Breaking News

ଏଫ୍‌ଡିଆଇ ଆଣିବାରେ ଓଡ଼ିଶା ପଛୁଆ: ୫ ବର୍ଷରେ ଆସିଛି ୧୪୫୯ କୋଟି

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକୃଷ୍ଟ କରିବା କ୍ଷେତ୍ରରେ ଓଡ଼ିଶା ପଛରେ ରହିଯାଇଛି। ଗତ ୫ ବର୍ଷ ମଧ୍ୟରେ ଦେଶକୁ ମୋଟ ୨୬୨୫୩୭.୯ ନିୟୁତ ଡଲାର ଆସିଥିବାବେଳେ ଏଥିରୁ ଓଡ଼ିଶାକୁ ମାତ୍ର ୧୭୨.୩୨ ନିୟୁତ ଡଲାର (୧୪୫୯ କୋଟି ଟଙ୍କା) ଆସିଛି।

ଭୁବନେଶ୍ବର: ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକୃଷ୍ଟ କରିବା କ୍ଷେତ୍ରରେ ଓଡ଼ିଶା ପଛରେ ରହିଯାଇଛି। ଗତ ୫ ବର୍ଷ ମଧ୍ୟରେ ଦେଶକୁ ମୋଟ ୨୬୨୫୩୭.୯ ନିୟୁତ ଡଲାର ଆସିଥିବାବେଳେ ଏଥିରୁ ଓଡ଼ିଶାକୁ ମାତ୍ର ୧୭୨.୩୨ ନିୟୁତ ଡଲାର (୧୪୫୯ କୋଟି ଟଙ୍କା) ଆସିଛି। ଅର୍ଥାତ୍‌ ଗତ ୫ ବର୍ଷ ଭିତରେ ଦେଶକୁ ଆସିଥିବା ମୋଟ୍‌ ଏଫ୍‌ଡିଆଇର କେବଳ ୦.୦୭ ପ୍ରତିଶତ ଓଡ଼ିଶା ପାଇଛି। ଅନ୍ୟାନ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଏଫ୍‌ଡିଆଇ କ୍ଷେତ୍ରରେ ଓଡ଼ିଶା ଏକବିଂଶ ସ୍ଥାନରେ ରହିଛି ବୋଲି କେନ୍ଦ୍ର ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି।

ସୂଚନା ଅନୁଯାୟୀ, ୨୦୧୯ ଅକ୍ଟୋବରରୁ ୨୦୨୪ ସେପ୍ଟେମ୍ବର ମଧ୍ୟରେ ଭାରତକୁ ଆସିଥିବା ମୋଟ ୨୬୨,୫୩୭.୯ ନିୟୁତ ଡଲାରର ଏଫ୍‌ଡିଆଇରୁ ସର୍ବାଧିକ ୮୨,୬୩୮.୦୮ ନିୟୁତ ଡଲାର (୩୧.୪୮ ପ୍ରତିଶତ) ଏଫ୍‌ଡିଆଇ ମହାରାଷ୍ଟ୍ର ପାଇଛି। ଏହାପଛକୁ ଦ୍ବିତୀୟ ସ୍ଥାନରେ କର୍ଣ୍ଣାଟକ ରହିଛି। ଦକ୍ଷିଣ ଭାରତର ଏହି ରାଜ୍ୟକୁ ଗତ ୫ ବର୍ଷ‌ ମଧ୍ୟରେ ୫୪,୫୭୩.୭୩ ନିୟୁତ ଡଲାର (୨୦.୭୯ ପ୍ରତିଶତ) ଏଫ୍‌ଡିଆଇ ଆସିଛି। ଏଫ୍‌ଡିଆଇ ଆଣିବାରେ ତୃତୀୟ ସ୍ଥାନରେ ଗୁଜରାଟ, ଚତୁର୍ଥ ସ୍ଥାନରେ ଦିଲ୍ଲୀ ଏବଂ ପଞ୍ଚମ ସ୍ଥାନରେ ତାମିଲନାଡ଼ୁ ରହିଛନ୍ତି। ଗୁଜରାଟକୁ ଗତ ୫ ବର୍ଷ ମଧ୍ୟରେ ୪୩,୧୪୯.୯୫ ନିୟୁତ ଡଲାର (୧୬.୪୪%), ଦିଲ୍ଲୀକୁ ୩୪,୯୨୦.୪୮ ନିୟୁତ ଡଲାର(୧୩.୩୦%), ତାମିଲନାଡ଼ୁକୁ ୧୨,୫୬୦.୫୨ ନିୟୁତ ଡଲାର (୪.୭୮ ପ୍ରତିଶତ) ଏଫ୍‌ଡିଆଇ ଆସିଛି।

ହରିୟାଣାକୁ ୧୧,୦୪୨.୯୨ ନିୟୁତ ଡଲାର (୪.୭୮%), ତେଲେଙ୍ଗାନାକୁ ୯୩୧୪ ନିୟୁତ ଡଲାର((୩.୫୫ ପ୍ରତିଶତ) ଏବଂ ଝାଡ଼ଖଣ୍ଡକୁ ୨୬୬୭.୧୦ ନିୟୁତ ଡଲାର ( ୧.୦୨ ପ୍ରତିଶତ) ଏଫ୍‌ଡିଆଇ ଆସିଛି। ସରକାରଙ୍କ ତଥ୍ୟକୁ ଦେଖିଲେ ଏହା ଜଣାଯାଏ ଯେ ଉପରୋକ୍ତ ରାଜ୍ୟ ବ୍ୟତୀତ ଅନ୍ୟ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ମୋଟ ଏଫ୍‌ଡିଆଇର ୧ ପ୍ରତିଶତ ବି ପାଇବାରେ ସକ୍ଷମ ହୋଇନାହାନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଶିଳ୍ପାୟନ ପାଇଁ ମଧ୍ୟ ରାଜ୍ୟ ସରକାର ଗତ ଅନେକ ବର୍ଷ ହେଲା ଉଦ୍ୟମ ଚଳାଇଛନ୍ତି। ଏହା ସ‌ତ୍ତ୍ବେ ଏଫ୍‌ଡିଆଇ କ୍ଷେତ୍ରରେ ଓଡ଼ିଶା ଏତେ ପଛରେ ରହିବା ଅନେକଙ୍କୁ ଚକିତ କରିଛି।
ସୌଜନ୍ୟ-ସମ୍ୱାଦ

Comments are closed.