ଦେଶ ବିଦେଶ

Andhra Pradesh Road Tragedy : ଆନ୍ଧ୍ର ପ୍ରଦେଶରେ ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ବସ୍‌; ୩ ମୃତ

ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବୁଧବାର- ଗୁରୁବାର ରାତିରେ ଏକ ଘରୋଇ ବସ୍‌ ନିୟନ୍ତ୍ରଣ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌କୁ ଧକ୍କା ଦେଇ ଜଳି ଯାଇଥିଲା।

ନେଲ୍ଲୋର: ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବୁଧବାର- ଗୁରୁବାର ରାତିରେ ଏକ ଘରୋଇ ବସ୍‌ ନିୟନ୍ତ୍ରଣ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌କୁ ଧକ୍କା ଦେଇ ଜଳି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ବସ୍ ଓ ଟ୍ରକ୍‌ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗାଡ଼ି ବାହାରକୁ ଆସି ନପାରି ବସ୍‌ ଡ୍ରାଇଭର, ଟ୍ରକ୍‌ ଡ୍ରାଇଭର ଓ ଟ୍ରକ୍‌ କ୍ଲିନରଙ୍କର ପୋଡ଼ି ହୋଇ ମୃତ୍ୟୁ ହୋଇଛି। ବସ୍‌ରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ରାତି ୧ଟା ୩୦ ମିନିଟରୁ ୨ଟା ମଧ୍ୟରେ ହୋଇଥିଲା।

ଟାୟାର ଫାଟିବା ଯୋଗୁ ଘଟିଥିଲା ଦୁର୍ଘଟଣା

ଆନ୍ଧ୍ର ପ୍ରଦେଶର ନେଲ୍ଲୋରରୁ ୩୬ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଯାଉଥିବା ବସ୍‌ର ଟାୟାର ଫାଟିବା ଯୋଗୁ ଏହା ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ନନ୍ଦୟାଲ ଜିଲ୍ଲାର ଶିରିଭେଲ୍ଲା ମଣ୍ଡଳଠାରେ ଘଟିଥିଲା। ଦୁର୍ଘଟଣା ପରେ ବସ୍‌ରେ ନିଆଁ ଶୀଘ୍ର ବ୍ୟାପି ଯାଇଥିବାବେଳେ ମୁଖ୍ୟ ଦ୍ବାର ତଥା ଜରୁରୀକାଳୀନ ପ୍ରସ୍ଥାନ ପଥ ନ ଖୋଲିବାରୁ ଯାତ୍ରୀ ବାହାରକୁ ଆସି ପାରିନଥିଲେ। ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ ଗାଡ଼ିର ଡ୍ରାଇଭର ବସ୍‌ର ଝରକା ଭାଙ୍ଗିବା ପରେ ଯାତ୍ରୀମାନେ ବାହାରକୁ ଆସିପାରିଥିଲେ। ରାସ୍ତା ଉପରେ ଗାଡ଼ି ହୁତୁ ହୁତୁ ଜଳୁଥିବାରୁ ଅନେକ ସମୟ ପର୍ଯ୍ୟନ୍ତ ସେହି ରାସ୍ତା ଦେଇ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଚେ‌‌ଷ୍ଟା କରିଥି‌ଲେ, କିନ୍ତୁ ସେତେବେଳକୁ ଗାଡ଼ି ଦୁଇଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲ ପଠାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି। ପ୍ରାରମ୍ଭିକ ତଥ୍ୟରୁ ବସ୍‌ର ଟାୟାର ହଠାତ୍‌ ଫାଟିବା ଯୋଗୁଁ ଡ୍ରାଇଭର ଗାଡ଼ିରୁ ନିୟନ୍ତ୍ରଣ ହରାଇଥିବା ଜଣାପଡ଼ିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button