ଜାତୀୟ

ଉଷ୍ମାନ ହାଦୀ ହତ୍ୟାକାରୀ ଭାରତ ପଳାଇଥିବା ବାଂଲାଦେଶର ଦାବିକୁ ମେଘାଳୟ ପୋଲିସର ଖଣ୍ଡନ, ଜାଣନ୍ତୁ କହିଲା କ’ଣ?

ସିଲଂ ୨୮।୧୨: ଛାତ୍ର ନେତା ସରିଫ ଉଷ୍ମାନ ହାଦୀ ହତ୍ୟାକାରୀ ମେଘାଳୟ ସୀମାରେ ଭାରତ ପ୍ରବେଶ କରିଯାଇଥିବା ବାଂଲାଦେଶ ପୋଲିସର ଅଭିଯୋଗକୁ ମେଘାଳୟ ସୁରକ୍ଷା ଏଜେନ୍ସୀ ରବିବାର ଖଣ୍ଡନ କରିଛନ୍ତି। ଏହାକୁ ଭ୍ରମାତ୍ମକ ଓ ନିରାଧାର ବୋଲି କୁହାଯାଇଛି। ମେଘାଳୟରେ ବିଏସଏଫ ମୁଖ୍ୟ ଇନିସପେକ୍ଟର ଜେନେରାଲ (ଆଇଜି) ଓ.ପି. ଉପାଧ୍ୟାୟ ଗଣମାଧ୍ୟମ ସାକ୍ଷାତକାରରେ ହଲୁଆଘାଟ ସେକ୍ଟରରେ କୌଣସି ବ୍ୟକ୍ତି ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ମେଘାଳୟରେ ପ୍ରବେଶ କରିଥିବାର କୌଣସି ପ୍ରମାଣ ନଥିବା କହିଛନ୍ତି।

ସେ କହିଛନ୍ତି ଯେ ଏପରି କୌଣସି ଘଟଣାର ସୂଚନା ନା ବିଏସଏଫ ପାଖରେ ଅଛି ନା ଏ ନେଇ କୌଣସି ରିପୋର୍ଟ ମିଳିଛି। ସେହିପରି ମେଘାଳୟର ଜନୈକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି କଥା କୁ ପୁଷ୍ଟି କରିବାକୁ ନା ତ କୌଣସି ସୂଚନା ଅଛି ନା ସେମାନେ ଗାରୋ ହିଲ୍ କ୍ଷେତ୍ରରେ ଥିଲେ ବୋଲି ଗୁଇନ୍ଦା ସୂଚନାରେ କୁହାଯାଇଛି। ଏହାଛଡା ସ୍ଥାନୀୟ ପୋଲିସ ମଧ୍ୟ ଏପରି କୌଣସି ଗତିବିଦ୍ଧି ଦେଖି ନାହିଁ। ତେବେ କେନ୍ଦ୍ରୀୟ ଏଜେନ୍ସୀଙ୍କ ସହିତ ପୋଲିସର ସମନ୍ୱୟ ଜାରି ରହିଛି।

ବିଏସଏଫ ଅଧିକାରୀମାନେ କହିଛନ୍ତି ଯେ ଖାସ କରି ପଡୋଶୀ ଦେଶରେ ଅସ୍ଥିରତା ଓ ଅଶାନ୍ତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ସୀମାରେ ମୁତୟନ ସୁରକ୍ଷା ବଳ କୌଣସି ଅପ୍ରିୟ ଘଟଣାକୁ ରୋକିବା ଲାଗି ହାଇ ଆଲର୍ଟରେ ଅଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ ସେକ୍ଟରରେ ସୀମା ଉପରେ ଲଗାତାର ନଜର ରଖାଯାଇଛି। ଏଣୁ ସୀମାରେ କୌଣସି ପ୍ରକାରର ଅବୈଧ ଗତିବିଦ୍ଧି ଉଦ୍ୟମକୁ ତୁରନ୍ତ ସନ୍ଧାନ ନେଇ ଏହାର ମୁକାବିଲା କରାଯିବ।

