାତାରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳିବା ପରେ ସେଠାରୁ ୨୩ ତାରିଖ ସକାଳେ ଦୁଇଟି ଯାକ ଦଳର ଖେଳାଳିମାନେ ଚେନ୍ନାଇ ଅଭିମୁଖେ ଯାତ୍ରା କରିବେ। ସେଠାରେ ୨୫ ତାରିଖରେ ଦ୍ବିତୀୟ ଟ୍ବେଣ୍ଟି-୨୦ ଖେଳାଯିବ। ଏହା ପରେ ୨୮ରେ ରାଜକୋଟ ଏବଂ ୩୧ରେ ପୁଣେରେ ପରବର୍ତ୍ତୀ ଦୁଇ ମ୍ୟାଚ୍ ଖେଳିବେ। ଶେଷରେ ମୁମ୍ବାଇରେ ‌ଫେବ୍ରୁଆରି ୨ରେ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳି ଶୃଙ୍ଖଳା ‌‌ଶେଷ କରିବେ। ଟ୍ବେଣ୍ଟି-୨୦ ପରେ ଭାରତୀୟ ଦଳ ରୋହିତ ଶର୍ମାଙ୍କ ନେତୃତ୍ବରେ ନାଗପୁର, କଟକ ଓ ଅହମଦାବାଦରେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଇଂଲଣ୍ଡ ବିପକ୍ଷ ଏହି ଘରୋଇ ଶୃଙ୍ଖଳା ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତର ଶେଷ ସୀମିତ ଓଭର ଶୃଙ୍ଖଳା ହେବ।

୩୫ ମାସ ପରେ ଇଡେନ୍‌ରେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦
ଆଗାମୀ ଭାରତ-ଇଂଲଣ୍ଡ ଟ୍ବେଣ୍ଟି-୨୦ ମ୍ୟାଚ୍‌‌ ଇଡେନ୍ ଗାର୍ଡେନ୍ସରେ ନଭେମ୍ବର ୧୬, ୨୦୨୩ର ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ବିଶ୍ବକପ୍ ମୁକାବିଲା  ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ପୁଣି ଫେବ୍ରୁଆରି ୨୦, ୨୦୨୨ର ଭାରତ-ୱେଷ୍ଟଇଣ୍ଡିଜ୍ ଲଢ଼େଇ ପରେ ପ୍ରଥମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ହେବ। ୩୫ମାସ ପରେ ସହରରେ କୌଣସି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଉଥିବାରୁ ସହରବାସୀ ଏହାକୁ ନେଇ ବେଶ୍ ଉତ୍ସାହିତ ଓ ଉଲ୍ଲସିତ ଥିବା ବେଙ୍ଗଲ କ୍ରିକେଟ୍ ସଂଘ (ସିଏବି)ର ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି ମତ ରଖିଛନ୍ତି। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି, ଶୀତୁଆ ପାଗ ହୋଇଥିବାରୁ ଏବଂ ପାର୍ବଣ ଋତୁ ଏବେ ଏବେ ଶେଷ ହୋଇଥିବାରୁ କ୍ରିକେଟ୍‌କୁ ମନଭରି ଉପଭୋଗ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ। ଟିକେଟ୍ ବିକ୍ରିକୁ ପ୍ରବଳ ଜନସମର୍ଥନ ମିଳୁଛି। ମ୍ୟାଚ୍ ଦିନ ଷ୍ଟାଡିୟମ୍‌ ପୂରା ଭରିଯିବ  ବୋଲି ଆମେ ଆଶା ରଖିଛୁ। ଏହି ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିବା ଲାଗି ଜାତୀୟ ୧୫ବର୍ଷରୁ କମ୍ ମହିଳା ପ୍ରତିଯୋଗିତାର ବିଜେତା ଏବଂ ଜାତୀୟ ବରିଷ୍ଠ ମହିଳା କ୍ରିକେଟ୍ ପ୍ରତିଯୋଗିତାର ଉପବିଜେତା ବେଙ୍ଗଲ ଦଳକୁ ସମ୍ବର୍ଦ୍ଧିତ କରିବାକୁ ସିଏବି ଯୋଜନା କରିଛି। ଏହି ଉତ୍ସବରେ ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜ୍ ଏବଂ ସୌରଭ ଗାଙ୍ଗୁଲି ଓ ଝୁଲଣ ଗୋସ୍ବାମୀ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବ ସୋମବାର ସଂଧ୍ୟାରେ ଆୟୋଜିତ ହେବ।

ପରିସଂଖ୍ୟାନରେ ଆଗୁଆ
‌ଟ୍ବେଣ୍ଟି-୨୦ ପରିସଂଖ୍ୟାନରେ ଇଂଲଣ୍ଡଠାରୁ ଭାରତ ସାମାନ୍ୟ ଆଗରେ ରହିଛି। ଭାରତ ଓ ଇଂଲଣ୍ଡ ଆଜି ପର୍ଯ୍ୟନ୍ତ ୨୪ଟି ଟ୍ବେଣ୍ଟି-୨୦ରେ ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୧୩ଟି ଜିତିଥିଲା ବେଳେ ଇଂଲଣ୍ଡ ୧୧ଟିରେ ବିଜୟୀ ‌ହୋଇଛି। ପୁଣି ଘରୋଇ ପରିବେଶରେ ଭାରତ ୬, ବିଦେଶରେ ୪ ଏବଂ ନିରପେକ୍ଷ ସ୍ଥାନରେ ୩ଟି ମ୍ୟାଚ୍ ଜିତିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଘରୋଇ ପରିବେଶରେ ୫, ବିଦେଶରେ ୫ ଏବଂ ନିରପେକ୍ଷ ସ୍ଥାନରେ ଖେଳିଥିବା ଗୋଟିଏ ମ୍ୟାଚ୍‌ରେ ବିଜୟର ମିଠାମିଠା ସ୍ବାଦ ଚାଖିଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଗତ ୫ଟି ମ୍ୟାଚ୍‌ରୁ ଭାରତ ତିନିଟି ଜିତିଥିଲା ବେଳେ ଇଂଲଣ୍ଡ ଦୁଇଟିରେ ବିଜୟୀ ‌ହୋଇଛି। ଉଭୟ ଦଳ ମଧ୍ୟରେ ଶେଷ ମ୍ୟାଚ୍ ପ୍ରୋଭିଡେନ୍ସଠାରେ ଗତବର୍ଷ ଜୁନ୍ ୨୭ ତାରିଖରେ ଖେଳାଯାଇଥିଲା। ଏହାକୁ ଭାରତ ଅତି ସହଜରେ ୬୮ ରନ୍‌ରେ ଜିତି ନେଇଥିଲା। ପରେ ଯାଇ ବିଶ୍ବବିଜେତା ମଧ୍ୟ ହୋଇଥିଲା। ଆଗାମୀ ଶୃଙ୍ଖଳାରେ ଭାରତ ଏହି ସଫଳତା ଦୋହରାଇବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.