Breaking News

ଉପକଣ୍ଠରେ ପ୍ରଶାସନର ସତର୍କତା

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ବାଲିଅନ୍ତା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ଜିଲ୍ଲାପାଳଙ୍କ ବୈଠକର ନିଷ୍ପତ୍ତି ଅନୁସାରେ ଆଜି ପୂର୍ବାହ୍ନରେ ବ୍ଲକ ସଭାକକ୍ଷରେ ବିଡିଓ ପବିତ୍ର କୁମାର ସାମଲ ବ୍ଲକରେ କାର୍ଯ୍ୟରତ ସମସ୍ତ ଲାଇନ୍‌ ଡିପାର୍ଟମେଣ୍ଟର...

0

ବ‌ାଲିଅନ୍ତା/ ବାଲିପାଟଣା/ ବାରଙ୍ଗ/ତ୍ରିଶୁଳିଆ: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ବାଲିଅନ୍ତା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ଜିଲ୍ଲାପାଳଙ୍କ ବୈଠକର ନିଷ୍ପତ୍ତି ଅନୁସାରେ ଆଜି ପୂର୍ବାହ୍ନରେ ବ୍ଲକ ସଭାକକ୍ଷରେ ବିଡିଓ ପବିତ୍ର କୁମାର ସାମଲ ବ୍ଲକରେ କାର୍ଯ୍ୟରତ ସମସ୍ତ ଲାଇନ୍‌ ଡିପାର୍ଟମେଣ୍ଟର ଅଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ ବିଭିନ୍ନ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଅତିରିକ୍ତ ବିଡିଓ, ବ୍ଲକ ଯୋଗାଣ ବିଭ‌ାଗ ନିରୀକ୍ଷକ, ବିଭିନ୍ନ ପଞ୍ଚାୟତର ଗ୍ରାମ ରୋଜକାର ସେବକଙ୍କ ସହିତ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ନେଇ କି ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯିବ ସେନେଇ ପ୍ରଶିକ୍ଷଣ ଦେଇଥିଲେ। ବିଭିନ୍ନ ପଞ୍ଚାୟତ ସରପଞ୍ଚଙ୍କ ସହ ଯୋଗାଯୋଗ କରି ଏନେଇ ଆଲୋଚନା କରିଥିଲେ। ଅପରପକ୍ଷରେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଅଗ୍ନିଶମ ସେବା ବାହିନୀ ଟିମ୍‌ ରାସ୍ତା ସଫା କରିବା ପାଇଁ କଟର, ଟର୍ଚ୍ଚ ଓ ସିଡ଼ି ‌ଧରି ପେଟ୍ରୋଲିଂ କରିବ ବୋଲି ସୂଚନା ମିଳିଛି। ସେହିପରି ପଲିଥିନ୍‌ ତଳେ ରହୁଥିବା ପରିବାରକୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଓ ସେମାନଙ୍କ ରହିବା ଓ ଖାଇବା ଲାଗି ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକ ଯୋଗାଣ ନିରୀକ୍ଷକ ସ୍ନେହାଞ୍ଜଳି ସ୍ବାଇଁଙ୍କ ସୂଚନା ଅନୁସାରେ ବ୍ଲକ ଅଞ୍ଚଳରେ ଥିବା ମୋଟ ୨୪ ହଜାର ୬୬ ଜଣ ରାସନ କାର୍ଡଧାରୀଙ୍କ ଲାଗି ଅଗ୍ରୀମ ୩ ମାସ ଲାଗି ରାସନ ସାମଗ୍ରୀ ଯୋଗାଇ ଦିଆଯିବ।

ସମ୍ଭ୍ୟାବ୍ୟ ବାତ୍ୟାର ମୁକାବଲା ପାଇଁ ବାଲିପାଟଣା ପଞ୍ଚାୟତ ସମିତି ସଭଗୃହରେ ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷା ହରପ୍ରିୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀ ଜିଲ୍ଲା ପ୍ରସ୍ତୁତି ବୈଠକର ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବା ସହ ଖାଲୁଆ ସ୍ଥାନରେ ରହିଥିବା ଲୋକଙ୍କୁ ୨୩  ତାରିଖ ସନ୍ଧ୍ୟା ସୁଦ୍ଧା ଆଶ୍ରୟସ୍ଥଳ ଓ ନିକଟସ୍ଥ ବିଦ୍ୟାଳୟମାନଙ୍କୁ ସ୍ଥାନାନ୍ତର କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା, ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ବୃଦ୍ଧ,  ପ୍ରସୂତି, ନବଜାତ ଶିଶୁଙ୍କୁ ସୁରକ୍ଷା ଯୋଗାଇବା ଓ ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ସେବା ଯୋଗାଇଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର କଳ୍ପନା ଦାଶ, ବ୍ଲକ ଶିକ୍ଷା ଅଧିକାରୀ ବିଜୟ ବେହେରା, ସ୍ବାସ୍ଥ୍ୟ ଅଧିକାରୀ ଡା. ଶ୍ରୀକାନ୍ତ ବେହେରା, ଅଗ୍ନିଶମ ଅଧିକାରୀ ଜ୍ୟୋତି ପ୍ରକାଶ ରଥ, ଯୋଗାଣ ଅଧିକାରୀ ନେତ୍ରାନନ୍ଦ ବେହେରା, ପ୍ରାଣୀ ଚିକିତ୍ସକ ଡା ଦୁର୍ମନ୍ ବେହେରା, ପୋଲିସ ଏସଆଇ ରାକେଶ ସାମଲ, ଆଇସିଡିଏସର ସ୍ନେହଲତା ସାହୁ, ବନବିଭାଗ ଅଧିକାରୀ ରେଶମା ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ, ପବିତ୍ର ମୋହନ ପଟେଲ, ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ। ସାମାଜିକ ସୁରକ୍ଷା ଅଧିକାରୀ ଦିବ୍ୟଜ୍ୟୋତି ଭୂତିଆ କାର୍ଯ୍ୟକ୍ରମ ପରିଚାଳନା ଓ ସଂଗ୍ରାମ କେଶରୀ ଦାସ ସହଯୋଗ କରିଥିଲେ।

