Breaking News

ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଚାନକ ଗସ୍ତ: ବିଜୁ ପଟ୍ଟନାୟକ କଲେଜରେ ଉପସ୍ଥାନ ଦେଉନାହାନ୍ତି ଅଧ୍ୟାପକ

ଉଚ୍ଚଶିକ୍ଷା ବିଭାଗ ଅଧୀନ ଡିଗ୍ରି କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍‌ ଉପସ୍ଥାନ ସହ ୭ ଘଣ୍ଟା କ୍ୟାମ୍ପସରେ ରହିବା ବାଧ୍ୟତାମୂଳକ ହୋଇଛି। ମାତ୍ର ତାହାର ଖୋଲାଖୋଲି ଉଲ୍ଲଂଘନ ହେଉଛି।

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ଡିଗ୍ରି କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍‌ ଉପସ୍ଥାନ ସହ ୭ ଘଣ୍ଟା କ୍ୟାମ୍ପସରେ ରହିବା ବାଧ୍ୟତାମୂଳକ ହୋଇଛି। ମାତ୍ର ତାହାର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଦିନେ କି ଦୁଇ ଦିନ ନୁହେଁ। ବରଂ ମାସ ମାସ ଧରି ଅଧ୍ୟାପକମାନେ ବାୟୋମେଟ୍ରିକ୍‌ ଉପସ୍ଥାନ ଦେଉନାହାନ୍ତି। କିଏ ଦୁଇ ଘଣ୍ଟାରେ କ୍ୟାମ୍ପସ ଛାଡ଼ି ପଳାଇ ଯାଉଛନ୍ତି ତ ଆଉ କିଏ ନିଜ ମର୍ଜିରେ କଲେଜ ଆସୁଛନ୍ତି। ରୋକ ଲଗାଇବାକୁ କେହି ନାହାନ୍ତି। ଅଧ୍ୟକ୍ଷଙ୍କ କାନ୍ଧରେ ଦୁଇଟି କଲେଜ ଦାୟିତ୍ବ ରହିଥିବାରୁ କାହାକୁ ଜଗିବେ କାହାକୁ ଛାଡ଼ିବେ କିଛି ବି ଜାଣିପାରୁ ନାହାନ୍ତି। ଏଭଳି ଅବସ୍ଥା କୌଣସି ଉପାନ୍ତ କି ଆଦିବାସୀ ଅଞ୍ଚଳର ନୁହେଁ। ଖୋଦ୍‌ ରାଜଧାନୀ ଛାତି ଉପରେ ଛିଡ଼ା ହୋଇଥିବା ବିଜୁ ପଟ୍ଟନାୟକ କଲେଜ ଅଫ୍‌ ସାଇନ୍ସ ଆଣ୍ଡ୍‌ ଏଜୁକେସନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଚାନକ ଗସ୍ତ
କ୍ୟାସ୍‌ବୁକ୍‌ ଠିକ୍‌ ନାହିଁ, କାର୍ଯ୍ୟାନୁଷ୍ଠାନ ହୋଇପାରେ

