Breaking News

ଇସ୍ରୋର ବିରଳ ସଫଳତା: ମହାକାଶରେ ଗଜୁରିଲା ଝୁଡ଼ଙ୍ଗ ମଞ୍ଜି

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ବାରା ଅନ୍ତରୀକ୍ଷରେ ଅଙ୍କୁରୋଦ୍ଗମ ପରୀକ୍ଷଣ ପାଇଁ ମହାକାଶକୁ ପଠାଯାଇଥିବା ଝୁଡ଼ଙ୍ଗ ମଞ୍ଜିରୁ ମାତ୍ର ଚାରି ଦିନ ଭିତରେ ବୀଜ ଅଙ୍କୁରିବା ଦେଖାଯାଇଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ବାରା ଅନ୍ତରୀକ୍ଷରେ ଅଙ୍କୁରୋଦ୍ଗମ ପରୀକ୍ଷଣ ପାଇଁ ମହାକାଶକୁ ପଠାଯାଇଥିବା ଝୁଡ଼ଙ୍ଗ ମଞ୍ଜିରୁ ମାତ୍ର ଚାରି ଦିନ ଭିତରେ ବୀଜ ଅଙ୍କୁରିବା ଦେଖାଯାଇଛି। ଗତ ଡିସେମ୍ବର ୩୦ ତାରିଖରେ ଇସ୍ରୋ ପକ୍ଷରୁ ମହାକାଶକୁ ଉତ୍‌କ୍ଷେପିତ ହୋଇଥିବା ପିଏସ୍ଏଲ୍‌ଭି-ସି୬୦ ରକେଟ୍‌ର ଚତୁର୍ଥ ସ୍ତରରେ ପିଏସ୍ଏଲ୍‌ଭି ଅର୍ବିଟାଲ୍ ଏକ୍ସପେରିମେଣ୍ଟ୍ ମଡ୍ୟୁଲ୍ (ପୋଏମ୍-୪) ନାମକ ଏକ ପରୀକ୍ଷାମୂଳକ କାର୍ଯ୍ୟକ୍ରମ ରହିଥିଲା। ଏହାର ଅଂଶବିଶେଷ ଅନ୍ତରୀକ୍ଷରେ ଶସ୍ୟବୀଜର ଅଙ୍କୁରଣ ସହ ଉଦ୍ଭିଦର ବିକାଶକୁ ଅନୁଧ୍ୟାନ କରିବାର ଲକ୍ଷ୍ୟ ରଖାଯାଇଥିଲା। ସେଥିପାଇଁ କେରଳର ତିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସରାଭାଇ ମହାକାଶ ଗବେଷଣା କେନ୍ଦ୍ର(ଭିଏସ୍ଏସ୍‌ସି) ଦ୍ବାରା ବିକଶିତ ଏକ ନିବୁଜ ବାକ୍ସ ମଧ୍ୟରେ ସକ୍ରିୟ ତାପଜ ନିୟନ୍ତ୍ରିତ ପରିବେଶରେ ଆଠଟି ଝୁଡ଼ଙ୍ଗ ଜାତୀୟ (କାଓପି) ମଞ୍ଜି ପଠାଯାଇଥିଲା। ଖୁସିର କଥା, ଭୂପୃଷ୍ଠରୁ ୩୫୦ କି.ମି. ଉଚ୍ଚରେ ଏକ କକ୍ଷପଥରେ ଘୂରି ବୁଲୁଥିବା ପୋଏମ୍-୪ ମଞ୍ଚରେ ମହାକାଶର ଅଣୁମାଧ୍ୟାକର୍ଷଣ ପରିବେଶରେ ଗତ ୪ ତାରିଖ ବେଳକୁ ସେହି ମଞ୍ଜିଗୁଡ଼ିକରୁ ଗଜା ବାହାରିବା ଆରମ୍ଭ କରିଛି।

ଭୂପୃଷ୍ଠସ୍ଥ ଉଦ୍ଭିଦବିଜ୍ଞାନୀମାନେ ସେଭଳି ଜଟିଳ ପରିସ୍ଥିତିରେ ଉକ୍ତ ମଞ୍ଜିର ଅଙ୍କୁରୋଗ୍ଦମ ସମୟ ଯେତିକି ଆଶା ରଖିଥିଲେ, ତାହାଠାରୁ ଯଥେଷ୍ଟ ଆଗୁଆ ଅଙ୍କୁରଣ ହୋଇପାରିଛି। ଏଣିକି ସେଥିରୁ ବୀଜପତ୍ର କିପରି ଓ କେବେ ବାହାରୁଛି ତାହା ଉପରେ ନିଘା ରଖାଯାଇଛି। ଇସ୍ରୋର ଏହି ସଫଳତା ମହାକାଶ ଅଭିଯାନରେ ସୁସ୍ଥାୟୀ କୃଷିଗତ ଅଭ୍ୟାସକୁ ଚରିତାର୍ଥ କରିବାରେ ସହାୟକ ହେବା ସହ ଭବିଷ୍ୟତରେ ମହାକାଶରେ ଦୀର୍ଘକାଳୀନ ମାନବୀୟ ରହଣି ପାଇଁ ଲାଇଫ୍ ସପୋର୍ଟ ପ୍ରଣାଳୀ ବିକଶିତ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି ଆଶା କରାଯାଉଛି। ସେହିପରି ଭବିଷ୍ୟତରେ କୌଣସି ପରିବର୍ଦ୍ଧିତ ମହାକାଶ ଅଭିଯାନ ବେଳେ ଆଉ ଅମ୍ଳଜାନ ଓ ଖାଦ୍ୟ ପାଇଁ ପୃଥିବୀ ଉପରେ ନିର୍ଭର ନକରିବାର ଆଶା ସଂଚାର ହୋଇଛି।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.