Breaking News

ଉଧେଇପାରୁନି ଆଇଆଇଆଇଟି: ୧୮ ବର୍ଷ ପରେ ବି ନିୟମିତ ହେଉନାହାନ୍ତି କର୍ମଚାରୀ

ବର୍ଷ ପରେ ବର୍ଷ ଗଡ଼ୁଛି। ଜଣଙ୍କ ପରେ ଜଣେ ନିର୍ଦ୍ଦେଶକ ବଦଳୁଛନ୍ତି। ମାତ୍ର ନିୟମିତ ହେଉନାହାନ୍ତି କର୍ମଚାରୀ। ୧୮ ବର୍ଷ ହେଲା ନିଜ ଜୀବନକୁ ପାଣି ଛଡ଼ାଇ ଶିକ୍ଷାନୁଷ୍ଠାନ ଉନ୍ନତି ପାଇଁ କାମ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି।

ଭୁବନେଶ୍ବର: ବର୍ଷ ପରେ ବର୍ଷ ଗଡ଼ୁଛି। ଜଣଙ୍କ ପରେ ଜଣେ ନିର୍ଦ୍ଦେଶକ ବଦଳୁଛନ୍ତି। ମାତ୍ର ନିୟମିତ ହେଉନାହାନ୍ତି କର୍ମଚାରୀ। ୧୮ ବର୍ଷ ହେଲା ନିଜ ଜୀବନକୁ ପାଣି ଛଡ଼ାଇ ଶିକ୍ଷାନୁଷ୍ଠାନ ଉନ୍ନତି ପାଇଁ କାମ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏ ଅଫିସ୍‌ରୁ ‌ସେ ଅଫିସ୍‌କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ତା’ପରେ ମଧ୍ୟ କେହି ଶୁଣୁନାହାନ୍ତି। ବିଧାୟକ, ମନ୍ତ୍ରୀ, ସଚିବଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇନାହାନ୍ତି ୬୦ରୁ ଅଧିକ କର୍ମଚାରୀ। ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ବିଭାଗ ଅଧୀନରେ ଭୁବନେଶ୍ବର ଉପକଣ୍ଠରେ ଥିବା ଇଣ୍ଟରନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମମେସନ ଟେକ୍ନୋଲୋଜି(ଆଇଆଇଆଇଟି)ରେ ଏଭଳି ସମସ୍ୟା ସୃଷ୍ଟି ହେଉଛି।

କେବଳ ସେତିକିରେ ସମସ୍ୟା ସରିନି। ଅଧ୍ୟାପକ ଅଭାବରୁ ପାଠପଢ଼ା ମଧ୍ୟ ପ୍ରଭାବିତ ହେଲାଣି। ୨୦୦୬ରେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ୨୦୧୪ରେ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଥିଲେ। ଆଇଆଇଟି, ଏନ୍‌ଆଇଟି ପରି ଶିକ୍ଷାନୁଷ୍ଠାନ ଭାବେ ଏହାକୁ ଗଢ଼ି ତୋଳିବାକୁ ଏଠାରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ‌ରେ ଗୁଣାତ୍ମକ ଶିକ୍ଷାପ୍ରଦାନ ଦିଗରେ ପଦକ୍ଷେପ ନିଆଯାଇଥିଲା। ଏବେ ୧୪୦୦ ଛାତ୍ରଛାତ୍ରୀ ବି.ଟେକ୍‌, ଏମ୍‌.ଟେକ୍‌ ଓ ପିଏଚ୍‌ଡି ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଛନ୍ତି। ପାଖାପାଖି ୧୦୦ ଜଣ କର୍ମଚାରୀ ରହିଛନ୍ତି। ସେଥିମଧ୍ୟରେ ୩୦ଜଣ ନିୟମିତ ଓ ୧୦ ଜଣ ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କ ସମେତ ୬୦ଜଣ ଅଣ-ଶିକ୍ଷକ କର୍ମଚାରୀ ରହିଛନ୍ତି। ଅଣଶିକ୍ଷକଙ୍କ ମଧ୍ୟରେ ୪୦ଜଣ ଚୁକ୍ତିଭିତ୍ତିକ ଓ ୨୦ଜଣ ଆଉଟ୍‌ସୋର୍ସିଂ ରହିଛନ୍ତି, ଯେଉଁମାନେ କି ଶିକ୍ଷାନୁଷ୍ଠାନ ଉନ୍ନତି ଲାଗି ଦିନରାତି କାମ କରୁଛନ୍ତି। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଚ୍ଚଶିକ୍ଷିତ ଥିବା ଏଠାକାର ଅଧ୍ୟାପକ ନିଷ୍ଠାପର ଭାବେ ପିଲାଙ୍କୁ ଶିକ୍ଷାଦାନ ଯୋଗୁଁ ଅନେକ ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରମୁଖ କମ୍ପାନିରେ କାମ ପାଇଛନ୍ତି। ଶିକ୍ଷାଦାନ ଓ ଭିତ୍ତିଭୂମି ବିକାଶ ଦିଗରେ କର୍ମଚାରୀମାନଙ୍କର ଅବଦାନ ମଧ୍ୟ କିଛି କମ୍‌ ନାହିଁ। ଏତେ ସବୁ ପରେ ମଧ୍ୟ ଅଣ-ଶିକ୍ଷକ କର୍ମଚାରୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।

