Breaking News

ଉପକାରୀ ଅଁଳା

ଭାରତରେ ଶୀତଋତରେ ପ୍ରଚୁର ଅଁଳା ବଜାରକୁ ଆସିଥାଏ। ହାତପାହାନ୍ତାରେ ସହଜରେ ମିଳୁଥିବା ଏହି ଛୋଟିଆ କୋଳିଟି ଆମ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଏକ ବରଦାନ କହିଲେ ଅତ୍ୟୁକ୍ତି ହେବନାହିଁ। ଗୋଟିଏ ଅଁଳାରେ ୬୦୦ରୁ ୭୦୦ ମିଲିଗ୍ରାମ୍‌ ଭିଟାମିନ୍‌-ସି ରହିଥାଏ।

ଭାରତରେ ଶୀତଋତରେ ପ୍ରଚୁର ଅଁଳା ବଜାରକୁ ଆସିଥାଏ। ହାତପାହାନ୍ତାରେ ସହଜରେ ମିଳୁଥିବା ଏହି ଛୋଟିଆ କୋଳିଟି ଆମ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଏକ ବରଦାନ କହିଲେ ଅତ୍ୟୁକ୍ତି ହେବନାହିଁ। ଗୋଟିଏ ଅଁଳାରେ ୬୦୦ରୁ ୭୦୦ ମିଲିଗ୍ରାମ୍‌ ଭିଟାମିନ୍‌-ସି ରହିଥାଏ। ଏହା ହୃଦୟର ସ୍ବାସ୍ଥ୍ୟ ଭଲରଖେ। କୋଲେଷ୍ଟେରୋଲ୍‌ କମ୍‌ କରେ, କ୍ୟାନ୍‌ସର୍‌ ନିରୋଧୀ, କେଶ ଝଡ଼ିବା ରୋକେ ଓ କେଶ ବୃଦ୍ଧି କରେ, ତ୍ବଚାକୁ ଉଜ୍ଜଳ କରେ, ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ। ହଜମ ଶକ୍ତି ଓ ରୋଗପ୍ରତିରୋଧକ ଶକ୍ତି ବଢ଼ାଏ, ମସ୍ତିଷ୍କ ବିକାଶରେ ସାହାଯ୍ୟ କରେ। ଏଣୁ ସମସ୍ତେ ଏହାକୁ ଖାଇବା ଦରକାର। ଅଁଳାରେ ସହଜରେ ହୋଇପାରୁଥିବା କେତୋଟି ସ୍ବାଦିଷ୍ଠ ରନ୍ଧନ ପ୍ରଣାଳୀ ଆସନ୍ତୁ ଜାଣିବା…

 ଅଁଳା କ୍ୟୁବ୍‌: ଏକ କିଲୋ ଅଁଳାକୁ ଗ୍ରେଟର୍‌ରେ କୋରି ଦିଅନ୍ତୁ ବା ଗ୍ରାଇଣ୍ଡର୍‌ରେ ବାଟିଦିଅନ୍ତୁ। ମସ୍‌ଲିନ୍‌ କପଡ଼ାରେ ଚିପୁଡ଼ି ରସ ବାହାର କରନ୍ତୁ। ଏହି ରସକୁ ଆପଣ ଆଇସ୍‌ ଟ୍ରେରେ ଢାଳି ବରଫ କରିଦିଅନ୍ତୁ। ଖଣ୍ଡଗୁଡ଼ିକୁ ଗୋଟିଏ ଜିପ୍‌ଲ୍ୟାପ୍‌ ପ୍ୟାକେଟ୍‌ରେ ପୁରେଇ ଫ୍ରିଜ୍‌ରେ ସଂରକ୍ଷଣ କରନ୍ତୁ। ଦରକାର ସମୟରେ ଗୋଟିଏ କ୍ୟୁବ୍‌କୁ ପାଣିରେ ପକେଇ ପିଅନ୍ତୁ। ‌େତବେ ଅଧିକ ଉପକାର ପାଇବା ପାଇଁ ଆପଣ ଅଁଳା ସହିତ ଶୀତ‌ଦିନେ ଅମଳ ହୋଇଥିବା କଞ୍ଚାହଳଦୀ, ପୋଦିନା ପତ୍ର, ଭୁର୍ସୁଙ୍ଗ ପତ୍ର, ଧନିଆ ପତ୍ର, ଅଦା, ଗୋଲମରିଚ ଇତ୍ୟାଦି ଆବଶ୍ୟକ ପରିମାଣରେ ମିଶାଇ ଗ୍ରାଇଣ୍ଡ୍‌ କରି କ୍ୟୁବ୍‌ ବନେଇ ସକାଳେ ଖାଲିପେଟରେ ପିଇପାରିବେ। ଅଁଳାର ଖଦଡ଼ ଅଂଶକୁ ନ ଫିଙ୍ଗି ଶୁଖେଇ ଗୁଣ୍ଡ କରି ମେହେନ୍ଦୀରେ ମିଶାଇ କେଶରେ ଲଗାଇ ପାରିବେ।

