Breaking News

ଇପିଏଫ୍ଓରୁ ୫ ଲକ୍ଷ ଉଠାଇ ହେବ: ସ୍ବୟଂକ୍ରିୟ ଉଠାଣ ସୀମା ୫ ଗୁଣା ବୃଦ୍ଧି

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ଏହାର ସଦସ୍ୟମାନଙ୍କ ଲାଗି ଉଠାଣ ସୀମାରେ ୫ ଗୁଣା ବୃଦ୍ଧି କରାଯାଇଛି। ସ୍ବୟଂକ୍ରିୟ ଉଠାଣ ସୀମାକୁ ବର୍ତ୍ତମାନର ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଛି।

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ଏହାର ସଦସ୍ୟମାନଙ୍କ ଲାଗି ଉଠାଣ ସୀମାରେ ୫ ଗୁଣା ବୃଦ୍ଧି କରାଯାଇଛି। ସ୍ବୟଂକ୍ରିୟ ଉଠାଣ ସୀମାକୁ ବର୍ତ୍ତମାନର ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଛି। ଏହି ପ୍ରସ୍ତାବକୁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ସଚିବ ସୁମିତା ଦୱାରା ଅନୁମୋଦନ ଦେଇଥିବା ସୂଚନା ମିଳିଛି। ଗତ ସପ୍ତାହରେ ଶ୍ରୀନଗରରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ତାହା ମଞ୍ଜୁର ହୋଇଥିଲା। ଇପିଏଫ୍ଓର ସ୍ବୟଂକ୍ରିୟ ଉନ୍ନତ ଦାବି ସମାଧାନ ବ୍ୟବସ୍ଥା ଅଧୀନରେ ଉଠାଣ ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏହା ଦ୍ବାରା ଅନୁଷ୍ଠାନର ୭.୫ କୋଟିରୁ ଅଧିକ ସଦସ୍ୟ ଉପକୃତ ହେବେ। ଜରୁରୀକାଳୀନ ମେଡିକାଲ୍ ଖର୍ଚ୍ଚ ବହନ କରିବା ଲାଗି ୨୦୨୦ ଏପ୍ରିଲ୍‌ରେ ସ୍ବୟଂକ୍ରିୟ ଉଠାଣ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ସେଥିରେ ଶିକ୍ଷା, ବିବାହ ଓ ଘର ତିଆରି ଖର୍ଚ୍ଚକୁ ଯୋଡ଼ାଯାଇଥିଲା। ୨୦୨୪ ମେ’ରେ ଇପିଏଫ୍‌ଓ ପକ୍ଷରୁ  ଉଠାଣ ସୀମାକୁ ୫୦ ହଜାର ଟଙ୍କାରୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇଥିଲା। ଏବେ ସେହି ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସଦସ୍ୟମାନେ ସ୍ବୟଂକ୍ରିୟ ଉଠାଣ ବ୍ୟବସ୍ଥା ବ୍ୟବହାର କରି ତିନି ଦିନ ଭିତରେ ଟଙ୍କା ପାଇପାରିବେ। ଏହା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ପରିଚାଳିତ ହେଉଥିବା ଏକ ଦାବି ସମାଧାନ ବ୍ୟବସ୍ଥା, ଯେଉଁଥିରେ ମାନବ ହସ୍ତକ୍ଷେପ ରହୁନାହିଁ।

ସ୍ବୟଂକ୍ରିୟ ଉଠାଣ ସୀମା ୫ ଗୁଣା ବୃଦ୍ଧି
ଜୁନ୍ ସୁଦ୍ଧା ୟୁପିଆଇ ସେବା

ଚଳିତ ଆର୍ଥିକ ବର୍ଷରେ ମାର୍ଚ୍ଚ ୬ ସୁଦ୍ଧା ୨.୧୬ କୋଟି ସ୍ବୟଂକ୍ରିୟ ଦାବି ସମାଧାନ କରି ଇପିଏଫ୍ଓ ରେକର୍ଡ କରିଛି। ୨୦୨୩-୨୪ ଆର୍ଥିକ ବର୍ଷ ସାରାରେ ସ୍ବୟଂକ୍ରିୟ ଦାବି ସଂଖ୍ୟା ୮୯.୫୨ ଲକ୍ଷ ଥିଲା। ଦାବି ପ୍ରତ୍ୟାଖ୍ୟାନ ହାର ମଧ୍ୟ ଇତି ମଧ୍ୟରେ ୫୦ ପ୍ରତିଶତରୁ ହ୍ରାସ ପାଇ ୩୦ ପ୍ରତିଶତ ହୋଇଛି। ଦାବି ସମାଧାନ ପ୍ରକ୍ରିୟାର ସରଳୀକରଣ କରିବା ଲାଗି ପିଏଫ୍‌ ଉଠାଣ ପାଇଁ ଆବଶ୍ୟକ ହେଉଥିବା ପ୍ରମାଣନ ସଂଖ୍ୟାକୁ ୨୭ରୁ ହ୍ରାସ କରି ୧୮ କରାଯାଇଛି ଏବଂ ଆଗାମୀ ଦିନରେ ତାହା ୬କୁ ହ୍ରାସ ପାଇବ।

ଖୁବ୍‌ଶୀଘ୍ର ଇପିଏଫ୍‌ଓ ଏହାର ବ୍ୟବସ୍ଥା ସହ ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟରଫେସ୍ (ୟୁପିଆଇ)ର ସମନ୍ବୟ କରିବ। ଫଳରେ ସଦସ୍ୟମାନେ ଫୋନ୍‌ପେ, ଗୁଗୁଲ୍‌ପେ ଓ ପେଟିଏମ୍ ଭଳି ୟୁପିଆଇ ଆପ୍‌ ଜରିଆରେ ସେମାନଙ୍କ ପିଏଫ୍‌ ପାଣ୍ଠି ପାଇପାରିବେ। ଏହି ପ୍ରସ୍ତାବକୁ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ମଞ୍ଜୁର କରିଛନ୍ତି। ଚଳିତ ବର୍ଷ ମେ’ କିମ୍ବା ଜୁନ୍ ସୁଦ୍ଧା ତାହା ସଦସ୍ୟମାନଙ୍କ ଲାଗି ଉପଲବ୍ଧ ହେବ। ୟୁପିଆଇ ସେବା ଆସିବା ପରେ ଦାବି ସମାଧାନ ଲାଗି ବର୍ତ୍ତମାନ ଲାଗୁ ଥିବା ୨-୩ ଦିନର ସମୟ କିଛି ମିନିଟ୍‌କୁ ହ୍ରାସ ପାଇବ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

 

Comments are closed.