ଗାରୋ ହିଲସ୍ କ୍ଷେତ୍ର ମେଘାଳୟର ପଶ୍ଚିମ କ୍ଷେତ୍ରରେ ରହିଛି, ଯାହା ବାଂଲାଦେଶ ସହିତ ଏକ ଅନ୍ତର୍ଜାତୀୟ ସୀମା ସେୟାର କରୁଛି। ତେବେ ଏହା ସୀମା ସୁରକ୍ଷା ବଳ ଦ୍ୱାରା ସଂରକ୍ଷିତ। ଏହା ପୂର୍ବରୁ ବାଂଲାଦେଶ ପୋଲିସ ଦାବି କରିଥିଲା ଯେ ଉଷ୍ମାନ ହାଦୀ ହତ୍ୟାକାରୀ ଦେଶ ଛାଡି ମେଘାଳୟ ରାସ୍ତାରେ ଭାରତକୁ ପ୍ରବେଶ କରିଯାଇଛନ୍ତି। ରାଜଧାନୀ ଢାକାରେ ଏକ ମିଡିଆ ବ୍ରିଫିଙ୍ଗକୁ ସମ୍ବୋଧିତ କରି ମେଟ୍ରୋପାଲିଟନ ପୋଲିସର ଅତିରିକ୍ତ କମିଶନର କହିଥିଲେ ଯେ ଫୈସଲ କରୀମ ମସୁଦ ଓ ଆଲମଗିର ଶେଖ ସ୍ଥାନୀୟ ସହଯୋଗୀଙ୍କ ସାହାଜ୍ୟରେ ମମୟମନସିଂହରେ ହଲୁଆଘାଟ ସୀମା ରାସ୍ତାରେ ଭାରତକୁ ପ୍ରବେଶ କରିଛନ୍ତି।

ଡେଲି ଷ୍ଟାରର ଏକ ରିପୋର୍ଟ ଅନୁସାରେ ବାଂଲାଦେଶ ପୋଲିସ କହିଛି ଯେ ସନ୍ଦିଗ୍ଧ ହଲୁଆଘାଟ ସୀମା ରାସ୍ତାରେ ଭାରତରେ ପ୍ରବେଶ କରିଛନ୍ତି, ସେଠାରେ ଜଣେ ସ୍ଥାନୀୟ ସମ୍ପର୍କ ସେମାନଙ୍କୁ ସ୍ୱାଗତ କରିଥିବା ବେଳେ କାର ଯୋଗେ ମେଘାଳୟର ତୁରା ପଠେଇ ଦେଇଛନ୍ତି। ବାଂଲାଦେଶ ପୋଲିସ ଏକ ଅନୌପଚାରିକ ରିପୋର୍ଟରେ କହିଛି ଯେ ଭାରତୀୟ ସୁରକ୍ଷା ଏଜେନ୍ସୀ ସନ୍ଧିଗ୍ଧଙ୍କ ସହୟତାକାରୀଙ୍କୁ ଚିହ୍ନଟ କରିଥିବା ବେଳେ ଅଟକ ରଖିଛି। ଏଥିରେ ବାଂଲାଦେଶ ପୋଲିସ କହିଛି ଯେ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ସକ୍ରିୟ ରୂପେ କାମ କରୁଛି।

୩୨ ବର୍ଷ ବୟଷ୍କ ସରିଫ ଉଷ୍ମାନ ହାଦୀକୁ ଡିସେମ୍ବର ୧୨ ତାରିଖ ଦିନ ଢାକାରେ ନିର୍ବାଚନ ପ୍ରଚାର କାଳରେ ଗୁଳି କରାଯାଇଥିଲା। ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ତାକୁ ସିଙ୍ଗାପୁର ନିଆଯାଇଥିଲା। ତେବେ ଡିସେମ୍ବର ୧୮ ତାରିଖରେ ତାର ମୃତ୍ୟୁ ହୋଇଥିଲା। ଇନକିଲାବ ମଞ୍ଚର ମୁଖପାତ୍ର ହାଦୀ ଜୁଲାଇ ୨୦୨୪ବାଂଲାଦେଶ ଛାତ୍ର ବିଦ୍ରୋହର ପ୍ରମୁଖ ଯୁବ ନେତା ଥିଲା ଓ ସେ ଶେଖ ହସିନା ସରକାର ପତନରେ ଜଣେ ମୁଖ୍ୟ ଘଟକ ଥିଲା। ଦେଶରେ ୧୨ ଫେବୃଆରୀ ୨୦୨୬ ସାଧାରଣ ନିର୍ବାଚନରେ ସେ ନିର୍ଦ୍ଦଳୀୟ ସାଂସଦ ପ୍ରାର୍ଥୀ ହେବ ବୋଲି ପ୍ରଚାର ଚଳାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button