Breaking News

ଉଠିଯିବ ଭୁବନେଶ୍ବର ସୈନିକ ସ୍କୁଲ୍‌! ବାବୁଙ୍କ କଳିରେ ବଳି ପଡ଼ିବ ୬୩ ବର୍ଷର ଶିକ୍ଷାନୁଷ୍ଠାନ

ହଜାର ହଜାର ସୈନିକ ଗଢ଼ିଥିବା ରାଜ୍ୟର ପ୍ରଥମ ତଥା ସ୍ବତନ୍ତ୍ର ପରିଚୟପ୍ରାପ୍ତ ଶିକ୍ଷାନୁଷ୍ଠାନ ଭୁବନେଶ୍ବର ସୈନିକ ସ୍କୁଲ୍‌ ଠିକଣା ବଦଳିବ। ସହର ଭିତରେ ଥିବା ଏହି ୬୩ ବର୍ଷର କେନ୍ଦ୍ରୀୟ ବିଦ୍ୟାଳୟକୁ ଉଠାଇବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

ଭୁବନେଶ୍ବର/କଟକ: ହଜାର ହଜାର ସୈନିକ ଗଢ଼ିଥିବା ରାଜ୍ୟର ପ୍ରଥମ ତଥା ସ୍ବତନ୍ତ୍ର ପରିଚୟପ୍ରାପ୍ତ ଶିକ୍ଷାନୁଷ୍ଠାନ ଭୁବନେଶ୍ବର ସୈନିକ ସ୍କୁଲ୍‌ ଠିକଣା ବଦଳିବ। ସହର ଭିତରେ ଥିବା ଏହି ୬୩ ବର୍ଷର କେନ୍ଦ୍ରୀୟ ବିଦ୍ୟାଳୟକୁ ଉଠାଇବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ରାଜଧାନୀ ବାହାରେ ଜାଗା ଚିହ୍ନଟ କରିବାକୁ ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ଖୋର୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ସୈନିକ ସ୍କୁଲ୍‌ ଭିତର ଦେଇ ଯାଇଥିବା ରାସ୍ତାକୁ ଚାରିଥାକିଆ କରିବାକୁ ପୂର୍ତ୍ତ ବିଭାଗ ୨୦୨୪ରେ ଦେଇଥିବା ପ୍ରସ୍ତାବକୁ ସୈନିକ ସ୍କୁଲ୍‌ କର୍ତ୍ତୃପକ୍ଷ ଡିସେମ୍ବର ମାସରେ ଗ୍ରହଣ କରି ନଥିଲେ। ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମି ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ମନା କରିବା ପରେ ପୂର୍ତ୍ତ ବିଭାଗ ଏଭଳି ଚରମ ନିଷ୍ପତ୍ତି ନେଇଛି। ୧୦ରୁ ଅଧିକ ଜେନେରାଲ୍ ରାଙ୍କ ଅଧିକାରୀ, ୧୦ରୁ ଅଧିକ ବୀରତା ପୁରସ୍କାରପ୍ରାପ୍ତ ଅଧିକାରୀ ତଥା ସହସ୍ରାଧିକ ସେନା ଅଧିକାରୀଙ୍କୁ ଗଢ଼ିଥିବା ଏହି ସ୍କୁଲର ଠିକଣା ପରିବର୍ତ୍ତନ ନିଷ୍ପତ୍ତି ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବାବୁଙ୍କ କଳିରେ ବଳି ପଡ଼ିବ ୬୩ ବର୍ଷର ଶିକ୍ଷାନୁଷ୍ଠାନ
ସହର ବାହାରେ ଜମି ଖୋଜିବାକୁ ଖୋର୍ଧା ଜିଲ୍ଲାପାଳଙ୍କୁ ଚିଠି

