Breaking News

ଋଣ କମାଇବାରେ ଓଡ଼ିଶା ଦ୍ବିତୀୟ ଶ୍ରେଷ୍ଠ, ପ୍ରଥମ ସ୍ଥାନରେ ଗୁଜରାଟ

ଗତ ଦଶ ବର୍ଷ ମଧ୍ୟରେ ଋଣ କମ୍ କରିବାରେ ଚମତ୍କାର ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶାର ନାମ ରହିଛି। ନ୍ୟାସନାଲ୍‌ କାଉନ୍‌ସିଲ୍‌ ଫର୍‌ ଆପ୍ଲାଏଡ୍‌ ଇକୋନମିକ୍ ରିସର୍ଚ୍ଚ (ଏନ୍‌ସିଏଇଆର୍‌) ପ୍ରସ୍ତୁତ କରିଥିବା...

ଭୁବନେଶ୍ବର: ଗତ ଦଶ ବର୍ଷ ମଧ୍ୟରେ ଋଣ କମ୍ କରିବାରେ ଚମତ୍କାର ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶାର ନାମ ରହିଛି। ନ୍ୟାସନାଲ୍‌ କାଉନ୍‌ସିଲ୍‌ ଫର୍‌ ଆପ୍ଲାଏଡ୍‌ ଇକୋନମିକ୍ ରିସର୍ଚ୍ଚ (ଏନ୍‌ସିଏଇଆର୍‌) ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ଅନୁସାରେ ୨୦୧୨-୧୩ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶା ଏହାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)କୁ ଋଣ ଅନୁପାତରେ ୧.୫ ପ୍ରତିଶତ ହ୍ରାସ ଆଣିପାରିଛି। ଏହା ଗୁଜରାଟ ପଛକୁ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଉଭା ହୋଇଛି। ଗୁଜରାଟ ଏହି ଅନୁପାତରେ ୪.୫ ପ୍ରତିଶତ ହ୍ରାସ ଆଣିଛି। ୨୦୧୨-୧୩ରେ ଓଡ଼ିଶାର ଜିଏସ୍‌ଡିପିକୁ ଋଣ ଅନୁପାତ ୧୮.୮ ପ୍ରତିଶତ ଥିଲା ଯାହା ୨୦୨୨-୨୩ରେ ୧୭.୨ ପ୍ରତିଶତକୁ ଖସିଛି। ଚାରିଟି ରାଜ୍ୟ ଋଣ କମ୍ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେଗୁଡ଼ିକ ହେଉଛି ଗୁଜରାଟ, ଓଡ଼ିଶା, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର। ଖରାପ ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ, ତାମିଲନାଡ଼ୁ, ତେଲେଙ୍ଗାନା, ରାଜସ୍ଥାନ ଓ ବିହାର ନାମ ରହିଛି।

ଯେଉଁ ଆଧାରରେ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିକସର ଭାଗ ହସ୍ତାନ୍ତର କରାଯାଉଛି, ସେଥିରେ ଅର୍ଥ ଆୟୋଗ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ସୁପାରିସ କରାଯାଇଛି। ବିଶେଷ କରି ଆର୍ଥିକ ଶୃଙ୍ଖଳା ବଜାୟ ରଖୁଥିବା ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି। କିନ୍ତୁ, ପରିତାପର ବିଷୟ ହେଉଛି ଅଧିକ ରାଜସ୍ବ ନିଅଣ୍ଟ ଥିବା ରାଜ୍ୟଗୁଡ଼ିକୁ ଅଧିକ ସମ୍ବଳ ଆବଣ୍ଟନ କରାଯାଉଛି। ଭୋଟରଙ୍କ ମନ ଜିଣିବା ଲାଗି ମାଗଣା ଯୋଜନା ଓ ସବ୍‌ସିଡି ଆବଣ୍ଟନ କରିବାରେ ରାଜ୍ୟଗୁଡ଼ିକ ଭିତରେ ଯେଭଳି ପ୍ରତିଯୋଗିତା ଚାଲିଛି। ରାଜ୍ୟଗୁଡ଼ିକ ଆୟର ଏକ ନିର୍ଦ୍ଦିଷ୍ଟ ଭାଗ ବେତନ, ପେନସନ୍ ଓ ସୁଧ ଦେବାରେ ଚାଲିଯାଉଛି। ଏହାବାଦ ମାଗଣା ଯୋଜନାରେ ଅଧିକ ଖର୍ଚ୍ଚ କରାଗଲେ, ବିକାଶମୂଳକ କାର୍ଯ୍ୟ ଲାଗି ପାଣ୍ଠିର ଅଭାବ ପଡ଼ୁଛି।

ଯେଉଁ ରାଜ୍ୟଗୁଡ଼ିକର ଋଣ ‌ଭାର ଅସମ୍ଭାଳ ସ୍ତରରେ ରହିଛି ସେମାନଙ୍କ ଉପରେ କେନ୍ଦ୍ର ସରକାର ଅତିରିକ୍ତ ନଜର ରଖିବା ସହ ସେମାନଙ୍କ ଆର୍ଥିକ ସ୍ବାଧୀନତାକୁ ସାମୟିକ ସମୟ ଲାଗି ପ୍ରତ୍ୟାହାର କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି। ଦେଶର ମୋଟ ଋଣରେ ଏକ ତୃତୀୟାଂଶ ଭାଗ ରାଜ୍ୟଗୁଡ଼ିକର ରହିଛି। ବ୍ୟୟ ଓ ରାଜସ୍ବର ବାସ୍ତବ ଆକଳନ ଲାଗି ରାଜ୍ୟ ସ୍ତରରେ ‘ବିତ୍ତୀୟ ପରିଷଦ’ ଗଠନ କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଯେଉଁ ରାଜ୍ୟଗୁଡ଼ିକର ଋଣ ଉଚ୍ଚ ସ୍ତରରେ ରହିଛି, ସେମାନଙ୍କ ଫୋରେନ୍ସିକ୍ ଅନୁଶୀଳନ କରି କେଉଁଠାରେ ସମସ୍ୟା ରହିଛି ତାହା ଖୋଜିବାକୁ ମଧ୍ୟ କୁହାଯାଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.