Breaking News

ଉତ୍କର୍ଷ ଓଡ଼ିଶା- ୨୦୨୫ ଏକ ସଂକଳ୍ପ

ଆସନ୍ତା ସପ୍ତାହରେ ଉତ୍କର୍ଷ ଓଡ଼ିଶା ସମାବେଶ ହେବାକୁ ଥିବା ବେଳେ, ଏହାର ୧୦ ଦିନ ପୂର୍ବରୁ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ଆମେ ବୁଝାମଣାପତ୍ର ସ୍ବାକ୍ଷର କରିଛୁ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ ହୋଇଛି।

ଆସନ୍ତା ସପ୍ତାହରେ ଉତ୍କର୍ଷ ଓଡ଼ିଶା ସମାବେଶ ହେବାକୁ ଥିବା ବେଳେ, ଏହାର ୧୦ ଦିନ ପୂର୍ବରୁ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ଆମେ ବୁଝାମଣାପତ୍ର ସ୍ବାକ୍ଷର କରିଛୁ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ ହୋଇଛି। ଇଣ୍ଡଷ୍ଟ୍ରିଆଲ ପାର୍କ, ଗ୍ରୀନ୍ ହାଇଡ୍ରୋଜେନ୍ ମାନୁଫାକ୍‌ଚରିଂ, ଗ୍ରୀନ୍ ସିପିଂ କରିଡର୍, ସେମିକଣ୍ଡକ୍ଟର, ନୂତନ ସହର ବିକାଶ, ପେଟ୍ରୋକେମିକାଲ୍ ଓ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଏହି ଏମ୍ଓୟୁ ହୋଇଛି। ବିଗତ ୭ ମାସରେ ଓଡ଼ିଶାକୁ ବିକାଶ କ୍ଷେତ୍ରରେ ଆଗକୁ ବଢ଼େଇବା ଲାଗି ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। ୨୦୩୬ ସୁଦ୍ଧା ସମୃଦ୍ଧ ରାଜ୍ୟରେ ପରିଣତ କରି ୨୦୪୭ ସୁଦ୍ଧା ବିକଶିତ ଭାରତର ଅଭିବୃଦ୍ଧି ଇଞ୍ଜିନ ଭାବରେ ଓଡ଼ିଶାକୁ ଗଢ଼ି ତୋଳିବା ଆମର ଲକ୍ଷ୍ୟ। ଏହିକ୍ରମରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଏକ ଐତିହାସିକ ଘଟଣା, ଯାହା ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶାକୁ ସ୍ଥାନିତ କରିବାର ଉପକ୍ରମ ମାତ୍ର।

ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା। ସମ୍ଭାବନାକୁ ସାକାର କରିବାକୁ ଓଡ଼ିଶାର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବ୍ୟାପକ ନିବେଶ ଆବଶ୍ୟକ ହେଉଥିବାରୁ ଦେଶ ଓ ବିଶ୍ୱର ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆମେ ନିମନ୍ତ୍ରଣ କରିଛୁ। ସେହି ଲକ୍ଷ୍ୟ ନେଇ ଦିଲ୍ଲୀ ଓ ମୁମ୍ବାଇରେ ଆମେ ‘ରାଜପଥ ପ୍ରଦର୍ଶନ’ କରିଛୁ ଏବଂ ସିଙ୍ଗାପୁର ଗସ୍ତ କରିଛୁ। ‘ଟିମ୍‌ ଓଡ଼ିଶା’କୁ ସାଥିରେ ଧରି ସିଙ୍ଗାପୁରରେ ବିଭିନ୍ନ ଅଗ୍ରଣୀ ଶିଳ୍ପ ସଂସ୍ଥା ପରିଦର୍ଶନ କଲା ବେଳେ ବିଭିନ୍ନ ଶିଳ୍ପପତିମାନଙ୍କ ସହ ଆମେ ଆଲୋଚନା କରିଥିଲୁ। ସିଙ୍ଗାପୁର ସରକାରଙ୍କ ବିଭିନ୍ନ ମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲୁ। ଆମ ନିମନ୍ତ୍ରଣ ରକ୍ଷା କରି ଓଡ଼ିଶା ଗସ୍ତରେ ଆସିଥିଲେ ସିଙ୍ଗାପୁର ରାଷ୍ଟ୍ରପତି। ତାଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତ ଆମପାଇଁ ଯେତିକି ଉତ୍ସାହପ୍ରଦ, ସେତିକି ସମ୍ମାନର ବିଷୟ ଥିଲା। ଏହି ଗସ୍ତର ପ୍ରଭାବ ଅତ୍ୟନ୍ତ ସୁଦୁରପ୍ରସାରୀ ସାବ୍ୟସ୍ତ ହେବାକୁ ଯାଉଛି।

