Breaking News

ଇପିଏଫ୍ ପେନ୍‌ସନ୍‌ ଭୋଗୀଙ୍କ ପ୍ରତି ଅବହେଳା ବିରୋଧରେ ବିକ୍ଷୋଭ

ଇପିଏଫ୍ ପେନ୍‌ସନ୍‌ ଭୋଗୀଙ୍କ ପ୍ରତି କେନ୍ଦ୍ର ସରକାର ଓ ଇପିଏଫ୍ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବା ଓଡ଼ିଶା ଇପିଏଫ୍‌ ପେନସନର୍ସ ସଂଘ ଅଭିଯୋଗ ‌କରିଛି। ଯେଉଁଥି ପାଇଁ ସଂଘ ପକ୍ଷରୁ ଆଜି ଭୁବନେଶ୍ବରସ୍ଥିତ ଭବିଷ୍ୟନିଧି ସଂଗଠନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଭୁବନେଶ୍ବର: ଇପିଏଫ୍ ପେନ୍‌ସନ୍‌ ଭୋଗୀଙ୍କ ପ୍ରତି କେନ୍ଦ୍ର ସରକାର ଓ ଇପିଏଫ୍ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବା ଓଡ଼ିଶା ଇପିଏଫ୍‌ ପେନସନର୍ସ ସଂଘ ଅଭିଯୋଗ ‌କରିଛି। ଯେଉଁଥି ପାଇଁ ସଂଘ ପକ୍ଷରୁ ଆଜି ଭୁବନେଶ୍ବରସ୍ଥିତ ଭବିଷ୍ୟନିଧି ସଂଗଠନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ୪ ଦଫା ସମ୍ବଳିତ ଏକ ଦାବିପତ୍ରକୁ ପ୍ରଧାନମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ‌ଉଦ୍ଦେଶ୍ୟରେ ଭବି‌ଷ୍ୟନିଧି ସଂଗଠନର ଅତିରିକ୍ତ କେନ୍ଦ୍ରୀୟ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଛି।

ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଜଣେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀ ଜାନୁଆରି ୨୦୧୬ ମସିହାରୁ ମାସିକ ପେନ୍‌ସନ୍‌ ୯ ହଜାର ଟଙ୍କା ସହ ମହଙ୍ଗାଭତ୍ତା ପାଉଥିବା ବେଳେ କେନ୍ଦ୍ର ସରକାର ଇପିଏଫ୍ ପେନ୍‌ସନ୍‌ଭୋଗୀଙ୍କ କ୍ଷେତ୍ରରେ ସେପ୍ଟେମ୍ବର ୨୦୧୪ ମସିହାରୁ ବିନା ମହଙ୍ଗାଭତ୍ତାରେ ମାସିକ ସର୍ବନିମ୍ନ ୧ହଜାର ଟଙ୍କା ପେନସନ ଲାଗୁ କରିଛନ୍ତି। ଯାହାଫଳରେ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ଲାଗି ଦେଶର ୮୦ ଲକ୍ଷ ପେନ୍‌ସନ୍‌ଭୋଗୀ ପରିବାର ନାହିଁ ନଥିବା ଅଭାବ ଅନଟନ ମଧ୍ୟରେ ଦିନ କାଟୁଛନ୍ତି। ତେଣୁ ଇପିଏଫ୍ ପେନ୍‌ସନ୍‌ଭୋଗୀଙ୍କୁ ସର୍ବନିମ୍ନ ୯ ହଜାର ଟଙ୍କା ପେନ୍‌ସନ୍‌ ସହ ମହଙ୍ଗାଭତ୍ତା ଦେବା ଲାଗି ଦୀର୍ଘକାଳ ଧରି ଦାବି ହୋଇଆସୁଛି।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନ୍‌ସନ୍‌ ଦେବାରେ ଇପିଏଫ୍ କର୍ତ୍ତୃପକ୍ଷ ଅହେତୁକ ବିଳମ୍ବ କରୁଥିବା ସଂଘର ରାଜ୍ୟ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା କହିଛନ୍ତି। ଏଥିସହିତ ଅନ୍ୟ ଦାବିଗୁଡ଼ିକୁ ପୂରଣ କରା ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ ବ୍ରହ୍ମା କହିଛନ୍ତି। ଏହି ବିକ୍ଷୋଭରେ ରାମଚନ୍ଦ୍ର ଖୁଣ୍ଟିଆ, ସତ୍ୟବାଦୀ ବାଘ, ଦୁଷ୍ମନ୍ତ ଦାସ, ପୃଥ୍ବୀରାଜ ପଣ୍ଡା, ରାଧାକାନ୍ତ ସେଠୀ, ଗୌରାଙ୍ଗ ପାଣିଗ୍ରାହୀ, ନଟବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.