ସେହିପରି ବାତ୍ୟା ‘ଦାନା’ର ମୁକାବିଲା ପାଇଁ ବାରଙ୍ଗ ବ୍ଲକ୍ ଅଞ୍ଚଳରେ କିଭଳି ପ୍ରସ୍ତୁତି କରାଯାଇଛି ତା’ର ସମୀକ୍ଷା କରିଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍ ) ଶିବ ଟୋପୋ। ବାରଙ୍ଗ ବ୍ଲକ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ବିଡିଓ ଧର୍ମରଞ୍ଜନ ପଣ୍ଡା, ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ଦଳାଇ, ବାରଙ୍ଗ ତହସିଲଦାର ତୁଷାର ଜ୍ୟୋତି ରଞ୍ଜନ, ବାରଙ୍ଗ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ସହକାରୀ ଯନ୍ତ୍ରୀ ଆଦିତ୍ୟ ନାରାୟଣ ମିଶ୍ରଙ୍କ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ କି ପ୍ରକାର ପଦକ୍ଷପ ନେବାର ବ୍ୟବସ୍ଥା ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଛନ୍ତି। ବ୍ଲକ୍‌ର କୁରାଙ୍ଗ ପ୍ରଧାନ ପଞ୍ଚାୟତର ଗୁଆଳି ଠାରେ ଗୋଟିଏ ଆଶ୍ରୟସ୍ଥଳୀ ରହିଛି। ଅନ୍ୟ ୧୫ଟି ପଞ୍ଚାୟତରେ ଗୋଟିଏ ଲେଖାଏଁ ଅସ୍ଥାୟୀ ଆଶ୍ରୟସ୍ଥଳ କରାଯାଇଛି। ବ୍ଲକ୍‌ର ଯେଉଁ ପଞ୍ଚାୟତର ଦାୟିତ୍ୱରେ ଯେଉଁ କନିଷ୍ଠ ଯନ୍ତ୍ରୀମାନେ ରହିଛନ୍ତି ସେମାନଙ୍କୁ ସେଠାର ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି। ସବୁ ଆଶ୍ରୟସ୍ଥଳ ପାଇଁ ଜଣେ ଲେଖାଏଁ ବରିଷ୍ଠ ଶିକ୍ଷକଙ୍କୁ ଦାୟିତ୍ୱରେ ରଖାଯାଇଛି। ସେମାନେ ଆଶ୍ରୟସ୍ଥଳଗୁଡ଼ିକର ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରି ନୋଡାଲ ଅଫିସରଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ ବାତ୍ୟା ସ୍ଥିତିକୁ ଦେଖି ଲୋକମାନଙ୍କୁ ଆଶ୍ରୟସ୍ଥଳକୁ ପଠାଇବାକୁ କୁହାଯାଇଛି। ପିଇଓ ନିରାକାର ମିଶ୍ର ବୈଠକର ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ସହାୟକ ସାରଦା ପ୍ରସନ୍ନ ଦାସ ସହଯୋଗ କରିଥିଲେ।

ଅପରପକ୍ଷରେ ବାରଙ୍ଗ ଅଗ୍ନିଶମ ବିଭାଗର କେନ୍ଦ୍ର ଅଧିକାରୀ ଭୀମସେନ ଲେଙ୍କାଙ୍କ ତତ୍ତ୍ବାବଧାନରେ କର୍ମଚାରୀଙ୍କୁ ନେଇ ପ୍ରସ୍ତୁତି ଚାଲିଛି। ରାସ୍ତାରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ସହ ରାସ୍ତା ଘାଟ ଉପରେ ବଡ଼ ବଡ଼ ଗଛ ଭାଙ୍ଗି ଯେପରି ଯୋଗଯୋଗ ବିଚ୍ଛିନ୍ନ ନହୁଏ ତା’ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥି ପାଇଁ ବୋଟ୍‌, କରତ, କଟର ମେସିନ, ଇନଫ୍ରା ଟେବୁଲ ଲାଇଟ (ଆସ୍କା ଲାଇଟ), ଜେନେରେଟର ଆଦି ସମସ୍ତ ଆନୁସାଙ୍ଗିକ ସରଞ୍ଜାମ ବ୍ୟବସ୍ଥା କରାଯାଇଛି। ଏହି ଟିମ୍‌ରେ ଜଣେ ଡ୍ରାଇଭର, ଜଣେ ହାବିଲଦାର, ୪ଜଣ ଆଗ୍ନିକ ସାମିଲ ହୋଇଛନ୍ତି। ଦରକାର ପଡ଼ିଲେ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି ଶ୍ରୀଲେଙ୍କା ସୂଚନା ଦେଇଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.