ଆଧୁନିକ ସହରାଞ୍ଚଳ ଯୋଜନାରୁ ଆରମ୍ଭ କରି ନୂତନ ସହର ପ୍ରତିଷ୍ଠା, ପେଟ୍ରୋଲିୟମ, କେମିକାଲ୍ସ, ଗ୍ରୀନ ଏନର୍ଜି, ଖାଦ୍ୟ ପ୍ରକ୍ରିୟାକରଣ, ବାୟୋ-ଟେକ୍ନୋ‌େଲାଜି ଓ ଦକ୍ଷତା ବିକାଶ ପରି ଆଧୁନିକ କ୍ଷେତ୍ରର ବିକାଶ ପାଇଁ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓଡ଼ିଶାକୁ ଆଗକୁ ନେବା ପାଇଁ ଏହା ଏକ ପ୍ରକୃଷ୍ଟ ସମୟ। ପ୍ରଥମ ଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଓଡ଼ିଶାର ବିକାଶ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରହିଛି। ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ଓଡ଼ିଶାର ବିକାଶକୁ ସେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଆସୁଛନ୍ତି। ସେଥିପାଇଁ ଗତ ୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଚାରିଥର ଓଡ଼ିଶା ଗସ୍ତରେ ଆସିଲେଣି। ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ପଞ୍ଚମ ଥର ପାଇଁ ଓଡ଼ିଶା ଆସିବେ ଓ ଉତ୍କର୍ଷ ଓଡ଼ିଶା ସମାବେଶରେ ସାମିଲ ହେବେ। କେନ୍ଦ୍ର ସରକାରଙ୍କ ସହଯୋଗ କାରଣରୁ ଆମର ସମସ୍ତ ବିକାଶମୂଳକ ପଦକ୍ଷେପ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି। ଆଗାମୀ ସମାବେଶରେ ଭାଗ ନେବେ ୫୦୦ ବିଦେଶୀ ପୁଞ୍ଜିନିବେଶକଙ୍କ ସହ ୫୦ ହଜାର ନିବେଶକ। ଭାରତୀୟ ଶିଳ୍ପସଂଘ ଏଥର ଜାତୀୟ ଶିଳ୍ପ ସହଯୋଗୀ ରହିଛନ୍ତି। ୧୨ ରାଷ୍ଟ୍ର ରହିବେ ‘କଣ୍ଟ୍ରି ଇନ୍ ଫୋକସ’। ଆମ ସରକାର ଆସିବା ପରଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିସାରିଛି ଓ ଏସବୁ ପ୍ରକଳ୍ପ ବାସ୍ତବ ରୂପ ନେବା ପରେ, ୧ ଲକ୍ଷ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୫୦ ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି ଏଥିରେ ସାମିଲ ହେବେ।

ଏହି ସମାବେଶରେ ଆଲୋଚନାକୁ ସହଭାଗିତା ଏବଂ ପ୍ରଗତିରେ ରୂପାନ୍ତରିତ କରାଯିବ ଓ ଆମେ ପ୍ରତ୍ୟେକ ଜିଲ୍ଲାରେ ଯେଉଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାର୍କ ବିକଶିତ କରିବା, ଏକ ପ୍ରତ୍ୟକ୍ଷ ନିବେଶ ପାର୍କ, ମଲ୍‌ଟିମୋଡାଲ୍ ଲଜିଷ୍ଟିକ୍ସ ପାର୍କ ଏବଂ ନୂତନ ଶିଳ୍ପ କରିଡର ସ୍ଥାପନ କରିବାର ଯୋଜନା ରଖିଛୁ ତାହାକୁ ବାସ୍ତବରେ ପରିଣତ କରିବା ପାଇଁ ଉତ୍କର୍ଷ ଓଡ଼ିଶା ସମାବେଶ ସହଯୋଗ କରିବ।
ଗତବର୍ଷ ଜୁଲାଇ ମାସରେ ନୀତି ଆୟୋଗ ବୈଠକରେ, ମୁଁ ଓଡ଼ିଶାର ଟେକ୍-ପ୍ରଫେସନାଲସ୍, ଷ୍ଟାର୍ଟଅପ୍ ଇକୋସିଷ୍ଟମ ଓ ସେମିକଣ୍ଡକ୍ଟର ନୀତି ଉଲ୍ଲେଖ କରି ଓଡ଼ିଶାକୁ ଏକ ସେମିକଣ୍ଡକ୍ଟର ହବ୍ ଭାବରେ ପ୍ରତିଷ୍ଠା କରିବାରେ କେନ୍ଦ୍ରର ସମର୍ଥନ ଲୋଡ଼ିଥିଲି। ସେମିକଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆମେ ଶିଳାନ୍ୟାସ କରିଛୁ। ଗତ ଡିସେମ୍ବର ୨୩ ତାରିଖରେ ଗ୍ରୀଡକୋ ଏବଂ ଆଇଫରେଷ୍ଟ ମିଳିତ ଭାବେ ‘ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ’ ଆୟୋଜନ କରି ୨୦୩୦ ସୁଦ୍ଧା ୭.୫ ଗିଗାୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ କରିବାକୁ ସ୍ଥିର କରିବା ଆମର ପ୍ରତିବଦ୍ଧତାକୁ ଦର୍ଶାଏ। ଏହା ରାଜ୍ୟର ୧୦.୯୫ ଗିଗାୱାଟ ଭଳି ବୃହତ୍‌ ଲକ୍ଷ୍ୟ ପୂରଣରେ ସହାୟକ ହେବ। ଆଗାମୀ ଦିନରେ ଓଡ଼ିଶାକୁ ଅକ୍ଷୟ ଶକ୍ତିର ଭଣ୍ଡାର କରିବା ଦିଗରେ ଆମେ ଏଭଳି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରୁଛୁ, ଯାହା ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ।
ଉତ୍କର୍ଷ ଓଡ଼ିଶା ସମାବେଶକୁ ତ୍ରୁଟିଶୂନ୍ୟ ଭାବରେ ଓ ଆକର୍ଷଣୀୟ ଭାବରେ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନଙ୍କ ପାଖରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆମେ ଯତ୍ନବାନ ରହିଛୁ। ଏହା ଦ୍ୱାରା ଆଗାମୀ ଦିନରେ ଓଡ଼ିଶା ଦୀର୍ଘକାଳ ଧରି ପୁଞ୍ଜିନିବେଶକମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିବ। ଜାନୁଆରି ୨୮-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରି ସେସନ, ୧୬ଟି ସେକ୍ଟରାଲ୍ ସେସନ୍ ଓ ୪ଟି ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ। ଏହି ଦୁଇ ଦିନରେ ପ୍ରାୟ ୩୦୦୦ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନେ ଯୋଗଦେବେ।

