Breaking News

ଇ-କେୱାଇସି ଖୋଲୁଛି ରାସନ କେଳେଙ୍କାରୀ ଗୁମର: କଟକରେ କଟିବ ୧୦ ହଜାର ୭ଶହ ରାସନ୍‌ କାର୍ଡ

କାହାର ସ୍ବାମୀ ତ କାହାର ପୁଅ, ଝିଅ ସରକାରୀ ଚାକିରିଆ। କିନ୍ତୁ ସେମାନଙ୍କ ନାଁରେ ଆସୁଛି ରାସନ୍‌। ଡାକ୍ତର, ଅଧ୍ୟାପକ, ପୁଲିସ ସବ୍‌ଇନ୍ସପେକ୍ଟର, ଟ୍ରାଫିକ୍‌ ପୁଲିସ, ଅଡିଟର, ଶିକ୍ଷକ, ରାଜସ୍ବ ନିରୀକ୍ଷକ, କନି‌ଷ୍ଠ କିରାଣିଙ୍କ ନାମରେ ପ୍ରତିମାସରେ ରାସନ୍‌ ଉଠୁଛି।

କଟକ: କାହାର ସ୍ବାମୀ ତ କାହାର ପୁଅ, ଝିଅ ସରକାରୀ ଚାକିରିଆ। କିନ୍ତୁ ସେମାନଙ୍କ ନାଁରେ ଆସୁଛି ରାସନ୍‌। ଡାକ୍ତର, ଅଧ୍ୟାପକ, ପୁଲିସ ସବ୍‌ଇନ୍ସପେକ୍ଟର, ଟ୍ରାଫିକ୍‌ ପୁଲିସ, ଅଡିଟର, ଶିକ୍ଷକ, ରାଜସ୍ବ ନିରୀକ୍ଷକ, କନି‌ଷ୍ଠ କିରାଣିଙ୍କ ନାମରେ ପ୍ରତିମାସରେ ରାସନ୍‌ ଉଠୁଛି। ହ୍ୟୁମାନ୍‌ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ଏଚ୍‌ଆର୍‌ଏମ୍‌ଏସ୍‌)ରୁ ଏଭଳି ତଥ୍ୟ ସାମନାକୁ ଆସିଛି। କଟକରେ ଏଭଳି ୧୦ ହଜାର ୭ଶହ ପରିବାରର ସଦସ୍ୟ ବେଆଇନ ଭାବେ ରାସନ ପାଉଥିବା ବେଳେ ସେମାନେ ଏବେ ତାଲିକାରୁ ବାଦ୍‌ ପଡ଼ିବାକୁ ଯାଉଛନ୍ତି। ଯେଉଁ ସରକାରୀ କର୍ମଚାରୀ ରାସନ୍‌ ଉଠାଉଛନ୍ତି, ତାର ତାଲିକା ବ୍ଲକ୍‌ ଅନୁସାରେ ସବୁ ବିଡିଓ ଓ ବ୍ଲକ୍‌ ଯୋଗାଣ ଅଧିକାରୀଙ୍କୁ ପଠାଯାଇଛି। ତାଲିକାରେ ରାସନ୍‌କ‌ାର୍ଡଧାରୀଙ୍କ ନାମ, ସେମାନଙ୍କର କିଏ କେଉଁ ବିଭାଗରେ ଓ କେଉଁ ପଦବିରେ ଚାକିରି କରୁଛନ୍ତି, ରାସନ୍‌କାର୍ଡଧାରୀଙ୍କ ସହ ସେମାନଙ୍କ ସଂପର୍କ ଅର୍ଥାତ୍‌ ପୁଅ, ଝିଅ, ସ୍ବାମୀ ନା ନିଜେ କାର୍ଡଧାରୀ ସେସବୁର ତଥ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦିଆଯିବା ପରେ ଏହାର ତାଲିକା ପ୍ରତି ବ୍ଲକ୍‌କୁ ପଠାଯାଇଛି। କୁହାଯାଇଛି ତାଲିକା ଅନୁସାରେ ତଦନ୍ତ କରି ତାର ରିପୋର୍ଟ ଓ କେବେଠାରୁ ସରକାରୀ ଚାକିରିରେ ଅଛନ୍ତି ତାର ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ତାଲିକା ପ୍ରତି ବ୍ଲକ୍‌କୁ ଯିବାପରେ ଏବେ ଗ୍ରାମାଞ୍ଚଳରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି।