 ଅଁଳା କ୍ୟାଣ୍ଡି: ଏକ କିଲୋ ତାଜା ଅଁଳା ନେଇ ତାକୁ ଭଲକରି ଧୋଇ ଶୁଖିଲା କପଡ଼ାରେ ପୋଛି ଷ୍ଟିମର୍‌ରେ ରଖି ବାମ୍ଫ ଦ୍ବାରା ସିଝେଇ ଦିଅନ୍ତୁ। ଦେଖିବେ ୧୦/୧୨ମିନିଟ୍‌ ପରେ ଅଁଳା ନରମ ହୋଇ ପାଖୁଡ଼ା ଟିକେ ଦବେଇଲେ ଖୋଲିଯାଉଥିବ, ତେବେ ସେତେବେଳେ ଅଁଳାକୁ ତଳକୁ ଓହ୍ଲେଇ ଥଣ୍ଡାକରି ତା’ର ମଂଜି ବାହାର କରିଦିଅନ୍ତୁ। ଏକ କେଜି ବା ଅଁଳାର ସମାନ ପରିମାଣରେ ମିଶ୍ରି ନେଇ ତାକୁ ହେମଦସ୍ତାରେ ଦରଛେଚା କରି ମିଶ୍ରି ଭିତରେ ଥିବା ଧଳା ସୂତାକୁ ବାହାର କରି ଗ୍ରାଇଣ୍ଡର୍‌ରେ ଫାଇନ୍‌ ପାଉଡର୍‌ କରିଦିଅନ୍ତୁ। ଏଥର ଅଁଳାକୁ ବିନା ପାଣିରେ ଗ୍ରାଇଣ୍ଡର୍‌ରେ ଚିକ୍କଣ କରି ବାଟିଦିଅନ୍ତୁ। ଏଥର ନନ୍‌ଷ୍ଟିକ୍‌, ଷ୍ଟିଲ୍‌ ବା ମାଟି କଡ଼େଇ ବସେଇ ସେଥିରେ ଅଁଳା ମିଶ୍ରଣକୁ ଢାଳିଦିଅନ୍ତୁ। ସେଥିରେ ମିଶ୍ରି ଗୁଣ୍ଡ ମିଶାନ୍ତୁ, ମିଶ୍ରଣ ଯେମିତି ତଳେ ନଲାଗିବ ସେଥିପ୍ରତି ଧ୍ୟାନ ରଖିବେ। ୭/୮ ମିନିଟ୍‌ ପରେ ମିଶ୍ରଣ ଟିକେ ଗାଢ଼ ହୋଇ ଆସିଲେ ସେଥିରେ ୨ଚାମଚ ଲେମ୍ବୁରସ ମିଶେଇ ଦିଅନ୍ତୁ; ଏହାଦ୍ବାରା ସ୍ବାଦ ଭଲ ହେବାସହିତ ମିଶ୍ରଣ ସଫା ଓ ସୁନ୍ଦର ଦିଶିବ। ଦୁଇ ତିନି ମିନିଟ୍‌ ପରେ ଗୋଟେ ଚାମଚ ଲୁଣ, ଗୋଟେ ଚାମଚ ବିଟ୍‌ ଲୁଣ, ଗୋଟେ ଚାମଚ ଶୁଣ୍ଠି ବା ଅଦା ପାଉଡର୍‌, ଗୋଟେ ଚାମଚ ଗୋଲମରିଚ ଗୁଣ୍ଡ ଦେଇ ଆଉ କିଛିସମୟ ଘାଣ୍ଟନ୍ତୁ। ଏଥର ୨ଚାମଚ କର୍ଣ୍ଣଫ୍ଲୋର୍‌ ନେଇ ସେଥିରେ ଦୁଇ ଚାମଚ ପାଣି ମିଶେଇ ସେହି ମିଶ୍ରଣକୁ ଅଁଳାରେ ଢାଳି ଭଲକି ମିଶେଇ ଦିଅନ୍ତୁ। ଏଥର ମିଶ୍ରଣ ପୁରା ଶୁଖିଲା ହୋଇ ଆସିବ ସେଥିରେ ଗୋଟେ ଚାମଚ ଘିଅ/ ସାଧାତେଲ ମିଶେଇ ଶୁଖିଲା ହୋଇଆସିଥିବା ମିଶ୍ରଣକୁ ଗୋଟେ ଟ୍ରେରେ ବଟର୍‌ ପେପର୍‌ରେ ଘିଅ ଲଗାଇ ସେଥିରେ ଢାଳିଦିଅନ୍ତୁ। ଚାମଚ ବା ଛୁରୀରେ ମିଶ୍ରଣକୁ ସମାନ ଭାବେ ସେଟ୍‌ କରିଦିଅନ୍ତୁ। ରୁମ୍‌ ଟେମ୍ପେରେଚର୍‌ରେ ୧/୨ଘଣ୍ଟା ପରେ ଏହା ପୂରା ସେଟ୍‌ ହୋଇଗଲେ ଛୁରୀରେ ଛୋଟ ଛୋଟ ଖଣ୍ଡରେ କାଟି ଚିନି ପାଉଡର୍‌ରେ ଗଡ଼େଇ କାଚବୋତଲ୍‌ରେ ପୁରେଇ ସଂରକ୍ଷିତ କରି ରଖନ୍ତୁ। ଚାହିଲେ ଆପଣ ଏହି କ୍ୟାଣ୍ଡିରେ ଜିରାଲଙ୍କାଗୁଣ୍ଡ ଆଦି ମିଶାଇପାରିବେ।