୨୮ ତାରିଖ ଦିନ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦ୍‌ବୋଧନ ଦେବେ। ୨୦୦୩ ମସିହାରେ ଭାରତରେ ପ୍ରଥମ ଥର ପାଇଁ ‘ଭାଇବ୍ରାଣ୍ଟ ଗୁଜରାଟ’ ନାମରେ ଶିଳ୍ପ ସମ୍ମିଳନୀ କରି ଭାରତରେ ଶିଳ୍ପ ବିପ୍ଳବ ସୃଷ୍ଟି କରିଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିବା ମୋଦୀଜୀ ଓ ତାଙ୍କର ମହତ୍ତ୍ବାକାଂକ୍ଷୀ ପରିକଳ୍ପନା ଅନୁସାରେ ଆଗାମୀ ବର୍ଷମାନଙ୍କରେ ଓଡ଼ିଶା ହେବ ଭାରତ ବର୍ଷର ଅଭିବୃଦ୍ଧି ଇଞ୍ଜିନ। ସେହି ଲକ୍ଷ୍ୟରେ ଅନୁପ୍ରାଣିତ ହୋଇ ଅନୁଷ୍ଠିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଏବଂ ତାଙ୍କର ଗରିମାମୟ ଉପସ୍ଥିତିରେ କାର୍ଯ୍ୟକ୍ରମର ଅୟମାରମ୍ଭ ହେବା ଏକ ଶୁଭ ସୂଚନା। ସେଠାରେ ଉପସ୍ଥିତ ଥିବା ଦେଶ ବିଦେଶର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଯୁବ ଷ୍ଟାର୍ଟଅପ୍ ଏବଂ ୟୁନିକର୍ଣ୍ଣ ଉଦ୍ୟୋଗୀ, ବିଶେଷ ଭାବେ ବିଭିନ୍ନ ରାଜ୍ୟରୁ ଆସି ଯୋଗଦେଇଥିବା ନିମନ୍ତ୍ରିତ ଶିଳ୍ପୋଦ୍ୟୋଗୀ ସଙ୍ଗଠନ କର୍ମକର୍ତ୍ତାମାନେ ଓଡ଼ିଶାରେ ବିପୁଳ ଶିଳ୍ପ-ସମ୍ଭାବନାକୁ ପ୍ରତ୍ୟକ୍ଷ କରିବେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ କିଭଳି ସହଯୋଗ କରିବେ, ତାହା ଉପଲବ୍‌ଧି କରିବେ। ଏହି ଦୁଇ ଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବା ସହିତ ବିଶିଷ୍ଟ ଶିଳ୍ପପତିମାନଙ୍କ ଅଭିଭାଷଣ, ମୋ ସହିତ ବଡ଼ ବଡ଼ ଶିଳ୍ପ ସଂସ୍ଥାର ସି.ଇ.ଓ.ମାନଙ୍କ ଗୋଲ-ଟେବୁଲ ବୈଠକ, ଓଡ଼ିଆ ଉଦ୍ୟୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଅଧିବେଶନ ଏବଂ ପ୍ରତିଷ୍ଠିତ ମହିଳା ବ୍ୟବସାୟ ନେତୃତ୍ବଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏହା ସହିତ ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡ଼ିଆ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଜାନୁଆରି ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଶିଳ୍ପ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ।
ଗତବର୍ଷ ସେପ୍‌ଟେମ୍ବର ୨୭ ତାରିଖରେ ‘ଉତ୍କର୍ଷ ଓଡ଼ିଶା’ର ଲୋଗୋ ମୁଁ ଉନ୍ମୋଚନ କଲାବେଳେ ସମଗ୍ର ବିଶ୍ୱର ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଥିଲି। ଏହା ପୂର୍ବରୁ ଆମେ ଦିଲ୍ଲୀ ଓ ମୁମ୍ବାଇରେ ଅଗ୍ରଣୀ ବ୍ୟବସାୟ ନେତୃତ୍ବଙ୍କ ସହ ଆଲୋଚନା କରିଛୁ। ସେବେଠୁ ‘ଉତ୍କର୍ଷ ଓଡ଼ିଶା-୨୦୨୫’କୁ ସଫଳ ଭାବେ ଆୟୋଜନ କରି ରାଜ୍ୟରେ ବିପୁଳ ପୁଞ୍ଜି ବିନିଯୋଗ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଆସୁଛୁ। ଆଗାମୀ ଦିନରେ ଦେଶର ଆଉ କିଛି ରାଜ୍ୟରେ ମଧ୍ୟ ନିବେଶକ ସମ୍ମିଳନୀ ଲାଗି ଯୋଜନା କରିଛୁ। ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଆମକୁ ଅଧିକ ଉତ୍କର୍ଷ ହାସଲ କରିବାର ଅଛି। ସେଥି ପାଇଁ ଆଗକୁ ଅନେକ କାର୍ଯ୍ୟକ୍ରମ ମଧ୍ୟ କରିବାର ଯୋଜନା ରହିଛି। ଆମେ ଭାରତବର୍ଷର ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ସ୍ବାତନ୍ତ୍ର୍ୟ ପ୍ରଦାନ କରିବୁ। ଆମେ ରାଜ୍ୟବାସୀଙ୍କୁ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାର ପ୍ରତିଶ୍ରୁତି ଦେଇଛୁ ଓ ସେହି ସଫଳତା ପାଇଁ ଆମେ ନିରନ୍ତର ପ୍ରୟାସ କରି ଚାଲିବୁ।

