Breaking News

‘ଏଇ ଝୁମା ଝୁମା ଗୋଲାପି ବେଳାରେ’ ଗୀତର ସ୍ରଷ୍ଟା: ଆରପାରିରେ ଗୀତିକାର ସଂଗ୍ରାମ ମହାନ୍ତି

‘ଏଇ ଝୁମା ଝୁମା ଗୋଲାପି ବେଳାରେ...’, ‘କହନା ଏ ଫୁଲ କହନା, ନକରି ଆଉ ବାହାନା’। ଅଶୀଦଶକର ଏହି ସୁମଧୁର ଗୀତ ଏବେ ବି ଶ୍ରୋତାମାନଙ୍କ ମନରେ ଲାଖି ରହିଛି। ଏହିଭଳି ଅନେକ ଲୋକପ୍ରିୟ ଗୀତର ସ୍ରଷ୍ଟା...

ବାରିପଦା: ‘ଏଇ ଝୁମା ଝୁମା ଗୋଲାପି ବେଳାରେ…’, ‘କହନା ଏ ଫୁଲ କହନା, ନକରି ଆଉ ବାହାନା’। ଅଶୀଦଶକର ଏହି  ସୁମଧୁର ଗୀତ ଏବେ ବି ଶ୍ରୋତାମାନଙ୍କ ମନରେ ଲାଖି ରହିଛି। ଏହିଭଳି ଅନେକ ଲୋକପ୍ରିୟ ଗୀତର ସ୍ରଷ୍ଟା ବିଶିଷ୍ଟ ଗୀତିକାର ତଥା ଲେଖକ ସଂଗ୍ରାମ ମହାନ୍ତି ଆଉନାହାନ୍ତି। ୭୮ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ବିଶିଷ୍ଟ ଗୀତିକାର ଶ୍ରୀ ମହାନ୍ତି ବହୁଦିନ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ବାରିପଦା ଭଞ୍ଜପୁରସ୍ଥିତ ଜେଲ୍‌ମାର୍ଗ ବାସଭବନରେ ଆଖିବୁଜି ଦେଇଛନ୍ତି। ତାଙ୍କର ପତ୍ନୀ ଓ ୩ କନ୍ୟା ଅଛନ୍ତି। ପରଲୋକ ଖବର ପାଇ ମୟୂରଭଞ୍ଜ ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ବହୁ କଳାକାର, ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ମରଶରୀରକୁ ବିଶାଳ ଶୋଭାଯାତ୍ରାରେ ନିଆଯାଇ ବାରିପଦାସ୍ଥିତ ବାରୁଣୀଘାଟରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ମହାନ୍ତି ୧୯୭୧ ମସିହାରୁ କଟକ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଗୀତିକାର ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସିନେମା ଜଗତରେ ପାଦ ଥାପିଥିଲେ। ୧୯୮୨ ମସିହରେ ଚଳଚ୍ଚିତ୍ର ‘ଫୁଲଚନ୍ଦନ’ରେ ‘କହନା ଏଫୁଲ କହନା’, ୧୯୮୩ରେ ‘ଅଭିଳାଷ’ ଚଳଚ୍ଚିତ୍ରରେ ‘ଏଇ ଝୁମା ଝୁମା ଗୋଲାପି ବେଳାରେ’, ୧୯୯୪ରେ ‘ଗୋପରେ ବଢୁଛି କଳା କହ୍ନେଇ’ ଚଳଚ୍ଚିତ୍ରରେ ‘ରୁମ୍‌ ଝୁମ୍‌ ବାଜେ ପାଦର ପାଉଁଜି, ୨୦୦୫ରେ ‘ମୋ ମନ ଖାଲି ତୋରି ପାଇଁ’ ଚଳଚ୍ଚିତ୍ରରେ ‘ହେଇରେ ଖଣ୍ଡିଆ ଭୂତ ଆସିଲା’ ଏବଂ ୨୦୦୯ ମସିହାରେ ‘ତୁମେ ହିଁ ସାଥୀ ମୋର’ ଚଳଚ୍ଚିତ୍ରରେ ‘ଶୂନ୍‌ଶାନ୍‌ ରାତି ଶୂନଶାନ୍‌ ଜ୍ୟୋତ୍ସ୍ନା’ ଆଦି ଗୀତ ରଚନା କରି  ସାରାରାଜ୍ୟରେ ଚହଳ ପକାଇଥିଲେ। ସେହିପରି ରସିଆ ଠାକୁର, ଆମରି ଅମ୍ବିକା ମା’, ତୁଳସୀ କର୍ପୁର ଚନ୍ଦନ, ରିମ୍‌ଝିମ୍ ବର୍ଷା, ମୋ ପ୍ରିୟା, ମାଦଳ ତାଳେ ତାଳେ, ପିତ୍ତଳ ସିଟି, ଡାକିନିଅ ପାସେ, ଭକ୍ତି ପିୟୁଷ ସାଇ ସରଗମ୍‌ ଆଦି ଓଡ଼ିଆ କ୍ୟାସେଟ୍‌ ପାଇଁ ସେ ଗୀତ ରଚନା କରିଥିଲେ।