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଗତକାଲି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ଅଚାନକ ମହାବିଦ୍ୟାଳୟକୁ ଗସ୍ତ କରିବା ସମୟରେ ବ୍ୟାପକ ଅବ୍ୟବସ୍ଥା ପଦାକୁ ଆସିଛି। ମାସାଧିକ କାଳ ହେଲା କଲେଜର କ୍ୟାସ୍‌ବୁକ୍‌ ଠିକ୍‌ ଭାବେ ପରିଚାଳିତ ହେଉ ନଥିବା ଦେଖିବାକୁ ପାଇଥିଲେ। ବିନା ଏକ୍ସଟର୍ନାଲରେ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ପରିଚାଳିତ ହେଉଥିଲା। କେବଳ ସେତିକି ନୁହେଁ, ନିର୍ଦ୍ଦେଶକଙ୍କ ଗସ୍ତ ସମୟରେ କଲେଜ ଅଧ୍ୟକ୍ଷ କ୍ୟାମ୍ପସରେ ନ ଥିଲେ। ଯୋଗାଯୋଗ କରିବାରୁ ଜଣାପଡ଼ିଥିଲା ଯେ ଅଧ୍ୟକ୍ଷ ଅନ୍ୟ କଲେଜରେ ରହିଥିଲେ। ଜଣେ ଅଧ୍ୟକ୍ଷଙ୍କ କାନ୍ଧରେ ଦୁଇଟି କଲେଜ ଦାୟିତ୍ବ ଦିଆଯାଇଥିବାରୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା। ପାଖାପାଖି ଦୁଇ ଘଣ୍ଟା ଧରି ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କ୍ୟାମ୍ପସ ସ୍ଥିତି ସମୀକ୍ଷା କରିବା ସହ ଅସୁବିଧା ସମ୍ପର୍କରେ ଟିକିନିଖି ବୁଝିଥିଲେ। କ୍ୟାସ୍‌ବୁକ୍ ଠିକ୍ ଭାବେ ପରିଚାଳିତ ହେଉ ନଥିବାରୁ ଏହାକୁ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ବର ସହ ନେଇଛି। ଏ ନେଇ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ରାଜଧାନୀରେ ଏକ କଲେଜରେ ଏତେ ଅବ୍ୟବସ୍ଥା କାହିଁକି ରହୁଛି, ସେ ସମ୍ପର୍କରେ ଖୁବ୍ ଶୀଘ୍ର ଏକ ସମୀକ୍ଷା ବୈଠକ କରାଯିବ ବୋଲି ସୂଚନା ମିଳିଛି।

ନିର୍ଦ୍ଦେଶକଙ୍କ ଗସ୍ତ ସମ୍ପର୍କରେ କଲେଜ ଅଧ୍ୟକ୍ଷ କହିଛନ୍ତି ‌ଯେ ବାୟୋମେଟ୍ରିକ୍‌ ଉପସ୍ଥାନ ଠିକ୍‌ ଭାବେ ହେଉଛି। କ୍ୟାସ୍‌ବୁକ୍‌ ପରିଚାଳନାରେ ସମସ୍ୟା ରହିଥିବା ସମ୍ପର୍କରେ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ଭିତ୍ତିଭୂମି ଅଭାବ ଓ କର୍ମଚାରୀ ସଙ୍କଟ ପାଇଁ କଲେଜ ପଚିଚାଳନା ସମ୍ଭବପର ହେଉ ନାହିଁ। ମହାବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ମାତ୍ର ଦେଢ଼ ଏକର ଜମିରେ ଏହି ମହାବିଦ୍ୟାଳୟ ରହିଛି। ଆବଶ୍ୟକୀୟ ଭିତ୍ତିଭୂମି ନ ଥିବାରୁ ଯୁକ୍ତ୨ ଓ ଯୁକ୍ତ୩ର ପ୍ରାୟ ୪ ହଜାର ପିଲାଙ୍କୁ ଏଠାରେ ଶିକ୍ଷାଦାନ ଯୋଗାଇବା ସମ୍ଭବପର ହେଉ ନାହିଁ। ଅଧ୍ୟାପକ ଓ କର୍ମଚାରୀଙ୍କ ସଂଖ୍ୟା ବହୁତ କମ୍‌। ନୂତନ ନିଯୁକ୍ତି ପାଇଁ ସାକ୍ଷାତକାର ପରୀକ୍ଷା ହୋଇଥିଲେ ମଧ୍ୟ କିଛି ଜଣ କୋର୍ଟରେ ତାହାକୁ ଚାଲେଞ୍ଜ କରିଥିବାରୁ ନିଯୁକ୍ତି ପ୍ରକ୍ରିୟା ଆଗେଇପାରୁ ନାହିଁ।  ଯୁକ୍ତ୨ ଓ ଯୁକ୍ତ୩ କଲେଜର ପରିଚାଳନା ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବାରୁ ସମସ୍ୟା ଆହୁରି ବଢ଼ିଯାଇଛି। ଏଥିସହ ଡିଗ୍ରି ସ୍ତରରେ ଏନ୍‌ଇପି ଲାଗୁ ହୋଇଥିଲେ ମଧ୍ୟ ଭିତ୍ତିଭୂମି ଅଭାବ ହିଁ ସମସ୍ୟା ସୃଷ୍ଟି କରିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.