Breaking News

ଉଦୟଗିରିବିହାର ବାସିନ୍ଦା ପ୍ରତାରଣାର ଶିକାର: ଅପନ୍ତରା ଅଞ୍ଚଳରେ ଫିଙ୍ଗିଦେଇଛି ବିଡିଏ

ସହରରେ ରହିବାର ସ୍ବପ୍ନ ଦେଖି ଘର କିଣିଥିଲେ। ବିଡିଏ ବି ସହରର ସମସ୍ତ ସୁବିଧା ସୁଯୋଗ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସୁନ୍ଦର ରାସ୍ତା, ଡ୍ରେନ୍‌, ସ୍ବେରେଜ୍‌ ଆଦି କଲୋନିରେ ରହିବ ବୋଲି ବିଡିଏ କହିଥିଲା।

ଖଣ୍ଡଗିରି: ସହରରେ ରହିବାର ସ୍ବପ୍ନ ଦେଖି ଘର କିଣିଥିଲେ। ବିଡିଏ ବି ସହରର ସମସ୍ତ ସୁବିଧା ସୁଯୋଗ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସୁନ୍ଦର ରାସ୍ତା, ଡ୍ରେନ୍‌, ସ୍ବେରେଜ୍‌ ଆଦି କଲୋନିରେ ରହିବ ବୋଲି ବିଡିଏ କହିଥିଲା। ତତ୍କାଳୀନ ରାଜଧାନୀ ଉପକଣ୍ଠ ଓ ୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ରହିବା ପାଇଁ ଭଲ କଲୋନିଟିଏ ପାଇବା ଆଶା ଓ ବିଡିଏର ଆକର୍ଷଣୀୟ ଅଫର୍ ସେଠାରେ ଘର କିଣିବାକୁ ଏକପ୍ରକାର ପ୍ରଲୋଭିତ କରିଥିଲା। ତେଣୁ ୧୭୦ ପରିବାର ଜମି ଓ ଘର କିଣିନେଲେ। ମାତ୍ର ପରେ ସେମାନଙ୍କୁ କୌଣସି ମୌଳିକ ସୁବିଧା ମିଳିଲା ନାହିଁ। ସୁବିଧା କହିଲେ ମିଳିଛି କେବଳ ରାସ୍ତା। ତାହାବି ଥାଇ ନଥିବା ଭଳି। ଗାଁ ରାସ୍ତାଠାରୁ ହୀନ। ଯେଉଁ ଡ୍ରେନ୍‌ ଅଛି ତାହାବି ପୋତି ହୋଇଯାଇଛି। ଘର ଡ୍ରେନ୍‌ ପାଣି ଯିବାକୁ ବାଟ ନାହିଁ। ଏ ସଂକ୍ରାନ୍ତରେ ବର୍ଷ ବର୍ଷ ଧରି କଲୋନିବାସୀ ଅଭିଯୋଗ କରୁଛନ୍ତି। ବିଡିଏରୁ ବିଏମ୍‌ସି ପର୍ଯ୍ୟନ୍ତ ଧାଉଁଛନ୍ତି। କିନ୍ତୁ ଫଳ ଶୂନ। ବିଭିନ୍ନ ସହରୀ ଟିକସ ଗଣିବାରେ କଲୋନିବାସୀଙ୍କୁ ଛାଡ୍‌ ନାହିଁ। ଅଥଚ ତାଙ୍କୁ ଫିଙ୍ଗି ଦିଆଯାଇଛି ଏକ ଅପନ୍ତରା ଇଲାକାରେ। ଏମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଉଦୟଗିରିବିହାର ଅଧିବାସୀ।

