Breaking News

ଏକାଦଶ ଦିବସ ଧୋଇଗଲା: ସଂସଦରେ ଅଚଳାବସ୍ଥା ଜାରି

ସଂସଦର ମୌସୁମୀ ଅଧିବେଶନର ଏକାଦଶ ଦିବସ ବି ଧୋଇଯାଇଛି। ବିହାରରେ ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରସଙ୍ଗରେ ଆଲୋଚନା ଦାବିକରି ଆଜି ମଧ୍ୟ ବିରୋଧୀ ସଦସ୍ୟମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହୋହଲ୍ଲା କରିବାରୁ ଗୃହକାର୍ଯ୍ୟ ହୋଇପାରିନାହିଁ।

 ଏକାଦଶ ଦିବସ ଧୋଇଗଲା: ସଂସଦରେ ଅଚଳାବସ୍ଥା ଜାରି

 

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଏକାଦଶ ଦିବସ ବି ଧୋଇଯାଇଛି। ବିହାରରେ ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରସଙ୍ଗରେ ଆଲୋଚନା ଦାବିକରି ଆଜି ମଧ୍ୟ ବିରୋଧୀ ସଦସ୍ୟମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହୋହଲ୍ଲା କରିବାରୁ ଗୃହକାର୍ଯ୍ୟ ହୋଇପାରିନାହିଁ। ଲୋକସଭାରେ ଆଜି ଗୃହ ମୁଲତବୀ ହେବା ପୂର୍ବରୁ  ଗୃହରେ ଅଧ୍ୟକ୍ଷତା କରୁଥିବା ଜଗଦମ୍ବିକା ପାଲ୍‌  ସଦସ୍ୟମାନଙ୍କୁ ଚେତାଇ ଦେଇଥିଲେ ଯେ ଗୃହ କାର୍ଯ୍ୟରେ ଲଗାତାର ବାଧା ସୃଷ୍ଟି କରିବାରୁ ଏଯାବତ୍‌ ଲୋକସଭାରେ ଗୋଟିଏ ବି ବିଲ୍‌ ଗୃହୀତ ହୋଇନାହିଁ।

ଶ୍ରୀ ପାଲ୍‌  କହିଥିଲେ, ସୋମବାର ୨ଟି ପ୍ରମୁଖ କ୍ରୀଡ଼ା ବିଲ୍‌ ଉପରେ ଆଲୋଚନା ପାଇଁ ତାଲିକାଭୁକ୍ତ କରାଯାଇଥିଲା।  ଯଦି ଗୃହରେ ଉକ୍ତ ୨ଟି ବିଲ୍‌ ଉପରେ ଆଲୋଚନା ହୋଇ ଏହା ପାରିତ କରାନଯାଏ ତେବେ ଖେଳାଳିଙ୍କ ସହ ଅନ୍ୟାୟ ହେବ।  ଶ୍ରୀ ପାଲ୍‌ ମଧ୍ୟ ଗୃହରେ ସଦସ୍ୟମାନଙ୍କୁ ମନେ ପକାଇ ଦେଇଥିଲେ ଯେ ଗତ ଜୁଲାଇ ୨୧ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରଠାରୁ ଏଯାବତ୍‌ ଗୃହରେ ଗୋଟିଏ ବି ବିଲ୍‌ ଗୃହୀତ ହୋଇନାହିଁ। ଲଗାତାର ତୃତୀୟ ସପ୍ତାହ ଧରି ବିରୋଧୀଙ୍କ ସ୍ଲୋଗାନ ପାଇଁ ଗୃହକାର୍ଯ୍ୟରେ ବାଧା ଉପୁଜୁଥିବା ସେ କହିଛନ୍ତି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ସଦସ୍ୟମାନେ ଆଜି ଲୋକସଭାରେ ପ୍ଲାକାର୍ଡ ଧରି ସ୍ଲୋଗାନ୍‌ ଦେଇଥିଲେ। ସେମାନେ ଏସ୍‌ଆଇଆର୍‌ ଉପରେ ଆଲୋଚନା ଦାବି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଧ୍ୟ ଏହି ସମାନ ଟିପ୍ପଣୀ ଦେଇଛନ୍ତି।    ରାଜ୍ୟସଭାରେ ମଧ୍ୟ ଆଜି ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ମୃତ୍ୟୁ ଘଟଣା ପାଇଁ ଗୋଟିଏ ମିନିଟ୍‌ର ନିରବ ପ୍ରାର୍ଥନା କରାଯିବାପରେ ଗୃହ କାର୍ଯ୍ୟ ମୁଲତବୀ ରହିଥିଲା।

