Breaking News

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୦୪/୦୧: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ  ଆୟୋଗ) ୧୨-ବିରେ ଅନ୍ତର୍ଭୁକ୍ତ ପାଇଁ ପୂରା ପ୍ରସ୍ତୁତ ।  କେବଳ ୟୁଜିସି ଅନୁମତି ଓ ଅନୁଦାନକୁ ଅପେକ୍ଷା ।  ଏଥିପାଇଁ ଥିବା ବିଭିନ୍ନ ମାନଦଣ୍ଡ ପୂରଣ କରିବାରେ  ବିଶ୍ୱବିଦ୍ୟାଳୟ ଅନେକ କିଛି ପଦକ୍ଷେପ ନେଇଥିବାରୁ  ଅନୁଦାନ ପାଇବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ  ଆଶାବ୍ୟକ୍ତ କରିଛନ୍ତି ।

ଗତବର୍ଷ ରଜତ ଜୟନ୍ତୀ ପାଳିଥିବା ବିଶ୍ୱବିଦ୍ୟାଳୟ ଶନିବାର ତା’ର ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ କୁଳପତି ପ୍ରଫେସର  ପ୍ରସନ୍ନ କୁମାର ସ୍ୱାଇଁ କହିଛନ୍ତି, ୟୁଜିସି ୧୨-ବି ହାସଲ  ପାଇଁ ଅନେକ କାମ କରିଛୁ । ୨୦ଟି ବିଭାଗରେ ନିୟମିତ  ଶିକ୍ଷାଦାନ ଚାଲିଛି । ୧୫ ଶିକ୍ଷକ, ୪୦ ଅତିଥି ଅଧ୍ୟାପକ,  ୨ ଚେୟାର ପ୍ରଫେସର, ୮ ପ୍ରାକ୍ଟିସ୍‌ ପ୍ରଫେସର୍‌ ରହିଛନ୍ତି ।

ସବୁ ପ୍ରକାରର ଭିତ୍ତିଭୂମି ରହିଛି । ସମଗ୍ର ଭାରତ ବର୍ଷରେ  ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ର । ସେହି ଦୃଷ୍ଟିକୋଣରୁ ୨୦୧୩ରୁ  ୟୁଜିସି ୧୨-ବି ପାଇଁ ଆବେଦନ ହୋଇଥିଲା । ୧୨ ବର୍ଷ  ଭିତରେ ବିଶ୍ୱବିଦ୍ୟାଳୟ ନୂଆ କ୍ୟାମ୍ପସ୍‌କୁ ଯିବା ସହ ବହୁତ  କିଛି ବଦଳି ଯାଇଛି । ଏବେ ପୁଣି ପୁରୁଣା ଚିଠି ଓ ନିୟମକୁ  ନେଇ ସ୍ୱତନ୍ତ୍ରତା ଆଧାରରେ ପୁନଃ ଆବେଦନ କରାଯିବ ।

ସୂଚନାଯୋଗ୍ୟ, ଗତ ୨୦୨୪ ଜୁଲାଇ ମାସ ୨୦  ତାରିଖରେ ୟୁଜିସିର ସଚିବ ପ୍ରଫେସର ମନୀଷ ଆର୍‌.  ଯୋଷୀ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସି ଭୂୟସୀ  ପ୍ରଶଂସା କରି ସକରାତ୍ମକ ମତ ଦେଇଥିଲେ । ୨୦୩୦  ସୁଦ୍ଧା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ପୂର୍ଣ୍ଣାଙ୍ଗ ହେବ । ସେଥିପାଇଁ  ଭିଜନ୍‌-୨୦୩୦ ଅନୁସାରେ ପ୍ରକଳ୍ପ ନିର୍ମାଣ ଆଗେଇ  ଚାଲିଛି । ଏବେ ଛାତ୍ରାବାସ, ଛାତ୍ରୀନିବାସ, ପ୍ରଶାସନିକ  କୋଠା, ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ ହୋଇଛି । ଏହାଛଡ଼ା  ୪ ଗବେଷଣା ଚେୟାରରୁ ୨ଟି ଆଦିକବି ସାରଳା ଦାସ,  ସନ୍ଥକବି ଭୀମଭୋଇ ଚେୟାରର କାମ ଆରମ୍ଭ ହୋଇଛି ।  ସାରଳା ଚେୟାରରେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର,  ଭୀମଭୋଇ ଚେୟାରରେ ପ୍ରଫେସର ନିଶାମଣି କର  ଚେୟାର ପ୍ରଫେସର ନିଯୁକ୍ତ ହୋଇଛନ୍ତି । ଆସନ୍ତା ୬ ମାସ  ଭିତରେ ସାରଳା ଦାସ ଓ ଭୀମଭୋଇଙ୍କ ଉପରେ ୨ଟି  କ୍ଲାସିକ୍‌ ପୁସ୍ତକ ପ୍ରକାଶ ପାଇବ ।

 

 

 

 

 

ସୌଜନ୍ୟ-ପ୍ରମେୟ

 

Comments are closed.