ସରୁନି ୧୭୦ ପରିବାର ଦୁଃଖ
ଉତ୍କଟ ହେଲାଣି ଡ୍ରେନ୍‌ ଓ ସ୍ବେରେଜ୍‌ ସମସ୍ୟା

ବିଏମ୍‌ସି ୬୫ ନମ୍ବର ୱାର୍ଡ ଅଧୀନରେ ରହିଥିବା ଏହି ଉଦୟଗିରିବିହାର କଲୋନିରେ ୮ ଶହରୁ ଅଧିକ ପରିବାର ରହୁଛନ୍ତି। ଯାହାମଧ୍ୟରୁ କେବଳ ବିଡ଼ିଏ କଲୋନିରେ ୧୪୦ ଏମ୍‌ଆଇଜି ଓ ୩୦ ଏଲ୍‌ଆଇଜି ଘର ରହିଛି। ଏଠାକା‌ର ଲୋକେ ୨୦୦୨ ମସିହାରୁ ଘର କିଣିଥିବା ବେଳେ ୨୦୦୪ ମସିହାରୁ ରହିବା ଆରମ୍ଭ କରିଲେଣି। ହେଲେ ୨୧ ବର୍ଷ ପରେ ମଧ୍ୟ ଏହି ୧୭୦ ଘ‌ରେ ରହୁଥିବା ଲୋକଙ୍କ ଅବସ୍ଥା ବଡ଼ ଶୋଚନୀୟ। ଅଞ୍ଚଳରେ ସ୍ବେ‌ରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ହୋଇନି। ବର୍ଷ ବର୍ଷ ହେଲା ଲୋକେ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରି ଏହାକୁ ସଫା କରୁଛନ୍ତି। କଲୋନି ନିର୍ମାଣ ପରଠାରୁ ଏଠାରେ ଥିବା ଡ୍ରେନ୍‌ ମରାମତି ବା ସଫେଇ ହୋଇନାହିଁ। ଫଳରେ ଡ୍ରେନ୍‌ ବହୁ ସ୍ଥାନରେ ପୋତି ହୋଇଗଲାଣି। କେଉଁଠି ନର୍ଦ୍ଦମା ପାଣି ରାସ୍ତାକୁ ଉଛୁଳି ଆସୁଛି ତ କେଉଁଠି ଡ୍ରେନ୍‌ ଭାଙ୍ଗିଯାଇଥିବାରୁ ଘରର ସମସ୍ତ ଅଳିଆ ପାଣି ଘର ଆଗରେ ଜମି ରହୁଛି। ଗତ କିଛି ମାସ ହେଲା ଅଳିଆ ଆବର୍ଜନା ଉଠୁଛି, କିନ୍ତୁ ସେସବୁକୁ କଲୋନିର ଗୋଟିଏ ସ୍ଥାନରେ ଗଦା କରି ଛାଡ଼ି ଦିଆଯାଉଛି। ଫଳରେ ପଚାସଢ଼ା ଗନ୍ଧରେ କଲୋନିବାସୀ ଅତିଷ୍ଠ ହୋଇ ପଡ଼ୁଛନ୍ତି।

ବଡ଼ କଥା ‌ହେଉଛି ସମସ୍ତ ସୁବିଧା ଯୋଗାଇ‌ବା ପାଇଁ ବିଏମ୍‌ସି ୨୦୦୫ ମସିହାରୁ ଘର ପିଛା ୨ରୁ ଅଢ଼େଇ ହଜାର ହେଲ୍‌ଡିଂ ଟିକସ ଗଣି ନେଉଛି। ହେଲେ ସୁବିଧା ‌ଯୋଗାଇ ଦେଉନି। ଅଞ୍ଚଳର ଉନ୍ନୟନ ସଂଘର ଉପଦେଷ୍ଟା ଚନ୍ଦ୍ରଶେଖର ରାଓଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ଡ୍ରେନ୍‌ ପାଣିକୁ ନିକଟରେ ଥିବା ଖଣିକୁ ଛଡ଼ା ଯାଉଥିଲା। ଏହାର ଆଉଟ୍‌‌ଲେଟ୍‌ କେଉଁଠାରେ ଖୋଲାଯିବ ସେ ନେଇ କାହା‌ ପାଖରେ କିଛି ଉତ୍ତର ନାହିଁ। ସହରରେ ଡ୍ରେନ୍‌ ଭଳି ମୌଳିକ ସୁବିଧା ନମିଳିବା ବଡ଼ ଦୁଃର୍ଭାଗ୍ୟଜନକ ଘଟଣା। ସେମାନଙ୍କୁ ବିଏମ୍‌ସି ସବୁବେଳେ ସାବତ ପୁଅ ଭଳି ‌ଦେଖି ଆସୁଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ଅଞ୍ଚଳର ଜଣେ ବରିଷ୍ଠ ନାଗରିକଙ୍କ ଅଭିଯୋଗ ଯେ ସହରରେ ଘର କରିଥିଲେ ମଧ୍ୟ ଗାଁଠାରୁ କଦର୍ଯ୍ୟ ଅବସ୍ଥାରେ ସେମାନେ ରହୁଛନ୍ତି। ପୂର୍ବରୁ ବିଡିଏ ଯେଉଁ ସ୍ଥାନରେ ରାସ୍ତା ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା, ସେସବୁ ଜମି ଆଉ ଅଛି କି ନା, ଜଣାନାହିଁ। ଘର ସମ୍ମୁଖରେ ଡ୍ରେନ୍‌ ପୋତି ଯାଇଥିବାରୁ ନିଜେ ଟଙ୍କା ଖର୍ଚ୍ଚ କରି ଖୋଳିଛୁ ହେଲେ ମଇଳା ପାଣି ଯିବାକୁ ବାଟ ନାହିଁ। ସେହିପରି ପାଣି‌ଟାଙ୍କି ପଛ ୨ ଏକର ଖଣି ସ୍ଥାନ ଏବେ ବଡ଼ ବିପଦ ହୋଇ ଛିଡ଼ା ହେଲାଣି। ବଡ଼ ଖାଲରେ ଲୋକ ମଇଳା ପକାଇ ପୋତି ସାରିଲେଣି। ସ୍ଥାନୀୟ କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀଙ୍କ କହିବା କଥା, ଡ୍ରେନ୍ ତିଆ‌ରି ନେଇ ବଏମ୍‌ସି‌କୁ ବାରମ୍ବାର କୁହାଯାଇଛି। ଏହାର କାମ ଆରମ୍ଭ ନେଇ ସମସ୍ୟା ରହିଛି। ‌ଲୋକେ ଡ୍ରେନ୍‌ ଉପରେ ଘରର ପାଚେରି କରିଛନ୍ତି। ତେଣୁ ନିର୍ମାଣ କରିବାକୁ ସମୟ ଲାଗିବ ବୋଲି କର୍ପୋରେଟର କହିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.