 ଅଁଳା ମୋରବ୍‌ବା: ଏକ କେଜି ତାଜା ସଫା ଅଁଳା ନିଅନ୍ତୁ। ସେଗୁଡ଼ିକୁ ଗୋଟେ କଣ୍ଟା ଚାମଚରେ ପ୍ରିକ୍‌ କରିଦିଅନ୍ତୁ ବା ଅଁଳାସା‌ରା ଭଲରେ କଣା କରିଦିଅନ୍ତୁ। ଏହାପରେ ସବୁ ଅଁଳାକୁ ବୁଡ଼ି ପାରିଲା ଭଳି ପାଣି ଢାଳି ଗୋଟେ ପାତ୍ରରେ ଘୋଡ଼େଇ ଅତିକମ୍‌ରେ ୪/୫ଘଣ୍ଟା ରଖନ୍ତୁ। ଏହାଦ୍ବାରା ଅଁଳା ଭିତରେ ପାଣି ପଶି ସେଥିରୁ ପିତା ଅଂଶ ବାହାରି ଯିବ ଏବଂ ଶୀରା ମଧ୍ୟ ଭଲରେ ପଶି ପାରିବ। ଏକ ବଡ଼ ନନ୍‌ଷ୍ଟିକ୍‌ ବା ଷ୍ଟିଲ୍‌ ପାତ୍ରରେ ଅଁଳାତକ ରଖି ତା’ଉପରେ ଏକ କେଜି ମିଶ୍ରି ଗୁଣ୍ଡ ଦିଅନ୍ତୁ। ଗ୍ୟାସ୍‌ର ଆଞ୍ଚ ଧିମା ରଖନ୍ତୁ, କିଛି ସମୟ ଭିତରେ ମିଶ୍ରି ଓ ଅଁଳାରୁ ପାଣି ବାହାରିବ। ଏହାକୁ ମଝିରେ ମଝିରେ ଘାଣ୍ଟି ୧୫ମିନିଟ୍‌ ଯାଏ ରାନ୍ଧନ୍ତୁ। ଏଭିତରେ ଅଁଳାର ରଙ୍ଗ ପରିବର୍ତ୍ତନ ହୋଇଯାଇଥିବ ଏବଂ ନରମ ମଧ୍ୟ ହୋଇଯାଇଥିବ। ସେଥିରେ ପସନ୍ଦ ମୁତାବକ ଗୁଜୁରାତି/ ଅଳେଇଚ ଗୁଣ୍ଡ ୧ଚାମଚ, ୧ଚାମଚ ଶୁଣ୍ଠି ବା ଅଦା ପାଉଡର୍‌, ଛୋଟ ଚାମଚ ବିଟ୍‌ ଲୁଣ ପକାଇ ଆଉକିଛି ସମୟ ଚୁଲିରେ ରଖନ୍ତୁ। ଏକ ଚାମଚ ଶୀରା ନେଇ ପାଣିରେ ପକାଇ ଏକ ତାର ପରି ହୋଇଗଲେ ଓହ୍ଲେଇ ଥଣ୍ଡା କରନ୍ତୁ। କାଚ ଜାର୍‌ରେ ପୁରାଇ ବର୍ଷସ‌ାରା ସୁରକ୍ଷିତ ରଖନ୍ତୁ।

ସୌଜନ୍ୟ-ସମ୍ୱାଦ

Comments are closed.