୧୮ ବର୍ଷ ପରେ ବି ନିୟମିତ ହେଉନାହାନ୍ତି କର୍ମଚାରୀ
ଅଧ୍ୟାପକ ଅଭାବ, ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ
ନାକ୍‌, ଏନ୍‌ଆଇଆର୍‌ଏଫ୍‌ରେ ଭାଗ ନେଇପାରୁ ନାହିଁ

ଆଇଆଇଆଇଟି ଭୁବନେଶ୍ବରର ପ୍ରାଶାସନିକ ପଦବିରେ ଯେଉଁ ଅଧିକାରୀମାନେ ନିଯୁକ୍ତ ହେଉଛନ୍ତି ସେମାନେ କର୍ମଚାରୀଙ୍କ କ୍ୟାରିୟର ବିକାଶ ଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି। ଯୋଗ୍ୟତା ଥାଇ ମଧ୍ୟ ଉପଯୁକ୍ତ ଦରମା ଓ ପଦବି ମିଳୁ ନ ଥିବାରୁ ପ୍ରଫେସରମାନେ ଛାଡ଼ି ପଳାଇ ଯାଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ୨୦ରୁ ଅଧିକ ଅଧ୍ୟାପକ ଏହି ଶିକ୍ଷାନୁଷ୍ଠାନ ଛାଡ଼ି ଏନ୍‌ଆଇଟି ଓ ନାମକରା ବିଶ୍ବବିଦ୍ୟାଳୟକୁ ଚାଲିଗଲେଣି। ଆଉ କିଛି ଯିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ୮ ବର୍ଷ ହେଲା ଏଠାରେ ନୂତନ ନିଯୁକ୍ତି ନାହିଁ କି ଏଦିଗରେ ଆଦୌ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଯେଉଁମାନେ ଚାକିରି ଛାଡ଼ିଛନ୍ତି ସେମାନଙ୍କ ପଦବି ଏପର୍ଯ୍ୟନ୍ତ ପୂରଣ ହୋଇନି। ଏବେ ୩୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଅଧ୍ୟାପକ ରହିଛନ୍ତି। ଯେତେବେଳେ କି ଏଆଇସିଟିଇ ନିୟମରେ ୧୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଅଧ୍ୟାପକ ରହିବା କଥା। ଏହାଦ୍ବାରା ଗୁଣାତ୍ମକ ଶିକ୍ଷାଦାନ ପ୍ରଭାବିତ ହେଉଛି। ନାକ୍‌, ଏନ୍‌ଆଇଆରଏଫ୍‌ ସମେତ ଅନ୍ୟାନ୍ୟ ଜାତୀୟ ସ୍ତରୀୟ ରୢାଙ୍କିଙ୍ଗ୍‌ରେ ଶିକ୍ଷାନୁଷ୍ଠାନ ଆଦୌ ଭାଗ ନେଇପାରୁ ନାହିଁ। ୨୦୨୩ ଫେବ୍ରୁଆରିରେ ବସିଥିବା ବୋର୍ଡ ଅଫ୍‌ ଗର୍ଭର୍ଣ୍ଣିଂ(ବିଓଜି) ବୈଠକରେ ପଦୋନ୍ନତି, ନୂତନ ଅଧ୍ୟାପକ ନିଯୁକ୍ତି ପାଇଁ ନିୟମାବଳୀ ହୋଇଥିଲେ ମଧ୍ୟ ତାହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇପାରି ନାହିଁ। ଶିକ୍ଷାନୁଷ୍ଠାନର ଆକାଉଣ୍ଟସ୍‌, ଲାଇବ୍ରେରି, ଲାବରେଟୋରି, ନିଯୁକ୍ତି ଅଫିସ୍‌, ପରୀକ୍ଷା ପରିଚାଳନା ସମେତ ପ୍ରାଶାସନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣ-ଶିକ୍ଷକ କର୍ମଚାରୀ ବହୁତ କମ୍‌ ଦରମାରେ କାମ କରୁଛନ୍ତି। ଏକ ଦଶନ୍ଧି ଧରି ସମାନ ପଦବିରେ ଚାକିରି ପରେ ମଧ୍ୟ କୌଣସି ପ୍ରକାର ଉନ୍ନତି ହେଉ ନାହିଁ। କର୍ମଚାରୀଙ୍କ ସମସ୍ୟାର ସମାଧାନ ଦିଗରେ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ।
ସୌଜନ୍ୟ-ସମ୍ୱାଦ

Comments are closed.