ଅନ୍ୟପଟେ ଏଭଳି ବେଆଇନ ଭାବେ କାର୍ଡ ହାତେଇଥିବା ବ୍ୟକ୍ତିଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହା ଏଯାଏଁ ସରକାରୀ ଭାବେ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ସରକାରୀ ଚାକିରି କରି ରାସନ୍‌ କାର୍ଡରେ ରାସନ୍‌ ଉଠାଉଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କଠାରୁ ଅର୍ଥ ଭରଣା କରାଯିବ ବୋଲି କୁହାଯାଉଛି। ଅନ୍ୟପଟେ ଅନେକ ପରିବାରରେ ରାସନ୍‌କାର୍ଡ ଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କର ପୁଅ, ଝିଅ ବା ସଦସ୍ୟ ସରକାରୀ ଚାକିରି କରିଛନ୍ତି। କିନ୍ତୁ ଚାକିରି ପରେ ସେହି ନାମଗୁଡ଼ିକ ତାଲିକାରୁ ନିଜେ ପରିବାର ସଦସ୍ୟ କାଟିଦେବା କଥା। କିନ୍ତୁ ସେଗୁଡିକ ବର୍ଷ ବର୍ଷ ହେଲା କଟାନଯାଇ  ରାସନ୍‌ ଉଠାଯାଉଥିଲା। ଏଚ୍‌ଆରଏମ୍‌ଏସ୍‌କୁ ଭିତ୍ତିକରି ଏହି ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ତାଲିକା ତ୍ରୁଟିଶୂନ୍ୟ ରହିଥିବ‌ା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ କଟକ ଜିଲ୍ଲାରେ ଏବେ ବି ପାଖ‌ାପାଖି ୨ଲକ୍ଷ ହିତାଧିକାରୀ ରାସନ୍‌ ପାଇଁ ଇ-କେୱାଇସି ଦେଇନଥିବା ଜଣାପଡ଼ିଛି। କଟକ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ୍‌, ମହାନଗରନିଗମ କର୍ତ୍ତୃପକ୍ଷଙ୍କୁ ତାଲିକା ପ୍ରଦାନ କରାଯାଇଛି। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ କଟକ ଜିଲ୍ଲାରେ ୧୦ହଜାର ୭ଶହ ରାସନ୍‌କାର୍ଡଧାରୀଙ୍କ ପରିବାର ସଦସ୍ୟ ସରକାରୀ ଚାକିରି କରୁଥିବା ଜଣାପଡିଛି। କିନ୍ତୁ ବର୍ଷ ବର୍ଷ ଧରି ଏଭଳି ବେଆଇନ ଭାବେ ରାସନ ସାମଗ୍ରୀ ଉଠୁଥିବା ବେଳେ ଦାୟିତ୍ବରେ ଥିବା ଅଧିକାରୀ କିଭଳି ତାହା ଜାଣି ପାରୁ ନଥିଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଡାକ୍ତର, ଅଧ୍ୟାପକ, ପୁଲିସ ଏସ୍‌ଆଇ ନେଉଛନ୍ତି ରାସନ୍‌
ଧରା ପକାଉଛି ଏଚ୍‌ଆର୍‌ଏମ୍‌ଏସ୍‌

ଯାଜପୁରରେ ଚିହ୍ନଟ ହେଲେଣି ୫ ହଜାର ଅଯୋଗ୍ୟ ହିତାଧିକାରୀ, ତାଲିକାରେ ସ୍ବାସ୍ଥ୍ୟ ଅଧିକାରୀ, ପୁଲିସ ଓ ସେନା କର୍ମଚାରୀ

