Breaking News

ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡ଼ୋ

କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁ‌ଡ଼ୋ ଶେଷରେ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ‌ଦେବା ପାଇଁ ଟ୍ରୁଡ଼ୋଙ୍କ ଉପରେ ଚାପ ବଢ଼ିବା ଏବଂ ତାଙ୍କ ଲୋକପ୍ରିୟତା ହ୍ରାସ ପାଇବା ପରେ ସେ ଇସ୍ତଫା ଦେଇଛନ୍ତି।

ନୂଆଦିଲ୍ଲୀ: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁ‌ଡ଼ୋ ଶେଷରେ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ‌ଦେବା ପାଇଁ ଟ୍ରୁଡ଼ୋଙ୍କ ଉପରେ ଚାପ ବଢ଼ିବା ଏବଂ ତାଙ୍କ ଲୋକପ୍ରିୟତା ହ୍ରାସ ପାଇବା ପରେ ସେ ଇସ୍ତଫା ଦେଇଛନ୍ତି। କାନାଡା ପ୍ରଧାନମନ୍ତ୍ରୀ ଭାବେ ଟ୍ରୁଡ଼ୋ ୯ ବର୍ଷ  ହେଲା କାର୍ଯ୍ୟ କରୁଛନ୍ତି। ଆଜି ଓଟ୍ଟାୱାସ୍ଥିତ ନିଜ ବାସଭବନ ବାହାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଟ୍ରୁଡ଼ୋ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଟ୍ରୁଡ଼ୋ କହିଛନ୍ତି, ଜଣେ ନୂଆ ଲିବରାଲ୍‌ ପାର୍ଟି ନେତା ମନୋନୀତ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିବେ। ଉଲ୍ଲେଖଯୋଗ୍ୟ, ଟ୍ରୁଡ଼ୋଙ୍କ ବିରୋଧରେ ନିଜ ଦଳ ମଧ୍ୟରେ ଅସ‌ନ୍ତୋଷ ବଢ଼ିଥିଲା ‌ଏବଂ ସେ ଦଳରୁ ଇସ୍ତଫା ଦେବାପାଇଁ ଜୋରଦାର୍‌ ଦାବି ‌ହୋଇଥିଲା।

ଡିସେମ୍ବର ୧୬ ତାରିଖରେ କାନାଡା ଅର୍ଥ ମନ୍ତ୍ରୀଙ୍କର ଅଚାନକ ଇସ୍ତଫା ପରେ ଟ୍ରୁଡ଼ୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାପାଇଁ ପ୍ରବଳ ଦାବି ହୋଇଥିଲା। ତାଙ୍କ ଲୋକପ୍ରିୟତା ହଠାତ୍‌ କମି ଯାଇଥିଲା। ଶେଷରେ ସେ ପ୍ରଧାନମନ୍ତ୍ରୀ ଏବଂ ଲିବରାଲ୍‌ ପାର୍ଟି ନେତା ଭାବେ ଇସ୍ତଫା ଦେଇଛନ୍ତି।  ଟ୍ରୁ‌ଡ଼ୋଙ୍କ ଇସ୍ତଫା ସହ ଲିବରାଲ୍‌ ପାର୍ଟିରେ ନେତୃତ୍ବ ସଙ୍କଟ ସୃଷ୍ଟି ହୋଇଛି। ଅକ୍ଟୋବର ଶେଷରେ କାନାଡ଼ାରେ ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଲିବରାଲ୍‌ ପାର୍ଟିରେ ନେତୃତ୍ବ ସଙ୍କଟ ଏକ ଆହ୍ବାନ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଖ୍ରିଷ୍ଟିଆ ଫ୍ରିଲାଣ୍ଡ୍‌ ଏବଂ ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କର ମାର୍କ କାର୍ନି ଟ୍ରୁ‌ଡ଼ୋଙ୍କର ଉତ୍ତରାଧିକାରୀ ହେବେ ବୋଲି କୁହାଯାଉଛି।

 

 

 

 

 

 

ସୌଜନ୍ୟ – ସମ୍ୱାଦ

Comments are closed.