Breaking News

ଋଣରେ ଓଡ଼ିଶା ମହିଳା ପଛୁଆ: ଆଗରେ ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ

ଋଣ ବିଷୟରେ ଚିନ୍ତା କରିବା ବେଳେ ଦେଶର ଦକ୍ଷିଣ ଓ ଉତ୍ତର ଭାରତରେ ଥିବା ରାଜ୍ୟଗୁଡ଼ିକର ମହିଳାମାନେ ଆଗରେ ରହିଛନ୍ତି। ‌ନିଜର‌ କ୍ରେଡିଟ୍ ସ୍କୋର୍ ଜାଣିବା ଲାଗି ଉଦ୍ୟମ କରିବାଠାରୁ ଆରମ୍ଭ କରି ବ୍ୟବସାୟ ପାଇଁ ଋଣ....

ଭୁବନେଶ୍ବର: ଋଣ ବିଷୟରେ ଚିନ୍ତା କରିବା ବେଳେ ଦେଶର ଦକ୍ଷିଣ ଓ ଉତ୍ତର ଭାରତରେ ଥିବା ରାଜ୍ୟଗୁଡ଼ିକର ମହିଳାମାନେ ଆଗରେ ରହିଛନ୍ତି। ‌ନିଜର‌ କ୍ରେଡିଟ୍ ସ୍କୋର୍ ଜାଣିବା ଲାଗି ଉଦ୍ୟମ କରିବାଠାରୁ ଆରମ୍ଭ କରି ବ୍ୟବସାୟ ପାଇଁ ଋଣ ନେବା ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ସେମାନେ ଆଗୁଆ ଅଛନ୍ତି। ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ କେବଳ ପଶ୍ଚିମବଙ୍ଗ କିଛିଟା ଉନ୍ନତି ହାସଲ କରିଛି। ନିଜ କ୍ରେଡିଟ୍‌ ସ୍କୋର ସନ୍ଧାନ କରୁଥିବା ମହିଳାଙ୍କ ସଂଖ୍ୟା ଦୃଷ୍ଟିରୁ ଦେଶର ଶ୍ରେଷ୍ଠ ୧୫ଟି ରାଜ୍ୟ ଭିତରେ ଓଡ଼ିଶାର ନାମ ନାହିଁ। ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ‘ଫ୍ରମ୍ ବରୋଅର୍‌ ଟୁ ବିଲ୍‌ଡର୍‌’ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ପ୍ରଥମ ପାଞ୍ଚଟି ସ୍ଥାନରେ ରହିଛନ୍ତି।

ରିପୋର୍ଟ ଅନୁଯାୟୀ, ୨୦୨୩ରୁ ୨୦୨୪ ମଧ୍ୟରେ ନିଜ କ୍ରେଡିଟ୍ ସ୍କୋର ଜାଣୁଥିବା ମହିଳାଙ୍କ ସଂଖ୍ୟା ମେଟ୍ରୋ ସହରଗୁଡ଼ିକରେ ୩୦ ପ୍ରତିଶତ ବଢ଼ିଛି। ସେମାନଙ୍କ ଭିତରୁ ପ୍ରାୟ ଅଧା ମହିଳା ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନାରେ ରହିଛି। ୨୦୧୯ରୁ ୨୦୨୪ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟା ୨୨ ପ୍ରତିଶତ ଚକ୍ରବୃଦ୍ଧି ହାରରେ ବଢ଼ିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅର୍ଧ-ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବାସ କରୁଛନ୍ତି। ୪୨ ପ୍ରତିଶତ ମହିଳା ବ୍ୟକ୍ତିଗତ ଋଣ, କଞ୍ଜ୍ୟୁମର ଡ୍ୟୁରେବଲ୍ ଜିନିଷ କିଣିବା କିମ୍ବା ଘର କିଣିବା ଲାଗି ଋଣ ନେଇଛନ୍ତି। ପ୍ରାୟ ୩୮ ପ୍ରତିଶତ ମହିଳା ସୁନା ଋଣ ନେଇଛନ୍ତି। ୨୦୨୪ରେ ମହିଳାମାନେ ନେଇଥିବା ମୋଟ ଋଣର ମାତ୍ର ୩ ପ୍ରତିଶତ ଥିଲା ବ୍ୟବସାୟ ଋଣ।

ନିତି ଆୟୋଗର ଏହି ରିପୋର୍ଟରେ କୁହାଯାଇଛି ଯେ ଅଧିକରୁ ଅଧିକ ମହିଳା ନିଜର କ୍ରେଡିଟ୍ ସ୍କୋର୍‌ ଜାଣିବା ଲାଗି ପ୍ରୟାସ କରୁଛନ୍ତି ଓ ଋଣ ନେବାକୁ ଚାହୁଛନ୍ତି। ୨୦୨୪ ଡିସେମ୍ବର ସୁଦ୍ଧା ୨.୭ କୋଟି ମହିଳା ନିଜର କ୍ରେଡିଟ୍ ସ୍କୋର୍ ଯାଞ୍ଚ କରିଛନ୍ତି, ଯାହା ପୂର୍ବବର୍ଷ ତୁଳନାରେ ୪୨ ପ୍ରତିଶତ ଅଧିକ। ଋଣକୁ ନେଇ ମହିଳାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଥିବାରୁ ବ୍ୟାଙ୍କଗୁଡ଼ିକ ସେମାନଙ୍କ ପାଖରେ ସେମାନଙ୍କ ଲାଗି ଆର୍ଥିକ ଉତ୍ପାଦ ବିକାଶ କରିବାର ସୁଯୋଗ ସୃଷ୍ଟି ହୋଇଛି। ସବୁଠୁ ବଡ଼ କଥା ହେଉଛି ବଡ଼ ସହ ତୁଳନାରେ ଛୋଟ ସହରଗୁଡ଼ିକରେ ବାସ କରୁଥିବା ମହିଳାମାନେ ନିଜ କ୍ରେଡିଟ୍ ସ୍କୋର ଅଧିକ ଯାଞ୍ଚ କରୁଛନ୍ତି। ଉତ୍ତର ଭାରତରେ ଅଧିକ ମହିଳା ଋଣଗ୍ରହୀତା ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଗରେ ରହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.