Breaking News

ଉପସ୍ଥାପନ ହେଲା ୱକଫ୍‌ ଜେପିସି ରିପୋର୍ଟ: ସଂସଦର ଉଭୟ ଗୃହରେ ପ୍ରବଳ ହଙ୍ଗାମା

ପ୍ରବଳ ହୋହଲ୍ଲା ଏବଂ ହଟ୍ଟଗୋଳ ମଧ୍ୟରେ ଆଜି ସଂସଦରେ ୱକଫ୍‌ (ସଂଶୋଧନ ବିଲ୍‌) ୨୦୨୪ ଉପରେ ଜେପିସି (ଯୁଗ୍ମ ସଂସଦୀୟ କମିଟି) ରିପୋର୍ଟ ଉପସ୍ଥାପନ କରାଯାଇଛି। ଏହି ରିପୋର୍ଟକୁ ବିରୋଧ କରି ଆଜି ଉଭୟ ଲୋକସଭା...

ନୂଆଦିଲ୍ଲୀ: ପ୍ରବଳ ହୋହଲ୍ଲା ଏବଂ ହଟ୍ଟଗୋଳ ମଧ୍ୟରେ ଆଜି ସଂସଦରେ ୱକଫ୍‌ (ସଂଶୋଧନ ବିଲ୍‌) ୨୦୨୪ ଉପରେ ଜେପିସି (ଯୁଗ୍ମ ସଂସଦୀୟ କମିଟି) ରିପୋର୍ଟ ଉପସ୍ଥାପନ କରାଯାଇଛି। ଏହି ରିପୋର୍ଟକୁ ବିରୋଧ କରି ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଚୂଡ଼ାନ୍ତ ରିପୋର୍ଟରୁ କିଛି ଅସହମତି ଅଂଶକୁ ହଟାଇ ଦିଆଯାଇଥିବା ସାଂସଦମାନେ ଦାବି କରିଛନ୍ତି। ଲୋକସଭାରେ ୱକଫ୍‌ ବିଲ୍‌ ଉପରେ ଜେପିସି ରିପୋର୍ଟକୁ ଜେପିସି ଅଧ୍ୟକ୍ଷ ତଥା ବିଜେପି ସାଂସଦ ଜଗଦମ୍ବିକା ପାଲ୍‌ ଉପସ୍ଥାପନ କରିଥିଲେ। କିନ୍ତୁ ଏହି ସମୟରେ ବିରୋଧୀ ସାଂସଦମାନେ ଗୃହର ମଧ୍ୟଭାଗକୁ ‌ଯାଇ‌ ସ୍ଲୋଗାନ ଦେଇଥିଲେ ଏବଂ ପ୍ରବଳ‌ ହୋହଲ୍ଲା କରିଥିଲେ। ଚୂଡ଼ାନ୍ତ ରିପୋର୍ଟରୁ କିଛି ଅସହମତି ନୋଟ୍‌କୁ କାଟି ଦିଆଯାଇଛି ବୋଲି ସାଂସଦମାନେ ଦାବି କରିଛନ୍ତି। ଆନ୍ଦୋଳରତ ସାଂସଦଙ୍କୁ ଶାନ୍ତ କରିବାପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ମତଭେଦ ବା ଅସହମତି ଥିବା ଅଂଶକୁ ପୁଣିଥରେ ଯୋଡ଼ାଗଲେ ସରକାରଙ୍କର କୌଣସି ଆପତ୍ତି ନାହିଁ।

ସଂସଦର ଉଭୟ ଗୃହରେ ପ୍ରବଳ ହଙ୍ଗାମା
ବିରୋଧୀଙ୍କ କକ୍ଷତ୍ୟାଗ
ରାଜ୍ୟସଭାରେ ଅନୁମୋଦନ

ଅନ୍ୟପକ୍ଷେ ରାଜ୍ୟସଭାରେ ସାଂସଦ ମେଧା କୁଲ୍‌କର୍ଣ୍ଣି ଜେପିସି ରିପୋର୍ଟ ଉପସ୍ଥାପନ କରିଥିଲେ ଏବଂ ରିପୋର୍ଟକୁ ଗୃହରେ ଅନୁମୋଦନ ମିଳିଥିଲା। ରାଜ୍ୟସଭାରେ ରିପୋର୍ଟ ଉପରେ ଆଲୋଚନା ସମୟରେ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ବିରୋଧୀ ଦଳ ଏହି ନକଲି ରିପୋର୍ଟକୁ ଗ୍ରହଣ କରିପାରିବେନି। କଂଗ୍ରେସ ମୁଖ୍ୟ ଦାବି କରିଛନ୍ତି ଯେ ରିପୋର୍ଟକୁ ପୁଣିଥରେ ଜେପିସିକୁ ପଠାଯାଉ ଏବଂ ଏହା ପୁଣିଥରେ ଉପସ୍ଥାପନ କରାଯାଉ। ଖଡ଼ଗେ କହିଛନ୍ତି, ଜେପିସି ରିପୋର୍ଟରେ ଅନେକ ସଦସ୍ୟଙ୍କ ଅସହମତି ରହିଛି। ଆମର ମତକୁ ହଟାଇବା ଗଣତନ୍ତ୍ର ବିରୋଧୀ। ଆମେ ଏଭଳି ନକଲି ରିପୋର୍ଟକୁ ଗ୍ରହଣ କରିବୁନି। ଯଦି ରିପୋର୍ଟରେ ଅସନ୍ତୋଷ ବ୍ୟକ୍ତ କଲା ଭଳି ଏବଂ ବିରୋଧ କଲାଭଳି ମତ ନାହିଁ ତେବେ ଏହାକୁ ପୁଣିଥରେ କମିଟିକୁ ପଠାଇ ସମୀକ୍ଷା କରିବା ଉଚିତ।

ଶିବସେନା (ୟୁବିଟି) ସାଂସସ ଅରବିନ୍ଦ ସାୱନ୍ତ ଦାବି କରିଛନ୍ତି ଯେ ଜେପିସି ବୈଠକରେ ପ୍ରତି ଅନୁଚ୍ଛେଦ ଉପରେ ଆଲୋଚନା ହୋଇନଥିଲା। ଏଥିପାଇଁ ଆମେ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲୁ ଏବଂ ସହମତ ହୋଇନଥିଲୁ। କିନ୍ତୁ ସେମାନେ ଆମ ଅସହମତି ଅଂଶକୁ ହଟାଇ ଦେଇଛନ୍ତି ଏବଂ ବେଆଇନ ଭାବେ ରିପୋର୍ଟ ଉପସ୍ଥାପନ କରାଯାଇଛି। ତେବେ ଖଡ଼ଗେଙ୍କ ଦାବିକୁ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଅସନ୍ତୁଷ୍ଟ ନୋଟ୍‌କୁ ଆମେ ରିପୋର୍ଟରେ ଯୋଡ଼ିଛୁ ଏବଂ ବିରୋଧୀ ସାଂସଦ ଗୃହକୁ ଭୁଲ୍‌ ବାଟରେ ପରିଚାଳିତ କରୁଥିବା ସେ ଅଭିଯୋଗ କରିଛନ୍ତି। ୱକଫ୍‌ ସଂଶୋଧନକୁ ନେଇ ବିରୋଧୀ ଦଳ ସଦସ୍ୟଙ୍କ ସବୁ ମତ ଏଥିରେ ସାମିଲ ରହିଛି ବୋଲି ରିଜିଜୁ କହିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.