Breaking News

ଏକାମ୍ର‌ କ୍ଷେତ୍ରରୁ ଚୋରି ହେଉଛି ବିରଳ ମୂର୍ତ୍ତି!

ରକ୍ଷଣା‌ବେକ୍ଷଣ କିମ୍ବା ସରଂକ୍ଷଣ ବି ହେଉନି। କେଉଁଠି ବେଢ଼ା ଭିତରେ ତ କେଉଁଠି ମନ୍ଦିର ବାହାରେ ପରିତ୍ୟକ୍ତ ସ୍ଥାନରେ ପଡ଼ୁଛି ଶହ ଶହ ବର୍ଷର ବିରଳ ପ୍ରତିମା। ଏହାର ଫାଇଦା ନେଇ ଏହି ସବୁ ବିରଳ ମୂର୍ତ୍ତି ଏକାମ୍ର‌ କ୍ଷେତ୍ରରୁ ଚୋରି ହେଉଛି।

ପୁରୁଣା ଭୁବନେଶ୍ବର: ରକ୍ଷଣା‌ବେକ୍ଷଣ କିମ୍ବା ସରଂକ୍ଷଣ ବି ହେଉନି। କେଉଁଠି ବେଢ଼ା ଭିତରେ ତ କେଉଁଠି ମନ୍ଦିର ବାହାରେ ପରିତ୍ୟକ୍ତ ସ୍ଥାନରେ ପଡ଼ୁଛି ଶହ ଶହ ବର୍ଷର ବିରଳ ପ୍ରତିମା। ଏହାର ଫାଇଦା ନେଇ ଏହି ସବୁ ବିରଳ ମୂର୍ତ୍ତି ଏକାମ୍ର‌ କ୍ଷେତ୍ରରୁ ଚୋରି ହେଉଛି। ଏକାମ୍ର କ୍ଷେତ୍ରରେ ଶହ ଶହ ମନ୍ଦିର ଗଢ଼ି ଉଠିଛି। ଲିଙ୍ଗରାଜ ମନ୍ଦିର ସମେତ କିଛି ମନ୍ଦିର ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଓ ଅନ୍ୟ କିଛି ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀନରେ ରହିଛି। ଏଥିମଧ୍ୟରୁ ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀନରେ ଥିବା ଭବାନୀ ଶଙ୍କର ମନ୍ଦିର ବେଢ଼ାରେ ଅନେକ ବିରଳ ପ୍ରତିମା ଯାଥା ନାରାୟଣ, ପଞ୍ଚମୁଖୀ ଶିବ, ଶିବଲିଙ୍ଗ, ଗଣେଶ, କାର୍ତ୍ତି‌କେୟ, ବିଷ୍ଣୁ, ବୃଷଭଙ୍କର ଭଗ୍ନ ମୂର୍ତ୍ତି ରହିଛି। ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏହି ମୂର୍ତ୍ତି ମଧ୍ୟରୁ ‘ନୃସିଂହ’ଙ୍କ ମୂର୍ତ୍ତି କେଉଁଆଡ଼େ ଉଭାନ୍‌ ହୋଇଯାଇଛି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସୀନ୍ଦା। ଏଥିସହ ଭବାନୀ ଶଙ୍କର ମନ୍ଦିର ନିକଟରେ ଥିବା ନାରାୟଣ ମନ୍ଦିରରେ ଅନେକ ଗୋପାଳଙ୍କ ମୂର୍ତ୍ତି ଓ ପ୍ରାୟ ୬ଟି କୃଷ୍ଣଙ୍କ ମୂର୍ତ୍ତି ମଧ୍ୟ ଗାଏବ ହୋଇଯାଇଛି।

ଭବାନୀ ଶଙ୍କର, ନାରାୟଣ ମନ୍ଦିରରୁ ମୂର୍ତ୍ତି ଉଭାନ୍‌
ରେକର୍ଡ ମେଳ ପରେ କାର୍ଯ୍ୟାନୁଷ୍ଠାନ: ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ

କେବଳ ଏହି ଗୋଟିଏ କି ଦୁଇଟି ନୁହେଁ, ଏକାମ୍ରରେ ଥିବା ଅଧିକାଂଶ ମନ୍ଦିରର ପାର୍ଶ୍ବ ଦେବାଦେବୀ ନାହାନ୍ତି। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବେଢ଼ା ଭିତରେ ଅଧିକାଂଶ ପାର୍ଶ୍ବ ଦେବାଦେବୀ ନାହାନ୍ତି। ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ପାଖ ପାଚେରୀ କଡ଼ରେ ଅନେକ ଭଗ୍ନ ମୂର୍ତ୍ତି ପଡ଼ିଛି। ‌ହେଲେ ଏହାର ସରଂକ୍ଷଣ ହେଉନାହିଁ। ଲିଙ୍ଗରାଜ ମନ୍ଦିର ବାହାରେ ଥିବା ମନ୍ଦିର ଗୁଡ଼ିକର ଭଗ୍ନ ମୂର୍ତ୍ତି ଧୀରେ ଧୀରେ ଉଭାନ୍‌ ହେଉଛି। ଏ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି, ମନ୍ଦିର ଉପରେ ଆକ୍ରମଣ ସମୟରେ ପାଶ୍ବ ଦେବାଦେବୀଙ୍କ ବିରଳ ମୂର୍ତ୍ତି ଚୋରି ହୋଇଯାଇଥିବା କୁହାଯାଏ। ୧୯୮୦ ମସିହାରେ ବିନ୍ଦୁ ସାଗରରୁ ଅନେକ ମୂର୍ତ୍ତି ମିଳିଥିଲା। କିଛି ମୂର୍ତ୍ତିକୁ ବିନ୍ଦୁସାଗର କୂଳରେ ଥିବା ମନ୍ଦିର ବେଢ଼ାରେ ରଖାଯାଇଥିଲା। ହେଲେ ଏହାର ରକ୍ଷଣାବେକ୍ଷଣ କରାଗଲା ନାହିଁ। ଏ ମୂର୍ତ୍ତି କୁଆଡ଼େ ଗଲା ତା’ର ତଦନ୍ତ ହେଉ। ଏସବୁ ଦୁର୍ମୂଲ୍ୟ ମୂର୍ତ୍ତିମାନଙ୍କୁ ସଂଗ୍ରହାଳୟରେ କାହିଁକି ରଖା ଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଅଶ୍ବିନୀ ଶତପଥୀ କହିଛନ୍ତି, ଭବାନୀ ଶଙ୍କର ମନ୍ଦିର ବେଢ଼ାରେ ଥିବା ମୂର୍ତ୍ତିର ତାଲିକା ଆମ ପାଖରେ ଅଛି। ଏହି ତାଲିକା ସହ ବର୍ତ୍ତମାନ ଥିବା ମୂର୍ତ୍ତିକୁ ମେଳ କରାଯିବ। ଯଦି ପ୍ରକୃତରେ ମୂର୍ତ୍ତି ନଥାଏ, ତେବେ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.