Breaking News

ଇଷ୍ଟ୍‌ ବେଙ୍ଗଲ୍‌କୁ ହରାଇଲା ଓଡ଼ିଶା ଏଫ୍‌ସି

ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ମଙ୍ଗଳବାର ଦ୍ବିତୀୟ ବିଜୟ ପାଇଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଦଳ ୨-୧ ଗୋଲ୍‌ରେ ଇଷ୍ଟ୍‌ବେଙ୍ଗଲ ଏଫ୍‌ସିକୁ ପରାସ୍ତ କରିଛି।

0

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ମଙ୍ଗଳବାର ଦ୍ବିତୀୟ ବିଜୟ ପାଇଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଦଳ ୨-୧ ଗୋଲ୍‌ରେ ଇଷ୍ଟ୍‌ବେଙ୍ଗଲ ଏଫ୍‌ସିକୁ ପରାସ୍ତ କରିଛି। ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ଇସାକ୍‌ ରାଲ୍‌ଟେଙ୍କ ପାସ୍‌କୁ ରୟ କ୍ରିଷ୍ଣ ଗୋଲ୍‌ରେ ପରିଣତ କରି ଓଡ଼ିଶାକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ହେଲେ ପ୍ରଥମାର୍ଦ୍ଧର ଇନ୍‌ଜ୍ୟୁରି ସମୟ‌ରେ ଓଡ଼ିଶା ଏଫ୍‌ସିର ପେନାଲ୍‌ଟି ଅଞ୍ଚଳରେ ଥୋଇବା ସିଂହ ହ୍ୟାଣ୍ଡ ବଲ୍‌ କରିବାରୁ ୟେଲୋ କାର୍ଡ ପାଇଥିଲେ। ଏଥସହ ଇଷ୍ଟ୍‌ବେଙ୍ଗଲ୍‌କୁ ପେନାଲ୍‌ଟି ସଟ୍‌ ମିଳିଥିଲା। ଯାହାକୁ ଦିଆମନ୍ତାକୋସ ଦିମିତ୍ରିଓସ୍‌ (୪୫+୪ ମିନିଟ୍‌) ସଫଳତାର ସହ ଗୋଲ୍‌ରେ ପରିଣତ କରି ପ୍ରଥମାର୍ଦ୍ଧରେ ସ୍ଥିତି ସମାନ ରଖିଥିଲେ।
ମ୍ୟାଚ୍‌ର ୬୯ତମ ମିନିଟ୍‌ରେ ପ୍ରଭାତ ଲାକ୍ରା ଫାଉଲ୍‌ ମାରି ୟେଲୋ  କାର୍ଡ ପାଇଥିଲେ ଏବଂ ଓଡ଼ିଶା ଏଫ୍‌ସିକୁ ଫ୍ରିକିକ୍‌ ମଳିଥିଲା।

ଏହାକୁ ଅହମଦ ଜହାଉ ସୁନ୍ଦର ଭାବେ ଇଷ୍ଟ୍‌ବେଙ୍ଗଲ ଗୋଲ୍‌ ପୋଷ୍ଟ୍‌ର ଡାହାଣ ପଟକୁ ମାରିଥିଲା ବେଳେ ଏହାକୁ ମୌତର୍ଡା ଫଲ୍‌ (୬୯ତମ ମିନିଟ୍‌) ହେଡର୍‌ରେ ଗୋଲ୍‌ ଦେଇ ଓଡ଼ିଶାକୁ ୨-୧ରେ ଆଗୁଆ କରିଥିଲେ। ୭୬ତମ ମିନିଟ୍‌ରେ ପ୍ରବୋଧ ପୁଣି ଫାଉଲ୍‌ ମାରିବାରୁ ‌ଦ୍ବିତୀୟ ୟେଲୋ କାର୍ଡ (ରେଡ୍‌ କାର୍ଡ) ପାଇ ପଡ଼ିଆରୁ ବିଦା ହୋଇଥିଲେ। ଫଳରେ ଶେଷ ପର୍ଯ୍ୟନ୍ତ ଇଷ୍ଟ୍‌ବେଙ୍ଗଲ ୧୦ଜଣଙ୍କୁ ନେଇ ଖେଳିଥିଲା। କିନ୍ତୁ ଏଥିରୁ ଫାଇଦା ଉଠାଇ ନପାରି ଘରୋଇ ଦଳ ୨-୧ ଗୋଲ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା। ଏଥିସହ ଓଡ଼ିଶା ଏଫ୍‌ସି ଚଳିତ ଋତୁରେ ୫ ମ୍ୟାଚ୍‌ ଖେଳି ୨ ବିଜୟ, ୧ ଅମୀମାଂସିତ ଏବଂ ୨ ପରାଜୟରୁ ୭ ପଏଣ୍ଟ୍‌ ପାଇ ତାଲିକାର ସପ୍ତମକୁ ଉଠିଛି।  ଅନ୍ୟପକ୍ଷରେ ଇଷ୍ଟ୍‌ବେଙ୍ଗଲ ୬ରୁ ୬ ମ୍ୟାଚ୍‌ରେ ପରାଜିତ ହୋଇଛି।

ବୀର ପାଇକର ଗାଥା ପ୍ରଚାର
ଓଡ଼ିଶା ଏଫ୍‌ସିର ପ୍ରଶଂସକ ଦଳ ଜଗରନଟ୍ସ ମ୍ୟାଚ୍‌ ବେଳେ ଓଡ଼ିଶାର ହୃତଗୌରବକୁ ଉଜ୍ଜୀବିତ କରିଛି। ପାଇକ ବିଦ୍ରୋହରେ ଅଗ୍ରଣୀ ଭୂମିକା ନେଇଥିବା ସ୍ବାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ଏକ ବଡ଼ ବ୍ୟାନର୍‌ ଦର୍ଶକ ଗ୍ୟାଲେରି ମାରିଥିଲା। ଏଥିରେ ‘ପଛ ଘୁଞ୍ଚା ନାହିଁ ବୀରର ଜାତକେ’ ଲେଖି ଓଡ଼ିଶା ଏଫ୍‌ସି ଖେଳାଳିଙ୍କୁ ଉତ୍ସାହିତ କରିଥିଲା। ଯେଭଳି ଇତିହାସରେ ରହିଛି ଓଡ଼ିଆ ପାଇକ ବଳିଦାନ ଦେଇ ଇଂରେଜଙ୍କ ବିରୋଧ‌ରେ ଲଢ଼ିଥିଲା। ସେଭଳି ତୁମେ ତୁମର ଲଢ଼ୁଆ ଖେଳ ଖେଳି ବିଜୟୀ ହୁଅର ବାର୍ତ୍ତା ଦେଇ ଓଡ଼ିଶା ଏଫ୍‌ସିର ମନୋବଳକୁ ଦୃଢ଼ କରିଥିଲା। ଏଥିସହ ବୀର ପାଇକର ଗାଥାକୁ ପ୍ରଚାର କରିଥିଲା ଏହି ଓଡ଼ିଶା ଏଫ୍‌ସିର ପ୍ରଶଂସକ ଦଳ।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.