ଯାଜପୁର ସଦର: ଇ‌-କେୱାଇସି ହେବା ପରେ ରାସନକାର୍ଡ କେଳେଙ୍କାରୀ ସାମନାକୁ ଆସିଛି। ଯାଜପୁର ଜିଲ୍ଲାରେ ୫ ହଜାର ଅଯୋଗ୍ୟ ହିତାଧିକାରୀ ରାସନ ନେଉଥିବା ଜଣାପଡ଼ିଛି। ଏହି ତାଲିକାରେ ସରକାରୀ ଚାକିରିଆ, ପୁଲିସ ଓ ଯନ୍ତ୍ରୀଙ୍କ ନାମ ରହିଛି। ଗରିବଙ୍କ ପାଇଁ ଥିବା ଏହି ଯୋଜନାକୁ ଅଯୋଗ୍ୟ ହିତାଧିକାରୀ ଲୁଟି ନେଉଛନ୍ତି। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ବର୍ତ୍ତମାନ ୫୫୩୨ ଜଣ ଅଯୋଗ୍ୟ ହିତାଧିକାରୀ (ସରକାରୀ କର୍ମଚାରୀ)ଙ୍କ ପରିବାର ରାସନ ନେଉଥିବା ଜଣାପଡ଼ିଛି। ଏହି ଅଯୋଗ୍ୟ ହିତାଧିକାରୀଙ୍କ ପରିବାରରୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସରକାରଙ୍କଠାରୁ ଦରମା ନେଉଛନ୍ତି। ତେବେ ଏଥିରେ ଅଧ୍ୟାପକ, ଡାକ୍ତର, ମେଡିକାଲ ଅଫିସର, ନର୍ସିଂ ଅଫିସର, ପିଇଓ, ସ୍କୁଲ ଶିକ୍ଷକ, ସେନା ଓ ପୁଲିସ କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀଙ୍କ ପରିବାର ଚିହ୍ନଟ ହୋଇଛନ୍ତି। ତଥ୍ୟ ଅନୁସା‌ରେ ବଡ଼ଚଣା ବ୍ଲକ୍‌ରେ ୫୨୫ଜଣ, ବିଂଝାରପୁରରେ ୪୭୧, ବରୀରେ ୫୨୧, ଦଶରଥପୁରର ୫୬୫, ଯାଜପୁର ୫୦୩, ଦାନଗଦୀରେ ୪୧୭, ଧର୍ମଶାଳାରେ ୬୭୨, ଯାଜପୁର ପୌରପାଳିକାରେ ୧୫୯, କୋରେଇରେ ୩୮୨, ରସୁଲପୁରରେ ୬୬୭, ସୁକିନ୍ଦାରେ ୫୮୧, ବ୍ୟାସନଗର ପୌରପାଳିକାରେ ୫୯ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ତେବେ ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଜିଲ୍ଲାରେ ୭୮୭ ଡିଲରଙ୍କ ଅଧୀନରେ ୧୫ଲକ୍ଷ ୩୧ ହଜାର ୪୭୧ ହିତାଧିକାରୀ ରାସନ ନେଉଛନ୍ତି। ଆଜି ସୁଦ୍ଧା ୧୩ଲକ୍ଷ ୫୫ହଜାର ୫୩୨ ଜଣ ଇ-କେୱାଇସି କରିଛନ୍ତି। ଏହି ହାର ୮୯ ପ୍ରତିଶତ ରହିଛି। ଜିଲ୍ଲାରେ ଏଯାଏଁ ୧ଲକ୍ଷ ୭୫ ହଜାର ୯୩୯ ହିତାଧିକାରୀ ଇ‌-କେୱାଇସି କରିବାକୁ ବାକି ରହିଛି। ଏଥିରୁ ବି ସରକାରୀ କର୍ମଚାରୀ ପରିବାର ଚିହ୍ନଟ ହେବାର ସମ୍ଭାବନା ରହିଛି। ବଡ଼ଚଣାରେ ୨୦୨୬୦, ବରୀରେ ୧୯୧୨୪, ବିଂଝାରପୁରରେ ୧୫୫୬୯, ଦାନଗଦୀରେ ୧୩୫୫୦, ଧର୍ମଶାଳାରେ ୨୧୦୪୭, ଯାଜପୁରରେ ୧୪୫୩୬, ଯାଜପୁର ପୌରପାଳିକାରେ ୨୩୫୦, କୋରେଇରେ ୧୩୬୧୦, ରସୁଲପୁରରେ ୧୭୭୦୬, ସୁକିନ୍ଦାରେ ୧୬୫୧୨, ବ୍ୟାସନଗର ପୌରପାଳିକାରେ ୨୩୦୪ ହିତାଧିକାରୀଙ୍କ ନାମ ଇ-କେୱାଇସି ‌ଅପେକ୍ଷାରେ ରହିଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.