ଉଲ୍ଲେଖଯୋଗ୍ୟ  ଆଜି ବାଚସ୍ପତି ଓମ୍‌ ବିର୍ଲା କହିଥିଲେ ଯେ ପ୍ରତିଦିନ ସେ ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବାପାଇଁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ସଦସ୍ୟମାନେ ବିଧିବଦ୍ଧ ଭାବେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି।  ବିର୍ଲା କହିଛନ୍ତି, ଆପଣମାନେ ଲକ୍ଷଲକ୍ଷ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି ଏବଂ ସେମାନଙ୍କ ପ୍ରତିନିଧିତ୍ବ କରୁଛନ୍ତି। କିନ୍ତୁ  ଆପଣମାନେ ସୁରୁଖୁରୁରେ ଗୃହ କାର୍ଯ୍ୟ ସମ୍ପାଦନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆପଣମାନେ  ଗୃହର ସମ୍ମାନ ହାନି କରୁଛନ୍ତି ବୋଲି ବିର୍ଲା କହିଛନ୍ତି।  ବିର୍ଲା କହିଥିଲେ ଯଦି ସଦସ୍ୟଙ୍କର କିଛି ପ୍ରସଙ୍ଗ ଅଛି ତେବେ ସେମାନେ ଆଲୋଚନା ପାଇଁ ଆସିବା ଉଚିତ। କିନ୍ତୁ  ସେମାନେ ପ୍ରଶ୍ନକାଳ ସଠିକ୍‌ ଭାବେ ଚାଲିବାପାଇଁ ଦେବା ଉଚିତ। ଅନ୍ୟପକ୍ଷେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବାରମ୍ବାର ଗୃହକାର୍ଯ୍ୟରେ ବାଧା ଉପୁଜିବା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।  ରିଜିଜୁ କହିଛନ୍ତି , କ୍ରୀଡ଼ା ସଂକ୍ରାନ୍ତ ୨ଟି ପ୍ରମୁଖ ବିଲ୍‌ ତଥା ନେସନାଲ ସ୍ପୋର୍ଟସ୍‌ ଗଭର୍ଣ୍ଣାନ୍ସ ବିଲ୍‌ ଏବଂ ନେସନାଲ୍‌ ଆଣ୍ଟି-ଡୋପିଂ (ଆମେଣ୍ଡମେଣ୍ଟ୍‌) ବିଲ୍‌  ଆଲୋଚନା ଏବଂ ଗୃହୀତ ହେବାପାଇଁ ଧାର୍ଯ୍ୟ କରାଯାଇଥିଲା।  ସମସ୍ତ ଦଳ ଉକ୍ତ ୨ଟି ବିଲ୍‌ ଗୃହୀତ କରିବାପାଇଁ ରାଜି ଥିଲେ।  କ୍ରୀଡ଼ା ମନ୍ତ୍ରୀ ଆଲୋଚନାରେ ଭାଗ ନେବାପାଇଁ ପ୍ରସ୍ତୁତ ଥିଲେ। କିନ୍ତୁ ଆଜି ଗୃହ କାର୍ଯ୍ୟ ଦେଖିବାପରେ ମୁଁ ଖୁବ୍‌ ଦୁଃଖିତ ବୋଲି ରିଜିଜୁ କହିଛନ୍ତି।

 

 

ସୌଜନ୍ୟ – ସମ୍ବାଦ

Comments are closed.