ସେ ମଧ୍ୟ ଲେଖକ ଭାବେ ବେଶ୍‌ ଜଣାଶୁଣା ଥିଲେ। ‘ମେହେର ସାହିତ୍ୟର କେତୋଟି ଦିଗ’, ‘ଝୁମା ଝୁମା ଗୋଲାପି ବେଳାରେ’, ‘ସପନ ବିକା ଗାଁ’, ‘ଗଙ୍ଗଶିଉଳି ପ୍ରିୟା ମୋର’, ‘ଭାବବିନ୍ଦୁ’, ‘ଶୃଙ୍ଗାର ଶତକ’, ପଦ୍ୟାନୁବାଦ ‘ମେଘଦୂତମ୍‌’ ଓ  ‘ନୀତି ଶୀତଳ’ ପୁସ୍ତକ ରଚନା କରିଥିଲେ।  ଶ୍ରୀ ମହାନ୍ତି ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ‘ରିସୋର୍ସ ଆଣ୍ଡ ସର୍ଭେ ଅନ୍ ଟ୍ରାଇବଲ୍‌ ଆଣ୍ଡ ଫକ୍ ଆର୍ଟ ଅଫ୍‌ ମୟୂରଭଞ୍ଜ’କୁ ନେଇ ସିନିୟର ଫେଲୋସିପ୍ ସମ୍ମାନ ପାଇଥିଲେ। ୨୦୨୩ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରୁ ଡିଲିଟ୍ ହାସଲ କରିଥିଲେ। ଏଥିସହିତ, ବାରିପଦା ଶ୍ରୀରାମଚନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦରୁ ଭୂମିପୁତ୍ର ସମ୍ମାନ, କଟକ ଉତ୍କଳ ସାହିତ୍ୟ ସମାଜରୁ ଗୀତିକବିତା ସମ୍ମାନ, ବାଲେଶ୍ବର ଫକୀରମୋହନ ସାହିତ୍ୟ ପରିଷଦରୁ ଫକୀରମୋହନ ଗୀତିଶ୍ରୀ ସମ୍ମାନ, ମୟୂରଭଞ୍ଜ ଝାରପୋଖରୀଆ ସୀମାନ୍ତ ମହାବିଦ୍ୟାଳୟରୁ ମୟୂରଭଞ୍ଜ ନାଟ୍ୟ ସଂସଦ ସମ୍ମାନ ଭଳି ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ। ଶ୍ରୀ ମହାନ୍ତି ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ, ମୟୂରଭଞ୍ଜ ସଂସ୍କୃତି ପରିଷଦ, ଓଡ଼ିଆ ଗୀତିକବି ସମାଜ, ମୟୂରଭଞ୍ଜ କଳାକାର ସଂଘର ସଦସ୍ୟ, ବାରିପଦା ସାହିତ୍ୟ ସଂସଦ, ମହରାଜା ଶ୍ରୀରାମଚନ୍ଦ୍ର ପାଠାଗାର ଭଳି ଅନେକ ଅନୁଷ୍ଠାନ ସହ ଜଡ଼ିତ ଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.