ଉତ୍କଣ୍ଠାରେ ସାରା ବିଶ୍ବ: ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ୯ ମାସରୁ ଅଧିକ ସମୟ (୨୮୬ ଦିନ) ଧରି ଫସି ରହିଥିବା ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ୍ ସ୍ପେସ୍ ଆଡ୍ମିନିଷ୍ଟ୍ରେସନ୍ (ନାସା)ର ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ସ୍ପେସ୍ଏକ୍ସ କ୍ୟାପସୁଲ୍ରେ ପୃଥିବୀକୁ ଫେରିବା ଆରମ୍ଭ କରିଛନ୍ତି।
ୱାସିଂଟନ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ୯ ମାସରୁ ଅଧିକ ସମୟ (୨୮୬ ଦିନ) ଧରି ଫସି ରହିଥିବା ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ୍ ସ୍ପେସ୍ ଆଡ୍ମିନିଷ୍ଟ୍ରେସନ୍ (ନାସା)ର ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ସ୍ପେସ୍ଏକ୍ସ କ୍ୟାପସୁଲ୍ରେ ପୃଥିବୀକୁ ଫେରିବା ଆରମ୍ଭ କରିଛନ୍ତି। ନ୍ୟୁୟର୍କ ସମୟ ମଙ୍ଗଳବାର ରାତି ୧ଟା ୫ ମିନିଟ୍ (ଭାରତରେ ପୂର୍ବାହ୍ଣ ୧୦ଟା ୩୫)ରେ ଅନ୍ୟ ଦୁଇ ଜଣ କ୍ରୁ ମେମ୍ବର ରୋସ୍କୋସ୍ମୋସ୍ ମହାକାଶଚାରୀ ଆଲେକ୍ଜାଣ୍ଡର୍ ଗୋର୍ବୁନୋଭ ଓ ନାସା ମହାକାଶଚାରୀ ନିକ୍ ହେଗ୍ଙ୍କ ସହ କ୍ରୁ ଡ୍ରାଗନ୍ କ୍ୟାପସୁଲ୍ରେ ସେମାନେ ଆଇଏସ୍ଏସ୍ରୁ ବାହାରିଛନ୍ତି। ସେମାନଙ୍କୁ ପୃଥିବୀରେ ପହଞ୍ଚିବା ପାଇଁ ପ୍ରାୟ ୧୭ ଘଣ୍ଟା ସମୟ ଲାଗିବ। ସ୍ଥାନୀୟ ସମୟ ଅପରାହ୍ଣ ୫ଟା ୫୭ (ଭାରତୀୟ ସମୟ ବୁଧବାର ରାତି ୩ଟା ୨୭)ରେ ଫ୍ଲୋରିଡ଼ା ଉପକୂଳରେ ଅବତରଣ କରିବ। ଏହାପରେ ମହାକାଶଚାରୀଙ୍କ ସୁରକ୍ଷା ଏବଂ ନିରାପଦ ଅବତରଣକୁ ନେଇ ରହିଥିବା ବହୁଦିନର ପ୍ରତୀକ୍ଷାରେ ଅନ୍ତ ଘଟିବ।
ମହାକାଶ କେନ୍ଦ୍ରରୁ ବାହାରିବା ପୂର୍ବରୁ ୱିଲିୟମ୍ସ ଓ ୱିଲ୍ମୋର ମହାକାଶରେ ଏକ ଅନ୍ତିମ ଫଟୋ ଉଠାଇଥିଲେ। ଫ୍ଲୋରିଡ଼ାସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରେ ମାନକ ଡାକ୍ତରୀ ଯାଞ୍ଚ ପରେ ଦୁହେଁ ହ୍ୟୁଷ୍ଟନ୍ ଅଭିମୁଖେ ଏକ ବିମାନରେ ଯାତ୍ରା କରିବେ। ସେଠାରେ ସେମାନଙ୍କୁ ପରିବାର ସଦସ୍ୟଙ୍କ ସହିତ ଏକାଠି କରାଯିବ। ଫ୍ଲୋରିଡ଼ାରେ ଅବତରଣ କରିବା ପରେ ସ୍ଥାନୀୟ ସମୟ ସନ୍ଧ୍ୟା ସାଢ଼େ ୭ଟାରେ ନାସା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ଅଭିଯାନ ବିଷୟରେ ଆଲୋଚନା କରିବା ପାଇଁ ନ୍ୟୁୟର୍କ ଏଜେନ୍ସି ଓ ସ୍ପେସ୍ଏକ୍ସ ଅଧିକାରୀ ସମୟ ଧାର୍ଯ୍ୟ କରିଛନ୍ତି। ନାସା ମହାକାଶଚାରୀଙ୍କ ପାଇଁ ନିୟମିତ ଅଭିଯାନ ଯୋଜନାଠାରୁ ଅଧିକ ସମୟ ଧରି ଚାଲିବାର ଆଶଙ୍କା ରହିଥାଏ। ବୈଷୟିକ ସମସ୍ୟାକୁ ଦୃଷ୍ଟିରେ ରଖି ଏଜେନ୍ସି ମହାକାଶ କେନ୍ଦ୍ରରେ ମହାକାଶଚାରୀଙ୍କ ରହଣିକୁ ପ୍ରାୟ ୯ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଗତ ଜୁନ୍ ମାସ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ବୋଇଂ ଷ୍ଟାର୍ଲାଇନର୍ ମହାକାଶଯାନରେ ଆଇଏସ୍ଏସ୍ରେ ପହଞ୍ଚିଥିଲେ। କିନ୍ତୁ ମହାକାଶଯାନର ପ୍ରପଲ୍ସନ ସିଷ୍ଟମ୍ରେ ତ୍ରୁଟି ଓ ହିଲିୟମ ଗ୍ୟାସ୍ ଲିକ୍ ଯୋଗୁଁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଛି। ସ୍ପେସ୍ଏକ୍ସ କ୍ୟାପସୁଲ୍ରେ ଫେରିବେ ବୋଲି ନିଷ୍ପତ୍ତି ନିଆଯିବା ପରେ ସେମାନଙ୍କ ଫେରିବା ୯ ମାସରୁ ଅଧିକ ସମୟ ବିଳମ୍ବ ହୋଇଛି। ସେପ୍ଟେମ୍ବର ମାସରେ ଷ୍ଟାର୍ଲାଇନ୍ର, ମହାକାଶଚାରୀଙ୍କ ବିନା ପୃଥିବୀକୁ ଫେରିଥିଲା।
ସୌଜନ୍ୟ-ସମ୍ବାଦ
Comments are closed.