Breaking News

‘ଇସ୍ରୋ’ର ପିଏସ୍ଏଲ୍‌ଭି-ସି୬୦ର ଲକ୍ଷ୍ୟ: ମହାକାଶରେ ଶସ୍ୟବୀଜ ବିକାଶର ଅଧ୍ୟୟନ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ପରବର୍ତ୍ତୀ ଲକ୍ଷ୍ୟ ରହିଛି ଅନ୍ତରୀକ୍ଷରେ ଶସ୍ୟବୀଜର ଅଙ୍କୁରଣ ସହ ଉଦ୍ଭିଦର ବିକାଶକୁ ଅନୁଧ୍ୟାନ କରିବା। ଏଥିସହିତ ଅଙ୍କୁରଣ ପରେ ମହାଶୂନ୍ୟରେ ଭାସି ବୁଲୁଥିବା...

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ପରବର୍ତ୍ତୀ ଲକ୍ଷ୍ୟ ରହିଛି ଅନ୍ତରୀକ୍ଷରେ ଶସ୍ୟବୀଜର ଅଙ୍କୁରଣ ସହ ଉଦ୍ଭିଦର ବିକାଶକୁ ଅନୁଧ୍ୟାନ କରିବା। ଏଥିସହିତ ଅଙ୍କୁରଣ ପରେ ମହାଶୂନ୍ୟରେ ଭାସି ବୁଲୁଥିବା ମଞ୍ଜିର ବର୍ଜ୍ୟ ଅବଶେଷଗୁଡ଼ିକୁ ଦୃଶ୍ୟ ସର୍ବେକ୍ଷଣ ଓ ବସ୍ତୁଗତି ପୂର୍ବାନୁମାନ ଜ୍ଞାନକୌଶଳ ସାହାଯ୍ୟରେ ଏକ ଯାନ୍ତ୍ରିକ ହସ୍ତ(ରୋବୋଟିକ୍ ମାନିପୁଲେଟର୍‌) ଦ୍ବାରା ସଂଗ୍ରହ କରିବା। ଆଗାମୀ ୩୦ ତାରିଖରେ ମହାକାଶକୁ ଉତ୍‌କ୍ଷେପଣ ହେବାକୁ ଥିବା ‘ଇସ୍ରୋ’ର ପିଏସ୍ଏଲ୍‌ଭି-ସି୬୦ ରକେଟ୍ ଦ୍ବାରା ‘ଚେଜର୍‌ ଆଣ୍ଡ୍ ଟାର୍ଗେଟ୍’ ନାମକ ଏକ ଦ୍ବୈତ ଉପଗ୍ରହ ପ୍ରଣାଳୀକୁ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାନିତ କରାଯିବାର ଯୋଜନା ରହିଛି।

ଏହାପରେ ବଳକା ରହିଥିବା ରକେଟ୍‌ର ଚତୁର୍ଥ ସ୍ତରରେ ପିଏସ୍ଏଲ୍‌ଭି ଅର୍ବିଟାଲ୍ ଏକ୍ସପେରିମେଣ୍ଟ୍ ମଡ୍ୟୁଲ୍(ପୋଏମ୍-୪) ନାମକ ଏକ ପରୀକ୍ଷାମୂଳକ କାର୍ଯ୍ୟକ୍ରମରେ ୨୪ ପ୍ରକାର ପରୀକ୍ଷାନିରୀକ୍ଷା ସଂଘଟିତ ହେବ। ସେଥିମଧ୍ୟରୁ ‘ଇସ୍ରୋ’ର ନିଜସ୍ବ ପରୀକ୍ଷାଗାର ଦ୍ବାରା ୧୪ଟି ଏବଂ ବିଭିନ୍ନ ଘରୋଇ ବିଶ୍ବବିଦ୍ୟାଳୟ ଓ ଷ୍ଟାର୍ଟ-ଅପ୍‌ କମ୍ପାନି ଦ୍ବାରା ୧୦ଟି ବିଷୟରେ ଅନୁଧ୍ୟାନ କରାଯିବ। ତେବେ ପ୍ରମୁଖ ପ୍ରସଙ୍ଗଟି ରହିଛି ମହାକାଶରେ ଶସ୍ୟବୀଜ ଅଙ୍କୁରଣର ପ୍ରକ୍ରିୟା ଏବଂ ଉତ୍ପନ୍ନ ଚାରାର କ୍ରମବର୍ଦ୍ଧିଷ୍ଣୁ ବିକାଶ। ଏହାର ଅଂଶସ୍ବରୂପ କେରଳର ତିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସରାଭାଇ ମହାକାଶ ଗବେଷଣା କେନ୍ଦ୍ର(ଭିଏସ୍ଏସ୍‌ସି) ଦ୍ବାରା ବିକଶିତ ଏକ ନିବୁଜ ବାକ୍ସ ମଧ୍ୟରେ ସକ୍ରିୟ ତାପଜ ନିୟନ୍ତ୍ରିତ ପରିବେଶରେ ଆଠଟି ଝୁଡ଼ଙ୍ଗ ଜାତୀୟ(କାଓପି’) ମଞ୍ଜିରୁ ଦୁଇ ପତ୍ର ହେଲା ଯାଏ ଗଛ ଉତାରିବାର ଯୋଜନା ରହିଛି।

ସେହିପରି ମୁମ୍ବାଇର ଆମିଟି ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ଏକ ମଡ୍ୟୁଲ୍ ଜରିଆରେ ଶୂନମାଧ୍ୟାକର୍ଷଣ ପରିବେଶରେ ପୋଇ ପତ୍ର ବିକଶିତ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ଅବସରରେ ଭୂପୃଷ୍ଠରେ ସମାନ୍ତରାଳ ଭାବେ ମଧ୍ୟ ଅନୁରୂପ ବୀଜବିକାଶ କରାଯାଇ ତାହାର ତୁଳନା କରାଯିବ। ସେଥିରୁ ଆଲୋକ ଓ ମାଧ୍ୟାକର୍ଷଣ ବଳ ଦ୍ବାରା ଉଦ୍ଭିଦର ବିକାଶ କିପରି ପ୍ରଭାବିତ ହେଉଛି, ତାହା ତର୍ଜମା କରାଯିବ। ସେହିପରି ଉକ୍ତ ଯାନ୍ତ୍ରିକ ହସ୍ତର ସଫଳ ସକ୍ରିୟତା ପରେ ଭବିଷ୍ୟତରେ ମହାକାଶରେ ଭାସି ବୁଲୁଥିବା ବର୍ଜ୍ୟ ମହାକାଶଯାନଗୁଡ଼ିକରେ ମଧ୍ୟ ଇନ୍ଧନ ଭରିହେବ ବୋଲି ‘ଇସ୍ରୋ’ ଆଶା ରଖିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.