ଉତ୍କର୍ଷ ଓଡ଼ିଶା-୨୦୨୫ କେବଳ ପୁଞ୍ଜି ଆକର୍ଷିତ କରିବ ନାହିଁ; ବରଂ ଏକ ପ୍ରମୁଖ ସ୍ଥଳ ଭାବେ ଏହା ନିବେଶକଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦେବ। ଓଡ଼ିଶା ମାଟିରେ ଏକ ସମୃଦ୍ଧ ବ୍ୟାବସାୟିକ ପରିବେଶ ଗଠନ କରିବା ଆମର ଲକ୍ଷ୍ୟ। ଏହା ସହ ନିରନ୍ତର ସୁଷମ ଶିଳ୍ପ ଅଭିବୃଦ୍ଧି କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଆମର ସମୃଦ୍ଧ ଉତ୍କଳୀୟ ପରମ୍ପରାକୁ ବିକଶିତ କରିବା ପାଇଁ ପ୍ରୟାସରତ ରହିବାକୁ ଆମେ ଅଙ୍ଗୀକାରବଦ୍ଧ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଉତ୍କଳ ଟ୍ୟାନେରି ଯୋତା କାରଖାନାରେ ଉଚ୍ଚ ଗୁଣମାନ ସମ୍ପନ୍ନ ଉତ୍ପାଦନ ହିଁ ଆମର ଅସ୍ମିତାର ପରିଚୟ, ଯାହାକୁ ଆମେ ରକ୍ଷା କରିବାକୁ ଉଦ୍ୟମ କରିବୁ। ଉତ୍କର୍ଷ ଓଡ଼ିଶା-୨୦୨୫ ଆମପାଇଁ କେବଳ ଏକ ସମାବେଶ ନୁହେଁ, ଏକ ସଂକଳ୍ପ। ଏହି ସଂକଳ୍ପ ପୂରଣରେ ସହଯୋଗର ହାତ ବଢ଼ାଇବାକୁ ସମସ୍ତଙ୍କ ସହଯୋଗ କାମନା କରୁଛି। ବନ୍ଦେ ଉତ୍କଳ ଜନନୀ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.