Breaking News

ଉପକୂଳ ରାଜପଥରେ ମିଳିବ ଅତ୍ୟାଧୁନିକ ସୁବିଧା: କିଲୋମିଟର ହିସାବରେ ଟୋଲ୍‌ କଟିବ

ବହୁପ୍ରତିକ୍ଷୀତ ଉପକୂଳ ରାଜପଥ ନିର୍ମାଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବଡ଼ପୋଖରିଆ-ଦୀଘା ପର୍ଯ୍ୟନ୍ତ ହେବାକୁ ଥିବ‌ା ଏହି ରାଜପଥ ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ପାଇଁ ‌ଟେଣ୍ଡର ଆହ୍ବାନ କରିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚ୍‌ଏଆଇ)।

ଭୁବନେଶ୍ବର: ବହୁପ୍ରତିକ୍ଷୀତ ଉପକୂଳ ରାଜପଥ ନିର୍ମାଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବଡ଼ପୋଖରିଆ-ଦୀଘା ପର୍ଯ୍ୟନ୍ତ ହେବାକୁ ଥିବ‌ା ଏହି ରାଜପଥ ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ପାଇଁ ‌ଟେଣ୍ଡର ଆହ୍ବାନ କରିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚ୍‌ଏଆଇ)। ଟେଣ୍ଡର ପ୍ରକ୍ରିୟା ସରିବା ପ‌ରେ ଉପକୂଳ ରାଜପଥ ନିର୍ମାଣ କାମ ଆରମ୍ଭ ହେବ। ତେବେ ଏହି ରାଜପଥକୁ ସବୁ ଦୃଷ୍ଟିରୁ ସୁନ୍ଦର କରିବା ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ବିଶେଷ କରି ଗାଡ଼ି ଚାଳକଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯିବା। ଓଡ଼ିଶାରେ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେବାକୁ ବଡ଼ ଯୋଜନା କରୁଛି ଏନ୍‌ଏଚ୍‌ଏଆଇ।

କିଲୋମିଟର ହିସାବରେ ଟୋଲ୍‌ କଟିବ
ଦୁଇ କଡ଼ରେ ରହିବ ଆର୍‌ସିସି ବାଉଣ୍ଡାରି ୱାଲ୍‌
ପ୍ରତି ୩୦ କିମିରେ ବିଶ୍ରାମ ଗୃହ ଓ ସୁବିଧା କେନ୍ଦ୍ର
ରାସ୍ତାରେ ଲାଗିବ ୩୬୦ ଡିଗ୍ରି ଉଚ୍ଚମାନର କ୍ୟାମେରା
ରାଜପଥରେ ଦୁର୍ଘଟଣା କମାଇବ ଏଟିଏମ୍‌ଏସ୍‌