୧୯୬୨, ଜାନୁଆରି ୧୫ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ସୈନିକ ସ୍କୁଲ୍‌ ଖୋଲିଥିଲା। ପ୍ରଥମେ ଏହା ଏକ ଅବ୍ୟବହୃତ ଅନ୍ଧ, ମୁକ, ବଧିର ବିଦ୍ୟାଳୟରେ ଆରମ୍ଭ ହେବା ପରେ ୧୯୬୪, ଜାନୁଆରି ୮ରେ ଏହାର ନୂତନ ଘରକୁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହରୁ ଲୋକାର୍ପଣ କରିଥିଲେ। ସେତେବେଳେ ଏହି ଅଞ୍ଚଳ ଜନବସତି ଠାରୁ ଦୂର ଜଙ୍ଗଲ ଘେରରେ ଥିଲା। ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ଏହାର ଭିତ୍ତିଭୂମି, ଶିକ୍ଷା ଓ ତାଲିମରେ ଉନ୍ନତି ଆସିଥିଲା। ପ୍ରଥମେ ୨୨୪ ଏକର ଦିଆଯାଇଥିଲେ ମଧ୍ୟ ଓ ପରେ ସେଥିରୁ ୩୦ ଏକର ଜମି ଡମ୍ପିଂୟାର୍ଡ ପାଇଁ କାଢ଼ି ନିଆଯାଇଥିଲା। ସ୍କୁଲ୍‌ ଅଧିକାରରେ ୧୯୪ ଏକର ଜମି ରହିଥିବା ଦର୍ଶାଯାଉଥିଲେ ବି ବର୍ତ୍ତମାନ ୧୪୨ ଏକର ଜମି(ଆର୍‌ଓଆର୍‌) ରହିଛି।

ପ୍ରସ୍ତାବ ଅଗ୍ରାହ୍ୟ ହେବା ପରେ ‘ବାଟ ନଦେଲେ ହଟିବାକୁ ପଡ଼ିବ’ ନ୍ୟାୟରେ ପୂର୍ତ୍ତ ବିଭାଗ ବର୍ତ୍ତମାନ ପୂରା ସୈନିକ ସ୍କୁଲ୍‌କୁ ହଟାଇବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି। ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ଇଂ. ଲକ୍ଷ୍ମୀକାନ୍ତ ପାଢ଼ୀ ଖୋର୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ଭୁବନେଶ୍ବର ସହର ବାହାରେ ନାଇଜର୍‌ ଓ ଆଇଆଇଟି ନିକଟରେ ୨୦୦ ଏକର ଜମି ଖୋଜିବାକୁ କହିଛନ୍ତି। ଏନେଇ କେନ୍ଦ୍ର ରକ୍ଷା ମନ୍ତ୍ରଣାଳୟ, ସୈନିକ ସ୍କୁଲ୍‌ ଅଧ୍ୟକ୍ଷ ଓ ଅନ୍ୟ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ସହର ବାହାରେ ୪ଟି ସ୍ଥାନ ଯଥା ଭୁବନେଶ୍ବର ଆଇଆଇଟି, ନାଇଜର, ଏମ୍‌ସ ଓ ଚନ୍ଦକା ନିକଟରେ ଜାଗା ଚିହ୍ନଟ ହୋଇଛି। କେଉଁଟା ସୈନିକ ସ୍କୁଲର ନୂଆ କ୍ୟାମ୍ପସ ପାଇଁ ଉପଯୁକ୍ତ ହେବ ସେନେଇ ସରକାରୀ ସ୍ତରରେ ତର୍ଜମା ଚାଲିଛି। ଏହା ଉପ‌ରେ ସୈନିକ ସ୍କୁଲ କର୍ତ୍ତୃପକ୍ଷ କିଛି କହିବାକୁ ମନା କରିଦେଇଥିବା ବେଳେ ପୂର୍ତ୍ତ ବିଭାଗର ଚିଠିକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କାହା ସ୍ବାର୍ଥରେ ସ୍କୁଲ୍‌ର ସ୍ଥାନ ବଦଳାଇବା ଉଦ୍ୟମ କରାଯାଉଛି ବୋଲି ପ୍ରଶ୍ନ ଉଠିଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.