Breaking News

ଏଥର ଶୀତରେ ସ୍ୱାଭାବିକଠୁ ଅଧିକ ତାପମାତ୍ରା, ପ୍ରଭାବିତ ହେବ ଶସ୍ୟ ଉତ୍ପାଦନ

ନୂଆଦିଲ୍ଲୀ, ୦୫/୧୨: ଏଥର ଶୀତ ଋତୁରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଛି । ୧୯୦୧ରୁ ସବୁଠୁ ଉତ୍ତପ୍ତ ନଭେମ୍ବର ଥିଲା ୨୦୨୪ ନଭେମ୍ବର । ତେବେ ଏଭଳି ସ୍ଥିତିରେ ଗହମ ଏବଂ ସୋରିଷ ଭଳି ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଆଇଏମ୍‌ଡି ଅନୁସାରେ, ଡିସେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ସର୍ବନିମ୍ନ ଏବଂ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଏ ସମୟରେ ଶୀତଲହର ଦିନ ମଧ୍ୟ କମ୍‌ ରହିବ । ଗହମ, ସୋରିଷ ଏବଂ ଚଣା ଭଳି ରବି ଫସଲ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବୁଣାଯାଇଥାଏ । ଭଲ ଉତ୍ପାଦନ ପାଇଁ ଫସଲ ବଢ଼ିବା ଏବଂ ପାକଳ ହେବା ସମୟରେ ଥଣ୍ଡା ପାଗ ଦରକାର ପଡ଼ିଥାଏ ।

ଆଇଏମ୍‌ଡିର ଆକଳନ ଅନୁସାରେ, ଥଣ୍ଡା କମ୍‌ ରହିବା କାରଣରୁ ଉତ୍ପାଦନ କମିଯିବ । କମ୍‌ ଉତ୍ପାଦନ ଯୋଗୁ ଚୀନ୍‌ ପରେ ବିଶ୍ୱର ସର୍ବବୃହତ୍‌ ଗହମ ଉତ୍ପାଦକ ଭାରତ ଆଗରେ ସମସ୍ୟା ଆସିପାରେ । ନିଜର ୧୪୦ କୋଟି ଜନତାଙ୍କ ପାଇଁ ଶସ୍ତା ଯୋଗାଣ ସୁନିଶ୍ଚିତ କରିବା ଲାଗି ଭାରତକୁ ଗହମ ଆମଦାନି କରିବାକୁ ପଡ଼ିପାରେ । ଡାଲି ଏବଂ ଖାଇବା ତେଲ ଆମଦାନି ବି ବଢ଼ିପାରେ ।

ଚାଷୀଙ୍କୁ ଅସନ୍ତୁଷ୍ଟ ନ କରିବା ପାଇଁ ରେକର୍ଡ ଉଚ୍ଚ ଦର ସତ୍ତେ୍ୱ ଏଯାବତ୍‌ ସରକାର ଗହମ ଆମଦାନି ପାଇଁ ହୋଇଥିବା ଚାପକୁ ବିରୋଧ କରିଆସିଥିଲେ । ଏକ ବିଶ୍ୱସ୍ତରୀୟ ଟ୍ରେଡିଂ କମ୍ପାନିର ମୁମ୍ବାଇସ୍ଥିତ ବ୍ୟବସାୟୀଙ୍କ କହିବାନୁସାରେ,ଗତ କିଛି ବର୍ଷରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଗହମ ଉତ୍ପାଦନ କ୍ଷେତ୍ରରେ ତାପମାତ୍ରା ଅନ୍ୟ କାରକଗୁଡ଼ିକ ତୁଳନାରେ ଅନେକ ମାତ୍ରାରେ ଗୁରୁତ୍ୱ ବହନ କରିଥାଏ । ତାପମାତ୍ରା ବିଗିଡ଼ିବା ଦ୍ୱାରା ଉତ୍ପାଦନ ବ୍ୟାହତ ହେବା ସ୍ୱାଭାବିକ ।

ତାତି ଏବଂ ଅସାମାନ୍ୟ ତାତି ଯୋଗୁ ୨୦୨୨ ଏବଂ ୨୦୨୩ରେ ଭାରତରେ ଗହମ ଉତ୍ପାଦନ ପ୍ରଭାବିତ ହୋଇଛି । ଏହାଦ୍ୱାରା ସରକାର ଭଣ୍ଡାରରେ ହ୍ରାସ ଦେଖାଦେଇଛି । ଦିଲ୍ଲୀରେ ଗତ ସପ୍ତାହରେ ଗହମ ଦର ଟନ୍‌ ପିଛା ରେକର୍ଡ ସ୍ତର ୩୨,୦୦୦ ଟଙ୍କାରେ ପହଞ୍ଚିଛି । ଏହା ଏପ୍ରିଲରେ ୨୫,୦୦୦ ଟଙ୍କା ଥିଲା । ଗହମ ଦର ଗତ ସିଜନ୍‌ର ଅମଳ ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୨,୭୫୦ ଟଙ୍କାରୁ ଅନେକ ମାତ୍ରାରେ ଅଧିକ । ଯୋଗାଣ ବଢ଼ାଇ ଦର ଖସାଇବା ଲାଗି ଭାରତ ସରକାର ନିଜର ସରକାରୀ ଭଣ୍ଡାରରୁ ୨୫ ଲକ୍ଷ ଟନ୍‌ ଗହମକୁ ଅଟାକଳ ଏବଂ ବିସ୍କୁଟ ନିର୍ମାତା ଭଳି ପାଇକାରୀ ଉପଭୋକ୍ତାଙ୍କୁ ବିକ୍ରି କରିବାର ଯୋଜନା କରୁଛନ୍ତି ।

ଆଇଏମ୍‌ଡି ପ୍ରକାଶ କରିଛି ଯେ, ଶୀତରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଡିସେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହା ଦେଖିବାକୁ ମିଳିବ । ଏହାଦ୍ୱାରା ଗହମ, ସୋରିଷ ଭଳି ଫସଲ ଉତ୍ପାଦନ ପ୍ରଭାବିତ ହେବ । କମ୍‌ ଥଣ୍ଡା ପଡ଼ିବା ଦ୍ୱାରା ଉତ୍ପାଦନ କମିବ । ଭାରତକୁ ଗହମ ଆମଦାନି କରିବାକୁ ପଡ଼ିପାରେ । ଡାଲି ଏବଂ ତେଲ ଆମଦାନି ବି ବଢିପାରେ । ସରକାର ଏଯାବତ୍‌ ଗହମ ଆମଦାନି କରିନାହାନ୍ତି । ଜଣେ ବ୍ୟବସାୟୀଙ୍କ କହିବାନୁସାରେ, ଗହମ ପାଇଁ ତାପମାତ୍ରା ଅନେକ ମାତ୍ରାରେ ଜରୁରୀ । ଫସଲର ଭଲ ଉତ୍ପାଦନ ପାଇଁ ପାଣିପାଗ ଥଣ୍ଡା ବି ରହିବା ଦରକାର । ଏଭଳି କ୍ଷେତ୍ରରେ ଗହମ ଉତ୍ପାଦନକୁ ନେଇ ଚିନ୍ତା ଦେଖାଦେଇଛି । ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍‌ ଗହମ ଉତ୍ପାଦକ ରହିଛି । ପ୍ରଥମ ସ୍ଥାନରେ ରହିଛି ଚୀନ୍‌ ।

ସୌଜନ୍ୟ-ପ୍ରମେୟ

Comments are closed.