ଉପକୂଳ ରାଜପଥ ନିର୍ମାଣକୁ ଦ୍ରୁତ ଗତିରେ ସାରିବାକୁ ଏହାକୁ ୪ଟି ଭାଗରେ ବିଭକ୍ତ କରାଯାଇଛି। ୪ଟି ପ୍ୟାକେଜ୍‌ ପାଇଁ ମୋଟ ୭୦୩୮ କୋଟି ଟଙ୍କାର ଟେଣ୍ଡର ଡକାଯାଇଛି। ଫେବ୍ରୁଆରି ୨୪ ଓ ୨୮ ତାରିଖରେ ଟେଣ୍ଡର ଚୂଡ଼ାନ୍ତ ହେବା ପରେ କାମ ଆରମ୍ଭ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ରାଜପଥରେ ଦୁର୍ଘଟଣାକୁ ହ୍ରାସ କରିବାକୁ ଉପକୂଳ ରାଜପଥରେ ବଡ଼ ବ୍ୟବସ୍ଥା ହୋଇଛି। ମୁଖ୍ୟତଃ ରାଜପଥ ଗୁଡ଼ିକର ଦୁଇ ପାଖରେ କୌଣସି ପ୍ରତିବନ୍ଧକ ନଥାଏ। ତେଣୁ ରାସ୍ତା ପାର୍‌ ହେଉଥିବା ସମୟରେ ବଡ଼ ବଡ଼ ଦୁର୍ଘଟଣା ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ଉପକୂଳ ରାଜପଥର ଦୁଇ ପାର୍ଶ୍ବରେ ଆର୍‌ସିସି ବାଉଣ୍ଡାରି ୱାଲ୍‌ କରାଯିବ। ଫଳରେ କେହି ଚାହିଁଲେ ଅବାଧ ପ୍ରବେଶ କରି ପାରିବେ ନାହିଁ। ଆବଶ୍ୟକ ସ୍ଥାନରେ ରାଜପଥକୁ ଆସିବା ପାଇଁ ବାଟ ରଖାଯିବ। ରାଜପଥର ମୁଖ୍ୟ ରାସ୍ତା ଛଡ଼ା ଦୁଇ ପାର୍ଶ୍ବରେ ୪ଟି ସର୍ଭିସ ରାସ୍ତା ମଧ୍ୟ ରହିବ। କୌଣସି ଗାଡ଼ି ଖରାପ ହେଲେ ସର୍ଭିସ ରାସ୍ତାରେ ରଖାଯିବ। ବସ୍‌ ଷ୍ଟପ୍‌ ମଧ୍ୟ ସର୍ଭିସ ରାସ୍ତାରେ ରହିବ।
ରାସ୍ତାର ଦୁଇ କଡ଼ରେ ବାଉଣ୍ଡାରି ୱାଲ୍‌ ହେଉଥିବାରୁ କୌଣସି ଦୋକାନ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ କରିବାର ସୁଯୋଗ ରହିବ ନାହିଁ। ତେଣୁ ଯାତ୍ରୀଙ୍କ ସୁବିଧା ପାଇଁ ପ୍ରତି ୩୦ କିମି ଦୂରତାରେ ବିଶ୍ରାମ ଗୃହ ଓ ସୁବିଧାକେନ୍ଦ୍ର କରାଯିବ। ଯେଉଁଠି ୨୦ ହଜାର ବର୍ଗମିଟର ସ୍ଥାନରେ ହୋଟେଲ, ରେସ୍ତୋରାଁ, ପେଟ୍ରୋଲ ପମ୍ପ, ସିଏନ‌୍ଜି ଷ୍ଟେସନ, ଗ୍ୟାରେଜ, ଶୌଚାଳୟ, ଗାଧୋଇବା ଘର, ଟ୍ରକ ଚାଳକମାନଙ୍କ ପାଇଁ ବିଶ୍ରାମ ଗୃହ, ହାଇୱେ ଥାନା, ଆଶୁ ଚିକିତ୍ସାଳୟ, ପିଲାମାନଙ୍କ ପାଇଁ ଖେଳ ପଡ଼ିଆ, ପାର୍କ, ହେଲିପ୍ୟାଡ୍‌ ଆଦି ସୁବିଧା ରହିବ। ଏହିଠାରେ ହିଁ ସ୍ଥାନୀୟ ବ୍ୟବସାୟୀମାନେ ବ୍ୟବସାୟ କରିପାରିବେ।

ବଡ଼ପୋଖରିଆ-ଦୀଘା ଉପକୂଳ ରାଜପଥ (୩୧୬ଏ )ରାସ୍ତାର ଆରମ୍ଭ ଏବଂ ଶେଷ ଭାଗରେ ଦୁଇଟି ବଡ଼ ଟୋଲ୍‌ ପ୍ଳାଜ଼ା କରାଯିବ। ଏହା ଭିତରେ ରାଜପଥକୁ ପ୍ରବେଶ ଓ ପ୍ରସ୍ଥାନ ପଥର ୪ଟି ସର୍ଭିସ ରାସ୍ତାରେ ଛୋଟ ଛୋଟ ଟୋଲ୍‌ପ୍ଳାଜ଼ା ନିର୍ମାଣ କରାଯିବ। ରାସ୍ତାର ପ୍ରବେଶରୁ କ୍ୟାମେରା ଗାଡ଼ି ଉପରେ ନଜର ରଖିବ। ପ୍ରସ୍ଥାନ ସ୍ଥାନରେ କିଲୋମିଟର ହିସାବରେ ଫାସଟ୍ୟାଗ୍‌ରୁ ଆପେ ଆପେ ଟଙ୍କା କଟିଯିବ। ଟୋଲ୍‌ ପ୍ଳାଜ଼ାରେ ମଧ୍ୟ ଚା, କଫି, ସ୍ନାକ୍ସ ମିଳିବ। ଆଡଭାନ୍ସ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ (ଏଟିଏମ୍‌ଏସ୍‌) ଜରିଆରେ ଟ୍ରାଫିକ୍‌ ପରିଚାଳନା କରାଯିବ। କଣ୍ଟ୍ରୋଲରୁମ୍‌ରୁ ରାସ୍ତା ଉପରେ ତୀକ୍ଷ୍ନ ନଜର ରଖାଯିବ। ଦୃତ ଗତିରେ ଗାଡ଼ିଚାଳନା ହେଲେ ପ୍ରଥମେ ରାସ୍ତାରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନ୍‌ ଦ୍ବାରା ସଚେତନ କରାଯିବ। ଏହାପରେ ଚାଲାଣ କଟିବ। ରାସ୍ତା ଉପରେ ଗାଡ଼ି ଖରାପ କିମ୍ବା ଦୁର୍ଘଟଣା ହେଲେ କିଛି କ୍ଷଣ ଭିତରେ ସହଯୋଗୀ ଟିମ୍‌ ପହଞ୍ଚିବେ। ପଶୁଙ୍କ ଯାତାୟତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ପ୍ରତି ୫ କିଲୋମିଟରରେ ଅଣ୍ଡରପାସ୍‌ ରଖାଯିବ।

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.